• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆର୍ଥିକ ସଙ୍କଟ ମଧ୍ୟରେ ଜୁଝି ହେଉଥିବା ଶ୍ରୀଲଙ୍କାରେ ଆସିବ କି ଅଚ୍ଛେ ଦିନ୍? ରାଜନୈତିକ ଅସ୍ଥିରତା, ଲୋଟି ପଡ଼ିଥିବା ଅର୍ଥନୀତି ଓ ହିଂସାତ୍ମକ ଆନ୍ଦୋଳନର ଏହି ଘଡ଼ି ସନ୍ଧି ମୁହୁର୍ତ୍ତରେ ଦେଶର ମଙ୍ଗ ସମ୍ଭାଳିଛନ୍ତି ନୂଆ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମାସିଂଘେ । ଦ୍ୱୀପ ରାଷ୍ଟ୍ର ଶ୍ରୀଲଙ୍କାର ସ୍ଥିତି ଓ ଛବି ବଦଳାଇବାରେ ସେ କେତେ ସଫଳ ହେଉଛନ୍ତି ତା ଉପରେ ସାରା ବିଶ୍ୱର ନଜର ।

ସଂସଦରେ ନିଜ ଦଳର ଏକମାତ୍ର ପ୍ରତିନିଧି ହୋଇ ମଧ୍ୟ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ଗାଦିରେ ବସିଥିବା ରାନିଲ ବିକ୍ରମସିଂଘେଙ୍କ ଆଗରେ ଏବେ ଏକାଧିକ ମହା-ଚାଲେଞ୍ଜ । ଦୀର୍ଘ ଦିନର ରାଜନୈତିକ ଅସ୍ଥିରତା, ଆନ୍ଦୋଳନ ଏବଂ ଶେଷରେ ହିଂସା । ପରିଣାମ ସ୍ୱରୂପ ସୋମବାର ପ୍ରଧାନମନ୍ତ୍ରୀ ପଦରୁ ଅପସରି ଯାଇଛନ୍ତି ବିଦାୟୀ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ସେ । ତାଙ୍କ ସ୍ଥାନ ନେଇ ନୂଆ ସମ୍ଭାବନା ହୋଇ ସାମ୍ନାକୁ ଆସିଛନ୍ତି ରାନିଲ ବିକ୍ରମସିଂଘେ ।

ବୁଧବାର ଦେଶବାସୀଙ୍କୁ ସମ୍ବୋଧନ କରି ବିରୋଧୀଙ୍କୁ ନେଇ ମିଳିତ ସରକାର ଗଠନ ପାଇଁ ପ୍ରସ୍ତାବ ଦେଇଥିଲେ ରାଷ୍ଟ୍ରପତି ଗୋଟାବାୟା । ରାଷ୍ଟ୍ରପତିଙ୍କ ଆହ୍ୱାନକୁ ଗ୍ରହଣ କରି ଷଷ୍ଠଥର ପାଇଁ ଦେଶର କମାଣ ସମ୍ଭାଳିଛନ୍ତି ରାନିଲ ବିକ୍ରମସିଂଘେ । ବିକ୍ରମାସିଂଘେ ପୂର୍ବରୁ ୫ ଥର ପ୍ରଧାନମନ୍ତ୍ରୀ ହୋଇଛନ୍ତି, ଶ୍ରୀଲଙ୍କା ସଂସଦର ମୋଟ ୨୨୫ ଆସନରୁ UNPରୁ ପ୍ରତିନିଧିତ୍ୱ କରୁଥିବା ବିକ୍ରମସିଂଘେ ଏକମାତ୍ର ସଦସ୍ୟ ଅଛନ୍ତି ।

