ରୁଷରେ ଦେଖାଦେଲାଣି କି ସେନା ସଂକଟ?

ଆଗକୁ ପୁଟିନ ଡୋନବାସ ଅଞ୍ଚଳରେ ଯୁଦ୍ଧ ଜୋରଦାର କରିବାକୁ ଚାହୁଁଛନ୍ତି

ରୁଷରେ ଦେଖାଦେଲାଣି କି ସେନା ସଂକଟ?

ଯୁଦ୍ଧର ମୂଲ୍ୟ ଦେଉଛନ୍ତି ସୈନ୍ୟ । ରୁଷରେ ଦେଖାଦେଲାଣି କି ସେନା ସଂକଟ? କାରଣ ସେନାରେ ନିଯୁକ୍ତି ପାଇଁ ପୂର୍ବରୁ ପ୍ରଚଳିତ ସର୍ବାଧିକ ବୟସସୀମାକୁ ଉଚ୍ଛେଦ କରିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ପୂର୍ବରୁ ସର୍ବାଧିକ ୪୦ ବର୍ଷ ବୟସ୍କ ସେନାରେ ଯୋଗ ଦେଇପାରୁଥିବା ବେଳେ ଏଣିକି ୪୦ ବର୍ଷରୁ ଅଧିକ ବୟସ୍କ ବି ସେନାରେ ସାମିଲ ହୋଇପାରିବେ । ତେବେ ପୁଟିନଙ୍କ ଏଭଳି ନିଷ୍ପତ୍ତି ପଛରେ କାରଣ କଣ ହୋଇଥାଇପାରେ ବୋଲି ଚର୍ଚ୍ଚା ଜୋର୍ ଧରିଲାଣି ।

ଯୁଦ୍ଧରେ ୩୦ ହଜାର ରୁଷୀୟ ସୈନ୍ୟଙ୍କ ଜୀବନ ଯାଇଥିବା ୟୁକ୍ରେନ୍ ଦାବି କରୁଛି । ସେପଟେ ପାଶ୍ଚାତ୍ୟ ଦେଶମାନେ ବିଭିନ୍ନ ସୂତ୍ରରୁ ତଥ୍ୟ ସଂଗ୍ରହ କରି ଏହା କଦାପି ୧୫ ହଜାରରୁ କମ୍ ହୋଇନପାରେ ବୋଲି କହୁଛନ୍ତି । ତେବେ ଆଗକୁ ପୁଟିନ ଡୋନବାସ ଅଞ୍ଚଳରେ ଯୁଦ୍ଧ ବଢ଼ାଇବାକୁ ଚାହୁଁଛନ୍ତି । ହେଲେ ଫେବୃଆରୀ ମାସରୁ ୟୁକ୍ରେନରେ ନିୟୋଜିତ ସୈନ୍ୟ କ୍ରମଶଃ କ୍ଲାନ୍ତ ହେବାରେ ଲାଗିଲେଣି । ଏହାକୁ ଦୃଷ୍ଟିରେ ରଖି ପୁଟିନ ସେନା ନିଯୁକ୍ତି ପାଇଁ ସର୍ବାଧିକ ବୟସ ସୀମାକୁ ହଟାଇଥିବା ଅନୁମାନ କରାଯାଉଛି । ଏହାଦ୍ୱାରା ସେନାରେ ଡାକ୍ତର ଓ ଇଞ୍ଜିନିୟର୍ ଭଳି ସ୍ପେଶାଳିଷ୍ଟ ଟ୍ରୁପ୍ ନିଯୁକ୍ତି କରିବାରେ ମଧ୍ୟ ସହଜ ହେବ ।

ତେଣେ ଦୁଇ ଦିନ ପୂର୍ବରୁ ପ୍ରଥମ ଥର ପାଇଁ ଦେଶର ପୂର୍ବାଞ୍ଚଳକୁ ଯାଇ ନିଜ ସେନାର ମନୋବଳ ବଢ଼ାଇଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦୋମିର ଜେଲେନସ୍କି । ସେ ଖାର୍କିଭ୍ ଗସ୍ତ କରିଛନ୍ତି । ଏଥିସହ ସହରର ଓ ଲୋକଙ୍କର ସୁରକ୍ଷା କଥା ନଭାବି କେବଳ ନିଜ ସୁରକ୍ଷା କଥା ଚିନ୍ତା କରୁଥିବାରୁ ଜେଲେନସ୍କି ଖାରକିଭ୍ ସହରର ସିକ୍ୟୁରିଟି ଚିଫଙ୍କୁ ବରଖାସ୍ତ କରିଛନ୍ତି । ତେବେ ଜେଲେନସ୍କି ଖାରକିଭରୁ ଫେରିବା ପରେ ପରେ ସେଠାରେ ରୁଷ ସେନା ଆକାଶମାର୍ଗରୁ ଭୀଷଣ ବୋମା ବର୍ଷା କରିଥିବା ଦେଖିବାକୁ ମିଳିଛି । ତେଣେ ମାଇକୋଲେଭ୍ ସିପ୍ୟାର୍ଡ ଉପରେ ମଧ୍ୟ ଆକ୍ରମଣ କରିଛି ରୁଷ ।