Tension in Pak
୧୯୭୧ରେ ପାକିସ୍ତାନ ଛାତିରେ ସୃଷ୍ଟି ହୋଇଥିବା ଭୟଙ୍କର କ୍ଷତ ଏବେ ବି ଶୁଖିନି । ଦୁଇ ଖଣ୍ଡ ହୋଇ ଯାଇଥିଲା ପାକିସ୍ତାନ । ବାଂଲାଦେଶକୁ ଦେଖିଲେ ସେ କ୍ଷତର ଯନ୍ତ୍ରଣା ପୁଣି ଛଟପଟ କରୁଥିବ ପାକିସ୍ତାନ ମାଟିକୁ । ଏବେ ପୁଣି ପୁଣି ବିଖଣ୍ଡିତ ହେବାର ଆଶଙ୍କାରେ ଅଣନିଃଶ୍ୱାସୀ ହେଉଛି ପାକିସ୍ତାନ । ପାକିସ୍ତାନର ଅନେକ ପ୍ରାନ୍ତରେ ଏବେ ପୁଣି ଉଠୁଛି ସ୍ୱାଧୀନ ହେବାର ସ୍ୱର । ଭାରତ-ପାକିସ୍ତାନ ମଧ୍ୟରେ ଲାଗିଥିବା ଯୁଦ୍ଧ ଏହି ସ୍ୱରକୁ ଆହୁରି ଶାଣିତ କରିଛି । ଅବଶ୍ୟ ଏବେ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ଘୋଷଣା କରାଯାଇଛି ଏବଂ ସୀମାନ୍ତରେ ଉତ୍ତେଜନା ହ୍ରାସ ପାଇଛି । ହେଲେ ପାକିସ୍ତାନ ଭିତରେ ସ୍ୱାଧୀନ ହେବା ପାଇଁ ଯେଉଁ ସ୍ୱର ଉଠିଥିଲା ତାହା ଏବେ ଆହୁରି ତୀବ୍ର ହୋଇଛି । ପାକିସ୍ତାନ କବଜାରୁ ମୁକୁଳିବାର ସ୍ୱପ୍ନ ଏବେ ଆକାଶଛୁଆଁ ହୋଇଛି ।
ଖାଲି ପାକିସ୍ତାନ ନୁହେଁ, ସପେଟେ ବାଂଲାଦେଶର ଦକ୍ଷିଣ-ପୂର୍ବ ଇଲାକାରେ ଚଟଗାଁଓ ପାହାଡି କ୍ଷେତ୍ରରେ ଜଳୁଛି ବିଦ୍ରୋହର ନିଆଁ । ସ୍ୱାଧୀନ ହେବା ପାଇଁ ଚଟଗାଓଁବାସୀଙ୍କ ସ୍ୱର ଢାକାରେ ଥିବା କ୍ଷମତା କେନ୍ଦ୍ର ପାଇଁ ଚାଲେଞ୍ଜ ସୃଷ୍ଟି କରିଛି । ପାକିସ୍ତାନରେ ବେଲୁଚିସ୍ତାନରେ ଉଠୁଥିବା ବିଦ୍ରୋହର ନିଆଁ ଯେମିତି ବାଂଲାଦେଶରେ ପହଞ୍ଚି ଯାଇଛି । ଏହି ପାହାଡି କ୍ଷେତ୍ରର ଲୋକେ ବାଂଲାଦେଶ ବିରୋଧରେ ସ୍ୱର ଉଠାଇଛନ୍ତି । ଖାଲି ସ୍ୱର ଉଠାଇ ନାହାନ୍ତି, ରାସ୍ତାକୁ ବି ଓହ୍ଲାଇଛନ୍ତି । କହିବାକୁ ଗଲେ ଚଟଗାଁଓ ଏବେ ବାଂଲାଦେଶର ବେଲୁଚିସ୍ତାନରେ ପରିଣତ ହେବାକୁ ଯାଉଛି । ଚଟଗାଁଓ ପାହାଡି କ୍ଷେତ୍ରକୁ ସ୍ୱାଧୀନ କରିବା ଦାବି ବାଂଲାଦେଶରେ ଅନେକ ଦଶକ ତଳୁ ହୋଇ ଆସୁଛି । ହେଲେ ସରକାର ଏହାକୁ କେବେ ବି ଗମ୍ଭୀରତାର ସହ ନେଇ ନାହାନ୍ତି । ଏହି ଉପେକ୍ଷା ଏବେ ଚଟଗାଁଓକୁ ବିଦ୍ରେହୀଙ୍କ ଇଲାକାରେ ପରିଣତ କରି ଦେଇଛି, ଠିକ ଯେମିତି ବେଲୁଚିସ୍ତାନ ପାକିସ୍ତାନ ପାଇଁ ବିଦ୍ରୋହୀ ଇଲାକା ହୋଇଛି ।
କହିବାକୁ ଗଲେ ବେଲୁଚିସ୍ତାନ ଓ ଚଟଗାଓଁର ସ୍ଥିତି ପ୍ରାୟତଃ ସମାନ । ବେଲୁଚିସ୍ତାନ ପରି ଚଟଗାଁଓ ମଧ୍ୟ ଖଣିଜ, ଜଙ୍ଗଲ ଏବଂ ଜୈବିକ ସଂସାଧନରେ ଭରପୂର ଏକ ଅଞ୍ଚଳ । ଏଠିକାର ମୂଳ ଆଦିବାସୀଙ୍କୁ ବାହାର ସଂପ୍ରଦାୟରୁ ଆସିଥିବା ଲୋକମାନେ ଦବାଇ ରଖିଥାନ୍ତି । ଏଠିକାର ସଂସ୍କୃତି, ଭାଷା ଏବଂ ପରିଚୟକୁ ଶେଷ କରିବା ପାଇଁ ଚେଷ୍ଟା କରାଯାଉଛି । ବେଲୁଚିଙ୍କ ପରି ଏଠାରେ ମଧ୍ୟ ଚକମା, ମର୍ମା ଏବଂ ଜୁମ୍ମା ସଂପ୍ରଦାୟଙ୍କ ପରିଚୟ ଏବେ ସଙ୍କଟରେ ପଡିଛି । ଉଭୟ ସ୍ଥାନରେ ସ୍ୱାଧୀନତାର ଦାବିକୁ ରାଜଦ୍ରୋହ ବୋଲି କହି ଏହାକୁ ଦବାଇ ଦେବାକୁ ପ୍ରୟାସ କରାଯାଉଛି ।
ଚାରି ଭାଗ ହେବ ପାକିସ୍ତାନ
ଯାହାବି ହେଉ, ବାଂଲାଦେଶଠାରୁ ଆହୁରି ଗଭୀର ସଙ୍କଟରେ ପଡିଛି ପାକିସ୍ତାନ । ପାକିସ୍ତାନରେ କେବଳ ଗୋଟିଏ ସ୍ଥାନରେ ନୁହେଁ, ଚାରି ଚାରୋଟି ସ୍ଥାନରେ ଜଳୁଛି ବିଦ୍ରୋହର ନିଆଁ । ପାକିସ୍ତାନର ଚାରି ପ୍ରମୁଖ ସ୍ଥାନ ଯେପରି ବେଲୁଚିସ୍ତାନ, ସିନ୍ଧ, ପଞ୍ଜାବ ଏବଂ ଖାଇବର ପଖତୁନରେ ଅସ୍ଥିରତା ଏବଂ ଅସନ୍ତୋଷ ଏବେ ଚରମ ସ୍ଥିତିରେ । ଏହି ୪ଟି ପ୍ରାନ୍ତର ସ୍ଥିତି ପାକିସ୍ତାନର ସମ୍ଭାବ୍ୟ ବିଭାଜନର ଆଧାର ହୋଇ ପାରନ୍ତି ।
