‘ସାହାଯ୍ୟ ପାଇଁ ଚିତ୍କାର କରୁଥିଲେ, ହେଲେ’ . . ଫେସବୁକ୍ ଲାଇଭ୍ ସମୟରେ ଯୁବତୀଙ୍କ ମୃତ୍ୟୁ

ସୁଇମିଂ ପୁଲରେ ଥାଇ ଚିତ୍କାର କରୁଥିଲେ ଯୁବତୀ, ହେଲେ କେହି ଆସିଲେନି । ଶେଷରେ ଜୀବନ ଚାଲିଗଲା ।

ଗାଧୋଇଲା ବେଳେ ଚାଲିଗଲା ଜୀବନ

ଗାଧୋଇଲା ବେଳେ ଚାଲିଗଲା ଜୀବନ । ୨୩ ବର୍ଷୀୟ ଯୁବତୀ ସୁଇମିଂ ପୁଲରେ ଗାଧୋଇବା ସମୟରେ ପାଣି ବୁଡ଼ି ପ୍ରାଣ ହରାଇଛନ୍ତି । ତେବେ ସୁଇମିଂ ପୁଲକୁ ପଶିବା ପୂର୍ବରୁ ସେ ଫେସବୁକ୍ ଲାଇଭ୍ କରିଥିଲେ । ତାଙ୍କ କ୍ୟାମେରାରେ ହିଁ ମୃତ୍ୟୁ ଘଟଣା କଏଦ ହୋଇଛି । କାନାଡାରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ବର୍ତ୍ତମାନ ଫେସବୁକ ତାଙ୍କ ମୃତ୍ୟୁ ସମୟର ଭିଡିଓକୁ ନିଜ ପ୍ଲାଟଫର୍ମରୁ ହଟାଇ ଦେଇଛି । ଏଥିସହ ପୋଲିସ ଏହାକୁ ସନ୍ଦେହଜନକ ବିଚାର କରି ତଦନ୍ତ ଆରମ୍ଭ କରିଛି ।

ସୁଇମିଂ ପୁଲ୍‌ରେ ବୁଡ଼ି ପ୍ରାଣ ହରାଇଥିବା ଯୁବତୀଙ୍କ ନାମ ହେଲେନ ନ୍ୟାବୁତା । ମୃତକ ଜଣକ କେନିଆର ମୂଳ ବାସିନ୍ଦା ହୋଇଥିବା ବେଳେ ସେ ପେଶାରେ ଜଣେ ନର୍ସ । କାମ କରିବା ପାଇଁ ସେ କାନାଡାରେ ରହୁଛନ୍ତି । ଅଗଷ୍ଟ ୧୮ରେ ପୁଲ୍‌ରେ ଗାଧୋଇବା ବେଳେ ସେ ଫେସ୍‌ବୁକ୍‌ରେ ଲାଇଭ୍‌ ଥିଲେ । ହେଲେ ଦୁର୍ଭାଗ୍ୟବଶଷତଃ ସେଠାରେ ପାଣିରେ ବୁଡ଼ି ତାଙ୍କର ଜୀବନ ଚାଲିଯାଇଛି । ତେବେ ସେହି ସମୟରେ ତାଙ୍କ ସହ ଘଟିଥିବା ଘଟଣା ଲାଇଭ୍‌ ରେକର୍ଡ ହୋଇଥିଲା ।

ଫେସବୁକ୍‌ ଲାଇଭରେ କଏଦ୍‌ ଛାତିଥରା ମୃତ୍ୟୁ

ମୃତ୍ୟୁ ପୂର୍ବରୁ ହେଲେନ ହସି ହସି ମନ ଖୁସିରେ ସୁଇମିଂ ପୁଲ୍‌ ଭିତରକୁ ପଶିଥିଲେ । କିନ୍ତୁ ୩ ମିନିଟ୍‌ ପରେ ସେ ପାଣିରେ ଉବୁଟୁବୁ ହେଉଥିବା ଦେଖିବାକୁ ମିଳିଥିଲା । ତେବେ ବୁଡ଼ିଯାଉଥିବା ବେଳେ ହେଲେନ୍‌ ସାହାଯ୍ୟ ପାଇଁ ଚିତ୍କାର ମଧ୍ୟ କରିଥିଲେ । ହେଲେ କେହି ତାଙ୍କ ଡାକ ଶୁଣିପାରି ନଥିଲେ । ଏହାପରେ ସେ ପାଣିରେ ବୁଡ଼ି ଯାଇଥିଲେ ଓ ତାଙ୍କର ଫେସବୁକ୍‌ ଲାଇଭ୍ ବନ୍ଦ ହୋଇଯାଇଥିଲା ।

କିଛି ସମୟ ପରେ ହୋଟେଲ କର୍ମଚାରୀ ପୁଲ୍‌ରେ କେହି ଜଣେ ଭାସୁଥିବା ଦେଖିଥିଲେ । ତୁରନ୍ତ ପୋଲିସ୍‌କୁ ଫୋନ୍‌ କରିବା ପରେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ୍‌ ବର୍ତ୍ତମାନ ହୋଟେଲ୍‌ କର୍ମଚାରୀଙ୍କୁ ପଚରାଉଚରା କରୁଥିବା ବେଳେ ଘଟଣାର ଛାନଭିନ ଆରମ୍ଭ କରିଛି ।