Abraham Lincoln:  ରାଷ୍ଟ୍ରପତି ନୁହେଁ ଥିଲେ ଯୁଗ ନିର୍ମାତା; ହେଲେ ଭରା ଥିଏଟରରେ ଗୁଳି କରି ହତ୍ୟା କରାଗଲା

ଲିଙ୍କନଙ୍କ ଏହି ଐତିହାସିକ ନିର୍ଣ୍ଣୟକୁ ନେଇ ଅନେକ ଲୋକ ଖୁସି ଥିଲେ, ଅନେକ ଖୁସି ବି ନ ଥିଲେ । ଯେଉଁମାନେ ଏହି ନିୟମକୁ ନେଇ ଖୁସି ନ ଥିଲେ, ସେମାନେ ନିଗ୍ରୋମାନଙ୍କୁ ସବୁବେଳେ ସେମାନଙ୍କ ଦାସ କରି ରଖିବା ସହ ଶୋଷଣ କରିବାକୁ ଚାହୁଁଥିଲେ । ଏହାକୁ ନେଇ ଲିଙ୍କନଙ୍କ ପାଖକୁ ଅନେକ ଧମକପୂର୍ଣ୍ଣ  ଚିଠି ଆସୁଥିଲା ।  ହତ୍ୟା ଧମକ ବି ଆସୁଥିଲା । ଲିଙ୍କନ ଏହି ଚିଠି ସବୁକୁ ସାଇତି କରି ଏକ ଫାଇଲ ଭିତରେ ରଖି ଦେଉଥିଲେ ।

ସ୍ୱପ୍ନରେ ଆସିଲା ମୃତ୍ୟୁ

ମୃତ୍ୟୁ ତାଙ୍କ ଚାରିପାଖରେ ବୁଲୁଥିଲା । ହେଲେ ସେ ଥିଲେ ବେପରୁୱା । ଖାତିର ନ ଥିଲା ସେଥିକି । ନିଜ କାମରେ ବୁଡି ରହୁଥିଲେ  । ସ୍ୱପ୍ନରେ ଦେଖିଲେ ନିଜ ମୃତ୍ୟୁର ଦୃଶ୍ୟ । ତଥାପି ଭୟ ନ ଥିଲା ।  ସ୍ୱପ୍ନ ବୋଲି ଭାବି ଉଡାଇ ଦେଲେ । ହେଲେ ସେ ଦୁଃସ୍ୱପ୍ନ ଯେତେବେଳେ ସତ ହେଲା ଭାବିବାକୁ ତାଙ୍କ ପାଖରେ ସମୟ ନ ଥିଲା । ସବୁଦିନ ପାଇଁ ସେ ଟଳି ପଡିଲେ । ଏ ହେଉଛି ଜଣେ ରାଜାଙ୍କ କାହାଣୀ । ସେ ଲୋକପ୍ରିୟ ନେତାଙ୍କ କାହାଣୀ  । ସେ ଆଉ କେହି ନୁହଁନ୍ତି  । ସେ ହେଉଛନ୍ତି ଆବ୍ରାହମ ଲିଙ୍କନ । ଆମେରିକାର ୧୬ତମ ରାଷ୍ଟ୍ରପତି । 

ରିପବ୍ଲିକାନ ପାର୍ଟିର ନେତା ଥିଲେ ଆବ୍ରାହାମ ଲିଙ୍କନ  । ଆମେରିକାକୁ ଏକ ବଡ଼ ସଙ୍କଟ ଗୃହଯୁଦ୍ଧରୁ ସେ ଉଦ୍ଧାର କରିଥିଲେ । ଆମେରିକାରେ ଦାସତ୍ୱ ପ୍ରଥା ଲୋପ କରିବାର ଶ୍ରେୟ ଆବ୍ରାହାମ ଲିଙ୍କନକୁ ହିଁ ଦିଆଯାଏ ।

