• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Ramakrushna Dakua

ଶ୍ରୀଲଙ୍କା ସଂକଟ ପାଇଁ କିଏ ଦାୟୀ ? ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ ? ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ସେ ? ନା ଶ୍ରୀଲଙ୍କ କ୍ଷମତାର ସର୍ବାଗ୍ରେ ରହିଆସିଥିବା ପୁରା ରାଜପାକ୍ସେ ପରିବାର ? ଶ୍ରୀଲଙ୍କାର ଘଡ଼ି ସନ୍ଧି ମୁହୁର୍ତ୍ତରେ ଏସବୁ ପ୍ରଶ୍ନ ଯେତିକି ଗୁରୁତ୍ୱ ରଖୁଛି ତାଠାରୁ ଅଧିକ ଗୁରୁତ୍ୱ ରଖୁଛି କେମିତି ସୁଧିରିବ ଦେଶର ଆର୍ଥିକ ଓ ରାଜନୈତିକ ସ୍ଥିତି ? କାହା ନେତୃତ୍ୱରେ ସ୍ୱାଭାବିକ ଧାରାକୁ ଫେରିବ ଦେଶ, ଆର୍ଥିକ ଅନଟନ ଓ ଚରମ ବିଶୃଙ୍ଖଳାରୁ ମୁକୁଳାଇ, କିଏ ଦେଇପାରିବ ଲଙ୍କାବାସୀଙ୍କୁ ଦିଗ୍‌ଦର୍ଶନ । ହତାଶ ହୋଇପଡିଥିବା ଲଙ୍କାବାସୀଙ୍କ ମନରେ କିଏ ସୃଷ୍ଟି କରିପାରିବ ନୂଆ ଆଶା ?

ଦେଶର ଅର୍ଥନୀତି ଏଭଳି ଦେବାଳିଆ ହୋଇଛି ଯେ, ଏହାକୁ ଟ୍ରାକ୍‌କୁ ଫେରାଇବା ଆଦୌ ସହଜ ନୁହେଁ । ଗୋଟିଏ ପଟେ ଋଣଭାର ଅନ୍ୟପଟେ ରପ୍ତାନୀ ଓ ପର୍ଯ୍ୟଟନ କ୍ଷେତ୍ରରେ ମାନ୍ଦାବସ୍ଥା ଯୋଗୁଁ ଶୂନ୍ୟପ୍ରାୟ ବିଦେଶୀ ମୁଦ୍ରା ଭଣ୍ଡାର । ବିଦେଶୀ ମୁଦ୍ରା ନଥିବାରୁ ଆମଦାନୀ ହୋଇପାରୁନି ଅତ୍ୟାବଶ୍ୟକୀୟ ସାମଗ୍ରୀ  ପେଟ୍ରୋଲ ଓ ଡିଜେଲ ସମେତ ଅତ୍ୟବଶ୍ୟକୀୟ ଖାଦ୍ୟ ସାମଗ୍ରୀର ଆକାଶଛୁଆଁ ଦରକୁ ନେଇ ଲଙ୍କାବାସୀ  ତ୍ରାହି ତ୍ରାହି ଡାକୁଥିବା ବେଳେ ଚରମସୀମାରେ ପହଞ୍ଚିଛି ସରକାର ବିରୋଧୀ ଆକ୍ରୋଶ । ତେଣୁ କିଏ ହେବେ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ? ତାକୁ ନେଇ ଚାଲିଛି ଜୋରଦାର ଚର୍ଚ୍ଚା ।

ଅଶାନ୍ତିର ତତଲା କଢ଼େଇରେ ସନ୍ତୁଳି ହେଉଥିବା ଶ୍ରୀଲଙ୍କାର ପରବର୍ତ୍ତୀ ରାଷ୍ଟ୍ରପତି ଦୌଡ଼ର ଆଗରେ ରହିଛନ୍ତି ବର୍ତ୍ତମାନର କାମଚଳା ରାଷ୍ଟ୍ରପତି ରାନିଲ ବିକ୍ରମାସିଙ୍ଘେ । ରେସ୍‌ରେ ଥିବା ଅନ୍ୟ ଦୁଇ ଆଶାୟୀ ହେଲେ ୬୩ ବର୍ଷୀୟ ସିଂହଳୀ ବୁଦ୍ଧିଷ୍ଟ ଦୁଲାସ ଆଲାପେରୁମ୍ମା ଏବଂ ୫୩ ବର୍ଷୀୟ ଅନୁରା କୁମାର ଦିସାନାୟକେ । ଅର୍ଥାତ୍ ରାଷ୍ଟ୍ରପତି ନିର୍ବାଚନରେ ହେବାକୁ ଯାଉଛି ତ୍ରିମୁଖି ଲଢ଼େଇ । ଶ୍ରୀଲଙ୍କାର ପ୍ରମୁଖ ବିରୋଧୀ ଦଳର ନେତା ସାଜିଥ୍ ପ୍ରେମଦାସା ରାଷ୍ଟ୍ରପତି ରେସରୁ ନିଜକୁ ବାହାରେ ରଖିଥିବା ବେଳେ ଦୁଲାସ ଆଲାପେରୁମ୍ମାଙ୍କୁ ସମର୍ଥନ ଘୋଷଣା କରିଛନ୍ତି ।

