ଶୀଘ୍ର ୟୁକ୍ରେନ ଛାଡିବାକୁ ଭାରତୀୟ ଛାତ୍ରଙ୍କୁ ପରାମର୍ଶ, ଜାରି ହେଲା ଆଡଭାଇଜରି

ଶୀଘ୍ର ଛାଡ଼ ୟୁକ୍ରେନ୍ । ବିଶେଷ ବଡ଼ କାମ ନଥିଲେ ତୁରନ୍ତ ଦେଶ ଛାଡ଼ିବା ପାଇଁ ଭାରତୀୟ ନାଗରିକ ଓ ଛାତ୍ରଙ୍କୁ ପରାମର୍ଶ ଦିଆଯାଇଛି ।

ସାଙ୍କେତିକ ଚିତ୍ର

ୟୁକ୍ରେନ ଏବଂ ଋଷ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ନିଜ ଦେଶର ଛାତ୍ରମାନଙ୍କ ପାଇଁ ଏକ ଆଡଭାଇଜରି ଜାରି କରିଛି ଭାରତ । ଅନିଶ୍ଚିତତାକୁ ସ୍ଥିତିକୁ ଦୃଷ୍ଟିରେ ରଖି ୟୁକ୍ରେନରେ ରହୁଥିବା ଛାତ୍ର ଏବଂ ନାଗରିକମାନଙ୍କୁ ସାମୟିକ ଭାବରେ ୟୁକ୍ରେନ୍ ଛାଡିବାକୁ କୁହାଯାଇଛି ।ଏସମ୍ପର୍କରେ ୟୁକ୍ରେନରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଟ୍ୱିଟ କରାଯାଇଛି ।

କୌଣସି ବଡ଼ କାମ ନଥିବା ସମସ୍ତ ଭାରତୀୟ ନାଗରିକ ତଥା ଭାରତୀୟ ଛାତ୍ରଙ୍କୁ ଅସ୍ଥାୟୀ ଭାବରେ ୟୁକ୍ରେନ ଛାଡିବାକୁ ପରାମର୍ଶ ଦିଆଯାଇଛି । ଏକ ବ୍ୟବସ୍ଥିତ ଓ ସଠିକ୍ ସମୟରେ ଉଡ଼ାଣ ଭରିବା ପାଇଁ ଉପଲବ୍ଧ ବାଣିଜ୍ୟିକ ବିମାନ ଏବଂ ଚାର୍ଟର୍ ବ୍ୟବହୃତ ହୋଇପାରିବ ବୋଲି ମଧ୍ୟ ଟ୍ୱିଟ କରାଯାଇଛି ।

ସେପଟେ ଯେକୌଣସି ମୁହୂର୍ତ୍ତରେ ରୁଷ ୟୁକ୍ରେନ୍ ଉପରେ ଆକ୍ରମଣ କରିପାରେ ବୋଲି ଆଶାଙ୍କା କରାଯାଉଛି । ରାଷ୍ଟ୍ରପତି ବାଇଡେନଙ୍କ ଜାତୀୟ ସୁରକ୍ଷା ଟିମ୍‌ ପୂରା ସ୍ଥିତି ଉପରେ ନଜର ରଖିଛି । ଆକ୍ରମଣ ସମ୍ପର୍କରେ ଏହି ଟିମ୍‌ ବାଇଡେନଙ୍କୁ ସୂଚନା ଦେଇଛି। ରାଷ୍ଟ୍ରପତି ବାଇଡେନ ମଧ୍ୟ ସ୍ଥିତି ଉପରେ ଆଲୋଚନା କରିବାକୁ ଆଜି ବୈଠକ ଡାକିଛନ୍ତି ।

ଏହାରି ଭିତରେ ରୁଷିଆ ଏକ ଅତ୍ୟାଧୁନିକ ମିସାଇଲ ପରୀକ୍ଷା କରିଥିବା ସୂଚନା ମିଳିଛି । ଆଣବିକ କ୍ଷମତା ସମ୍ପନ୍ନ ଏହି ହାଇପରସୋନିକ କ୍ରୁଜ୍ ମିସାଇଲ ସଫଳତାର ସହିତ ଟାର୍ଗେଟକୁ ହିଟ୍ କରିଥିବା ଜଣାପଡ଼ିଛି । ଯେଉଁ ଉଦ୍ଦେଶ୍ୟରେ ଏହି ମିସାଇଲ ପରୀକ୍ଷଣ କରାଯାଇଥିଲା, ତାହା ସଫଳ ହୋଇଥିବା କ୍ରେମଲିନ୍ ପକ୍ଷରୁ ସୂଚନା ଦିଆଯାଇଛି।