ୱକଫ୍ ବିଲ୍କୁ ପାକ୍ ସମର୍ଥନ
ଦୁଇ ଦିନର ଘମାଘୋଟ ବାକ୍ ଯୁଦ୍ଧ । ଦିନ ସରିଗଲା, ରାତି ବି ଅଧା ଚାଲିଗଲା । ବିଳମ୍ବିତ ରାତିଯାଏ ଆଲୋଚନା ପରେ ଶେଷରେ ଲୋକସଭା ଓ ରାଜ୍ୟସଭାରେ ପାରିତ ହୋଇଥିଲା ୱାକଫ ସଂଶୋଧନ ବିଲ । ଏବେ ଏହା ଆଇନରେ ପରିଣତ ହେବା ପରେ ଆରମ୍ଭ ହୋଇଛି ପୋଡ଼ାଜଳା, ବିରୋଧାଭାସ । ସଂଖ୍ୟାଲଘୁ ସଂପ୍ରଦାୟ ଏହି ସଂଶୋଧିତ ବିଲକୁ ଜୋରଦାର ବିରୋଧ କରିଛନ୍ତି । ୱକଫ ସଂଶୋଧ ବିଲ ପାସ ହେବା ପରେ ଏସବୁ ଥିଲା ଭାରତର ଦୃଶ୍ୟପଟ୍ଟ ।
ହେଲେ ଜିନ୍ନାଲାଣ୍ଡରେ କାହିଁକି ଆରମ୍ଭ ହୋଇଛି ୱାକଫ ବୋର୍ଡକୁ ନେଇ କାଉଣ୍ଟଡାଉନ ? ପାକିସ୍ତାନରେ ଏବେ ୱାକଫ ବୋର୍ଡ ବିରୋଧରେ କାହିଁକି ଚାଲିଛି ଚର୍ଚ୍ଚା । କେଉଁଠି ଲୁଚାଛପାରେ ତ କେଉଁଠି ଖୋଲାଖୋଲି ଭାବେ । କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗିବା ବି ସ୍ୱାଭାବିକ । କାରଣ ଏକ ମୁସଲିମ ବହୁଳ ଦେଶରେ ୱକଫ ବିଲକୁ ନେଇ ଦ୍ୱନ୍ଦ୍ୱ କାହିଁକି ? ୱାକଫ ବିଲକୁ ସମର୍ଥନ କରିବାର କାରଣ କ’ଣ ହୋଇପାରେ ? ହଁ, ଏହାର କାରଣ ହେଉଛି, ଏଠି ବି ୱାକଫ ବୋର୍ଡର ରହିଛି ସେହି ମାଫିଆରାଜ । ଯେଉଁ ଜାଗାରେ ହାତ ପକାଇବ ତାହାକୁ ନିଜ କବ୍ଜାକୁ ନେଇଯିବାର ଅଧିକାର ପାକିସ୍ତାନୀ ୱାକଫ ବୋର୍ଡର ରହିଛି । ୱାକଫ ବୋର୍ଡର ଦାଦାଗିରିକୁ ଦେଖି ତ୍ରାହି ତ୍ରାହି ଡାକିଲେଣି ପାକିସ୍ତାନବାସୀ ।
ୱାକଫ ସଂଶୋଧନ ବିଲକୁ ନେଇ ଭାରତରେ ଅନେକ ସାଂସଦ କହିଲେ, ଅଳ୍ପସଂଖ୍ୟକ ଏହି ବିଲକୁ ସ୍ୱୀକାର କରିବେ ନାହିଁ । ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ, ‘କ’ଣ ଧମକ ଦେବାକୁ ଚାହୁଁଛନ୍ତି, ଭାଇ ? ଏହା ସଂସଦର ଆଇନ । ସ୍ୱୀକାର କରିବାକୁ ପଡ଼ିବ ।’ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଏବଂ ଗୃହମନ୍ତ୍ରୀ ଅମିତ ଶାହ ସାରା ବିଶ୍ୱରେ ୱାକଫର ସ୍ଥିତିକୁ ସଂସଦରେ ବୁଝାଇ ଦେଇଥିଲେ । ସେମାନେ କହିଥିଲେ, ବିଶ୍ୱରେ ଅନେକ ମୁସଲିମ ବହୁଳ ଦେଶରେ ୱକଫ ବୋର୍ଡର ଉପସ୍ଥିତି ହିଁ ନାହିଁ । ଯେମିତି ତୁର୍କି, ଲିବିୟା, ଇଜିପ୍ଟ, ସୁଦାନ ଇତ୍ୟାଦି । ଯାହା ବି ହେଉ, ଦୁଇ ଦିନ ଧରି ଚାଲିଥିବା ଆଲୋଚନା ପରେ ଶେଷରେ ଏହି ବିଲ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇବା ପରେ ଆଇନରେ ପରିଣତ ହୋଇଥିଲା ।
ପାକିସ୍ତାନରେ ଉଠିଲାଣି ୱାକଫ ବୋର୍ଡ ବିରୋଧରେ ସ୍ୱର
ଭାରତରେ ୱାକଫ ସଂଶୋଧନ ବିଲ ପାସ ହେବାର ପ୍ରଭାବ ପାକିସ୍ତାନରେ ଦେଖିବାକୁ ମିଳିଛି । ସେତିକି ନୁହେଁ, ପାକିସ୍ତାନର ଏକ ଗୋଷ୍ଠୀ ଏଠାରେ ଥିବା ୱାକଫଡ ବୋର୍ଡ ବିରୋଧରେ ସ୍ୱର ଉଠାଇଛନ୍ତି । କହିବାକୁ ଗଲେ ଏହି ଦେଶରେ ୱାକଫ ବିରୋଧରେ ଏକ ଆନ୍ଦୋଳନ ଆରମ୍ଭ ହୋଇଗଲାଣି । ଏଠିକା ଲୋକଙ୍କ ଅଭିଯୋଗ, ୱାକଫ ବୋର୍ଡ ପାକିସ୍ତାନରେ ବି ଜୁଲମ କରୁଛି । ଏଠି ମୁସଲମାନ ହିଁ ମୁସଲମାନଙ୍କ ଉପରେ ଅତ୍ୟାଚାର କରୁଛନ୍ତି । ୱାକଫ ବୋର୍ଡର ସଦସ୍ୟମାନେ ଏବେ ପ୍ରତି ଜାଗାରେ ନିଜର ଆଧିପତ୍ୟ ଜାହିର କରୁଛନ୍ତି ।
ପାକିସ୍ତାନରେ ବି ଅନେକ ଲୋକ ଏହି ୱାକଫ ବୋର୍ଡକୁ ମାଫିଆ ବୋଲି କହିଛନ୍ତି । ଆଉ କେତେକ ଏହାକୁ ଧର୍ମ ନାମରେ ଜବରଦସ୍ତ ଜମି ଦଖଲ କରୁଥିବା ଏକ ଗ୍ୟାଙ୍ଗ ବୋଲି କହିଛନ୍ତି । ଆଉ କେହି କହିଛନ୍ତି, ଆମେ ଏହା ବିରୋଧରେ ସ୍ୱର ଉଠାଉଛୁ ଏବଂ ଉଠାଇବୁ ।
ୱାକଫ ବୋର୍ଡ ଉପରେ ଲଗାମ କଷି ପାରିବ ତ ପାକିସ୍ତାନ ?
ପାକିସ୍ତାନ ଏକ ମୁସଲମାନ ବହୁଳ ଦେଶ । ପାକିସ୍ତାନରେ ଯେତିକି ତାକତ ସରକାରଙ୍କର ନାହିଁ ତାଠାରୁ କାହିଁ କେତେଗୁଣା ତାକତ ମୌଲାନା-ମୌଲବୀ ଏବଂ ଉଲେମାଙ୍କର ରହିଛି । ସେମାନଙ୍କର ସାମାନ୍ୟ ଇଶାରାରେ ପାକିସ୍ତାନୀମାନେ ସବୁକିଛି କରି ଦେଇ ପାରିବେ । ତେବେ ଏଠି ପ୍ରଶ୍ନ, ଯେଉଁ ୱାକଫ ବୋର୍ଡକୁ ପାକିସ୍ତାନର ମୌଲାନା-ମୌଲବୀ ଚଳାଉଛନ୍ତି ସେଠି ପାକିସ୍ତାନ ଜନସାଧାରଣ ତାଙ୍କ ବିରୋଧରେ କାହିଁକି ସ୍ୱର ଉଠାଉଛନ୍ତି ? ପ୍ରକୃତରେ ଏହାର କାରଣ ହେଉଛି ପାକିସ୍ତାନର ୱାକଫ ବୋର୍ଡର ଦାଦାଗିରି ।
ପାକିସ୍ତାନୀ ବିଶେଷଜ୍ଞ ବି ବିଲ୍କୁ କରୁଛନ୍ତି ସମର୍ଥନ
ପାକିସ୍ତାନୀ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ୱାକଫ ବୋର୍ଡ ସଦସ୍ୟମାନେ ସବୁ ଜାଗାରେ ଜବରଦଖଲ କରୁଛନ୍ତି । ବୋର୍ଡ ସଦସ୍ୟମାନେ ଧର୍ମକୁ ଆଖି ଆଗରେ ରଖି ଯାହା ଚାହୁଁଛନ୍ତି ତାହା କରିପାରୁଛନ୍ତି । ଧର୍ମ ନାଁ କହି ଯେ କେହି ବି ଅନୁପ୍ରବେଶ କରିପାରିବ କିନ୍ତୁ ତୁମେ କିଛି କହି ପାରିବ ନାହିଁ । ପାକିସ୍ତାନରେ ଏପରି ଅନେକ ସ୍ଥାନ ଅଛି ଯେଉଁଠି ମସଜିଦ ନିର୍ମାଣ କରାଯାଇଛି । ହେଲେ ଏଠାରେ ପାକିସ୍ତାନ ସରକାର କିଛି ବି କରିପାରିବ ନାହିଁ । ତେଣୁ ଏ କ୍ଷେତ୍ରରେ ଭାରତ ସରକାର ଯାହା କରୁଛନ୍ତି ତାହା କିଛି ଖରାପ ନୁହେଁ । କୌଣସି ଜିନିଷରେ ଟ୍ରାନ୍ସପରେନ୍ସି ବା ସ୍ୱଚ୍ଛତା ରହିବା ଖରାପ କାମ ନୁହେଁ ବୋଲି କହିଛନ୍ତି ପାକିସ୍ତାନୀ ବିଶେଷଜ୍ଞ ।
ପାକିସ୍ତାନର ରାଜନୈତିକ ବିଶେଷଜ୍ଞ କମର ଚୀମାଙ୍କ କହିବା ଅନୁଯାୟୀ, ପାକିସ୍ତାନ ୱାକଫ ଚାପରେ ଧ୍ୱଂସ ପାଇବାକୁ ବସିଲାଣି । ୱାକଫ ଯେତେବେଳେ ଚାହୁଁଛି, ଯେମିତି ଚାହୁଁଛି ଯେ କୌଣସି ଜାଗା ଉପରେ ନିଜର ଅଧିକାର ସାବ୍ୟସ୍ତ କରୁଛି ଓ ଏହାକୁ ନିଜ କବ୍ଗାକୁ ନେଇ ଯାଉଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଧର୍ମ ନାମରେ ଏସବୁ କରାଯାଉଛି ଆଉ ପାକିସ୍ତାନ ସରକାର ଏହା ଦେଖି ମଧ୍ୟ ହାତ ଉପରେ ହାତ ପକାଇ ବସିଛି । ତେଣୁ ଯେମିତି ଭାରତ ସରକାର ୱାକଫ ଉପରେ ନିଜର ନିୟନ୍ତ୍ରଣ ଜାହିର କଲେ ତାହା ୨୫ କୋଟି ପାକିସ୍ତାନ ନାଗରିକଙ୍କ ମନରେ ଆଶାର କିରଣ ବୁଣି ପାରିଥିବ ନିଶ୍ଚୟ ।
