Pakistan Crisis । Imran Khan's Parliament Dissolution Move In Supreme Court Today
ଇମ୍ରାନ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହେବା ପୂର୍ବରୁ ପାକିସ୍ତାନ ନ୍ୟାସନାଲ ଆସେମ୍ବଲି ଭଙ୍ଗ ନିଷ୍ପତ୍ତି ନେଇ ଆଜି ଶୁଣାଣି କରିବେ ପାକିସ୍ତାନ ସୁପ୍ରିମକୋର୍ଟ । ବିରୋଧୀ ମେଣ୍ଟ ଏ ନିଷ୍ପତ୍ତିର ବିରୋଧ କରି ସୁପ୍ରିମକୋର୍ଟ ଯାଇଥିବାରୁ ସର୍ବୋଚ୍ଚ କୋର୍ଟ ମାମଲାର ଶୁଣାଣି କରିବା ସମ୍ଭାବନା ରହିଛି॥
ଇମ୍ରାନଙ୍କ ବିରୋଧରେ ଆସିଥିବା ଅନାସ୍ଥା ଭୋଟ୍ ନିଆଯିବ ନା ଆଉ କଣ ବିକଳ୍ପ ପଦକ୍ଷେପ ନିଆଯିବ, ସେ ନେଇ ପାକ୍ ସୁପ୍ରିମକୋର୍ଟ ନିଷ୍ପତ୍ତି ଶୁଣାଇବେ । ଏକ ବୃହତର ବେଞ୍ଚ୍ ଏହାର ଶୁଣାଣି କରୁ ବୋଲି ବିରୋଧୀ ମେଣ୍ଟ ଦାବି କରିଛନ୍ତି ।
ଗତକାଲି ପାକିସ୍ତାନ ନ୍ୟାସନାଲ ଆସେମ୍ବଲିରେ ଅନାସ୍ଥା ଭୋଟ୍ ପୂର୍ବରୁ ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ମାଷ୍ଟରଷ୍ଟ୍ରୋକ୍ ଖେଳିଥିଲେ । ଅନାସ୍ଥା ଭୋଟିଂରେ ନିଶ୍ଚିତ ପରାଜୟକୁ ଏଡ଼ାଇବା ପାଇଁ, ସୁପାରିଶ କରି ରାଷ୍ଟ୍ରପତିଙ୍କ ଦ୍ୱାରା ନ୍ୟାସନାଲ ଆସେମ୍ଲି ଭାଙ୍ଗି ଦେଇଥିଲେ । ଫଳରେ ଆସନ୍ତା ୯୦ ଦିନରେ ପାକିସ୍ତାନରେ ପୁଣି ନିର୍ବାଚନ ହେବ ।
ଅନ୍ୟପକ୍ଷେ, ସଂସଦରେ ଉପବାଚସ୍ପତି ବିରୋଧୀଙ୍କ ଦ୍ୱାରା ଆଗତ ଅନାସ୍ଥା ପ୍ରସ୍ତାବକୁ ଖାରଜ କରିଦେଇଥିଲେ ଯାହାକୁ ବିରୋଧୀ ମେଣ୍ଟ ଦଳ ସହଜରେ ଗ୍ରହଣ କରି ନାହାନ୍ତି । ପାର୍ଲାମେଣ୍ଟ ଭଙ୍ଗ ଘୋଷଣା ପରେ ପାକିସ୍ତାନ ନ୍ୟାସନାଲ ଆସେମ୍ଲି ବାହାରେ ଇମ୍ରାନ୍ ସମର୍ଥକ ନାରାବାଜି କରିଥିବା ବେଳେ, ଭିତରେ ବିରୋଧୀଙ୍କ ହାଇ-ଡ୍ରାମା ଦେଖିବାକୁ ମିଳିଥିଲା । ମିଳିତ ବିରୋଧୀ ନିଜେ ନିଜେ ଗୃହକାର୍ଯ୍ୟ ଆଗେଇ ନେବା ସହ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ କରିଥିଲେ ।
ଗତକାଲିର ଦିନକୁ ବିରୋଧୀ ଦଳ ନେତା ତଥା ପ୍ରଧାନମନ୍ତ୍ରୀ ପଦ ଆଶାୟୀ ଶେହବାଜ ଶରିଫ୍ କଳା ଦିବସ ବୋଲି କହିଥିଲେ ।ଏହାସହ ପିପିପି ନେତା ବିଲାଓ୍ୱଲ୍ ଭୁଟୋ ଜର୍ଦ୍ଦାରୀ ମଧ୍ୟ ଯେପର୍ଯ୍ୟନ୍ତ ଆନାସ୍ଥା ଭୋଟିଂ ନହୋଇଛି ସେପର୍ଯ୍ୟନ୍ତ ମିଳିତ ବିରୋଧୀ ଦଳ ସଂସଦ ଛାଡ଼ିବେ ନାହିଁ ବୋଲି ଚେତାବନୀ ଦେବା ସହ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ ।
ଦେଶରେ କାମଚଳା ପ୍ରଧାନମନ୍ତ୍ରୀ ନିଯୁକ୍ତ ହେବା ପର୍ଯ୍ୟନ୍ତ ଇମ୍ରାନ୍ ଖାନ ପ୍ରଧାନମନ୍ତ୍ରୀ ଦାୟିତ୍ୱ ତୁଲାଇବେ ବୋଲି ରାଷ୍ଟ୍ରପତି ଘୋଷଣା କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us