Large Populous Nation: ଛୁଆ ଜନ୍ମରେ ଆଗୁଆ ପାକିସ୍ତାନ, ଏହି ବର୍ଷ ସୁଦ୍ଧା ଆମେରିକାକୁ ଟପିଯିବ

ପାକିସ୍ତାନରେ ହୁ ହୁ ହୋଇ ବୃଦ୍ଧି ପାଉଛି ଜନସଂଖ୍ୟା । 25 ବର୍ଷ ପରେ ଆମେରିକାକୁ ଟପି ବିଶ୍ୱର ତୃତୀୟ ଜନବହୁଳ ରାଷ୍ଟ୍ର ପାଲଟିବ ବୋଲି ଆକଳନ କରାଯାଉଛି ।

ପାକିସ୍ତାନ ଜନସଂଖ୍ୟା ବୃଦ୍ଧି

ଜନସଂଖ୍ୟା ବୃଦ୍ଧିରେ ଆମେରିକାକୁ ପଛରେ ଛାଡିବ ପାକିସ୍ତାନ । ଖୁବଶୀଘ୍ର ପାଲଟିବ ବିଶ୍ୱର ତୃତୀୟ ଜନବହୁଳ ରାଷ୍ଟ୍ର । ସମ୍ପ୍ରତି ଏହି ପଡୋଶୀ ଦେଶ ଦେବାଳିଆ ଅବସ୍ଥାରେ ରହିଛି । ୨୦୨୨ ରାଜନୈତିକ ଅସ୍ଥିରତା ପରଠୁ ଉତ୍କଟ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି । ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ଖାଲି ପଡିଛି । ଖାଦ୍ୟ, ତୈଳ, ଇନ୍ଧନ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଦରଦାମ୍ ଆକାଶ ଛୁଆଁ ରହିଛି । ଭୋକ ଜ୍ୱାଳାରେ ଆଉଟୁପାଉଟୁ ଅନେକ ପାକ୍ ବାସୀ ଦିନକୁ ଦୁଇ ଓଳି ପେଟ ପୁରା ଖାଇବାକୁ ପାଉନାହାନ୍ତି । ଏପରି ଆର୍ଥିକ ସଙ୍କଟଗ୍ରସ୍ତ ପାକିସ୍ତାନ ଯଦିଓ ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମି, ମୁଣ୍ଡପିଛା ଆୟ ପ୍ରଭୃତି ବିଭିନ୍ନ ଦୃଷ୍ଟିରୁ ପଛରେ ଅଛି, ହେଲେ ଛୁଆ ଜନ୍ମରେ ରହିଛି ଆଗୁଆ । ଖୁବଶୀଘ୍ର ପାକିସ୍ତାନ ଜନସଂଖ୍ୟା ବୃଦ୍ଧିରେ ଆମେରିକାକୁ ପଛରେ ପକାଇବାକୁ ଯାଉଛି ।

ଜାତିସଂଘର ଏକ ରିପୋର୍ଟ ଅନୁଯାୟୀ, ୨୦୫୦ ସୁଦ୍ଧା ପାକିସ୍ତାନ ଜନସଂଖ୍ୟା ଆମେରିକାକୁ ଟପିଯିବ ଏବଂ ବିଶ୍ୱର ତୃତୀୟ ଜନବହୁଳ ରାଷ୍ଟ୍ର ପାଲଟିବ । ଗତ ୩ ଦଶନ୍ଧି ମଧ୍ୟରେ ପାକିସ୍ତାନରେ ଜନ୍ମହାରରେ ଅପେକ୍ଷାକୃତ ହ୍ରାସ ସତ୍ତ୍ୱେ ଏପରି ଘଟିବାକୁ ଯାଉଛି । ୨୦୨୪ରେ ପାକିସ୍ତାନରେ ଜନ୍ମହାର ୩.୬ ପ୍ରତିଶତ ରହିଛି, ଯାହା ଅନ୍ୟ ଦେଶ ତୁଳନାରେ ଅଧିକ ।

