Pope Election : କେମିତି ନିର୍ବାଚିତ ହୁଅନ୍ତି ପୋପ ? ପୋପ ନିର୍ବାଚନରେ କ’ଣ ରହିବ ଭାରତର ଭୂମିକା ?

ଆଗାମୀ ପୋପ ନିର୍ବାଚନରେ ଭାରତୀୟ କାର୍ଡିନାଲ୍ସଙ୍କୁ ଭୋଟ ଦେବାର ଅଧିକାର ମିଳିବ । ଯଦ୍ୱାରା ଏହି ମହତ୍ୱପୂର୍ଣ୍ଣ ନିର୍ଣ୍ଣୟ ପ୍ରକ୍ରିୟାରେ ଭାରତର ଉପସ୍ଥିତି ମଧ୍ୟ ମହତ୍ୱପୂର୍ଣ୍ଣ ରହିବ । ୭୯ ବର୍ଷୀୟ କାର୍ଡିନାଲ ଜଜ ଏଲେନଚ୍ୱେରୀ ସାୟରୋ ମଲାବାର କ୍ୟାଥେଲିକ ଚର୍ଚ୍ଚର ମୁଖ୍ୟ ଆର୍କବିଶପ ଅଟନ୍ତି, ଯାହା ଭାରତର ସବୁଠାରୁ ବଡ କାଥୋଲିକ ସମୁଦାୟ ମଧ୍ୟରୁ ଗୋଟିଏ ।

କିଏ ହେବେ ପରବର୍ତ୍ତୀ ପୋପ୍

ଖ୍ରୀଷ୍ଟିୟାନ ଧର୍ମର ଶ୍ରେଷ୍ଠ ଗୁରୁ ୮୮ ବର୍ଷୀୟ ପୋପ ପ୍ରାନ୍ସିସଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର  । ରୋମର ଜେମେଲି ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଛି । ଡବଲ ନିମୋନିଆ ଏବଂ କିଡନୀ ଫେଲ ହୋଇ ଯାଇଥିବାରୁ ତାଙ୍କର ଅବସ୍ଥା ଗୁରୁତର ହୋଇଥିଲା । ଭାଟିକାନ ପକ୍ଷରୁ ସୋମବାର ସୂଚନା ଦିଆଯାଇଥିଲା ଯେ, ତାଙ୍କୁ ଅକ୍ସିଜେନ ସପୋର୍ଟରେ ରଖାଯାଇଛି । ନିୟମିତ ବ୍ୟବଧାନରେ ରକ୍ତ ଦିଆଯାଉଛି । ଗୁରୁତର ହେଲେ ବି ପୋପ ଫ୍ରାନ୍ସିସଙ୍କର ମାନସିକ ସ୍ଥିତି ଠିକ ଅଛି । ଏପରିକି ସେ ପ୍ରାର୍ଥନା ସଭାରେ ମଧ୍ୟ ଭାଗ ନେଉଛନ୍ତି ।  

ଗୋଟିଏ ପଟେ ପୋପଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତା ଲାଗି ରହିଥିବାବେଳେ ପରବର୍ତ୍ତୀ ପୋପ କିଏ ହେବେ ସେ ନେଇ ଚର୍ଚ୍ଚା ବି ଜୋର ଧରିଛି । ଭାଟିକାନ କ୍ୟାଥେଲିକ ଚର୍ଚ୍ଚର ନେତୃତ୍ୱ ପରିବର୍ତ୍ତନ ପାଇଁ ନିର୍ଦ୍ଦିଷ୍ଟ ପ୍ରକ୍ରିୟା ରହିଛି । ସେହି ପ୍ରକ୍ରିୟା ଆଧାରରେ ପୋପ ନିର୍ବାଚନ କରାଯାଇଥାଏ । ଯଦି ପୋପ କାର୍ଯ୍ୟଭାର ସମ୍ଭାଳିବା ପାଇଁ ଅକ୍ଷମ ହୋଇପଡନ୍ତି ତେବେ ଭାଟିକାନର ସେକ୍ରେଟେରୀ ଅଫ ଷ୍ଟେ କାର୍ଡିନଲ ପିଏତ୍ରୋ  ପାରୋଲିନ  ନୂଆ ପୋପ ନିର୍ବାଚନ ହେବା ଯାଏ ଦୈନିକ କାର୍ଯ୍ୟର ତଦାରଖ କରନ୍ତି ।

ଭାରତୀୟ କାର୍ଡିନାଲ୍ସ ଦେବେ ଭୋଟ

ଆଗାମୀ ପୋପ ନିର୍ବାଚନରେ ଭାରତୀୟ କାର୍ଡିନାଲ୍ସଙ୍କୁ ଭୋଟ ଦେବାର ଅଧିକାର ମିଳିବ । ଯଦ୍ୱାରା ଏହି ମହତ୍ୱପୂର୍ଣ୍ଣ ନିର୍ଣ୍ଣୟ ପ୍ରକ୍ରିୟାରେ ଭାରତର ଉପସ୍ଥିତି ମଧ୍ୟ ମହତ୍ୱପୂର୍ଣ୍ଣ ରହିବ । ୭୯ ବର୍ଷୀୟ କାର୍ଡିନାଲ ଜଜ ଏଲେନଚ୍ୱେରୀ ସାୟରୋ ମଲାବାର କ୍ୟାଥେଲିକ ଚର୍ଚ୍ଚର ମୁଖ୍ୟ ଆର୍କବିଶପ ଅଟନ୍ତି, ଯାହା ଭାରତର ସବୁଠାରୁ ବଡ କାଥୋଲିକ ସମୁଦାୟ ମଧ୍ୟରୁ ଗୋଟିଏ ଅଟେ । ତେବେ ୨୦୨୫ ଏପ୍ରିଲ ୧୯ ତାରିଖରେ ତାଙ୍କୁ ୮୦ ବର୍ଷ ହୋଇଯିବା ପରେ ସେ ନିଜ ଭୋଟ ଦେବା ଅଧିକାର ହରାଇ ବସିବେ ।

ଅନ୍ୟଜଣେ ହେଉଛନ୍ତି ୮୦ ବର୍ଷ ବୟସ୍କ ଓସୋବାଲ୍ଡ ଗ୍ରେସିୟସ । ତେବେ ଉଭୟେ ବୟସାଧିକ କାରଣରୁ ମତଦାନ ଅଧିକାର ହରାଇ ବସିବେ । ଆସନ୍ତା ପୋପ ସମ୍ମିଳନୀରେ ଭୋଟ ଦେବାକୁ ଥିବା ୪ କାର୍ଡିନାଲ ଭିନ୍ନ ଭିନ୍ନ ପୃଷ୍ଠଭୂମିର ଅଟନ୍ତି ଏବଂ କାଥେଲିକ ଚର୍ଚ୍ଚରେ ଏମାନଙ୍କର ମହତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହି ୪ ଜଣ ହେଲେ ୭୨ ବର୍ଷୀୟ ଫିଲିପ ନେରୀ ଫେରାଓ, ୬୪ ବର୍ଷୀୟ କ୍ଲେମିସ ବେସିଲିୟୋସ, ୬୩ ବର୍ଷୀୟ ଏନ୍ଥନୀ ପୁଲା ଏବଂ ୫୧ ବର୍ଷୀୟ ଜର୍ଜ ଜ୍ୟାକବ କୁବାକଡ ।

 ଆଗାମୀ ପୋପ ନିର୍ବାଚନ ଉପରେ ବିଶ୍ୱସ୍ତରୀୟ ପ୍ରଭାବ

ପୋପ ନିର୍ବାଚନ ପାଇଁ ହେବାକୁ ଥିବା ମତଦାନରେ ୪ଜଣ ଭାରତୀୟ କାର୍ଡିନାଲ୍ସ ଭାଗ ନେବେ । ଏମାନଙ୍କ ମିଶାଇ କାଡିନାଲ୍ସ କଲେଜରେ ୧୨୦ରୁ ଅଧିକ ମତାଦାତା ଅଛନ୍ତି । ଏମାନେ ବିଶ୍ୱର ଭିନ୍ନ ଭିନ୍ନ କ୍ଷେତ୍ରର ପ୍ରତିନିଧିତ୍ୱ କରନ୍ତି । ୟୁରୋପ ପାଖରେ ସବୁଠାରୁ ବଡ ଭୋଟିଂ ବ୍ଲକ ରହିଛି । ଏହି କାରଣରୁ ପୋପ ଚୟନରେ ୟୁରୋପର ଭୂମିକା ସବୁଠାରୁ ପ୍ରଭାବଶାଳୀ ବୋଲି ମନେ କରାଯାଇଥାଏ ।

ଲାଟିନ ଆମେରିକା ଏବଂ ଆଫ୍ରିକାର ଅନେକ ଦେଶ ଅଧିକ ପ୍ରତିନିଧିତ୍ୱ ପାଇଁ ଦାବି କରୁଛନ୍ତି । ସେମାନଙ୍କ କହିବା ଅନୁଯାୟୀ, ଏହି ଅଞ୍ଚଳରେ କାଥୋଲିକ ଧର୍ମ ସବୁଠାରୁ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏସିଆ କଥା ଦେଖିଲେ ଏଠାରେ ଅଣପଶ୍ଚିମୀ ସମାଜରେ ଖ୍ରୀଷ୍ଟ ଧର୍ମ ପ୍ରଭାବ ବିସ୍ତାର ଲାଭ କରୁଛି । ଯାହା ବି ହେଉ, ଏମିତି ଜଣେ ଧର୍ମୀୟ ଗୁରୁଙ୍କ ସନ୍ଧାନ କରିବାକୁ ପଡିବ ଯିଏ ବିଶ୍ୱସ୍ତରୀୟ ଧାର୍ମିକ ବିବିଧତାକୁ ବୁଝିପାରୁଥିବେ । ୨୦୧୩ରେ ନିର୍ବାଚିତ ହୋଇଥିବା ପୋପ ଫ୍ରାନ୍ସିସ ଜଣେ ଲାଟିନ ଆମେରିକୀୟ  । ଲାଟିନ ଆମେରିକାରୁ ଆସିଥିବା ସେ ପ୍ରଥମ ପୋପ ଅଟନ୍ତି ।

ପୋପ ନିର୍ବାଚନ ପ୍ରକ୍ରିୟା

ପୋପ ନିର୍ବାଚନର ଏକ ସ୍ୱତନ୍ତ୍ର ତଥା ଦୀର୍ଘ ପ୍ରକ୍ରିୟା ରହିଛି । ଏଥିପାଇଁ ପ୍ରଥମେ ଏକ କାର୍ଡିନାଲ ସଭା ହୋଇଥାଏ । ଏଥିରେ ପୋପଙ୍କ ଇସ୍ତଫା କିମ୍ବା ନିଧନ ପରେ ୮୦ ବର୍ଷରୁ କମ ସମସ୍ତ କାର୍ଡିନାଲ୍ସ ଭାଟିକାନ ସିଟିରେ ଏକାଠି ହେବେ । ଏହାପରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ । ପ୍ରଥମେ ଏକାନ୍ତ ଏବଂ ଗୋପାନୀୟତାର ଶପଥ ନିଆଯିବ । ମତଦାତା ସିଷ୍ଟିନ ଚ୍ୟାପେଲରେ ପ୍ରବେଶ କରିବେ, ଗୋପନୀୟତାର ଶପଥ ନେବେ । ତୃତୀୟ ପର୍ଯ୍ୟାୟରେ ପ୍ରତ୍ୟେକ କାର୍ଡିନାଲ ନିଜ ପସନ୍ଦର ପୋପଙ୍କ ନାମ ଏକ ପେପର ବାଲାଟରେ ଲେଖିବେ । ଜିତିବା ପାଇଁ ଜଣେ ପ୍ରାର୍ଥୀଙ୍କୁ ଦୁଇ ତୃତୀୟାଂଶ ବହୁମତ ମିଳିବା ଜରୁରୀ ଅଟେ ।

ଚତୁର୍ଥ ପର୍ଯ୍ୟାୟରେ ମତଦାନର ପ୍ରତ୍ୟେକ ପର୍ଯ୍ୟାୟ ପରେ ବାଲାଟ ପେପରକୁ ଜଳାଇ ଦିଆଯାଏ । ଏହି ଧୁଆଁ ହିଁ ସନ୍ଦେଶ ଦେଇଥାଏ ନୂଆ ପୋପ ମିଳିଲେ କି ନାହିଁ । ଯଦି କଳାଧୁଆଁ ବାହାରେ ତେବେ ଏହାର ଅର୍ଥ କୌଣସି ନିର୍ଣ୍ଣୟ ନିଆଯାଇ ନାହିଁ । ଯଦି ଧଳା ଧୁଆଁ ବାହାରେ ତେବେ ଏହାର ସଙ୍କେତ ହେଉଛି ନୂଆ ପୋପ ମନୋନୀତ ହୋଇଗଲେ । ୫ମ ପର୍ଯ୍ୟାୟରେ ନୂଆ ପୋପଙ୍କ ନାମ ଘୋଷଣା କରାଯାଇଥାଏ । ଜଣେ ବରିଷ୍ଠ କାର୍ଡିନାଲ ସେଣ୍ଟ ପିଟର ବେସିଲିକାର ବାଲକୋନି ଉପରକୁ ଆସି ‘ହାବେମୁସ ପାପମ’ ବୋଲି ଘୋଷଣା କରିଥାନ୍ତି, ଯାହାର ଅର୍ଥ ହେଉଛି ଆମ ପାଖରେ ଜଣେ ପୋପ ଅଛନ୍ତି ।

