India-Syria Relation: କ୍ଷମତା ପରିବର୍ତ୍ତନ ସହ ଅସଦ ଶାସନର ଅନ୍ତ...ଏବେ ଭାରତ-ସିରିଆ ସମ୍ପର୍କର ଭବିଷ୍ୟତ କ’ଣ ?

ଭାରତ-ସିରିଆ ମଧ୍ୟରେ ରାଜନୈତିକ, ସାଂସ୍କୃତିକ, ଅର୍ଥନୈତିକ ଓ ଐତିହାସିକ ସମ୍ପର୍କ ସାତ ଦଶକ ପୁରୁଣା । ୧୯୫୭ରେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁ ସିରିଆ ଗସ୍ତରେ ଯାଇଥିଲେ । ଆଉ ତାଙ୍କ ଗସ୍ତ ପରେ ସିରିଆର ରାଜଧାନୀ ଦମାସକସର ପ୍ରସିଦ୍ଧ ଉମେଦ ସ୍କୋୟାରକୁ ଜବାହାରଲାଲ ନେହରୁ ଷ୍ଟ୍ରିଟ ଭାବରେ ନାମିତ କରାଯାଇଥିଲା ।

ସଂକଟରେ ଭାରତ-ସିରିଆ ସଂପର୍କ ?

ସିରିଆରେ କ୍ଷମତା ପରିବର୍ତ୍ତନ ସହିତ ୫୦ ବର୍ଷ ପୁରୁଣା ଅସଦ ଶାସନର ଅନ୍ତ ଘଟିଛି । ୫ ଦଶକର ବଂଶବାଦ ଶାସନ ପରେ ନୂଆ ଯୁଗ ଦେଖିବ ସିରିଆ । ବିଦ୍ରୋହୀ ଗୋଷ୍ଠୀ ଦାମାସକସ ଦଖଲ କରିବା ପରେ ଗାଦିଚ୍ୟୁତ ରାଷ୍ଟ୍ରପତି ପରିବାର ସମେତ ଏବେ ଋଷର ଶରଣ ନେଇଛନ୍ତି । ସିରିଆ ବର୍ତ୍ତମାନ ବିଦ୍ରୋହୀ ଗୋଷ୍ଠୀ ଦ୍ୱାରା ଶାସିତ ହେବ, ସେମାନଙ୍କ ମଧ୍ୟରୁ ଅଧିକାଂଶ ଅଲକାଏଦା ଓ ଇସଲାମିକ ଷ୍ଟେଟର ସମର୍ଥକ । ଏହାର ପ୍ରଭାବ ସାରା ବିଶ୍ୱ ଉପରେ ପଡ଼ିବ । ଅନ୍ୟପଟେ ବିଦ୍ରୋହୀଙ୍କ କବଜାରେ ଥିବା ସିରିଆର ବୈଦେଶିକ ନୀତି ସମ୍ପୂର୍ଣ୍ଣ ରୂପେ ବଦଳିଯିବାର ଆଶଙ୍କା କରାଯାଉଛି । ସିରିଆରେ କ୍ଷମତା ପରିବର୍ତ୍ତନର ପ୍ରଭାବ ଭାରତ ଉପରେ ମଧ୍ୟ ପଡ଼ିବ ବୋଲି କୁହାଯାଉଛି ।

ଦାମାସକସରେ ନେହରୁ ଷ୍ଟ୍ରିଟ

ଭାରତ-ସିରିଆ ମଧ୍ୟରେ ରାଜନୈତିକ, ସାଂସ୍କୃତିକ, ଅର୍ଥନୈତିକ ଓ ଐତିହାସିକ ସମ୍ପର୍କ ସାତ ଦଶକ ପୁରୁଣା । ୧୯୫୭ରେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁ ସିରିଆ ଗସ୍ତରେ ଯାଇଥିଲେ । ଆଉ ତାଙ୍କ ଗସ୍ତ ପରେ ସିରିଆର ରାଜଧାନୀ ଦମାସକସର ପ୍ରସିଦ୍ଧ ଉମେଦ ସ୍କୋୟାରକୁ ଜବାହାରଲାଲ ନେହରୁ ଷ୍ଟ୍ରିଟ ଭାବରେ ନାମିତ କରାଯାଇଥିଲା । ଅସଦ ପରିବାର ଅଧୀନରେ ଥିବା ସିରିଆ ପ୍ରଥମେ ହାଫିଜ-ଅଲ-ଅସଲ ଓ ପରେ ବସାର-ଅଲ-ଅସଦ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଭାରତକୁ କ୍ରମାଗତ ଭାବରେ ସମର୍ଥନ ଜଣାଉଥିଲା ।