ଜାତିସଂଘର ବିଶ୍ୱ ପ୍ରଜନନ ହାର ରିପୋର୍ଟ ୨୦୨୪ ମୁତାବକ, ୧୯୯୪ ତୁଳନାରେ ବର୍ତ୍ତମାନ ପାକିସ୍ତାନରେ ଜନ୍ମହାର ଯଥେଷ୍ଟ ହ୍ରାସ ପାଇଛି । ୧୯୯୪ରେ ପ୍ରତି ମହିଳା ପିଛା ପ୍ରଜନନ ହାର ୬ ଥିଲା ଅର୍ଥାତ୍ ଜଣେ ମହିଳା ହାରାହାରି ୬ଟି ଶିଶୁ ଜନ୍ମ ଦେଉଥିଲେ । ସମ୍ପ୍ରତି ଏହି ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଥିଲେ ହେଁ ଜନସଂଖ୍ୟା ବୃଦ୍ଧିରେ ପାକିସ୍ତାନ ଆମେରିକାକୁ ଅତିକ୍ରମ କରିବ ବୋଲି ଆକଳନ କରାଯ଼ାଉଛି । 

ବର୍ତ୍ତମାନ ପାକିସ୍ତାନ ବିଶ୍ୱର ପଞ୍ଚମ ଜନବହୁଳ ରାଷ୍ଟ୍ର । ଭାରତ ସବୁଠୁ ଅଧିକ ଜନବହୁଳ ରାଷ୍ଟ୍ର ହୋଇଥିବାବେଳେ ଦ୍ୱିତୀୟରେ ଚୀନ, ତୃତୀୟରେ ଆମେରିକା ଓ ଚତୁର୍ଥ ସ୍ଥାନରେ ଇଣ୍ଡୋନେସିଆ ରହିଛି । ମାତ୍ର ଯେଉଁ ହାରରେ ପାକିସ୍ତାନ ଜନସଂଖ୍ୟା ବୃଦ୍ଧି ଘଟୁଛି ୨୦୫୦ ସୁଦ୍ଧା ଅର୍ଥାତ୍ 25 ବର୍ଷ ପରେ ଏହି ଦେଶ ଆମେରିକା, ଇଣ୍ଡୋନେସିଆକୁ ଟପି ବିଶ୍ୱର ତୃତୀୟ ଜନବହୁଳ ଦେଶ ହୋଇଯିବ । 

ଏଠାରେ ଉଲ୍ଲେଖଯୋଗ୍ୟ, ୧୯୪୭ରେ ଭାରତର ସ୍ୱାଧୀନତା ସହିତ ପାକିସ୍ତାନର ଗଠନ ହୋଇଥିଲା । ସେହି ସମୟରେ ଏହାର ଜନସଂଖ୍ୟା ୩୧ ମିଲିୟନ ଥିଲା । ୨୦୨୩ ଜନଗଣନା ଅନୁସାରେ ଏହି ଜନସଂଖ୍ୟା ବୃଦ୍ଧି ପାଇ ୨୪୧ ମିଲିୟନରେ ପହଞ୍ଚିଛି ଯାହା ଆହୁରି ବଢି ୨୦୫୦ ସୁଦ୍ଧା ୩୮୦ ମିଲିୟନ ପାର୍ କରିବ ବୋଲି ଆକଳନ କରାଯାଉଛି । 

ପାକିସ୍ତାନର ବର୍ଦ୍ଧିତ ଜନସଂଖ୍ୟା ପୂର୍ବରୁ ହିଁ ଏହାର ଦୁର୍ବଳ ଅର୍ଥବ୍ୟବସ୍ଥା ଉପରେ ବୋଝ ବଢାଉଛି । ଏପରି ସ୍ଥିତିରେ ଜନସଂଖ୍ୟା ନିୟନ୍ତ୍ରଣ ଏବେ ପଡୋଶୀ ଦେଶ ପାଇଁ ବଡ ଚ୍ୟାଲେଞ୍ଜ ହୋଇଛି । ପାକ୍ ସରକାର ଜନସଂଖ୍ୟା ବୃଦ୍ଧିରେ ବ୍ରେକ ଲଗାଇବାକୁ ପରିବାର ନିୟୋଜନ କାର୍ଯ୍ୟକ୍ରମ, ଗର୍ଭନିରୋଧକ ବିତରଣ, ଗ୍ରାମୀଣ ଶିକ୍ଷା ଅଭିଯାନ ସମେତ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି ।