Advertisment

ଟ୍ରେଜେରୀ ଖାଲି: ତାଲିବାନୀ ମାନେ ଦେଶ ଚଳାଇବେ କେମିତି?

ନିଜେ ଖୋଳିଥିବା ଗାଡ଼ରେ ଏବେ ନିଜେ ପଡ଼ିବ ତାଲିବାନ। ଆଫଗାନିସ୍ତାନରେ କ୍ଷମତା ସିନା ମାଡି ବସିଲେ, ତେବେ କେମିତି ଦେଶ ଚଳାଇବେ ଏବେ ତାହା ସବୁଠୁ ବଡ଼ ପ୍ରଶ୍ନ। କାହିଁକି ନା ପ୍ରଶାସନ ପାଇଁ ଦରକାର ବିପୁଳ ଅର୍ଥ ମାତ୍ର ଆଫଗାନିସ୍ତାନର ଟ୍ରେଜେରୀ ଖାଲି

ଅଦ୍ୟତନ ହୋଇଛି
taliban

taliban

Advertisment

କାବୁଲ: ନିଜେ ଖୋଳିଥିବା ଗାଡ଼ରେ ଏବେ ନିଜେ ପଡ଼ିବ ତାଲିବାନ। ଆଫଗାନିସ୍ତାନରେ କ୍ଷମତା ସିନା ମାଡି ବସିଲେ, ତେବେ କେମିତି ଦେଶ ଚଳାଇବେ ଏବେ ତାହା ସବୁଠୁ ବଡ଼ ପ୍ରଶ୍ନ। କାହିଁକି ନା ପ୍ରଶାସନ ପାଇଁ ଦରକାର ବିପୁଳ ଅର୍ଥ ମାତ୍ର ଆଫଗାନିସ୍ତାନର ଟ୍ରେଜେରୀ ଖାଲି । ବିନା ଅର୍ଥରେ ସରକାର କେତେ ଦିନ ତିଷ୍ଠିବ ତାକୁ ନେଇ ବି ଉଠିଛି ପ୍ରଶ୍ନ। ତାଲିବାନ ଲଢ଼ାକୁଙ୍କ ପାଇଁ ବି ଖାଦ୍ୟ ପାନୀୟର ଘୋର ଅଭାବ ସୃଷ୍ଟି ହୋଇଥିବା ବେଳେ ମାସ ମାସ ଧରି ସେମାନଙ୍କୁ କୌଣସି ଆର୍ଥିକ ସହାୟତା ମିଳିନଥିବା କୁହାଯାଉଛି। ଏପଟେ ନିଶା ଦ୍ରବ୍ୟ କାରବାର ଓ ଦେଶରେ ମହଜୁଦ ବିପୁଳ ପରିମାଣର ଖଣିଜ ପଦାର୍ଥକୁ ରପ୍ତାନୀ କରି ତାଲିବାନ ଅର୍ଥ ଯୋଗାଡ଼ ଲାଗି ଯୋଜନା କରିଥିଲେ ମଧ୍ୟ ତାହା ସମୁଦ୍ରକୁ ଶଙ୍ଖେ ବୋଲି କହିଛନ୍ତି ଆଫଗାନିସ୍ତାନ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର।

Advertisment

କୁଆଡ଼ୁ ଆସିବ ଅର୍ଥ? କେମିତି ଚାଲିବ ଦେଶ? ଆଫଗାନିସ୍ତାନ ଉପରେ ଆତଙ୍କୀ ସଂଗଠନ ତାଲିବାନର କବଜା ପରେ ସଂପୂର୍ଣ୍ଣ ଭୁଶୁଡି ପଡିଛି ଦେଶର ଅର୍ଥନୀତି। ତେଣୁ ସରକାର ଚଳାଇବା ତାଲିବାନ ପକ୍ଷରେ ସମ୍ଭବ ହେବ ନାହିଁ ବୋଲି କୁହାଯାଉଛି। ୪ କୋଟି ଜନସଂଖ୍ୟା ବିଶିଷ୍ଟ ଆଫଗାନିସ୍ତାନର ଜିଡିପି ପରିମାଣ ମାତ୍ର ୨୦ ବିଲିୟନ ଡଲାର ହୋଇଥିବା ବେଳେ ଏହା ଅତିମାତ୍ରାରେ ବିଦେଶୀ ଅନୁଦାନ ଉପରେ ନିର୍ଭରଶୀଳ। କୌଣସି ଦେଶର ଜିଡିପି ଯଦି ୧୦ ପ୍ରତିଶତ ବିଦେଶୀ ଅନୁଦାନ ଉପରେ ନିର୍ଭର କରେ, ତେବେ ତାକୁ ତାକୁ ଦେବାଳିଆ ଅର୍ଥନୀତି ଭାବେ ବିବେଚନା କରାଯାଏ। ମାତ୍ର ଆଫଗାନିସ୍ତାନର ଜିଡିପି ୪୦ ପ୍ରତିଶତ ବିଦେଶୀ ସହାୟତା ଉପରେ ନିର୍ଭର କରୁଥିବାରୁ, ଦେଶର ଆର୍ଥିକ ସ୍ଥିତି କଣ ସହଜରେ ବୁଝା ପଡୁଛି। ଏପଟେ ତାଲିବାନର କାବୁଲ କବଜା ପରେ ଆମେରିକା ଓ ଅନ୍ୟ ୟୁରୋପୀୟ ରାଷ୍ଟ୍ର ଆଫଗାନିସ୍ତାନକୁ ଆର୍ଥିକ ସହାୟତା ବନ୍ଦ କରିଦେଇଛନ୍ତି ବିଶ୍ୱ ବ୍ୟାଙ୍କ ଓ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ମଧ୍ୟ ସମାନ ପଦକ୍ଷେପ ନେଇଛନ୍ତି। ସେହିପରି ଆଫଗାନିସ୍ତାନ ସେଣ୍ଟ୍ରାଲ ବ୍ୟାଙ୍କ ଅର୍ଥାତ୍ DABର ୯ ବିଲିୟଲ ଡଲରାରୁ ଅଧିକ ଜମା ରାଶି ଆମେରିକା ନିୟନ୍ତ୍ରଣରେ ରହିଛି। ତାଲିବାନ କ୍ଷମତାରେ ଥିବା ଯାଏଁ ଏସବୁ ଦେଶ ଓ ସଂସ୍ଥାଙ୍କଠାରୁ ତାଲିବାନ କୌଣସି ପ୍ରକାର ଆର୍ଥିକ ସହାୟତା ପାଇବା ସମ୍ଭାବନା କମ୍।