ରାଷ୍ଟ୍ରପତି ନୁହେଁ ଯୁଗ ନିର୍ମାତା ଥିଲେ ଲିଙ୍କନ

୧୯୦୯ ମସିହା ଫେବୃଆାରୀ ୧୨ ତାରିଖରେ କେଣ୍ଟୁକୀର ଏକ ଗରିବ ପରିବାରରେ ତାଙ୍କର ଜନ୍ମ । ତାଙ୍କର ପିତା ଥମାସ ଲିଙ୍କନ ଜଣେ ଚାଷୀ ଥିଲେ । ପାଠପଢା ଶେଷ କରିବା ପରେ ଆବ୍ରାହାମ ଲିଙ୍କନ ନିଜ ଇଚ୍ଛାରେ ଓକିଲ ହୋଇଥିଲେ । ତେବେ ଆମେରିକାର ଜଣେ ଶ୍ରେଷ୍ଠ ରାଷ୍ଟ୍ରପତି ଭାବେ ସେ ବିଶ୍ୱର କୋଣେ କୋଣେ ପରିଚିତ ଥିଲେ । ରାଷ୍ଟ୍ରପତି ବଦଳରେ ତାଙ୍କୁ ଜଣେ ଯୁଗ ନିର୍ମାତା ଭାବେ ସମସ୍ତେ ଗ୍ରହଣ କରନ୍ତି । ଦୀର୍ଘ ବର୍ଷ ଧରି ଗୃହଯୁଦ୍ଧ ସହ ଲଢୁଥିବା ଆମେରିକାକୁ ଲିଙ୍କନ ହିଁ ଏଥିରୁ ମୁକୁଳାଇ ପାରିଥିଲେ । ନିଗ୍ରୋମାନଙ୍କୁ ଗୋରା ଲୋକଙ୍କ ପରି ସମାଜରେ ସମାନ ଅଧିକାର ଦେଇଥିଲେ । ଏଥିରେ ଭୋଟ ଦେବାର ଅଧିକାର ବି ସାମିଲ ଅଛି ।

ଲିଙ୍କନଙ୍କ ଏହି ଐତିହାସିକ ନିର୍ଣ୍ଣୟକୁ ନେଇ ଅନେକ ଲୋକ ଖୁସି ଥିଲେ, ଅନେକ ଖୁସି ବି ନ ଥିଲେ । ଯେଉଁମାନେ ଏହି ନିୟମକୁ ନେଇ ଖୁସି ନ ଥିଲେ, ସେମାନେ ନିଗ୍ରୋମାନଙ୍କୁ ସବୁବେଳେ ସେମାନଙ୍କ ଦାସ କରି ରଖିବା ସହ ଶୋଷଣ କରିବାକୁ ଚାହୁଁଥିଲେ । ଏହାକୁ ନେଇ ଲିଙ୍କନଙ୍କ ପାଖକୁ ଅନେକ ଧମକପୂର୍ଣ୍ଣ  ଚିଠି ଆସୁଥିଲା ।  ହତ୍ୟା ଧମକ ବି ଆସୁଥିଲା । ଲିଙ୍କନ ଏହି ଚିଠି ସବୁକୁ ସାଇତି ଏକ ଫାଇଲ ଭିତରେ ରଖି ଦେଉଥିଲେ ।

ହେଲେ କେବେ ବି ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେବାକୁ ଆଦେଶ ଦେଉ ନ ଥିଲେ । ଗୁପ୍ତଚର ସଂସ୍ଥା ପକ୍ଷରୁ ବି ଚେତାବନୀ ଦିଆ ଯାଇଥିଲା ଯେ ଅସନ୍ତୁଷ୍ଟ ଗୋଷ୍ଠୀ ତାଙ୍କୁ ହତ୍ୟା କରିବାକୁ ଚାହୁଁଛନ୍ତି । ତାଙ୍କର ବଡିଗାର୍ଡ  ସାର୍ବଜନୀନ ସ୍ଥାନରେ ତଥା ଲୋକଙ୍କ ସହ ମିଶିବାକୁ ଯିବା ବେଳେ ତାଙ୍କୁ ସାବଧାନ ରହିବାକୁ କହୁଥିଲେ । ହେଲେ ଲିଙ୍କନ କହୁଥିଲେ, ‘ପ୍ରକୃତରେ ଯଦି କେହି ମୋତେ ହତ୍ୟା କରିବାକୁ ଚାହୁଁଥିବ ତେବେ ସେ ନିଶ୍ଚୟ କରିବ । ମୋତେ କେହି ବଞ୍ଚାଇ ପାରିବେନି ।’

