ସିଞ୍ଜୋଙ୍କ ପାଇଁ ପତ୍ରକାର ସାଜି ଆସିଥିଲା ଯମ, କ୍ୟାମେରା ନୁହେଁ ଧରିଥିଲା ବନ୍ଧୁକ

ସିଞ୍ଜୋ ଆବେଙ୍କ ମୃତ୍ୟୁ ପରେ ଜାପାନରେ ୯ ଜୁଲାଇ (ଶନିବାର) ଦିନ ଜାତୀୟ ଶୋକ ପାଳନ ନେଇ ଘୋଷଣା କରାଯାଇଛି ।

Shinzo Abe

ଟୋକିଓ: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଆଜି ଗୁଳି କରି ହତ୍ୟା କରାଯାଇଛି । ଏହି ଘଟଣା ସେତେବେଳେ ଘଟିଲା ଯେତେବେଳେ ଜାପାନର ନାରା ସହରରେ ସିଞ୍ଜୋ ଆବେ ଏକ ରାଲିକୁ ସମ୍ବୋଧନ କରୁଥିଲେ । ଏଭଳି ଘଟଣା ଘଟାଇଥିବା ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଘଟଣାସ୍ଥଳରୁ ହିଁ ଗିରଫ କରିସାରିଛି । ଆକ୍ରମଣକାରୀ ଜଣକ ସିଞ୍ଜୋଙ୍କୁ ପଛପଟୁ ଗୁଳି ମାରିଥିଲା । ପୋଲିସ ତାଠାରୁ ଏକ ବନ୍ଧୁକ ମଧ୍ୟ ଜବତ କରିଛି । ସିଞ୍ଜୋ ଆବେଙ୍କ ମୃତ୍ୟୁ ପରେ ଜାପାନରେ ୯ ଜୁଲାଇ (ଶନିବାର) ଦିନ ଜାତୀୟ ଶୋକ ପାଳନ ନେଇ ଘୋଷଣା କରାଯାଇଛି ।

ଦି ଜାପାନ ଟାଇମ୍ସର ରିପୋର୍ଟ ଅନୁଯାୟୀ, ସିଞ୍ଜୋ ଆବେଙ୍କୁ ଗୁଳି ଚଳାଇଥିବା ସନ୍ଦିଗ୍ଧଙ୍କ ନାମ ହେଉଛି ତେତ୍ସୁୟା ୟାମାଗାମି । ତାର ବୟସ ପାଖାପାଖି ୪୨ ହେବ । ସେ ସେହି ନାରା ସହରର ଜଣେ ବାସିନ୍ଦା । କୁହାଯାଉଛି ୟାମାଗାମି ହେଉଛି ଜାପାନ ନୌସେନାର ଜଣେ ପୂର୍ବତନ ସୈନିକ । ୨୦୦୫ ରେ ସେ ଅବସର ନେଇଥିଲା । ପୋଲିସ ତାକୁ ଏବେ ପଚରାଉଚରା ଜାରି ରଖିଛି ।

ସିଞ୍ଜୋଙ୍କ ଉପରେ ଅସନ୍ତୁଷ୍ଟ ଥିଲା ଆକ୍ରମଣକାରୀ

ଜାପାନ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପଚରାଉଚରା ବେଳେ ୟାମାଗାମୀ ନିଜେ ହତ୍ୟା ଉଦ୍ୟମ କରିଥିବା ସ୍ୱୀକାର କରିଛି । ଆବେଙ୍କ ଉପରେ ଅସନ୍ତୁଷ୍ଟ ଥିବା ମଧ୍ୟ ସେ କହିଛି । ମିଡିଆ ରିପୋର୍ଟ ଅନୁଯାୟୀ, ସିଞ୍ଜୋ ଆବେଙ୍କୁ ଗୁଳି ଚଳାଇଥିବା ବ୍ୟକ୍ତି ସାମ୍ବାଦିକ ଭାବରେ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲା । ସେ ହାତରେ ‘ହାଣ୍ଡ ଗନ୍‌’ ଧରିଥିଲା । ଆକ୍ରମଣକାରୀ ବନ୍ଧୁକକୁ କ୍ୟାମେରା ଭଳି ଆଣିଥିଲା ।

ଜାପାନ ଟାଇମ୍ସ ରିପୋର୍ଟର ୟୋମିଓରି ଶିମ୍ବୁନ ଘଟଣାସ୍ଥଳରେ ହିଁ ଉପସ୍ଥିତ ଥିଲେ । ସେ ଗଣମାଧ୍ୟମକୁ କହିଛନ୍ତି ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ସକାଳ ୧୧.୨୦ରେ ସଭାସ୍ଥଳରେ ପହଞ୍ଚିଥିଲେ । ଯେତେବେଳେ ସେ ଲିବରାଲ୍ ଡେମୋକ୍ରାଟିକ୍ ପାର୍ଟିର କାଉନ୍‌ସିଲର ପ୍ରାର୍ଥୀଙ୍କ ପରିଚୟ ଦେଲେ ଠିକ୍‌ ସେହି ସମୟରେ ଜଣେ ଯୁବକ ପଛରୁ ଗୁଳି ଚଳାଇଲା ।