Advertisment

ୟୁକ୍ରେନ୍ ଯୁଦ୍ଧକୁ ନେଇ ହରଡ଼ଘଣାରେ ରାଷ୍ଟ୍ରପତି ପୁଟିନ୍

ଯୁଦ୍ଧକୁ ନେଇ ହରଡ଼ଘଣାରେ ପୁଟିନ୍। ରିଜର୍ଭ ଫୋର୍ସ ମୁତୟନ ଲାଗି ଘୋଷଣା ପରେ ଛନକା। ତୁଚ୍ଛାଟାରେ ଯୁଦ୍ଧ ନ ଲଢ଼ିବାକୁ ଦେଶ ଛାଡୁଛନ୍ତି ଋଷୀୟ ନାଗରିକ।

ଅଦ୍ୟତନ ହୋଇଛି
Russian flee to avoid war; Putin in a hurry

Russian flee to avoid war; Putin in a hurry

Advertisment

୩ ଲକ୍ଷ ରିଜର୍ଭ ଫୋର୍ସ ଅର୍ଥାତ୍ ସାମରିକ ଟ୍ରେନିଂ ନେଇଥିବା ନାଗରିକଙ୍କୁ ୟୁକ୍ରେନ୍‌ରେ ମୁତୟନ କରାଯିବ ବୋଲି ରୁଷ୍‌ ରାଷ୍ଟ୍ରପତି ପୁତିନଙ୍କ ଘୋଷଣା ପରେ ଦେଶବ୍ୟାପୀ ପ୍ରତିକ୍ରିୟା ଦେଖାଦେଇଛି। କିଏ ଆନ୍ଦୋଳନକୁ ଓହ୍ଲାଉଛି ତ ଆଉ କିଏ ଦେଶ ଛାଡ଼ି ପଳାଉଛି। ଏନେଇ ବିଭିନ୍ନ ବର୍ଡର୍ ଚେକ୍‌ପୋଷ୍ଟ୍‌ ଓ ବିମାନବନ୍ଦରରେ ହଠାତ୍ ଭିଡ଼ ବଢ଼ିଯାଇଛି । ଏ ଭିତରେ ଦେଶରେ ଟ୍ରେଣ୍ଡ୍ କରୁଛି ଦୁଇଟି ଗୁଗୁଲ୍ ସର୍ଚ୍ଚ। ଗୋଟିଏ କେମିତି ଦେଶ ଛାଡ଼ିହେବ, ଅନ୍ୟଟି ଘରେ ରହି କେମିତି ହାତ ଭାଙ୍ଗିହେବ।.

Advertisment

ଦିନ ହେଉ କି ରାତି, ରୁଷ୍‌-ଫିନ୍‌ଲ୍ୟାଣ୍ଡ୍ ସୀମା, ରୁଷ୍‌-ଜର୍ଜିଆ ସୀମା ଚେକ୍‌ପୋଷ୍ଟ୍‌ରେ ଘଣ୍ଟା ଘଣ୍ଟା ଧରି ଲାଇନ୍ ଲଗାଇଛନ୍ତି ଶହ ଶହ ଗାଡ଼ି। ଜୀବନ ବଞ୍ଚାଇବାକୁ ଦେଶ ଛାଡ଼ୁଛନ୍ତି ଆତଙ୍କିତ ରୁଷୀୟ ନାଗରିକ। ଏମାନଙ୍କ ମଧ୍ୟରେ ଅଧିକାଂଶ ୧୮ରୁ ୬୫ ବର୍ଷ ବୟସ୍କ ପୁରୁଷ ଅଛନ୍ତି। ଏହି ବୟସର ୩ ଲକ୍ଷ ଲୋକଙ୍କୁ ମିଲିଟାରୀ ଟ୍ରେନିଂ ଦେଇ ରିଜର୍ଭ ଫୋର୍ସଭାବେ ୟୁକ୍ରେନ୍ ଯୁଦ୍ଧକୁ ପଠାଇବାକୁ ଚାହୁଁଛନ୍ତି ପୁତିନ। ତେଣୁ ବହୁସଂଖ୍ୟାରେ ପୁରୁଷ ପତ୍ନୀ ଓ ପିଲାଙ୍କୁ ଘରେ ଛାଡ଼ି ପଡ଼ୋଶୀ ଦେଶକୁ ପଳାଉଥିବା ଦେଖିବାକୁ ମିଳିଛି। କେବଳ ସଡ଼କପଥ ନୁହେଁ, ବିମାନବନ୍ଦରରେ ବି ହଠାତ ଭିଡ଼ ବଢ଼ିଯାଇଛି।