ଲଙ୍କନଙ୍କ ପ୍ରତ୍ୟେକ ନିଷ୍ପତ୍ତିର ଘୋର ବିରୋଧୀ ଥିଲେ ଜନ୍ ବିଲକସ ବୁଥ

ରାଷ୍ଟ୍ରପତି ଆବ୍ରାହାମ ଲିଙ୍କନଙ୍କ ନିଷ୍ପତ୍ତିକୁ ଅନେକ ଲୋକ ନାପସନ୍ଦ କରୁଥିଲେ । ତେବେ ଲିଙ୍କନଙ୍କୁ ହତ୍ୟା କରିବା ପାଇଁ ଇଚ୍ଛୁକ ବ୍ୟକ୍ତିଙ୍କ ମଧ୍ୟରେ ଜଣେ ଥିଲେ ବିଲକସ ବୁଥ । ସେ ନିଜ ସହଯୋଗୀଙ୍କ ସହ କେବଳ ସୁଯୋଗ ଅପେକ୍ଷାରେ ଥିଲା । ସେ ଲିଙ୍କନଙ୍କ ଘର ପାଖରେ ଏମିତି ଲୋକଙ୍କୁ ରଖିଥିଲା ଯେଉଁମାନେ ଲିଙ୍କନଙ୍କ ପ୍ରତ୍ୟେକଟି କାର୍ଯ୍ୟକଳାପର ସୂଚନା ତାଙ୍କୁ ଦେଉଥିଲେ । ଏମାନଙ୍କ ମଧ୍ୟରୁ ଜଣେ ତାଙ୍କୁ ଖବର ଦେଇଥିଲା, ୧୮୬୫ ଏପ୍ରିଲ ୧୪ ତାରିଖ ଶୁକ୍ରବାର ଦିନ ଲିଙ୍କନ ତାଙ୍କ ପତ୍ନୀ ମେରୀଙ୍କ ସହ ସନ୍ଧ୍ୟାରେ ଫୋଇ ଥିଏଟର ଯିବେ ଏବଂ ‘ଆୱାର ଆମେରିକାନ କଜିନ’ ନାମକ ଏକ ନାଟକ ଦେଖିବେ । ବୁଥ ମନସ୍ଥ କରି ନେଇଥିଲା ଯେ, ସେହି ବୁଥରେ ହିଁ ଲିଙ୍କନଙ୍କୁ ହତ୍ୟା କରିବ । ବୁଥ ଏହି ଥିଏଟର ସହ ବହୁତ ଦିନରୁ ପରିଚିତ ଥିଲା । କାରଣ ବୁଥ ନିଜେ ଜଣେ ମଞ୍ଚ ନାଟକର ଅଭିନେତା ଥିଲା ।

ଲିଙ୍କନଙ୍କୁ ହତ୍ୟା କରି ଇତିହାସ ରଚିବାକୁ ଚାହୁଁଥିଲେ ବୁଥ

ଐତିହାସିକ ଟେରି ଅଲ୍ଫୋର୍ଡ ତାଙ୍କ ପୁସ୍ତକ ଘ‘ଫର୍ଚ୍ୟୁନ ଫୁଲ: ଦ ଲାଇଫ ଅଫ ଜନ୍ ବିଲକ୍ସ ବୁ୍‌ଥ’ରେ ବୁଥଙ୍କ ଉପରେ ଅନେକ ତଥ୍ୟ ରଖିଛନ୍ତି । ଏହି ପୁସ୍ତକର ତଥ୍ୟ ଅନୁସାରେ, ବୁଥଙ୍କ ଜନ୍ମ କଳାକାର ପରିବାରରେ ହୋଇଥିଲା । ପାରିବାରିକ ସ୍ଥିତି ଭଲ ଥିଲା ଏବଂ ପିଲାବେଳ ତାଙ୍କର ବେଶ ଭଲରେ କଟିଥିଲା । ତାଙ୍କର ସୁନ୍ଦର ଚେହେରା ଥିଲା ଏବଂ ଅଭିନୟ ଦକ୍ଷତା ମଧ୍ୟ ବେଶ ଭଲ ଥିଲା । ସେ ମଞ୍ଚରେ ଭିଲିଆନର ଡାର୍କ ରୋଲ କରୁଥିଲେ, ରୋମିଓ ପରି ନରମ ରୋଲ ବି ବେଶ ସୁନ୍ଦର କରିପାରୁଥିଲେ ।