କ୍ଷେତ୍ରଫଳ ଦୃଷ୍ଟିରୁ ଦେଖିଲେ ବେଲୁଚିସ୍ତାନ ପାକିସ୍ତାନର ସବୁଠାରୁ ବଡ ପ୍ରାନ୍ତ ଅଟେ । ଏବେ ବେଲୁଚିସ୍ତାନ ନିଜକୁ ସ୍ୱାଧୀନ ରାଷ୍ଟ୍ର ଘୋଷଣା କରି ଦେଇଛି । ଏକ ସ୍ୱାଧୀନ ରାଷ୍ଟ୍ରର ମାନ୍ୟତା ଦେବା ଲାଗି ବିଶ୍ୱ ଦରବାରରେ ଗୁହାରି କରୁଛି । ସେହିପରି ପାକିସ୍ତାନର ସିନ୍ଧ ପ୍ରାନ୍ତରେ ବିଚ୍ଛିନ୍ନତାବାଦୀ ଚିନ୍ତାଧାରର ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସିନ୍ଧସ୍ତାନ ଗଢିବା ପାଇଁ ବଳ ଯୋଗାଡୁଛନ୍ତି ଏଠିକାର ଲୋକେ । ତୃତୀୟରେ ପାକିସ୍ତାନର ପଞ୍ଜାବ ପ୍ରାନ୍ତ ଯାହା ସବୁଠାରୁ ଶକ୍ତିଶାଳୀ ଏବଂ ଜନବହୁଳ ପ୍ରାନ୍ତ ଅଟେ । ଏହା ପାକିସ୍ତାନର ଅର୍ଥ ବ୍ୟବସ୍ଥା ଏବଂ ସେନାର ଆଧାର ଅଟେ । ଏଠିକା ଲୋକେ ମଧ୍ୟ ପଞ୍ଜାବିସ୍ତାନ ନାମରେ ସ୍ୱତନ୍ତ୍ର ରାଷ୍ଟ୍ର ଗଠନ ଦାବି କରୁଛନ୍ତି ଏବଂ ଏଥିପାଇଁ ସଂଘର୍ଷ ମଧ୍ୟ କରୁଛନ୍ତି । ଅନ୍ୟ ପକ୍ଷେ ଖାଇବର ପଖତୁନରେ ତେହରିକ-ଏ-ତାଲିବାନ(ଟିଟିପି) ଏବଂ ଅନ୍ୟ ଆତଙ୍କବାଦୀ ସଂଗଠନ ପ୍ରଭାବ ରହିଛି । ଏହି କ୍ଷେତ୍ର ଶେଷରେ ପାକିସ୍ତାନ ନାମରେ ରହିଯିବ । ହେଲେ ଏହାର ସ୍ଥିତି ଦୁର୍ବଳ ଏବଂ ଅସ୍ଥିର ରହିବ ।
ନିଜ ଦେଶକୁ ସମ୍ଭାଳି ପାରୁନି, ଅନ୍ୟ ଦେଶରେ ମୁଣ୍ଡ ପୁରଉଛି ପାକିସ୍ତାନ
ଯଦି ପାକିସ୍ତାନ ଏପରି ଖଣ୍ଡ ଖଣ୍ଡ ହୋଇଯିବ ତେବେ ବେଲୁଚିସ୍ତାନ ନିଜର ପ୍ରାକୃତିକ ସଂସାଧାନକୁ ନେଇ ସମୃଦ୍ଧ ହୋଇ ପାରିବ । ସିନ୍ଧସ୍ତାନ କରାଚି ପରି ଆର୍ଥିକ କେନ୍ଦ୍ରସ୍ଥଳକୁ ନେଇ ଆଗକୁ ଯାଇପାରିବ । ପଞ୍ଜାବିସ୍ତାନ ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଭାବେ ମଧ୍ୟ ଉଭା ହେବ । ହେଲେ ମୂଳ ପାକିସ୍ତାନ ଭାବେ ଖାଇବର ପଖତୁନ ଏବଂ କିଛି ଉତ୍ତରୀ କ୍ଷେତ୍ର ରହିଯିବ । ଦେଶ ଭିତରେ ଦେଖା ଦେଇଥିବା ଏପରି ବିଦ୍ରୋହକୁ ପାକିସ୍ତାନ ସମ୍ଭାଳି ପାରୁନି । ହେଲେ ଭାରତରେ ଥିବା କାଶ୍ମୀରକୁ ନିଜ କବ୍ଜାକୁ ନେବାକୁ ଚେଷ୍ଟା କରୁଛି ।
