Advertisment

ପାକିସ୍ତାନରେ ପ୍ରତିମାସ ଫୁଟୁଛି ବୋମା, ଆତଙ୍କୀ ହମଲାରେ ଲହୁଲୁହାଣ ଆତଙ୍କବାଦର ପ୍ରାୟୋଜକ

ଚଳିତବର୍ଷ ଶେଷ ଆଡ଼କୁ ପାକିସ୍ତାନରେ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ, ଦେଶର ପଲିଟିକାଲ୍ ମାହୋଲ୍ ବି ସରଗରମ ହେଉଛି। ତେବେ ରାଜନୈତିକ ସଭାରେ ଏଭଳି ଆତଙ୍କୀ ଆକ୍ରମଣ ସାରା ଦେଶକୁ ଦୋହଲାଇ ଦେଇଛି ।

ଅଦ୍ୟତନ ହୋଇଛି
pakistan blast

pakistan blast

Advertisment

ସାରା ବିଶ୍ୱରେ ଆତଙ୍କବାଦର ପ୍ରାୟୋଜକ ଓ ଆତଙ୍କବାଦୀଙ୍କ ଭୂସ୍ୱର୍ଗ ଭାବେ ଯିଏ କୁଖ୍ୟାତି ଅର୍ଜନ କରିଛି, ସେହି ଦେଶ ଏବେ ପ୍ରତିମାସ ସାମ୍ନା ଆତଙ୍କୀ ହମଲାର ସାମ୍ନା କରୁଛି । ୨୦୨୩ ଜାନୁଆରୀରୁ ଜୁଲାଇ ଭିତରେ ସବୁମାସ କୌଣସି ନା କୌଣସି ସ୍ଥାନରେ ବିସ୍ଫୋରଣ ଘଟାଇଛନ୍ତି ଆତଙ୍କବାଦୀ। ସେପଟେ ରବିବାର ଖାଇବର ପଖତୁନଖବାରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣ ପଛରେ ଆତଙ୍କବାଦୀ ସଂଗଠନ ISର ହାତ ଥିବା ଅନୁମାନ କରାଯାଉଛି ।...

Advertisment

ଗତକାଲି ରାଜନୈତିକ ସଭାରେ ଅଚାନକ ଭୟଙ୍କର ବିସ୍ଫୋରଣ ହୋଇଛି । କେହି କିଛି ବୁଝିବା ଆଗରୁ ସବୁକିଛି ଛିନଛତ୍ର ହୋଇଯାଇଛି । ଆଉ ତା ପରେ ଚାରିଆଡ଼େ ଆର୍ତ୍ତ ଚିତ୍କାର, ଧାଁଦୌଡ଼ । ଖାଇବର ପଖତୁନଖବାର ବାଜୌର ଜିଲ୍ଲା ଖାର୍ ଠାରେ ଗତକାଲି ଆୟୋଜିତ ଏହି ପଲିଟିକାଲ୍ ମିଟିଂରେ ଏକାଠି ହୋଇଥିଲେ JUI-F ଦଳର ପ୍ରାୟ ୪ଶହ କର୍ମୀ। ଯାହାମଧ୍ୟରୁ ୪୪ ଜଣଙ୍କ ଜୀବନ ନେଇଛି ଆତ୍ମଘାତୀ ବିସ୍ଫୋରଣ। ଶତାଧିକ ଆହତ ହୋଇଛନ୍ତି ।

ଏଯାଏଁ କୌଣସି ଆତଙ୍କୀ ସଂଗଠନ ଏହି ହମଲା ପାଇଁ ନିଜକୁ ଦାୟୀ କରିନଥିବା ବେଳେ, ପ୍ରାଥମିକ ତଦନ୍ତରୁ ଏହା ଇସଲାମିକ୍ ଷ୍ଟେଟ୍ ବା ISର କାଣ୍ଡ ବୋଲି ଆଶଙ୍କା କରାଯାଉଛି ବୋଲି ପୋଲିସ କହିଛି । ଦଳର ଜିଲ୍ଲା ମୁଖ୍ୟ ମଞ୍ଚକୁ ଆସିବା ମାତ୍ରେ ଆଗଧାଡ଼ିରେ ବସିଥିବା ସୁଇସାଇଡ୍ ବମ୍ବର୍ ୧୦ କେଜି ବିସ୍ଫୋରକ ଥିବା ବୋମାକୁ ବିସ୍ଫୋରଣ କରାଇଥିଲା । ଏହି ଘଟଣାରେ ୩ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖି ପୋଲିସ ଜେରା କରୁଥିବା ବେଳେ, ଘଟଣାସ୍ଥଳରୁ ପ୍ରମାଣ ଗୋଟାଇବାକୁ ଚେଷ୍ଟା କରୁଛି ବମ୍ ସ୍କ୍ୱାଡ୍ ।...