ପୁତିନଙ୍କ ଘୋଷଣା ପରେ ଗତ ବୁଧବାରଠାରୁ ମସ୍କୋରୁ ଓ୍ୱାନ୍-ୱେ ଫ୍ଲାଇଟ୍ ବୁକିଂ ବଢ଼ିବାରେ ଲାଗିଛି। ଟିକେଟ୍ ଦାମ୍ ବି ବହୁଗୁଣ ବଢ଼ିଯାଇଛି। ଖାସ୍ କରି ତୁର୍କୀ, ଆଜରବାଇଜାନ୍, ଆର୍ମେନିଆ, ଜର୍ଜିଆ, ମଣ୍ଟେନିଗ୍ରୋ, ଉଜ୍‌ବେକିସ୍ତାନ, କାଜାଖସ୍ତାନ ଆଦି ଭିସା-ଫ୍ରି ଦେଶକୁ ଉଡ଼ୁଥିବା ଡାଇରେକ୍ଟ ଫ୍ଲାଇଟ୍ ଟିକେଟ୍ ଚଳିତ ସପ୍ତାହ ପାଇଁ ସବୁ ବିକ୍ରି ହୋଇଯାଇଛି। ବହୁ ଲୋକ ଦୁବାଇ ବି ପଳାଉଛନ୍ତି।

Advertisment

ତେବେ ଲିଥୁଆନିଆ, ଲାଟ୍‌ଭିଆ, ଇଷ୍ଟୋନିଆ ଓ ଚେକ୍ ରିପବ୍ଲିକ୍ ଆଦି ପଡ଼ୋଶୀ ଦେଶ ରୁଷୀୟ ଶରଣାର୍ଥୀକୁ ଆଶ୍ରୟ ଦେବାକୁ ମନା କରିଦେଇଛନ୍ତି। କେବଳ ଏତିକି ନୁହେଁ, ସବୁଠାରୁ ରୋଚକ କଥା ହେଉଛି, ଯୁଦ୍ଧକ୍ଷେତ୍ରକୁ ଯିବାରୁ ବର୍ତ୍ତିବାକୁ କେମିତି ଦେଶ ଛଡ଼ାଯିବ, ତା ସହିତ ଘରେ ରହି କେମିତି ହାତ ଭାଙ୍ଗିହେବ ଗୁଗୁଲ୍ ସର୍ଚ୍ଚରେ ଟ୍ରେଣ୍ଡ୍ କରିବାରେ ଲାଗିଛି। ଅନ୍ୟପକ୍ଷରେ ଲୋକଙ୍କୁ ଦେଶଛାଡ଼ିବାରୁ ରୋକିବା ପାଇଁ ପୁତିନ ଖୁବ୍‌ଶିଘ୍ର ମାର୍ଶଲ୍ ଲ’ ଲାଗୁ କରିପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି।