ଇତି ମଧ୍ୟରେ ବେଲୁଚିସ୍ତାନ ନିଜକୁ ସ୍ୱାଧୀନ ଘୋଷଣା କରି ସାରିଲାଣି । ପାକିସ୍ତାନ ସହ ତାଙ୍କର କୌଣସି ସମ୍ପର୍କ ନାହିଁ ବୋଲି ଏଠିକାର ନେତାମାନେ କହି ସାରିଲେଣି । ବେଲୁଚିସ୍ତାନକୁ ଏକ ସ୍ୱତନ୍ତ୍ର ରାଜ୍ୟ କରିବାରେ ସହଯୋଗ କରିବା ଲାଗି ଅନ୍ତର୍ଜାତୀୟ ସ୍ତରରେ ଗୁହାରି କରିଛି । ସେହିପରି ସିନ୍ଧ ପ୍ରାନ୍ତରେ ମଧ୍ୟ ସ୍ୱତନ୍ତ୍ରତାର ଦାବି ତୀବ୍ର ହେବାକୁ ଲାଗିଲାଣି ।
ପିଓକେକୁ ନେଇ ଭାରତକୁ ସମର୍ଥନ କରୁଛି ବେଲୁଚିସ୍ତାନ
ବେଲୁଚିସ୍ତାନରେ ପାକିସ୍ତାନ ବିରୋଧରେ ବିଦ୍ରୋହ କରୁଥିବା ବେଲୁଚି ନେତା ଏବଂ ତାଙ୍କର ସମର୍ଥକ ଭାରତକୁ ପାକ ଅଧିକୃତ କାଶ୍ମୀର ପ୍ରସଙ୍ଗରେ ପୂର୍ଣ୍ଣ ସମର୍ଥନ କରି ଆସୁଛନ୍ତି। ଏହି ଅଞ୍ଚଳକୁ ଖାଲି କରିବା ପାଇଁ ଅନ୍ତର୍ଜାତୀୟ ସ୍ତରରେ ପାକିସ୍ତାନ ଉପରେ ଚାପ ପକାଇବା ନେଇ ବେଲୁଚିସ୍ତାନ ଦାବି କରି ଆସୁଛି । ବେଲୁଚ ନେତା ମୀର ୟାର ବଲୋଚ କହିଛନ୍ତି, ୨୦୨୫, ମେ ୧୪ ତାରିଖରେ ଭାରତ ପାକିସ୍ତାନକୁ PoK ଖାଲି କରିବା ପାଇଁ କହିଛି । ଭାରତର ଏହି ନିଷ୍ପତ୍ତିକୁ ବାଲୁଚିସ୍ତାନ ପୂର୍ଣ୍ଣ ସମର୍ଥନ କରେ। ସେତିକି ନୁହେଁ, ମୀର ୟାର ପାକିସ୍ତାନକୁ ଚେତାବନୀ ଦେଇ କହିଛନ୍ତି, ଯଦି ପାକିସ୍ତାନ ଭାରତର କଥା ନ ଶୁଣେ, ଢାକାରେ ୯୩,୦୦୦ ସେନା ଶୋଚନୀୟ ପରାଜୟ ବରଣ କଲା ପରି ଆଉ ଏକ ଲଜ୍ଜାଜନକ ପରାଜୟ ବରଣ କରିବ । ଆଉ ଏହି ପରାଜୟ ପାଇଁ POKର ଲୋକଙ୍କୁ ମାନବ ଢାଲ ଭାବେ ବ୍ୟବହାର କରୁଥିବା ପାକିସ୍ତାନୀ ସେନାର ଲୋଭୀ ଜେନେରାଲମାନେ ହିଁ ଦାୟୀ ରହିବେ ।
ବେଲୁଚିସ୍ତାନ ପାଇଁ ସ୍ୱତନ୍ତ୍ର ଜାତୀୟ ପତାକା ଏବଂ ନକ୍ସା ଜାରି
ବେଲୁଚିସ୍ତାନର ସ୍ୱାଧୀନତା ସଂଗ୍ରାମୀଙ୍କ ପକ୍ଷରୁ ଏକ ସ୍ୱତନ୍ତ୍ର ଜାତୀୟ ପତାକା ଏବଂ ବେଲୁଚିସ୍ତାନର ଏକ ଅଲଗା ନକ୍ସା ଜାରି କରାଯାଇଛି । ଏହି ନକ୍ସାରେ ବେଲୁଚିସ୍ତାନକୁ ପାକିସ୍ତାନଠାରୁ ଅଲଗା ଭାବେ ଦର୍ଶା ଯାଇଛି । ମୀର ୟାର ବଲୁଚ, ମହରଙ୍ଗ ବଲୁଚ ଏବଂ ସାହିବା ବଲୁଚଙ୍କ ବରିଷ୍ଠ ବେଲୁଚ ନେତା ଏହି ସ୍ୱାଧୀନତା ସଂଗ୍ରାମର ନେତୃତ୍ୱ ନେଉଛନ୍ତି ଏବଂ ପାକିସ୍ତାନ ପାଇଁ ଚିନ୍ତାର କାରଣ ପାଲଟିଛନ୍ତି । ବେଲୁଚ ନେତା ପାକିସ୍ତାନଠାରୁ ସ୍ୱତନ୍ତ୍ର ହୋଇଥିବା ଘୋଷଣା କରିବା ସହ ବେଲୁଚିସ୍ତାନ ନିଜ ଦେଶର ଜାତୀୟ ନିଷ୍ପତ୍ତି ନେଇ ସାରିଛି ବୋଲି ଶୁଣାଇ ଦେଇଛନ୍ତି । ସେମାନେ କହିଛନ୍ତି, ବେଲୁଚିସ୍ତାନ ଏବେ ଆଉ ପାକିସ୍ତାନର ଅଂଶ ହୋଇ ନାହିଁ । ଏ ନେଇ ବିଶ୍ୱ ଆଉ ଚୁପ ରହିବା ଉଚିତ ନୁହେଁ ।
ସେତିକି ନୁହେଁ, ସେମାନେ ନୂଆଦିଲ୍ଲୀରେ ବେଲୁଚ ଦୂତାବାସ ଖୋଲିବା ପାଇଁ ଅନୁମତି ମାଗିଛନ୍ତି ଏବଂ ଜାତିସଂଘରେ ଡେମୋକ୍ରାଟିକ ରିପବ୍ଲିକ ଅଫ ବେଲୁଚିସ୍ତାନକୁ ସ୍ୱତନ୍ତ୍ର ରାଷ୍ଟ୍ରର ମାନ୍ୟତା ଦେବା ସହ କରେନ୍ସି, ପାସପୋର୍ଟ ଏବଂ ଅନ୍ୟ ଆନ୍ତର୍ଜାତୀୟ ସହାୟତା ପ୍ରଦାନ ପାଇଁ ଦାବି କରିଛି । ଏହାକୁ ଦେଖି ଲାଗୁଛି ଯେମିତି ପୁଣି ଥରେ ୧୯୭୧ ଇତିହାସର ପୃଷ୍ଠା ଓଲଟି ଯାଇଛି । ବାଂଲାଦେଶ ସ୍ୱତନ୍ତ୍ର ହେବା ସମୟରେ କେତେକ ମୁକ୍ତି ଯୋଦ୍ଧା ଠିକ ଏମିତି କରିଥିଲେ । ସେ ସମୟରେ ଭାରତ ବଂଲାଦେଶକୁ ସମର୍ଥନ କରିବା ସହ ପାକିସ୍ତାନକୁ ଦୁଇ ଖଣ୍ଡ କରି ଦେଇଥିଲା । ଏବେ ଭାରତ ପୁଣି ଯଦି ବେଲୁଚି ସେନାକୁ ସମର୍ଥନ କରେ ତେବେ ୧୯୭୧ ପରି ପାକିସ୍ତାନ ଦୁଇଫାଳ ହୋଇଯିବ ଏବଂ ସ୍ୱତନ୍ତ୍ର ବେଲୁଚିସ୍ତାନ ଠିଆ ହୋଇ ପାରିବ । ଅବଶ୍ୟ ଏ କ୍ଷେତ୍ରରେ ଭାରତ କି ପଦକ୍ଷେପ ନେବ ତାହା ସମୟ କହିବ ।
୧୯୪୮ରୁ ବେଲୁଚଙ୍କ ମନରେ ଜଳୁଛି ପାକ୍ ବିରୋଧୀ ନିଆଁ
ବେଲଚଙ୍କ ମନରେ ଜଳୁଥିବା ପାକ୍ ବିରୋଧୀ ନିଆଁ ଆଜିର ନୁହେଁ । ୧୯୪୮ରେ ସୈନ୍ୟବଳକୁ ଦେଖି ପାକିସ୍ତାନ ବେଲୁଚିସ୍ତାନକୁ ନିଜ ସହ ସାମିଲ କରାଇଥିଲା । ସେହି ସମୟରୁ ବେଲୁଚଙ୍କ ମନରେ ଏହି ନିଆଁ ଜଳୁଛି । ଇଂରେଜମୋନେ ଯିବା ପରେ ପରେ ବେଲୁଚମାନେ ନିଜକୁ ସ୍ୱାଧୀନ ବୋଲି ଘୋଷଣା କରିଦେଲେ । ପାକିସ୍ତାନ ପ୍ରଥମେ ବେଲୁଚଙ୍କର ଏହି ଦାବିକୁ ଗ୍ରହଣ କରିଥିଲା । ହେଲେ ପରେ ପ୍ରତ୍ୟାଖ୍ୟାନ କରି ଦେଇଥିଲା । ଧୀରେ ଧୀରେ ବେଲୁଚଙ୍କୁ ଲାଗିଲା ଯେମିତି ପାକିସ୍ତାନ ସେମାନଙ୍କୁ ଧୋକା ଦେଉଛି । କାରଣ ବେଲଚମାନଙ୍କର ଭାଷା ଏବଂ ସଂସ୍କୃତି ଅନ୍ୟ ପାକିସ୍ତାନଠାରୁ ସମ୍ପୂର୍ଣ୍ଣ ଅଲଗା । ସେମାନଙ୍କର ଭାଷା ବେଲୁଚ । ହେଲେ ପାକିସ୍ତାନର ଭାଷା ଉର୍ଦ୍ଦୁ ଏବଂ କେତେକ ସ୍ଥାନରେ ଉର୍ଦ୍ଦୁ ମିଶା ପଞ୍ଜାବୀ । ବେଲୁଚଙ୍କ ମନରେ ଆଶଙ୍କା ରହିଛି କାଳେ ପାକିସ୍ତାନ ତାଙ୍କର ଭାଷାକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେବ । କାରଣ ବାଂଲାଦେଶ ସହ ଠିକ ଏମିତି କରିଥିଲା ପାକିସ୍ତାନ ଯେଉଁଥିପାଇଁ ବଂଲାଦେଶ ମୁକ୍ତି ପାଇଁ ସଂଘର୍ଷ କରିବାକୁ ପଡ଼ିଥିଲା ।
ବେଲୁଚିସ୍ତାନ ସହାୟତାରେ ପାକିସ୍ତାନକୁ କଡା ଜବାବ ଦେଇ ପାରିବ ଭାରତ
ପାକିସ୍ତାନ ଯେମିତି କାଶ୍ମୀର ପ୍ରସଙ୍ଗରେ ହସ୍ତକ୍ଷେପ କରି ସୀମାନ୍ତରେ ଅସ୍ଥିରତା ସୃଷ୍ଟି କରୁଛି ଠିକ ସେମିତି ଭାରତ ବେଲୁଚିସ୍ତାନକୁ ସମର୍ଥନ କରି ତାକୁ କଡା ଜବାବ ଦେଇ ପାରିବ । ସେହିପରି ବେଲୁଚିସ୍ତାନର ସ୍ୱାଧୀନତାକୁ ସମର୍ଥନ ଦେବା ଦ୍ୱାରା ଭାରତ ରଣନୀତିକ ଫାଇଦା ଉଠାଇ ପାରିବ । କାରଣ ବେଲୁଚିସ୍ତାନ ପାକିସ୍ତାନର ସବୁଠାରୁ ବଡ ପ୍ରାନ୍ତ ଅଟେ । ଏଥିସହିତ ଚୀନ-ପାକିସ୍ତାନ ଅର୍ଥନୈତିକ କରିଡର ସହ ଏଠାରେ ଗ୍ୱାଦର ବନ୍ଦର ବି ରହିଛି । ତା ଛଡା ଭାରତ ବେଲୁଚିସ୍ତାନକୁ ସମର୍ଥନ ଦେବା ଦ୍ୱାରା ପାକିସ୍ତାନ ଏବଂ ଚୀନ ଭାରତକୁ ବିରୋଧ କରିବା ପାଇଁ ଯେଉଁ ରାଜନୈତିକ ଯୋଜନା ପ୍ରସ୍ତୁତ କରୁଛନ୍ତି ତାହା ମଧ୍ୟ ଦୁର୍ବଳ ହୋଇଯିବ ।