୨୬ ବର୍ଷରେ ସେ ଆମେରିକାର ଜଣେ ଲୋକପ୍ରିୟ କଳାକାର ହୋଇ ପାରିଥିଲେ । ଅଲ୍ଫର୍ଡଙ୍କ କହିବା ଅନୁସାରେ, ଜନ ବିଲକସ ବୁଥ ଏମିତି ଜଣେ ଲୋକ ଥିଲେ ଯିଏ ଭାବୁଥିଲେ ବିଶ୍ୱ ଇତିହାସରେ ସବୁଠାରୁ ଭଲ ଦେଶ ହେଉଛି ସଂଯୁକ୍ତ ରାଜ୍ୟ ଆମେରିକା  । ଗୃହଯୁଦ୍ଧ ପୂର୍ବରୁ ଥିଲା । ଲିଙ୍କନ ଏହାକୁ ମୂଳରୂପରୁ ବଦଳାଇ ଦେଲେ । ନିଗ୍ରୋ ଲୋକଙ୍କୁ ଗୋରାଙ୍କ ଭଳି ସମାନ ସୁବିଧା ସୁଯୋଗ, ଅଧିକାର ଦେଇ ଲିଙ୍କନ ଆଦୌ ଠିକ କରିନାହାନ୍ତି । ବୁଥ ଭାବୁଥିଲେ ଲିଙ୍କନ ଆମେରକା ପରମ୍ପରାର ଉପହାସ କରିଛନ୍ତି । ତେଣୁ ସେ ତାଙ୍କ ସାଥୀମାନଙ୍କୁ କହି ଦେଇଥିଲେ, ଲିଙ୍କନଙ୍କ ହତ୍ୟା ସେ ନିଜ ହାତରେ କରିବେ  । ଆଉ ଏମିତି କରି ସେ ଆମେରିକା ଇତିହାସରେ ଅମର ରହିବା ପାଇଁ ଚାହୁଁଛନ୍ତି ।

ପତ୍ନୀଙ୍କ ସହ ଥିଏଟର ଦେଖି ଯାଇଥିଲେ ଲିଙ୍କନ

ଗୃହ ଯୁଦ୍ଧ ଶେଷ ହେବାର ସଫଳତା ପରେ ଲିଙ୍କନଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଲୋକଙ୍କ ଭିଡ ଜମିଥିଲା । ସେ ନିଜ ପରାମର୍ଶଦାତାଙ୍କ ସହ ଆଲୋଚନା କରି ଯୁଦ୍ଧ ପ୍ରଭାବିତ ଅଞ୍ଚଳରେ କିପରି ଶାନ୍ତି ପ୍ରତିଷ୍ଠା କରାଯିବ ସେ ନେଇ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଉଥିଲେ । ସନ୍ଧ୍ୟାରେ ପତ୍ନୀଙ୍କ ସହ ଥିଏଟର ଯିବାର ଥିଲା । ଦିନ ସାରା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଥକି ଯାଇଥିଲେ । ଆରାମ କରିବା ପାଇଁ ଚାହୁଁଥିଲେ । କିନ୍ତୁ ପତ୍ନୀଙ୍କ ମନ ଦୁଃଖ କରାଇବା ପାଇଁ ଚାହୁଁ ନ ଥିଲେ । ତେଣୁ ଥିଏଟର ବାହାରିଗଲେ । ,

ସେପଟେ ବୁଥ ଲିଙ୍କନ ଯିବାର ପ୍ରାୟ ଦେଢଘଣ୍ଟା ପୂର୍ବରୁ ଥିଏଟରରେ ପହଞ୍ଚି ଯାଇଥିଲା । ସେ ଜାଣିଥଲା ରାଷ୍ଟ୍ରପତି କେଉଁଠି ବସିବେ । ସେ ସେହି ସ୍ଥାନରେ ଥିବା କବାଟରେ ଏକ କଣା କରିଥିଲେ । ଏହି କଣା ମାଧ୍ୟମରେ ସେ ରାଷ୍ଟ୍ରପତି ଏବଂ ତାଙ୍କ ପାଖରେ ବସିଥିବା ଲୋକଙ୍କ ଉପରେ ନଜର ରଖିପାରିବେ । ତାଙ୍କ ପାଖରେ ଜଣେ ବଡିଗାର୍ଡ ଥିଲେ । କିନ୍ତୁ ସେ ସାମାନ୍ୟ ହାୟିତ୍ୱହୀନ ଥିଲେ । ନାଟକର ୨ୟ ଦୃଶ୍ୟ ପର୍ଯ୍ୟନ୍ତ ଲିଙ୍କନ ଓ ପତ୍ନୀ ମେରୀ ନାଟକ ବେଶ ଉପଭୋଗ କଲେ । ତୃତୀୟ ଦୃଶ୍ୟ ବେଳକୁ ମେରୀ ଦେଖିଲେ, ଲିଙ୍କନ ଥଣ୍ଡାରେ ଥରୁଛନ୍ତି । ସେ ନିଜ ଓଭରକୋଟ ତାଙ୍କୁ ପିନ୍ଧାଇ ଦେଲେ ଏବଂ ତାଙ୍କ ପାଖକୁ ଲାଗି ବସିଲେ ।