ଖାର୍କିଭ୍ ଓ ଖେର୍ସନରେ ବିପର୍ଯ୍ୟୟ ପରେ ବ୍ୟାକ୍‌ଫୁଟ୍‌ରେ ରୁଷୀୟ ସେନା ଖାର୍କିଭ୍‌ର ଇଜିୟମ ଓ କୁପିଆନ୍ସ ସହରକୁ ପୁନଃଅଧିକାର କରିନେଇଛି ୟୁକ୍ରେନ୍। କୁହାଯାଉଛି ଯେ ୟୁକ୍ରେନ୍ ଉପରେ ଆକ୍ରମଣ ଜାରି ରଖିବା ପାଇଁ ପୁତିନଙ୍କ ପାଖରେ ରିଜର୍ଭ ସୈନ୍ୟଙ୍କୁ ମୁତୟନ କରିବା ବ୍ୟତୀତ ଅନ୍ୟ ବିକଳ୍ପ ନାହିଁ।

Advertisment

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ କୌଣସି ଦେଶ ବିରୋଧରେ ପ୍ରଥମ ଥର ଲାଗି ଋଷିଆକୁ ରିଜର୍ଭ ଫୋର୍ସ ମୁତୟନ କରିବାକୁ ପଡ଼ୁଛି। ରୁଷ୍‌ ନିକଟରେ ଏବେ ପ୍ରାୟ ଅଢ଼େଇ କୋଟି ରିଜର୍ଭ ଫୋର୍ସ ଅଛନ୍ତି, ଯାହାକି ଅବସରପ୍ରାପ୍ତ ସୈନିକ ଏବଂ ମିଲିଟାରୀ ଟ୍ରେନିଂ ନେଇଥିବା ସାଧାରଣ ନାଗରିକଙ୍କୁ ନେଇ ଗଠିତ।

ତେବେ ସେମାନଙ୍କ ମଧ୍ୟରୁ ୩ ଲକ୍ଷଙ୍କୁ ମୁତୟନ କରାଯିବ ବୋଲି ପୁଟିନଙ୍କ ଏହି ଘୋଷଣା ପରେ ଏହାକୁ ତୀବ୍ର ବିରୋଧ କରିଛନ୍ତି ରୁଷ୍‌ବାସୀ। ଆମେ ତୁମ ପାଇଁ ତୋପ ଆଗରେ ବଳି ପଡ଼ିବାକୁ ଯିବୁ ନାହିଁ ବୋଲି ସଫାସଫା ଶୁଣାଇଦେଇଛନ୍ତି ଜନସାଧାରଣ। ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ହେଉଥିବା ବେଳେ, ଏହାକୁ ଦୃଢ଼ହସ୍ତରେ ଦମନ କରିବାକୁ ଚେଷ୍ଟା କରୁଛନ୍ତି ରୁଷ୍‌ ସରକାର। ପରିଣାମ ସ୍ୱରୂପ ଏବେସୁଦ୍ଧା ପ୍ରାୟ ୧୩ଶହ ଆନ୍ଦୋଳନକାରୀ ଗିରଫ ହେଲେଣି।

ଏବେ ରୁଷ୍‌ ସୀମାରେ ଯେପରି ଦୃଶ୍ୟ ଦେଖିବାକୁ ମିଳିଛି, କିଛି ମାସ ତଳେ ଠିକ ସେହିପରି ଦୃଶ୍ୟ ଦେଖିବାକୁ ମିଳୁଥିଲା ୟୁକ୍ରେନ୍ ସୀମାରେ। ଯୁଦ୍ଧ ଡରରେ ପରିବାରକୁ ଧରି ପଡ଼ୋଶୀ ଦେଶକୁ ପଳାଉଥିଲେ ୟୁକ୍ରେନୀୟ ନାଗରିକ। ତେଣୁ କୁହାଯାଇପାରେ, ଏବେ ପୁଣି ନିଜକୁ ଦୋହରାଉଛି ଇତିହାସ। ହିଷ୍ଟ୍ରି ରିପିଟ୍ସ ଇଟ୍‌ସେଲ୍ଫ ।

Vladimir Putin Russia Ukraine Crisis Ukraine Russia War
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