ଗାଳି ପାଇଁ ଗୋଦାମ ଘର ଜଳାଇଦେଲେ ମହିଳା । ବସ୍ ଗାଳି ଦେବାରୁ ସହ୍ୟ କରିପାରିଲେନି ତଳିଆ କର୍ମଚାରୀ । ଥାଇଲାଣ୍ଡରେ ଜଣେ ମହିଳା କର୍ମଚାରୀ ବସ୍ଙ୍କ ଠାରୁ ଏପରି ପ୍ରତିଶୋଧ ନେଇଛନ୍ତି, ଯାହା ଶୁଣି ସମସ୍ତେ ତାଜୁବ୍ ହୋଇଯାଉଛନ୍ତି । ସାଧାରଣତଃ ବସ୍ଙ୍କ ଠାରୁ ଗାଳି ଶୁଣିବା ପରେ କର୍ମଚାରୀ ମାନେ ଚାକିରି ବଞ୍ଚାଇବା ପାଇଁ ସବୁ କିଛି ସହିଯାଆନ୍ତି । ଗାଳି ମନ୍ଦ ଶୁଣି ମଧ୍ୟ କାମ କରିବାକୁ ବାଧ୍ୟ ହୁଅନ୍ତି । କିନ୍ତୁ ଏହି ଘଟଣା ସମସ୍ତଙ୍କୁ ହତବାକ୍ କରି ପକାଇଛି ।
ଥାଇଲ୍ୟାଣ୍ଡରେ ଜଣେ ମହିଳା କର୍ମଚାରୀ ତାଙ୍କ ମାଲିକଙ୍କ ଉପରେ କ୍ରୋଧିତ ହୋଇ କାମ କରୁଥିବା ତେଲ ଗୋଦାମକୁ ଉଡ଼ାଇ ଦେଇଛନ୍ତି । ମହିଳା କର୍ମଚାରୀ ଜଣକ ଲାଇଟରରେ ଏକ କାଗଜ ସଂଯୋଗ କରି ଫ୍ୟୁଲ କଣ୍ଟେନର ଭିତରକୁ ଫୋପାଡ଼ି ଦେଇଥିଲେ । ଫଳରେ ହଠାତ ଚାରିଆଡ଼େ ହୁତୁ ହୁତୁ ହୋଇ ନିଆଁ ଜଳି ଉଠିଲା । ଗୋଟିଏ କଣ୍ଟେନରରୁ ଅନ୍ୟ କଣ୍ଟେନର୍ ନିଆଁ ବ୍ୟାପିଚାଲିଲା । ତେଲରେ ନିଆଁ ଲାଗିଲେ ସ୍ଥିତି କିପରି ହୁଏ, ସମସ୍ତେ ଜାଣନ୍ତି ।
୩୮ବର୍ଷୀୟ ଅଭିଯୁକ୍ତ ମହିଳା କର୍ମଚାରୀଙ୍କ ନାମ ହେଉଛି ଏନ୍ ଶ୍ରୀୟା । ଡେଲି ମେଲ ରିପୋର୍ଟ ଅନୁସାରେ ବସ୍ଙ୍କ ଗାଳି ଶୁଣି ଶୁଣି ସେ ବିଷାଦଗ୍ରସ୍ତ ହୋଇପଡ଼ିଥିଲେ । ଆଉ ଶେଷରେ ସେ ରାଗ ସୁଝାଇବାକୁ ଯାଇ ତେଲ ଗୋଦାମରେ ନିଆଁ ଲଗାଇ ଦେଇଥିଲେ।
ମହିଳାଙ୍କ ଏପରି କାଣ୍ଡ ପାଇଁ ନାଖୋମ୍ ପାଥୋମ୍ ପ୍ରଦେଶ ସ୍ଥିତ ପ୍ରପାକର୍ନ୍ ତେଲ ଗୋଦାମରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି । ଫଳରେ ସ୍ଥାନୀୟ ଅଞ୍ଚଳରେ ଲୋକେ ଭୟଭୀତ ହୋଇପଡ଼ିଥିଲେ । ଚାରିଆଡ଼େ ନିଆଁ ଲାଗି ଯାଇଥିଲା । ପୂରା ଗୋଦାମ ଜଳିବା ଆରମ୍ଭ କଲା । ନିଆଁକୁ ଆୟତ୍ତ କରିବା ପାଇଁ ଅତି କମରେ ୪୦ଟି ଅଗ୍ନିଶମ ଗାଡ଼ି ଡାକିବାକୁ ପଡ଼ିଲା । ଆଉ ନିଆଁ ଲିଭାଇବାକୁ ପ୍ରାୟ ଚାରି ଘଣ୍ଟା ସମୟ ଲାଗିଲା ।
ନିଆଁ ଲାଗିଯାଇଥିବା ଗୋଦାମରେ ହଜାରେ ଗ୍ୟାଲନ୍ ତେଲ ଥିଲା ବୋଲି କୁହାଯାଉଛି । ଏହି ଘଟଣା ଯୋଗୁଁ କମ୍ପାନୀ ପ୍ରାୟ ୯ କୋଟି ଟଙ୍କାରର କ୍ଷତି ସହିଛି । ନଭେମ୍ବର ୨୯ରେ ଏହି ଘଟଣା ସମ୍ପର୍କରେ ଅଭିଯୋଗ କରିବା ପରେ ମହିଳା କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପୋଲିସର ସୂଚନା ନୁସାରେ ଏନ ଶ୍ରୀୟାଙ୍କୁ ଗିରଫ କରାଯାଇଛି । ଆଉ ସେ ନିଆଁ ଲଗାଇ ଦେଇଥିବା ସ୍ୱୀକାର କରିଛନ୍ତି ।