କ’ଣ କରନ୍ତି ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକ୍‌ଙ୍କ ପତ୍ନୀ ଅକ୍ଷତା ?

ଅକ୍ଷତା ମୂର୍ତ୍ତି(Akshata Murthy) ଭାରତୀୟ ଆଇଟି କମ୍ପାନୀ ଇନଫୋସିସ୍‌ର ସଂସ୍ଥାପକ ନାରାୟଣ ମୂର୍ତ୍ତିଙ୍କ ଝିଅ

ରିଷି ସୁନକ୍‌ଙ୍କ ପତ୍ନୀ

ବ୍ରିଟେନରେ ଆରମ୍ଭ ହୋଇଛି ଭାରତୀୟଙ୍କ ରାଜ୍ । ପ୍ରଥମ ମୂଳ ଭାରତୀୟ ଭାବେ ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ହୋଇଛନ୍ତି ରିଷି ସୁନକ୍(Rishi Sunak) । ସେ ଭାରତୀୟ ବଂଶୋଦ୍ଭବ ତଥା ଭାରତର ଜ୍ୱାଇଁପୁଅ ବି । ପ୍ରାୟ ୨ ମାସ ତଳେ ପ୍ରଧାନମନ୍ତ୍ରୀ ରେସ୍‌ରେ ମାତ୍ ଖାଇଥିବା ରିଷି, ଆଜି ବିଜୟୀ ହୋଇଛନ୍ତି ପ୍ରଧାନମନ୍ତ୍ରୀ ରେସ୍‌ରେ । ବେଶ୍‌ କିଛି ଦିନ ହେବ ଚର୍ଚ୍ଚାରେ ଥିବା ରିଷିଙ୍କ ପତ୍ନୀ ମଧ୍ୟ ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ।

ଭାରତର ବିଲଗେଟ୍‌ କୁହାଯାଉଥିବା ଇନ୍‌ଫୋସିସି ପ୍ରତିଷ୍ଠାତା ଏନ୍. ଆର୍. ନାରାୟଣ ମୂର୍ତ୍ତିଙ୍କ ଝିଅ ଅକ୍ଷତା ମୂର୍ତ୍ତି(Akshata Murthy) ରିଷି ସୁନକଙ୍କ ଜୀବନସାଥୀ । ରିଷି ଏବଂ ଅକ୍ଷତାଙ୍କର ଦୁଇ ଝିଅ କୃଷ୍ଣା ଓ ଅକ୍ଷତା । ରିଷି ୭ ହଜାର କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତିର ମାଲିକ ହୋଇଥିବାବେଳେ ତାଙ୍କ ପତ୍ନୀ ଅକ୍ଷତା ତାଙ୍କ ଅପେକ୍ଷା ଅଧିକ ଧନୀ ।

ଅଧିକ ପଢ଼ନ୍ତୁ: ରିଷି ସୁନକଙ୍କ ରାଜନୈତିକ ଯାତ୍ରା ଓ ରୋଚକ କଥା

ଅକ୍ଷତା ତାଙ୍କ ବାପାଙ୍କର କମ୍ପାନୀରେ ୦.୯୧% ଅଂଶଧନର ଅଧିକାରୀ, ଯାହାର ମୂଲ୍ୟ ପ୍ରାୟ ୯୦୦ ମିଲିୟନ୍‌ ଡଲାର ଅଟେ । ଡେଲୋଏଟ୍ ଏବଂ ୟୁନିଲିଭରରେ କାମ କରିବା ଏବଂ ଷ୍ଟାନଫୋର୍ଡ ୟୁନିଭରସିଟିରେ ଏମବିଏ କରିବା ପୂର୍ବରୁ ଅକ୍ଷତା ଏକ ଫ୍ୟାଶନ କଲେଜରେ ଡିପ୍ଲୋମା କରିଛନ୍ତି । ସେ ନିଜର ଫ୍ୟାଶନ୍ ଡିଜାଇନ କମ୍ପାନୀ ଚଳାଉଥିଲେ । ତେବେ ଅକ୍ଷତାଙ୍କର ଏହି ବ୍ୟବସାୟ ୩ ବର୍ଷ ମଧ୍ୟରେ ଧରାଶାୟୀ ହୋଇଯାଇଥିଲା ।

୧୯୮୦ରେ ଜନ୍ମଗ୍ରହଣ କରିଥିଲେ ଅକ୍ଷତା । ଜନ୍ମ ପରେ ଅକ୍ଷତାଙ୍କ ବାପାମା’ କାମ ପାଇଁ ମୁମ୍ବାଇ ଚାଲି ଯାଇଥିଲେ ଏବଂ ତାଙ୍କୁ ତାଙ୍କ ଜେଜେବାପାଙ୍କ ସହ ଛାଡି ଦେଇଥିଲେ । ଅକ୍ଷତାଙ୍କ ମା ସୁଧା ମୁର୍ତ୍ତୀ ଜଣେ କମ୍ପ୍ୟୁଟର ବୈଜ୍ଞାନିକ ଏବଂ ଇଞ୍ଜିନିୟର । ଭାରତର ବୃହତ୍ତମ କାର ନିର୍ମାତା ଟାଟା ପାଇଁ କାମ କରୁଥିବା ସୁଧା ପ୍ରଥମ ମହିଳା ଇଞ୍ଜିନିୟର ଥିଲେ ।

ରିଷିଙ୍କୁ ପ୍ରଥମ ଥର ପାଇଁ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟରେ ଭେଟିଥିଲେ ଅକ୍ଷତା । ଯେଉଁ ଠାରେ ଉଭୟେ ଏମବିଏ କରିଥିଲେ । ପାଠପଢ଼ା ସମୟରେ ହିଁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଉଭୟଙ୍କ ବିବାହ ଉତ୍ସବରେ ଭାରତୀୟ କ୍ରିକେଟ୍ ଦଳର ସ୍ପିନର ଅନିଲ କୁମ୍ବଲେ, ରାହୁଲ ଦ୍ରାବିଡ ପ୍ରମୁଖ ଯୋଗ ଦେଇଥିଲେ ।