ଋଷର କଠୋର ପ୍ରତିଶୋଧ ! କିଭ୍ ଉପରେ ଘନ ଘନ ରକେଟ୍‌ ମାଡ଼

ୟୁକ୍ରେନର ରାଜଧାନୀ କିଭ୍ ଉପରେ ଋଷ୍‌ ରକେଟ୍ ପରେ ରକେଟ୍ ଆକ୍ରମଣ କରିଛି ।

କ୍ରିମିଆ ବ୍ରିଜ୍ ବିସ୍ଫୋରଣ ଘଟଣାରେ ରୁଷର ପାଲଟା ଆକ୍ସନ୍‌

କ୍ରିମିଆ ବ୍ରିଜ୍ ଧ୍ୱଂସର ପ୍ରତିଶୋଧ ନେଲା ରୁଷ । ୟୁକ୍ରେନର ରାଜଧାନୀ କିଭ୍ ଉପରେ ହୋଇଛି ରକେଟ୍ ଆକ୍ରମଣ । କ୍ୟାପିଟାଲ୍ ସିଟିରେ ଏକାଧିକ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ଏନେଇ କିଭ୍ ମେୟର ସ୍ପଷ୍ଟ କରିଛନ୍ତି । ଆଜି ସକାଳୁ ସକାଳୁ ହିଁ ଏହି ବିସ୍ଫୋରଣ ହୋଇଛି । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ସହରରେ କଳା ଧୂଆଁ ଛାଇ ଯାଇଛି । ଏହି ଆକ୍ରମଣରେ ଅନେକ ଲୋକଙ୍କ ଜୀବନ ଯାଇଥିବା ଆଶଙ୍କା କରାଯାଉଛି ।

ସ୍ଥାନୀୟ ସମୟ ସକାଳ ୮ଟା ୧୫ରେ ଏହି ବିସ୍ଫୋରଣ ହୋଇଛି । ମାସେ ଧରି ଶାନ୍ତ ରହିବା ପରେ କିଭ୍ ଉପରେ ଆକ୍ରମଣ କରାଯାଇଛି । କ୍ରିମିଆରେ ବିସ୍ଫୋରଣ କରି ବ୍ରିଜ୍ ଧ୍ୱଂସ କରିବା ଘଟଣାକୁ ଆତଙ୍କବାଦୀ ଆକ୍ରମଣ ବୋଲି ଅଭିହିତ କରିଥିଲା ରୁଷ । ଦକ୍ଷିଣ ୟୁକ୍ରେନକୁ ସେନା ପଠାଇବା ପାଇଁ ଏହି ବ୍ରିଜ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଥିଲା । ଏହି ବ୍ରିଜକୁ ବିସ୍ଫୋରଣ କରି ଉଡ଼ାଇ ଦେବା ପରେ ଏହା ପଛରେ ୟୁକ୍ରେନର ଭୂମିକା ଥିବା ରୁଷ ଦାବି କରିଥିଲା । ଆଉ ଏନେଇ ଆଜି ପୁଟିନ୍‌ ସରକାରଙ୍କ ପକ୍ଷରୁ ହୋଇଛି ପାଲଟା ଆକ୍ରମଣ । 

ତେବେ ଋଷର ଆକ୍ରମଣ ପରେ ମୃତାହତଙ୍କୁ ଉଦ୍ଧାର ପାଇଁ ଘଟଣାସ୍ଥଳରେ ଏକାଧିକ ଆମ୍ବୁଲାନ୍ସ ଉଦ୍ଧାର ପାଇଁ ନିୟୋଜିତ କରାଯାଇଛି  । ଆକ୍ରମଣ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଲୋକେ ଭୟଭୀତ ହୋଇ ଏଣେତେଣେ ପଳାୟନ କରୁଥିବା ଦେଖିବାକୁ ମିଳୁଛି । 

 

କିଛି ଦିନ ପୂର୍ବରୁ ୟୁକ୍ରେନ୍‌ର ୧୫ ପ୍ରତିଶତ ଅଞ୍ଚଳ ଋଷିଆରେ ମିଶିଥିଲା । ଋଷ ସେନା ନିଜ ନିୟନ୍ତ୍ରଣରେ ରଖିଥିବା ୟୁକ୍ରେନର ୪ଟି ଅଞ୍ଚଳକୁ ଋଷିଆ ସହ ମିଶାଇ ଦେଇଥିଲେ ପୁଟିନ୍ । ୟୁକ୍ରେନର ପୂର୍ବାଞ୍ଚଳରେ ଥିବା ଡନେସ୍କ, ଲୋହାନ୍ସଙ୍କ, ଖେରସନ ଓ ଜାପୋରଜିଆ ଋଷରେ ସାମିଲ ହୋଇଥିଲା । ତେବେ ପୁଟିନ୍‌ଙ୍କ ପଦକ୍ଷେପକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ପୁଟିନ୍ ଯୁଦ୍ଧ ଚାହାନ୍ତି, ଜୀବନ ନୁହେଁ ବୋଲି କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍‌ସ୍କି । ପୁଟିନ୍‌ଙ୍କ ପଦକ୍ଷେପ ବେଆଇନ୍ ଏବଂ ଆନ୍ତର୍ଜାତିକ ଆଇନର ଉଲ୍ଲଂଘନ ବୋଲି କହିବା ସହ ଏହାକୁ ନିନ୍ଦା କରିଛି ଜାତିସଂଘ । ତେବେ ଏହା ସାଂଘାତିକ ସ୍ଥିତି ସୃଷ୍ଟି କରିବ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି ଜାତିସଂଘ ମହାସଚିବ ଆଣ୍ଟୋନିଅ ଗୁଟେରସ୍ ।