୩୭୦ ଧାରା ଉଚ୍ଛେଦ ସମୟରେ ଭାରତକୁ ସମର୍ଥନ

କାଶ୍ମୀର ପ୍ରସଙ୍ଗରେ ଅନ୍ୟ ଆରବୀୟ ଦେଶ ଗୁଡ଼ିକ ପାକିସ୍ତାନକୁ ସମର୍ଥନ କରୁଥିବା ବେଳେ ଭାରତର ଆଭିମୁଖ୍ୟକୁ ସମର୍ଥନ କରିଥିଲା ସିରିଆ । ୩୭୦ ଧାରା ଉଚ୍ଛେଦକୁ ଭାରତର ଆଭ୍ୟନ୍ତରୀଣ ସମସ୍ୟା ବୋଲି ସିରିଆ କହିଥିଲା । ଅସଦଙ୍କ ଧର୍ମନିରପେକ୍ଷ ଶାସନ ଭାରତର ନିଜସ୍ୱ ସିଦ୍ଧାନ୍ତର ଅନୁରୂପ ଥିଲା, ଯାହା ସହଯୋଗ ପାଇଁ ଏକ ଦୃଢ଼ ଆଧାର ସୃଷ୍ଟି କରିଥିଲା । ଅନ୍ୟପଟେ ପାଲେଷ୍ଟାଇନ ଓ ଗାଲେନ ହାଇଟସ ଉପରେ ସିରିଆର ଦାବି ସମେତ ଅନେକ ଆନ୍ତର୍ଜାତିକ ପ୍ରସଙ୍ଗରେ ସିରଆକୁ ସମର୍ଥନ କରିଛି ଭାରତ ।

ଉଭୟ ଦେଶର ଆର୍ଥିକ ଓ ସାଂସ୍କୃତିକ ସଂପର୍କ

ସେହିପରି ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିବାହରୀ ବାଜପାୟୀ ୨୦୦୩ରେ ସିରିଆ ଗସ୍ତରେ ଯାଇ ସେଠାରେ କ୍ଷୁଦ୍ର ଉଦ୍ୟୋକ ପ୍ରତିଷ୍ଠା, ବୈଷୟିକ ଜ୍ଞାନକୌଶଳ ବିନିମୟ ଓ ଶିକ୍ଷାର ବିକାଶ ପାଇଁ ଉଭୟ ଦେଶ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷର କରିଥିଲେ । ଏହି କ୍ରମରେ ସିରିଆର ବିକାଶ ପାଇଁ ଭାରତ ଅନେକ ସମୟରେ ଋଣ ଓ ଆର୍ଥିକ ସହାୟତା ଯୋଗାଇଥାଏ । ୨୦୦୮ରେ ଯେତେବେଳେ ବସର ଭାରତ ଗସ୍ତ୍ରରେ ଆସିଥିଲେ, ସେତେବେଳେ ଉଭୟ ଦେଶ ମଧ୍ୟରେ କୃଷି ଓ ସାରା କ୍ଷେତ୍ରରେ ଚୁକ୍ତି ସ୍ୱାକ୍ଷର ହୋଇଥିଲା । ସେବେଠାରୁ ସିରିଆକୁ ଭାରତ ପୋଷାକ, ଯନ୍ତ୍ରାଂସ ଓ ଔଷଧ ରପ୍ତାନୀ କରୁଥିବା ବେଳେ କପା ଓ ଫସଫେଟ ଆମଦାନୀ କରେ । ୨୦୧୦ରେ ମଧ୍ୟ ତତ୍କାଳୀନ ରାଷ୍ଟପତି ପ୍ରତିଭା ପାଟିଲ ଦାମାସକସ ଗସ୍ତରେ ଯାଇ ଭାରତ ଆଭିମୁଖ୍ୟକୁ ଦୋହରାଇଥିଲେ । ସିରିଆ ଗୃହଯୁଦ୍ଧ ସମୟରେ ଶାନ୍ତିପୂର୍ଣ୍ଣ ରାଜନୈତିକ ପ୍ରକ୍ରିୟା ମାଧ୍ୟମରେ ସଂଘର୍ଷ ସମାଧାନ ସପକ୍ଷରେ ଥିଲା ଭାରତର ଆଭିମୁଖ୍ୟ । ଗୃହଯୁଦ୍ଧ ଶୀର୍ଷରେ ଥିବାବେଳେ ସିରିଆକୁ ଅନ୍ୟ ଦେଶ ଗୁଡ଼ିକ ଏକଘରିଆ କରିଦେଇଥିଲେ, ହେଲେ ଭାରତ ସିରିଆ ସହ ଉତ୍ତମ ସମ୍ପର୍କ ରଖିଥିଲା ଓ ଦାମାକସରେ ନିଜର ଦୂତାବାସ ଖୋଲା ରଖିଥିଲା । ଦଶନ୍ଧି-ଦଶନ୍ଧି ଧରି ଉଭୟ ଦେଶ ମଧ୍ୟରେ ଭଲ ସମ୍ପର୍କ ଥିବାବେଳେ ବିଶେଷ କରି ଅସଦଙ୍କ ଶାସନ କାଳରେ ଏହି ସମ୍ପର୍କ ଆହୁରି ମଜଭୁତ ରହିଛି ।