ଋଣଭାରରେ ତଳିତଳାନ୍ତ ଶ୍ରୀଲଙ୍କାକୁ ନୂଆ ଦିଶା ଦେବା ହେବ ପ୍ରଧାନମନ୍ତ୍ରୀଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ । ୭୩ ବର୍ଷୀୟ ରାନିଲ ବିକ୍ରମସିଂଘେ ଦେଶର ପ୍ରଧାନମନ୍ତ୍ରୀ ହେବା ପରେ, ଶ୍ରୀହିନ ହୋଇଥିବା ଶ୍ରୀଲଙ୍କା ପାଇଁ ନୂଆ ନୀତି ନିର୍ଦ୍ଧାରଣ, ପଡ଼ୋଶୀଙ୍କ ସହ ବ୍ୟବସାୟିକ ସମ୍ପର୍କ ବୃଦ୍ଧି, କୂଟନୀତି ଆଦି ପ୍ରମୁଖ ପ୍ରସଙ୍ଗ ହୋଇ ରହିବ । ଶ୍ରୀଲଙ୍କାରେ ଏବେ ପିଇବାକୁ ପାଣି ନାହିଁ କି ରୋଗୀଙ୍କ ପାଇଁ ଔଷଧ ନାହିଁ । ଅତ୍ୟାବଶ୍ୟକ ସାମଗ୍ରୀ ଦର ଆକାଶ ଛୁଆଁ, ରାସ୍ତାକୁ ଓହ୍ଲାଇବାକୁ ଲୋକେ ବାଧ୍ୟ ହୋଇଛନ୍ତି ।

୧୯୪୮ରେ ସ୍ୱାଧୀନତା ପାଇଥିବା ଶ୍ରୀଲଙ୍କା ଏବେ ଦେବାଳିଆ ହୋଇଯାଇଛି । ବିଦେଶୀ ମୁଦ୍ରା ଭଣ୍ଡାରରେ ଆଉ କାଣିଚାଏ ବି ସଞ୍ଚୟ ନାହିଁ । ବିଦେଶୀ ଭଣ୍ଡାର ଖାଲି ଥିବାରୁ ବିଦେଶରୁ କୌଣସି ସାମଗ୍ରୀ ଆମଦାନୀ ବି କରିପାରୁନି ଶ୍ରୀଲଙ୍କା । ଶହେ କୋଟି ଡଲାରର ଋଣ ବୋଝ ମୁଣ୍ଡେଇଥିବା ଶ୍ରୀଲଙ୍କାର ୧୦ ପ୍ରତିଶତ ଋଣ ଚୀନ୍ ପାଖରୁ କରିଛି । ଦ୍ରୁତ ଗତିରେ ଶ୍ରୀଲଙ୍କା ଟଙ୍କାର ମୂଲ୍ୟ ଡଲାର ବିନିମୟରେ ଦୁର୍ବଳ ହୋଇଛି । ୧ ଡଲାର ତୁଳନାରେ ୩୬୦ ଟଙ୍କାକୁ ଖସି ଆସିଛି ଶ୍ରୀଲଙ୍କାର ଟଙ୍କା । ନୂଆ ପ୍ରଧାନମନ୍ତ୍ରୀ କିନ୍ତୁ ଶପଥ ନେଉ ନେଉ ଦମ୍ଭୋକ୍ତି ବାଢ଼ିଛନ୍ତି ଯେ, ସେ ଏସବୁର ସମାଧାନ କରିଦେବେ ।

ପ୍ରଧାନମନ୍ତ୍ରୀ ପଦଭାର ସମ୍ଭାଳୁ ସମ୍ଭାଳୁ ଭାରତୀୟ ପ୍ରତିପକ୍ଷ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି ରାନିଲ । ଆଶା କରାଯାଉଛି ଯେ, ଚୀନର ଚଞ୍ଚକତାକୁ ବିଫଳ କରିବା ପାଇଁ ଭାରତ ଉପରେ ଭରସା କରୁଛନ୍ତି ରାନିଲ । ମହିନ୍ଦା ରାଜପକ୍ସେ ଚୀନର ଅଧିକ ନିକଟତର ଥିବା ବେଳେ, ରାନିଲଙ୍କର ଭାରତ ସହ ଉତ୍ତମ ସମ୍ପର୍କ ।

