donald trump
ଓସାମା ବିନକୁ ଭୁଲି ଗଲା କି ଆମେରିକା ? କାହିଁକି ପାକିସ୍ତାନ ସେନାମୁଖ୍ୟଙ୍କୁ ଲଞ୍ଚ୍ ପାଇଁ ଡାକିଲେ ଡୋନାଲ୍ଡ ଟ୍ରମ୍ପ ? ଏମିତି ଅନେକ ପ୍ରଶ୍ନ ଏବେ ଲୋକଙ୍କ ମନରେ ଉଙ୍କି ମାରୁଛି । ଆମେରିକା ଓସାମା ବିନ୍ ଲାଡେନକୁ ମନେ ରଖିବା ଉଚିତ । ଆତଙ୍କବାଦୀ ସଂଗଠନ ଅଲ୍-କାଏଦାର ମୁଖ୍ୟ ଥିଲା ଓସାମା ବିନ୍ ଲାଡେନ୍ । ୨୦୦୧ ମସିହା ବିଶ୍ୱ ବାଣିଜ୍ୟ କେନ୍ଦ୍ର ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା ଓସାମା । ପ୍ରାୟ ୩ ହଜାର ଲୋକ ଏହି ଭୟଙ୍କର ଆକ୍ରମଣରେ ପ୍ରାଣ ହରାଇଥିଲେ । ଓସାମାକୁ ଖୋଜି ଖୋଜି ପାକିସ୍ତାନର ଏକ ଆର୍ମି କ୍ୟାମ୍ପ ନିକଟରୁ ଧରିଥିଲା ଆମେରିକା ।
ଆମେରିକାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ସହ ପାକ୍ ସେନା ମୁଖ୍ୟ ଜେନେରାଲ୍ ଅସୀମ ମୁନିର ମଧ୍ୟାହ୍ନ ଭୋଜନ କରିଥିଲେ । ଏହି ଆତିଥେୟତାକୁ ନେଇ କଂଗ୍ରେସ ସାଂସଦ ଶଶି ଥରୁର ଟ୍ରମ୍ପଙ୍କୁ ମାରିଛନ୍ତି ତେରଛା ବାଣ । ଶଶି କହିଛନ୍ତି, ଟ୍ରମ୍ପଙ୍କ ଏହି ଭୋଜନକୁ ନେଇ ଆମେରିକା ଲୋକ କେବେ ବି ଖୁସି ନଥିବେ । ପାକ୍ ପ୍ରତିନିଧି ଦଳକୁ ଭେଟିଥିବା କିଛି ସିନେଟର୍ ବା କଂଗ୍ରେସମ୍ୟାନଙ୍କ କଥା ଅଲଗା ହୋଇପାରେ । କିନ୍ତୁ ଆମେରିକା ଲୋକମାନେ ଏତେ ଶୀଘ୍ର ଓସାମାକୁ ଭୁଲିନଥିବେ । ବିଶ୍ୱ ବାଣିଜ୍ୟ କେନ୍ଦ୍ରରେ ଆକ୍ରମଣ ପରଠୁ ନିଖୋଜ ଥିଲା ଓସାମା । ଆମେରିକା ତାକୁ ପାକିସ୍ତାନରେ ଠାବ କରି ଧରିଥିଲା । ତେଣୁ ଆମେରିକା ଲୋକେ ତାକୁ ଏତେ ଶୀଘ୍ର କ୍ଷମା ଦେଇପାରିବେନି । ଶଶିଙ୍କ ଏହି ବାର୍ତ୍ତା ନରମ ହୋଇପାରେ କିନ୍ତୁ ଶାଣିତ । ଦୋମୁହାଁ ନୀତିରେ ଚାଲୁଥିବା ପାକିସ୍ତାନକୁ ଆଦୌ ବିଶ୍ୱାସ କରିହେବନି । ଆମେରିକା ଇତିହାସରେ ଆତଙ୍କବାଦ ପଛରେ ଥିବା ଲୋକ ଓ ଭାରତରେ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା କୁଖ୍ୟାତ ଆତଙ୍କବାଦୀକୁ ପାକିସ୍ତାନ ହିଁ ଆଶ୍ରୟ ଦେଇଥିଲା ।