ପୁଣି ସକ୍ରିୟ ହେବ ଆଇଏସଆଇଏସ

ବସର-ଅଲ-ଅସଦଙ୍କ ପତନ ଭାରତ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି । ସିରିଆର ଉଗ୍ରବାଦୀ ସମୂହ ପୁଣିଥରେ ନିଜର ପ୍ରଭାବ ବିସ୍ତାର କରିପାରନ୍ତି । ଋଷ ଓ ଇରାନର ସାମରିକ ସହାୟତାରେ ସିରିଆ ଧ୍ୱଂସ କରିଥିବା ଆଇଏସଆଇଏସ ପୁଣି ଥରେ ପାୱାର ପାଇଯିବ । ସିରିଆରେ ପୁଣି ଥରେ ଚରମପନ୍ଥୀ ସକ୍ରିୟ ହେବା ପରେ ଏହାର ପ୍ରଭାବ କେବଳ ଭାରତ ନୁହେଁ, ମଧ୍ୟ ପୂର୍ବରୁ ଅନେକ ଦେଶ ଉପରେ ମଧ୍ୟ ପଡ଼ିବାର ଆଶଙ୍କା ରହିଛି ।

ଅଧିକ ପଢ଼ନ୍ତୁ: ସିରିଆକୁ ବ୍ୟାପିଲା ଯୁଦ୍ଧ ନିଆଁ, ଇସ୍ରାଏଲ ରକେଟ୍ ମାଡ଼ରେ ସିରିଆର ୨ଟି ପ୍ରମୁଖ ଏୟାରପୋର୍ଟ ଅଚଳ

ଭାରତ ସୁରକ୍ଷା ପାଇଁ ବଡ଼ ଆହ୍ୱାନ

ଆଇଏସଆଇଏସ ସମେତ ଏଭଳି ଗୋଷ୍ଠୀଙ୍କର ପୁନଃ ସକ୍ରିୟତା ଭାରତର ସୁରକ୍ଷା ପ୍ରତି ଏକ ବଡ଼ ଆହ୍ୱାନ । ସିରିଆରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ଦେଶରେ ନେତୃତ୍ୱାଧୀନ ପ୍ରକ୍ରିୟାକୁ ଶାନ୍ତିରେ ହସ୍ତାନ୍ତର କରିବା ପାଇଁ ଭାରତ ପକ୍ଷରୁ ଅନୁରୋଧ କରାଯାଇଛି । ସରିଆରେ ଚାଲିଥିବା ଘଟଣାକ୍ରମ ଉପରେ ତୀକ୍ଷ୍ମଣ ନଜର ରଖାଯାଇଥିବା ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ସମସ୍ତ ପକ୍ଷ ଦ୍ୱାରା ସିରିଆର ଏକତା, ସାର୍ବଭୌମତ୍ୱ ତଥା ଆଞ୍ଚଳିକ ଅଖଣ୍ଡତା ବଜାୟ ରଖିବା ଦିଗରେ ସମସ୍ତ ଦଳ କାର୍ଯ୍ୟ କରିବା ଉଚିତ ବୋଲି ଭାରତର ମତ । ଗତବର୍ଷ ପୂର୍ବତନ ବୈଦେଶିକ ରାଜ୍ୟମନ୍ତ୍ରୀ ଭି ମୁରଲୀଧରନ ବସର-ଅଲ-ଅସଦଙ୍କୁ ଭେଟି ଦ୍ୱିପାକ୍ଷିକ ସମ୍ପର୍କ ଉପରେ ଆଲୋଚନା କରିଥିଲେ । ଦୁଇ ଦେଶ ମଧ୍ୟରେ ବେପାର-ବଣିଜ ମଧ୍ୟ ଖୁବ ବୃଦ୍ଧି ପାଇଥିଲା । ଏବେ ସିରିଆ ତଥା ସିରିଆର ଲୋକଙ୍କ ପାଇଁ ବଡ଼ ଆହ୍ୱାନ ହେଲା ସ୍ଥିର ଓ ଆତଙ୍କ ମୁକ୍ତ ସରକାର । ତେବେ ସିରିଆରେ ପାଶ୍ଚାତ୍ୟ ଦେଶର ହସ୍ତକ୍ଷେପ ଅପସାରଣ ନହେବା ଯାଏ ଏହା ସମ୍ଭବପର ଲାଗୁନାହିଁ ।