ଅନ୍ୟପକ୍ଷରେ କଲମ୍ବୋରେ ଅବସ୍ଥାପିତ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି ଯେ, ଭାରତ ପୂର୍ବ ଭଳି ଶ୍ରୀଲଙ୍କାକୁ ନିଜ ସହଯୋଗ ଓ ସମର୍ଥନ ଜାରି ରଖିବ । ଶ୍ରୀଲଙ୍କାରେ ରାଜନୈତିକ ସ୍ଥିରତା ଆସିବ ବୋଲି ଆଶା ରଖିଛି ନୂଆଦିଲ୍ଲୀ । ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମନ୍ତ୍ରୀ ମଧ୍ୟ ଭାରତକୁ ପ୍ରଶଂସା କରିବାକୁ ଯାଇ କହିଛନ୍ତି, ମୋ ସରକାର ଅମଳରେ ଭାରତ ସହ ସମ୍ପର୍କ ଖୁବ୍ ଘନିଷ୍ଠ ହେବ ।

ପୂର୍ବରୁ ମଧ୍ୟ ରାନିଲଙ୍କ ସମୟରେ ଭାରତ ଓ ଶ୍ରୀଲଙ୍କା ଦ୍ୱିପାକ୍ଷିକ ସମ୍ପର୍କ ଖୁବ୍ ମଜବୁତ ରହିଥିଲା । ପୂର୍ବ କାର୍ଯ୍ୟକାଳରେ ଚାରି ଚାରି ଥର ଭାରତ ଗସ୍ତରେ ଆସିଥିଲେ ରାନିଲ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦୁଇ ଦୁଇ ଥର ଶ୍ରୀଲଙ୍କା ଗସ୍ତ କରି ସମ୍ପର୍କକୁ ସୁଦୃଢ଼ କରିଛନ୍ତି । ଶ୍ରୀଲଙ୍କାର ସ୍ଥିତି ସୁଧାର ପାଇଁ ଭାରତ ସରକାର ବର୍ତ୍ତମାନ ସୁଦ୍ଧା ୩ଶହ ୫୦ କୋଟି ଡଲାର୍ର ଆର୍ଥିକ ସହଯୋଗ ପ୍ରଦାନ କରାସାରିଛି । ଏହା ସହ ପିଇବା ପାଣି, ଔଷଧ, ଇନ୍ଧନ ଭଳି ଜରୁରୀ ସାମଗ୍ରୀ ପହଞ୍ଚାଇଛି ।

ତେବେ କାହିଁକି ଶ୍ରୀଲଙ୍କାରେ ଉତ୍କଟ ହୋଇଛି ଆର୍ଥିକ ସଙ୍କଟ ? ଦେଶର ସରକାରଙ୍କ ଅନେକ ଖରାପ ନୀତି ଏଥିପାଇଁ ଦାୟୀ ବୋଲି ଚର୍ଚ୍ଚା ହେଉଛି । ଦେଶକୁ ନୂଆ ପ୍ରଧାନମନ୍ତ୍ରୀ ମିଳିବା ପରେ ମଧ୍ୟ ରାଜନୈତିକ ହଟଚମଟ ଲାଗି ରହିଛି । ଏହା ସହ ଜନ ଅସନ୍ତୋଷ ମଧ୍ୟ ଜାରି ରହିଛି । ରାଷ୍ଟ୍ରପତି ଗୋଟବାୟାଙ୍କ ଇସ୍ତଫା ଦାବିରେ ଅଡ଼ି ବସିଥିବା ଲୋକେ ବିରୋଧ ଜାରି ରଖିଛନ୍ତି । ଦେଶରେ ପରିସ୍ଥିତି ଅଣାୟତ୍ତ ହୋଇପଡ଼ିବା ପରେ ଶାନ୍ତି ପ୍ରତିଷ୍ଠା ପାଇଁ ସେନା ପକ୍ଷରୁ ଉଦ୍ୟମ କରାଯାଇଛି । ସେପଟେ ଜୀବନ ରକ୍ଷା ପାଇଁ ମହିନ୍ଦା ରାଜପକ୍ଷେ ଓ ପରିବାର ନୌସେନା ବେସକୁ ପଳାଇଥିଲେ ।