ଭାରତର ୱାକଫ ସଂଶୋଧନ ବିଲକୁ ନେଇ ପାକିସ୍ତାନରେ ବିତର୍କ
ଭାରତରେ ୱାକଫ ବିଲ ପାସ ହେବା ପରେ ପାକିସ୍ତାନରେ ଏହାକୁ ନେଇ ବିତର୍କ ଆରମ୍ଭ ହୋଇଯାଇଛି । କେହି କେହି ଏହାକୁ ଖୋଲାଖୋଲି ସମର୍ଥନ କରୁଛନ୍ତି । ପାକିସ୍ତାନ ସାଧାରଣ ଲୋକଙ୍କ କହିବା ଅନୁଯାୟୀ, ‘ଭାରତ ଏମିତି ଏକ ଦେଶ ଯେଉଁଠି ନିଷ୍ପତ୍ତି ଖୋଲାଖୋଲି ନିଆ ଯାଇଥାଏ । ଦ୍ୱିତୀୟତଃ ନିଷ୍ପତ୍ତି ପଛରେ ବହୁମତ ଥାଏ । ଯଦି ଗୋଟିଏ ସରକାର ପାଖରେ ବହୁମତ ରହିଛି ଏବଂ ସେ ଆଇନ ତିଆରି କରିବାକୁ ଚାହୁଁଛନ୍ତି ତେବେ ସେ ସରକାର ଆଇନ କରୁ ନାହାନ୍ତି କାହିଁକି ? ସରକାର ଗୋଟିଏ ଜିନିଷକୁ ନିଜ ଅଧିକାରକୁ କାହିଁକି ନେଉ ନାହାନ୍ତି ?‘
ବିତର୍କରେ ଆହୁରି କୁହାଯାଇଛି, ‘ ଏକଥା ନିଶ୍ଚୟ ସ୍ୱୀକାର କରାଯିବ ଯେ, ଭାରତରେ ଏକ ମଜବୁତ ସରକାର ରହିଛି ଯିଏ ନିଜ ଲୋକଙ୍କ କଥା ଚିନ୍ତା କରୁଥାଏ । ହେଲେ ଆମର ଅର୍ଥାତ ପାକିସ୍ତାନ ସରକାର ଆମ ଲୋକଙ୍କ ହିତ କଥା ଚିନ୍ତା କରି ନ ଥାଏ । ପାକିସ୍ତାନ ସରକାର ଗରିବ । ଅର୍ଥ ପାଇଁ ତାକୁ ଅନ୍ୟ ପାଖରେ ହାତ ପତେଇବାକୁ ପଡ଼ୁଛି । ପାକିସ୍ତାନ ସରକାରର ଅନେକ ଦୁର୍ବଳତା ରହିଛି ।
ଯାହା ବି ହେଉ, ପାକିସ୍ତାନ ଲୋକ ଜାଣିଛନ୍ତି, ତାଙ୍କ ସରକାରଙ୍କ ପାଖରେ ଏତେ ସାହାସ ନାହିଁ ଯେ ସେ ପାକ ୱାକଫ ବୋର୍ଡ ଉପରେ ରୋକ ଲଗାଇ ପାରିବେ । ସେଥିପାଇଁ ପାକିସ୍ତାନୀମାନେ ଖୋଲାଖୋଲି କହୁଛନ୍ତି, ମୋଦି ସରକାର ଗରିବ ମୁସଲମାନଙ୍କ ସପକ୍ଷରେ ଏବଂ ସେମାନଙ୍କ ହିତ ପାଇଁ ନିଷ୍ପତ୍ତି ନେଇଛନ୍ତି । ଅନ୍ୟପକ୍ଷେ ପାକିସ୍ତାନୀମାନେ ଏକଥା ମଧ୍ୟ ଆଶା ରଖିଛନ୍ତି ଯେ, ଆଜି ନ ହେଲେ ବି କାଲି ପାକିସ୍ତାନର ଲକ୍ଷ ଲକ୍ଷ ମୁସଲମାନ ରାସ୍ତାକୁ ଆସି ପାକିସ୍ତାନୀ ୱାକଫ ବୋର୍ଡ ବିରୋଧରେ ପ୍ରତିବାଦ କରିବେ ଆଉ ସେହିଦିନ ୱାକଫ ବୋର୍ଡର ସ୍ୱେଚ୍ଛାଚାରିତାର ଅନ୍ତ ଘଟିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1744277737.jpg)