ଶଶି ଥରୁର ପୁଣି କହିଛନ୍ତି ଯେ, ଡୋନାଲ୍ଡ ଟ୍ରମ୍ପ ପାକିସ୍ତାନ ସେନା ମୁଖ୍ୟଙ୍କୁ ଭାରତ ମାଟିରେ ଆତଙ୍କବାଦକୁ ପ୍ରୋତ୍ସାହନ, ଅସ୍ତ୍ରଶସ୍ତ୍ର ଯୋଗାଣ ଓ ତାଲିମ ବିରୋଧରେ ନିଶ୍ଚିତ ତାଗିଦ୍ କରିଥିବେ । ଏଥିପାଇଁ ସେ ଏକ ସୁଯୋଗ ପାଇଥିଲେ । ମୁଁ ଏହା ହିଁ ଆଶା କରୁଛି । କାରଣ ଏଥିରେ ବି ଆମେରିକାର ସ୍ୱାର୍ଥ ରହିଛି ।
ପହଲଗାମ୍ ଆକ୍ରମଣ ପୂର୍ବରୁ ମୁନିରଙ୍କ ଉତ୍ତେଜନାମୂଳକ ଭାଷଣ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା ।
ଶଶି କହିଛନ୍ତି, ମୁଁ ଆଶା କରୁଛି ଭୋଜନର ଖାଦ୍ୟ ନିଶ୍ଚିତ ଭାବେ ଭଲ ଥିବ । ଏଥିରେ ତାଙ୍କୁ ଚିନ୍ତା କରିବାର ଖାଦ୍ୟ ମଧ୍ୟ ମିଳିଥିବ ।
ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଏକ ସାକ୍ଷାତକାରରେ ଧର୍ମ ଆଧାରରେ ପହଲଗାମରେ ନିରୀହ ଲୋକଙ୍କୁ ହତ୍ୟା କରାଯିବା ପଛରେ ମୁନିରଙ୍କ ଉତ୍ତେଜନାମୂଳକ ଭାଷଣ ଥିଲା ବୋଲି କହିଥିଲେ । ପହଲଗାମ୍ ଘଟଣାରେ ପାକିସ୍ତାନର ହାତ ଥିବା ଭାରତ ପାଖରେ ପ୍ରମାଣ ରହିଛି ।
ଟ୍ରମ୍ପ ଓ ମୁନିରଙ୍କ ଏକତ୍ର ମଧ୍ୟାହ୍ନ ଭୋଜନ ଭାରତରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । କାରଣ ଟ୍ରମ୍ପ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫୋନରେ କଥା ହେବାର ଦିନକ ପରେ ଜେନେରାଲ୍ ମୁନିର ତାଙ୍କୁ ଭେଟିଛନ୍ତି । ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଆମେରିକା ଯିବାକୁ ନିମନ୍ତ୍ରଣ କରିଥିଲେ । କିନ୍ତୁ ମୋଦି ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ । କାଶ୍ମୀର ପ୍ରସଙ୍ଗରେ ଭାରତ ତୃତୀୟ ପକ୍ଷର ମଧ୍ୟସ୍ଥତାକୁ ଆଦୌ ଚାହେଁନାହିଁ ବୋଲି ରୋକଠୋକ୍ ଶୁଣାଇ ଦେଇଥିଲେ ।
ଅପରେସନ ସିନ୍ଦୂର ସମୟରେ ଭାରତ ଓ ପାକିସ୍ତାନ ମଧ୍ୟରେ ଟ୍ରମ୍ପ ମଧ୍ୟସ୍ଥତା କରିଥିବା ଚର୍ଚ୍ଚାକୁ ପ୍ରଧାନମନ୍ତ୍ରୀ ମୋଦି ଦୃଢ଼ ଭାବେ ଖଣ୍ଡନ କରିଥିଲେ । ପାକିସ୍ତାନ ଅସ୍ତ୍ରବିରତି ପାଇଁ ପ୍ରଥମେ ପ୍ରସ୍ତାବ ଦେଇଥିଲା ବୋଲି ଭାରତ କହିଥିଲା । ଏହା ପରେ କଥା ବଦଳାଇଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1750338142.jpg)