ଗାଜା ଭିତରେ ପଶି ହମାସ ଆତଙ୍କବାଦୀଙ୍କୁ ସଫା କରୁଛି ଇସ୍ରାଏଲ୍‌ ସେନା

ଇସ୍ରାଏଲ ୯ ଦିନ ହେଲା ଯୁଦ୍ଧ ଚଳାଇଥିବା ବେଳେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ କହିଛନ୍ତି, ଏହା ଆରମ୍ଭ ମାତ୍ର ।

ହମାସ ଆତଙ୍କବାଦୀଙ୍କୁ ସଫା କରୁଛି ଇସ୍ରାଏଲ୍‌

ଇସ୍ରାଏଲ୍‌ ଓ ହମାସ ମଧ୍ୟରେ ଚାଲିଛି  ଯୁଦ୍ଧ । ଗାଜା ଭିତରେ ପଶି ହମାସ ଆତଙ୍କବାଦୀଙ୍କୁ ସଫା କରୁଛି ଇସ୍ରାଏଲ୍‌ ଗ୍ରାଉଣ୍ଡ ଫୋର୍ସ । ହମାସ ଆତଙ୍କବାଦୀଙ୍କୁ ସଫା କରିବାକୁ ଗୋଳାବାରୁଦ ଓ ଟ୍ୟାଙ୍କ୍ ସହ ୪ ଲକ୍ଷରୁ ଅଧିକ ସୈନିକ ମୁତୟନ ହୋଇଛନ୍ତି ।

ଇସ୍ରାଏଲ ୯ ଦିନ ହେଲା ଯୁଦ୍ଧ ଚଳାଇଥିବା ବେଳେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ କହିଛନ୍ତି, ଏହା ଆରମ୍ଭ ମାତ୍ର । ସେପଟେ ଇସ୍ରାଏଲ୍‌ର ଏୟାରଷ୍ଟ୍ରାଇକରେ ଟଳି ପଡ଼ିଛନ୍ତି ହମାସ ବାୟୁସେନା ମୁଖ୍ୟ ମୁରାଦ ଆବୁ ମୁରାଦ । ହମାସର କମାଣ୍ଡର ଅଲି କାଦି ବି ନିହତ ହୋଇଥିବା ଇସ୍ରାଏଲ୍‌ ଡିଫେନ୍ସ ଫୋର୍ସେସ୍ ପକ୍ଷରୁ ଦାବି କରାଯାଇଛି ।

ସେପଟେ ଭୟଙ୍କର ଆକ୍ରମଣ ଭୟରେ ଗାଜା ଛାଡୁଛନ୍ତି ପାଲେଷ୍ଟାଇନବାସୀ । ନିଜ ନିଜର ଜରୁରୀ ଜିନିଷପତ୍ର ଧରି ବର୍ଷ ବର୍ଷ ଧରି ରହୁଥିବା ଜାଗା ଛାଡୁଛନ୍ତି ଲକ୍ଷାଧିକ ଲୋକ । ଅନ୍ୟପକ୍ଷେ, ଆମେରିକା ଇସ୍ରାଏଲ୍‌କୁ ଦ୍ୱିତୀୟ ଯୁଦ୍ଧ ଜାହାଜ ପଠାଇଛି । 

ପୂର୍ବ ଭୂମଧ୍ୟ ସାଗରରେ ମୁତୟନ ପାଇଁ ଯୁଦ୍ଧ ଜାହାଜ ପଠାଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ଆବଶ୍ୟକ ସ୍ଥଳେ ଅନ୍ୟ ସହାୟତା ଯୋଗାଇବ ବୋଲି ଆମେରିକା କହିଛି । ଗାଜାରେ ଦ୍ୱିତୀୟ ପର୍ଯ୍ୟାୟ ଆକ୍ରମଣ ପାଇଁ ଇସ୍ରାଏଲ୍‌ ପ୍ରସ୍ତୁତି ଚଳାଇଛି ।

ଆକ୍ରମଣ ରୋକିବାକୁ ବାଇଡେନଙ୍କୁ ଅନୁରୋଧ କରିଛନ୍ତି ପାଲେଷ୍ଟାଇନ୍ ରାଷ୍ଟ୍ରପତି । ବର୍ତ୍ତମାନ ସୁଦ୍ଧା ଯୁଦ୍ଧରେ ୩୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି ।