Advertisment

ୟୁକ୍ରେନ-ଋଷିଆ ଯୁଦ୍ଧରେ ଲାଗିବ କି ବିରାମ?

ୟୁକ୍ରେନର ସାଧାରଣ ନାଗରିକ କିନ୍ତୁ ତ୍ରାହି ତ୍ରାହି ଡାକିଲେଣି।

russia ukraine war

russia ukraine war

Advertisment

ଗୁଳି-ଗୋଳା ବର୍ଷା, ରକେଟ୍ ଓ ମିଜାଇଲ୍ ମାଡ଼। ରାତିର ଅନ୍ଧାରରେ ଦାଉ ଦାଉ ଯୁଦ୍ଧର ଲେଲିହାନ ଶିଖା। ୟୁକ୍ରେନ ରାଜଧାନୀ କିଭ୍ ଉପକଣ୍ଠର ଏକ କୋଠା କ୍ଷତିଗ୍ରସ୍ତ। ଋଷର କ୍ଷେପଣାସ୍ତ୍ର ମାଡ଼ ପରେ ଏ ବିରାଟ କୋଠାର ଗୋଟିଏ ପାର୍ଶ୍ୱ ଛିନଛତ୍ର ହୋଇଯାଇଛି। କେବଳ ଆକାଶ ମାର୍ଗରୁ ନୁହେଁ, ଋଷୀୟ ସ୍ଥଳସେନା ବି କିଭ୍ ଦଖଲ ପାଇଁ ନିକଟବର୍ତ୍ତୀ ହୋଇସାରିଲେଣି। ବହୁ ଋଷ ସେନା ୟୁକ୍ରେନ୍ ଆର୍ମି ୟୁନିଫର୍ମ ପିନ୍ଧି ବିଭିନ୍ନ ସହରରେ ପଶିଥିବା କୁହାଯାଉଛି। ଦୁର୍ଦ୍ଧର୍ଷ କମାଣ୍ଡୋ ୟୁନିଟ୍ ସ୍ପେଟ୍ସନାଜ୍ ବି ଆକ୍ରମଣରେ ସାମିଲ ହୋଇଛି।

Advertisment

ବେଲାରୁସ୍ ଆଡ଼ୁ ଆକ୍ରମଣ କରି କିଭ୍‌ର ଉତ୍ତର-ପୂର୍ବ ସହର ଚନୋବିଲ୍ ଏବଂ ସେଠାରେ ଥିବା ଗୁରୁତ୍ୱପୂର୍ଣ୍ଣ ନିୟୁକ୍ଲିୟର ପାଓ୍ୱାର୍ ପ୍ଲାଣ୍ଟକୁ ଅକ୍ତିଆରକୁ ନେଇସାରିଛି ଋଷୀୟ ସେନା। ଏପଟେ ୟୁକ୍ରେନ୍ ସେନା ବି ଜବାବି ହମ୍‌ଲା କରିଚାଲିଛି। ୟୁକ୍ରେନ୍ ସେନା ଆକ୍ରମଣରେ ଖସିଛି ଋଷୀୟ ହେଲିକପ୍ଟର। ଏଥିସହ ଋଷର ମିଲିରୋଭୋ ଏୟାରବେସ୍‌ରୁ ଟାର୍ଗେଟ୍ କରି ୟୁକ୍ରେନ୍ ନିଜର ଲଙ୍ଗ୍ ରେଞ୍ଜ୍ ମିଜାଇଲ୍ ଛାଡ଼ିଛି। 

ୟୁକ୍ରେନ୍‌ର ୧୩୭ ସୈନ୍ୟ ମାରିବା ସହ ଏୟାରଫିଲ୍ଡ, କମାଣ୍ଡ୍ ପଏଣ୍ଟ, ନୌସେନା ଘାଟି, ରାଡାର୍ ଷ୍ଟେସନ୍ ଓ ମିଜାଇଲ୍ ସିଷ୍ଟମ୍ ସମେତ ୭୪ଟି ସାମରିକ ଭିତ୍ତିଭୂମି ଅକାମୀ କରିଥିବା ଦାବି କରିଛି ଋଷ। ଅନ୍ୟପକ୍ଷରେ ଋଷର ୮୦୦ ସୈନ୍ୟଙ୍କୁ ମାରିବା ସହ ୩୦ଟି ଟ୍ୟାଙ୍କ, ୭ଟି ଲଢ଼ୁଆ ବିମାନ ଓ ୬ଟି ହେଲିକପ୍ଟର ଧ୍ୱଂସ କରିଥିବା ଦାବି କରିଛି ୟୁକ୍ରେନ୍।

Advertisment

ୟୁକ୍ରେନ୍ ରାଷ୍ଟ୍ରପତି ଆଶଙ୍କା କରିଛନ୍ତି ଯେ, ଆଉ ୯୬ ଘଣ୍ଟାରେ ଋଷୀୟ ସେନା କିଭ୍ କବଜା କରିପାରନ୍ତି ଓ ସରକାର ବଦଳାଇବାକୁ ଚେଷ୍ଟା କରିପାରନ୍ତି। କହିଛନ୍ତି, ମୁଁ ଋଷର ୧ ନମ୍ବର ଟାର୍ଗେଟ୍ ଓ ମୋ ପରିବାର ୨ ନମ୍ବର ଟାର୍ଗେଟ୍ ବୋଲି ଜାଣିଥିଲେ ବି, ମୁଁ କିଭ୍ ଛାଡ଼ି କୁଆଡ଼େ ଯିବି ନାହିଁ।ତେବେ ସେ ଆଲୋଚନା ପାଇଁ ଋଷକୁ ଆହ୍ୱାନ ଦେବା ପରେ, ଋଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ୍ କହିଛନ୍ତି ୟୁକ୍ରେନ୍ ଆର୍ମି ଲଢ଼େଇ ବନ୍ଦ କଲେ ଆମେ ଆଲୋଚନା ପାଇଁ ପ୍ରସ୍ତୁତ।

ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଏ ଭିଡିଓକୁ ଦେଖନ୍ତୁ। ଯୁଦ୍ଧର ଭୟାବହତା ବଖାଣିବା ପାଇଁ ଏ କଅଁଳା ଶିଶୁର କାନ୍ଦ ହିଁ ଯଥେଷ୍ଟ। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ୟୁରୋପରେ ଦେଖାଦେଇଥିବା ଭୟାବହ ସ୍ଥିତିର ଗତି କୁଆଡ଼େ, ତାକୁ ନେଇ ସମଗ୍ର ବିଶ୍ୱ ସମୁଦାୟ ସନ୍ଦିହାନ ସ୍ଥିତିରେ ଥିବା ବେଳେ, ୟୁକ୍ରେନର ସାଧାରଣ ନାଗରିକ କିନ୍ତୁ ତ୍ରାହି ତ୍ରାହି ଡାକିଲେଣି।

Advertisment

କିଭ୍‌ରେ ବହୁ ପରିବାର ଅସ୍ଥାୟୀ ବଙ୍କର୍ ଭିତରେ ଲୁଚି ରହିଛନ୍ତି। ପ୍ରାଣ ବିକଳରେ ପ୍ରାୟ ୧ଲକ୍ଷ ଲୋକ ଘର ଛାଡ଼ିଥିବା କୁହାଯାଉଛି। ବହୁ ଲୋକ ୟୁକ୍ରେନ ସୀମା ଡେଇଁ ପଶ୍ଚିମରେ ଥିବା ପୋଲାଣ୍ଡରେ ଶରଣ ନେଉଥିବା ଦେଖିବାକୁ ମିଳିଛି। ସେପଟେ ସାରା ବିଶ୍ୱରୁ ଛୁଟିଛି ଯୁଦ୍ଧ ବନ୍ଦ କରିବାକୁ ଆହ୍ୱାନ। ଆମେରିକା ହ୍ୱାଇଟହାଉସ ଆଗରେ ପ୍ରବାସୀ ୟୁକ୍ରେନ ନାଗରିକ ବିକ୍ଷୋଭ କରିଛନ୍ତି। ସୂଚନା ମିଳିଛି, ଋଷରେ ମଧ୍ୟ ଯୁଦ୍ଧ ବନ୍ଦ ଦାବିରେ ଲୋକେ ରାସ୍ତାକୁ ଓହ୍ଲାଇବାରୁ ୧୮ଶହ ଲୋକଙ୍କୁ ଗିରଫ କରିଛି ପୁତିନ ସରକାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