କାଥେଲିକ ଚର୍ଚ୍ଚର ଭବିଷ୍ୟତ

ପୋପ ଫ୍ରାନ୍ସିସଙ୍କ ସ୍ୱାସ୍ଥ୍ୟାବସ୍ଥା ଯେତେ ଖରାପ ହେଉଛି, ଭାଟିକାନ ସମସ୍ତ ସମ୍ଭାବ୍ୟ ପରିସ୍ଥିତି ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି । ଯଦି ପୋପ ନିଜ କର୍ତ୍ତବ୍ୟ ପାଳନ କରିବାରେ ଅସମର୍ଥ ହୋଇପଡନ୍ତି ତେବେ ମଧ୍ୟବର୍ତ୍ତୀକାଳୀନ ସମୟ ପାଇଁ କାର୍ଡିନାଲ ପାରୋଲିନ ନେତୃତ୍ୱରେ ଚର୍ଚ୍ଚ କାମ ସମ୍ପାଦନ କରାଯିବ । ତେବେ ନୂଆ ପୋପ ନିର୍ବାଚିତ ନ ହେବା ଯାଏ କୌଣସି ପ୍ରମୁଖ ନିର୍ଣ୍ଣୟ ନିଆ ଯିବ ନାହିଁ । ଭାରତରେ ପାଖାପାଖି ଦୁଇ କୋଟି କ୍ୟାଥେଲିକ ସମୁଦାୟ ଏହି ନିର୍ବାଚନକୁ ନିକଟରୁ ଦେଖିବ । ଏହି ସମୁଦାୟ ବିଶେଷ କରି କେରଳର ଅଟନ୍ତି ।  

କାହିଁକି ମନୋନୀତ ହୋଇ ପାରିବେନି ଏସିଆର ପୋପ

କୁହାଯାଉଛି, ପୋପ ଫ୍ରାନ୍ସିସଙ୍କ ଉତ୍ତରାଧିକାରୀ ଆଫ୍ରିକା କିମ୍ବା ଏସିଆର ହୋଇ ପାରନ୍ତି । ଭାଟିକାନ ଅନୁସାରେ, ୨୦୨୨ ଶେଷ ସୁଦ୍ଧା ପାଖାପାଖି ୧.୪ ବିଲିଅନରୁ ଅଧିକ ବିଶ୍ୱସ୍ତରୀୟ କାଥୋଲିକ ସଂଖ୍ୟାରୁ ୩୧ ପ୍ରତିଶତ ଏହି ଦୁଇ ମହାଦେଶର ଅଟନ୍ତି । ତେବେ ଏହି ସଂଖ୍ୟା ମହାଦ୍ୱୀପର ମହତ୍ୱକୁ କମ କରି ଦେଉଛି । କାରଣ ଏଥିରେ ଚୀନ ସାମିଲ ହୋଇନାହିଁ । ଚୀନରେ ସମ୍ଭବତଃ ୧୨ ମିଲିଅନ କାଥୋଲିକ ରହିଛି । ଅନ୍ୟପକ୍ଷେ ଏସିଆାରେ କେବଳ ୩୭ କାର୍ଡିନାଲ ଅଛନ୍ତି ଯିଏ ମୋଟ ସଂଖ୍ୟାର ମାତ୍ର ୧୪.୭ ପ୍ରତିଶତ । ଆଫ୍ରିକାରେ ଏହି ସଂଖ୍ୟା ଆହୁରି କମ ଅଟେ ଅର୍ଥାତ ୧୧.୫ ପ୍ରତିଶତ । ଭାରତରେ କେବଳ ୬ କାର୍ଡିନାଲ ଅଛନ୍ତି ଯେଉଁମାନଙ୍କ ମଧ୍ୟରୁ ୪ ଜଣଙ୍କ ପାଖରେ ମତଦାନ ଅଧିକାର ରହିଛି । ଅନ୍ୟପକ୍ଷେ ୟୁରୋପୀୟ ଦେଶ ପାଖରେ ୧୭ କାର୍ଡିନାଲ ଅଛନ୍ତି ।