Advertisment

ଜମିଆତ୍ ଉଲେମା ଇସଲାମ୍ ଫଜଲ୍ ବା JUI-F । କଟ୍ଟର ଇସଲାମୀୟ ରାଜନୈତିକ ଦଳ। ତାଲିବାନର ସମର୍ଥକ । ପାକିସ୍ତାନର ମିଳିତ ସରକାରରେ ଏକ ପ୍ରମୁଖ ଭାଗିଦାର। ଆଫଗାନୀସ୍ତାନ ସୀମାବର୍ତ୍ତୀ ଖାର୍ ସହରରେ ଚାଲିଥିବା ଏହି ଦଳର ବୈଠକ । ଚଳିତବର୍ଷ ଶେଷ ଆଡ଼କୁ ପାକିସ୍ତାନରେ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ, ଦେଶର ପଲିଟିକାଲ୍ ମାହୋଲ୍ ବି ସରଗରମ ହେଉଛି। ତେବେ ରାଜନୈତିକ ସଭାରେ ଏଭଳି ଆତଙ୍କୀ ଆକ୍ରମଣ ସାରା ଦେଶକୁ ଦୋହଲାଇ ଦେଇଛି ।

ସେପଟେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ଏହି ଆକ୍ରମଣର ତୀବ୍ର ନିନ୍ଦା କରିବା ସହିତ, ଗୃହମନ୍ତ୍ରୀ ରାଣା ସନାଉଲ୍ଲାହ ଏବଂ ଖାଇବର ପଖତୁନଖବା ସରକାର ଠାରୁ ରିପୋର୍ଟ ମାଗିଛନ୍ତି ଓ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁମାନେ ଧର୍ମ ଓ ଦେଶ ବିଷୟରେ କଥା ହୁଅନ୍ତି, ଆତଙ୍କବାଦୀ ସେମାନଙ୍କୁ ନିଶାନା କରିଛନ୍ତି । ଆତଙ୍କବାଦୀ ପାକିସ୍ତାନର ଶତ୍ରୁ ଏବଂ ପାକିସ୍ତାନର ଶତ୍ରୁଙ୍କୁ ନିପାତ କରିବାର ଅଛି । ସୂଚନା ଯୋଗ୍ୟ ଯେ, ପାକିସ୍ତାନରେ ଆର୍ଥିକ ଓ ରାଜନୈତିକ ଅସ୍ଥିରତା ବଢ଼ିବା ସହିତ, କିଛି ମାସ ହେଲା ଆତଙ୍କୀ ଗତିବିଧି ବି ବୃଦ୍ଧି ପାଇଛି। ଚଳିତବର୍ଷ ପ୍ରାରମ୍ଭରେ ଖାଇବର ପଖତୁନଖବା ରାଜଧାନୀ ପେଶାୱରର ଏକ ମସଜିଦରେ ଆତ୍ମଘାତୀ ବିସ୍ଫୋରଣ ଶତାଧିକ ଜୀବନ ନେଇଥିଲା ।...

Advertisment

ସେପଟେ ଚାଇନା ପାକିସ୍ତାନ ଇକୋନୋମିକ୍ କରିଡର୍ ବା ସିପେକ୍ ପ୍ରକଳ୍ପର ୧୦ ବର୍ଷ ପୂର୍ତ୍ତି ପାଳନ ପାଇଁ ରବିବାର ଇସଲାମାବାଦ ପହଞ୍ଚିଛନ୍ତି ଚୀନର ଉପ-ପ୍ରଧାନମନ୍ତ୍ରୀ ହି ଲିଫେଙ୍ଗ୍। ତେବେ ପାକିସ୍ତାନରେ ପାଦ ଦେବା ପରେ ପରେ ଖାଇବର ପଖତୁନଖବା ବିସ୍ଫୋରଣ, ସବୁ ଆୟୋଜନକୁ ଫିକା କରିଦେଇଛି । ୨୦୧୩ରେ ସିପେକ୍ ପ୍ରକଳ୍ପ ଆରମ୍ଭ ହେବା ଠାରୁ ବିଭିନ୍ନ ସ୍ଥାନୀୟ ସଂଗଠନ, ବିଚ୍ଛିନ୍ନତାବାଦୀ ଓ ଆତଙ୍କୀ ସଂଗଠନ ତୀବ୍ର ବିରୋଧ କରିଆସୁଛନ୍ତି । ତେଣୁ ଚୀନ୍ ଉପ-ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଦିନ ଏଭଳି ଆତଙ୍କୀ ବିସ୍ଫୋରଣର ସେ ଦିଗରେ କୌଣସି ଲିଙ୍କ୍ ରହିଛି କି?

ଏହାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର୍ ଧରିଛି । ତେଣେ ଏହି ଆକ୍ରମଣ ପରେ ଚୀନ୍ ଡେପୁଟି ପିଏମଙ୍କ ସୁରକ୍ଷା ବ୍ୟବସ୍ଥା ବଢ଼ାଇବାକୁ, ୨ ଦିନିଆ ସ୍ଥାନୀୟ ଛୁଟି ଘୋଷଣା କରିଛନ୍ତି ପାକିସ୍ତାନ ସରକାର । ଜୁଲାଇ ୩୧ ଓ ଅଗଷ୍ଟ ୧ ପାଇଁ ଛୁଟି ଘୋଷଣା କରାଯାଇଛି। ଲୋକଙ୍କ ଯାତାୟତ ଉପରେ କଟକଣା ଲଗାଯାଇଛି । ତେବେ ଇସଲାମାବାଦର ବ୍ୟବସାୟୀ ଗୋଷ୍ଠୀ ଏହି ଛୁଟି ଘୋଷଣାକୁ ନମାନି ବ୍ୟବସାୟ ପ୍ରତିଷ୍ଠାନ ଖୋଲା ରଖାଯିବ ବୋଲି ଘୋଷଣା କରିଛନ୍ତି।...

Pakistan Bombing
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