୨୨୫ ସଦସ୍ୟ ବିଶିଷ୍ଟ ଶ୍ରୀଲଙ୍କା ପାର୍ଲାମେଣ୍ଟ ଆସନ୍ତାକାଲି ଦେଶର ପରବର୍ତ୍ତୀ ରାଷ୍ଟ୍ରପତିଙ୍କୁ ବାଛିବ । ଯିଏ ବି ନିର୍ବାଚିତ ହେବେ ସେ ଗୋଟାବାୟାଙ୍କ କାର୍ଯ୍ୟକାଳ ସରିବା ଯାଏଁ ପଦରେ ରହିବେ । ଅର୍ଥାତ ନୂଆ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ନଭେମ୍ବର ୨୦୨୪ ଯାଏ ରହିବ । ରାନିଲ ବିକ୍ରମାସିଙ୍ଘେଙ୍କ ପରେ ଦ୍ୱିତୀୟ ବଡ଼ ଚେହେରା ଭାବେ ଦୁଲାସ ଆଲାପେରୁମ୍ମା ନାଁକୁ ନେଇ ଚର୍ଚ୍ଚା ହେଉଛି । ତାଙ୍କୁ ରାଷ୍ଟ୍ରପତି ର୍ନିବାଚିତ କରିବା ଲାଗି ସବୁ ବିରୋଧୀଙ୍କୁ ଆହ୍ୱାନ ଦେଇଛନ୍ତି ସାଜିଥ୍ ପ୍ରେମଦାସା ।

ଅନ୍ୟତମ ରାଷ୍ଟ୍ରପତି ପଦ ଆଶାୟୀ ଦୁଲାସ ଆଲାପେରୁମ୍ମା ବାମପନ୍ଥୀ ଚିନ୍ତାଧାରାର ହୋଇଥିବା ବେଳେ କ୍ୟାବିନେଟ୍ ମନ୍ତ୍ରୀଭାବେ ଦାୟିତ୍ୱ କୁଲାଇ ସାରିଛନ୍ତି । ସେ ଜଣେ ସ୍ତମ୍ବକାର ଭାବେ ମଧ୍ୟ ଖ୍ୟାତି ଅର୍ଜନ କରିଛନ୍ତି । ତାସହିତ ସେ ଜଣେ ର୍ନିମଳ ଭାବମୃତ୍ତି ସଂପନ୍ନ ବ୍ୟକ୍ତି । ସେହିଭଳି ଅନ୍ୟଜଣେ ରାଷ୍ଟ୍ରପତି ପଦ ପାଇଁ ଆଶାୟୀ ରହିଥିବା ବ୍ୟକ୍ତି ହେଉଛନ୍ତି ଜେଭିପି ପାର୍ଟିର ଅନୁରା କୁମାର ଦିସାନାୟକେ ।

ପ୍ରଥମ ଥର ପାଇଁ ଦେଶରେ ରାଷ୍ଟ୍ରପତି ର୍ନିବାଚନ ହେବାକୁ ଯାଉଛି । ୧୯୮୮, ୧୯୯୪, ୧୯୯୯, ୨୦୦୫, ୨୦୧୦, ୨୦୧୫ ଏବଂ ୨୦୧୯ରେ ରାଷ୍ଟ୍ରପତିଙ୍କୁ ମନୋନିତ କରାଯାଉଥିବା ବେଳେ ଏବେ ଦେଶରେ ସଂକଟ ଉପୁଜିବା ଏବଂ ରାଷ୍ଟ୍ରପତି ଗୋଟାବାୟା ଦେଶ ଛାଡ଼ି ଚାଲିଯାଇଥିବାରୁ ଆସନ୍ତାକାଲି ରାଷ୍ଟ୍ରପତି ନିର୍ବାଚନ ହେବ । ଶ୍ରୀଲଙ୍କା ସଂସଦରେ ଶାସକ ଦଳ ଏସଏଲପିପିର ୧୦୦ ସାଂସଦ ରହିଛନ୍ତି ।