ବେଲୁଚିସ୍ତାନରେ କାହିଁକି ଅଟକି ରହିଛି ପାକିସ୍ତାନର ନିଃଶ୍ୱାସ
ପାକିସ୍ତନାର ୪୪ ପ୍ରତିଶତ ଅଂଶ ହେଉଛି କେବଳ ବେଲୁଚିସ୍ତାନ । ଯଦି ଏହା ଅଲଗା ହୋଇଯିବ ତେବେ ପାକିସ୍ତାନ ଏକଦମ ଛୋଟ ଏକ ରାଷ୍ଟ୍ର ହୋଇଯିବ । ଏବେ ଯେପରି ଆତଙ୍କୀ ଗୋଷ୍ଠୀଙ୍କୁ ସମର୍ଥନ କରୁଛି ତାହା ଆଉ କରିପାରିବ ନାହିଁ । ବେଲୁଚିସ୍ତାନ ସ୍ୱାଧୀନ ରାଷ୍ଟ୍ର ହେଲେ ଭାରତକୁ ଆରବ ସାଗରରେ ନୌସେନା ଉପସ୍ଥିତି ବୃଦ୍ଧି କରିବାର ସୁଯୋଗ ସୃଷ୍ଟି କରିବ । ଯାହା ଫଳରେ ଭାରତ ପାକିସ୍ତାନ ଏବଂ ଚୀନର ନୌସେନା ଉପରେ ନଜର ରଖି ପାରିବ । ପାକିସ୍ତାନର ନିଃଶ୍ୱାସ ବେଲୁଚିସ୍ତାନରେ ଅଟକି ଯିବାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ କାରଣ ହେଉଛି, ଏହାର ଭୌଗଳିକ ସ୍ଥିତି ବିଶ୍ୱର ସବୁଠାରୁ ଧନୀ ଇଲାକାର ପରିଚୟ ଦେଇଛି । ଏହି ପ୍ରାନ୍ତ ପାକିସ୍ତାନର ଦକ୍ଷିଣ ପଶ୍ଚିମ ଭାଗରେ ରହିଛି । କହିବାକୁ ଗଲେ ପାକିସ୍ତାନର ୪୪ ପ୍ରତିଶତ ଭୂଭାଗ ହେଉଛି ବେଲୁଚିସ୍ତାନ । ପାକିସ୍ତାନର ମୋଟ ଜନସଂଖ୍ୟାର ମାତ୍ର ସାଢେ ତିନି ପ୍ରତିଶତ ଲୋକ ଏତେ ବଡ ଇଲାକାରେ ବସବାସ କରନ୍ତି । ୨ୟ କଥା ହେଲା, ଏଠାରେ ସୁନା, ତମ୍ବା, କୋଇଲା,ୟୁରାନିୟମ ପରି ଧାତୁ ଏଠାରେ ପ୍ରଚୁର ପରିମାଣରେ ଗଚ୍ଛିତ ରହିଛି । ପାକିସ୍ତାନର ସବୁଠାରୁ ଧୀନ ରାଜ୍ୟ ହେଉଛି ବେଲୁଚିସ୍ତାନ, କିନ୍ତୁ ଏଠକାର ଲୋକେ ସବୁଠାରୁ ଗରିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747374654.jpeg)