ଗୁଡ ଫ୍ରାଇଡେ ଦିନ ହୋଇଥିଲା ଲିଙ୍କନଙ୍କ ହତ୍ୟା

ସେଦିନ ଥିଲା ଏପ୍ରିଲ ୧୪ । ଯେତେବେଳେ ସାରା ଆମେରିକା ଗୁଡ ଫ୍ରାଇଡେ ପାଳନରେ ମସଗୁଲ ଥିଲା ସେତେବେଳେ ଥିଏଟରରେ ତିଆରି ହୋଇଥିଲା ଲିଙ୍କନଙ୍କ ହତ୍ୟା ଷଡଯନ୍ତ୍ର । ଫୋଇ ଥିଏଟରରେ ନାଟକର ତୃତୀୟ ଦୃଶ୍ୟ ଚାଲିଥାଏ । ହଠାତ ଲିଙ୍କନ ବସିଥିବା ଜାଗାରେ ଏକ ବଡ ବିସ୍ଫୋରଣ ହେଲା । ଶବ୍ଦ ଶୁଣି ମେରୀ ପ୍ରଥମେ ଲିଙ୍କନଙ୍କୁ ଚାହିଁଥିଲେ । ଲିଙ୍କନଙ୍କୁ ଦେଖି ସେ ସ୍ତବ୍ଧ ହୋଇଗଲେ । ଭୟରେ ଚିତ୍କାର କରି ଉଠିଲେ । ଲିଙ୍କନ ମୁଣ୍ଡରେ ଗୁଳି ବାଜିଥିଲା । ସେହିଠାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଇତି ମଧ୍ୟରେ ବୁଥ ଥିଏଟରରୁ ବାହାରିବାରେ ସଫଳ ହୋଇଥିଲା । ପୋଲିସ ବୁଥଙ୍କ ନାଁରେ ୫୦ ହଜାର ଆମେରିକୀ ଡଲାରର ପୁରସ୍କାର ଘୋଷଣା କରିଥିଲା । ତେବେ ପୋଲିସ ଲିଙ୍କନଙ୍କ ହତ୍ୟାର ୧୧ ଦିନ ପରେ ଏକ ଚାଷ ଜମିର ବୁଦା ଗହଳରୁ ତାଙ୍କୁ ଧରି ଗୁଳିକରି ମାରି ଦେଇଥିଲା ।

ମୃତ୍ୟୁ ପୂର୍ବରୁ ଲିଙ୍କନ ତାଙ୍କର ଜଣେ ମିତ୍ର ହିଲ ଲେମନଙ୍କୁ ତାଙ୍କର ଏକ ସ୍ୱପ୍ନ ବିଷୟରେ କହିଥିଲେ ।  ଲେମନଙ୍କ କହିବା ଅନୁଯାୟୀ, ‘ଲିଙ୍କନ ସ୍ୱପ୍ନ ଦେଖିଥିଲେ ଯେ, ସେ ହ୍ୱାଇଟ ହାଉସର ଏକ କୋଠରୀକୁ ଯାଇଥିଲେ । ସୈନିକମାନଙ୍କ ଗହଣରେ ଥିବା ଏକ ଶବକୁ ଦେଖିଲେ । ସେଠାରେ ଅନେକ ଲୋକ ଶୋକ ପାଳନ କରୁଥିଲେ । ଲିଙ୍କନ ଜଣେ ସୈନିକଙ୍କୁ ପଚାରିଥିଲେ ଯେ କିଏ ମରି ଯାଇଛି, ସୈନିକ ଜବାବ ଦେଇଥିଲା, ‘ରାଷ୍ଟ୍ରପତି । ତାଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରିଛି ।‘ ତେବେ ଲିଙ୍କନ ଲେମନଙ୍କୁ ଏକଥା ବି କହିଥିଲେ ଯେ ସେହି ଶବ ତାଙ୍କର ନ ଥିଲା ।’  ଯାହା ବି ହେଉ ଏହା ସ୍ୱପ୍ନ ଥିଲା  ଏବଂ ଏହି ବିବରଣୀକୁ ନେଇ ଏବେ ବି ସନ୍ଦେହ ରହିଛି ।