ସେପଟେ ଏକ ଅନ୍ତର୍ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଦେଶର ଆର୍ଥିକ ସଂକଟ ପ୍ରସଙ୍ଗରେ ତଥ୍ୟ ଲୁଚାଇଥିବା ଭଳି ଗୋଟାବାୟାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି କାମଚଳା ରାଷ୍ଟ୍ରପତି ରାନିଲ ବିକ୍ରମାସିଙ୍ଘେ । ସରକାର ଯେଉଁ ସ୍ଥିତି ସୃଷ୍ଟି କରିଛନ୍ତି ତାହାର ସମାଧାନ ୨୦୨୩ ଶେଷ ସୁଦ୍ଧା ସୁଧାରିବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି ରାନିଲ । ଅନ୍ୟପଟେ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ରାଷ୍ଟ୍ରପତି ର୍ନିବାଚନ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିଥିବା ରାନିଲ୍ ବିକ୍ରମାସିଙ୍ଘେ କାମଚଳା ରାଷ୍ଟ୍ରପତିରୁ ରାଷ୍ଟ୍ରପତି ପଦ ପାଇଁ ପ୍ରତିଦ୍ୱନ୍ଦିତା କରୁଥିବାରୁ ଏହାକୁ ନେଇ ଜନଅସନ୍ତୋଷ ବୃଦ୍ଧି ପାଇଛି । ତେଣୁ ସେ ମଧ୍ୟ ଗାଦି ଛାଡ଼ନ୍ତୁ ବୋଲି ଆନ୍ଦୋଳନକାରୀ ଦାବି କରୁଛନ୍ତି । 

ଏପଟେ ୧୦୦ ଦିନର ଶ୍ରୀଲଙ୍କା ସଂକଟ ନେଇ ଚିନ୍ତିତ ଭାରତ ସରକାର ? ସ୍ଥିତି ଉପରେ ନଜର ରଖିଥିବା ଭାରତ ୱେଟ ଆଣ୍ଡ ଓ୍ୱାଚ ମୋଡରେ ରହିଛି । ଅର୍ଥାଭାବ, ଖାଦ୍ୟ ସଂକଟ ପରଠାରୁ ଭାରତ ଜରୁରୀ ସହାୟତା ପ୍ରଦାନ କରିଆସିଛି ଓ ବେସରକାରୀ ସ୍ତରରେ ଶ୍ରୀଲଙ୍କାକୁ ସହଯୋଗ ପ୍ରଦାନ କରୁଛି । ଶ୍ରୀଲଙ୍କା ସଂକଟ ମାମଲାରେ ଭାରତ ସରକାର ହସ୍ତକ୍ଷେପ କରନ୍ତୁ ବୋଲି ତାମିଲନାଡୁର ଦୁଇ ପ୍ରମୁଖ ରାଜନୈତିକ ଦଳ ଶାସକ ଡିଏମକେ ଏବଂ ବିରୋଧୀ ଏଆଇଡିଏମକେ ଦାବି କରି ଆସୁଛନ୍ତି ।

ଶ୍ରୀଲଙ୍କାରେ ବସବାସ କରୁଥିବା ତାମିଲ ସଂପ୍ରଦାୟର ଲୋକଙ୍କ ପ୍ରତି ଅନ୍ୟାୟ ନହେଉ ବୋଲି ସେମାନେ ଦାବି କରିଛନ୍ତି । ଶ୍ରୀଲଙ୍କାରେ ଅବସ୍ଥାପିତ ଭାରତୀୟ ହାଇକମିଶନର ଗୋପାଲ ବାଗଲେ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ଭାରତ ସରକାର ୪ ବିଲିୟନ ଡଲାରର ଆର୍ଥିକ ସହଯୋଗ ପ୍ରଦାନ କରିଛନ୍ତି । ପ୍ରଭାବଶାଳୀ ହସ୍ତକ୍ଷେପ ଯୋଗୁଁ ଖାଦ୍ୟ ସଂକଟରୁ ଲୋକଙ୍କୁ କିଛିଟା ଆଶ୍ୱସ୍ତୀ ମିଳିପାରିଛି ।