ଆଫଗାନିସ୍ତାନର ଜିଡିପିର ୪ ପ୍ରତିଶତ ବିଦେଶରେ ରହୁଥିବା ଆଫଗାନ ନାଗରିକ ପଠାଉଥିବା ଅର୍ଥରୁ ମିଳିଥାଏ। ମାତ୍ର ଅର୍ଥ କାରବାର କରୁଥିବା ୱେଷ୍ଟର୍ଣ୍ଣ ୟୁନିୟନ ମନି ଟ୍ରାନସଫର ଓ ମନିଗ୍ରାମ୍ ଆଫଗାନିସ୍ତାନ୍ ନିଜ ନିଜ ଅପରେସନକୁ ସାମୟିକ ବନ୍ଦ କରିଦେଇଛନ୍ତି। ତେଣୁ ବିଦେଶରୁ ଆଫଗାନିସ୍ତାନକୁ ଅର୍ଥ ଆସିବା ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି। ଯାହା ଫଳରେ ଦେଶରେ ଆମେରିକୀୟ ଡଲାରର ଘୋର ଅଭାବ ଦେଖାଦେଇଛି। ଅନ୍ୟପକ୍ଷରେ ଦୁର୍ବଳ ଆର୍ଥିକ ସ୍ଥିତିକୁ ନେଇ ଆଫଗାନିସ୍ତାନ ମୁଦ୍ରାର ଅନ୍ତର୍ଜାତୀୟସ୍ତରରେ କୌଣସି ମୂଲ୍ୟ ନାହିଁ କହିଲେ ଚଳେ। ଫଳରେ ଦେଶର ଅଧିକାଂଶ ବ୍ୟାଙ୍କ ବନ୍ଦ ହୋଇଯାଇଛି। ଦୈନିକ ଶହ ଶହ ଲୋକ ଏଟିଏମ୍ ଆଗରେ ଧାଡି ଲଗାଉଥିଲେ ମଧ୍ୟ ଏଥିରୁ କ୍ୟାଶ୍ ବାହାରୁନାହିଁ।

Advertisment

ଦେଶ ଆର୍ଥିକ ବିପର୍ଯ୍ୟୟ ମୁହାଁ ହୋଇଥିବା ବେଳେ କ୍ରମାଗତ ତୃତୀୟ ବର୍ଷ ଲାଗି ମରୁଡି ଓ ଫସଲହାନୀ ସ୍ଥିତିକୁ ଆହୁରି ଜଟିଳ କରିଛି। ଫଳରେ ଲକ୍ଷ ଲକ୍ଷ ଲୋକ ଭୋକ ଉପାସରେ ପ୍ରାଣ ହରାଇବା ଆଶଙ୍କା ବଢିଯାଇଛି। ଆଫଗାନିସ୍ତାନ ଏକ ବିରାଟ ମାନବୀୟ ଦୁର୍ବିପାକ ଆଡକୁ ଅଗ୍ରସର ହେଉଥିବା ବିଶେଷଜ୍ଞମାନେ ଚେତାଇ ଦେଇଛନ୍ତି। ଏପଟେ ନିଶା ଦ୍ରବ୍ୟ କାରବାର ଓ ଖଣିଜ ସମ୍ପଦ ବିକି ତାଲିବାନ ଅର୍ଥ ସଂଗ୍ରହ କରିବାକୁ ଯୋଜନା ରଖିଛି। ତେବେ ଆତଙ୍କବାଦ ଲାଗି ପାଣ୍ଠି ସଂଗ୍ରହ ଅଲଗା ଓ ଦେଶ ଚଳାଇବା ଅଲଗା ବୋଲି କହିଛନ୍ତି ଆଫଗାନିସ୍ତାନ ସେଣ୍ଟ୍ରାଲ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଆଜମଲ ଅହମଦି। ଅଗଷ୍ଟ ୧୫ ତାରିଖରେ ତାଲିବାନ କବଜା କରିବା ଦିନ ହିଁ ଅହମଦି ଆମେରିକୀୟ ମିଲିଟାରୀ ପ୍ଲେନରେ ଦେଶଛାଡି ପଳାଇଛନ୍ତି। ଅଭିଜ୍ଞ ଅଧିକାରୀଙ୍କ ଅନୁପସ୍ଥିତିରେ ତାଲିବାନ ବ୍ୟାଙ୍କିଂ ବ୍ୟବସ୍ଥା ଓ ଅର୍ଥନୀତିକୁ କିଭଳି ଟ୍ରାକକୁ ଆଣିବ, ଏବେ ତା ଉପରେ ସାରା ବିଶ୍ୱର ନିଜର ରହିଛି।

Advertisment
Taliban Taliban Attack Afghanistan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