‘ଆକ୍ରମଣ ହେବ ଜାଣିଥିଲି’ ! ହସ୍ପିଟାଲରୁ ପୂର୍ବତନ ପାକ୍‌ ପ୍ରଧାନମନ୍ତ୍ରୀଙ୍କ ଚାଞ୍ଚଲ୍ୟକର ବୟାନ

ଆମ ଦଳର ସାଂସଦମାନଙ୍କୁ ବ୍ଲାକମେଲ୍ କରାଯାଉଛି

ଦିନକ ପୂର୍ବରୁ ଜାଣିଥିଲି ମୋ ଉପରେ ଆକ୍ରମଣ ହେବ

ଗୁଳିମାଡ଼ରେ ଆହତ ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଚାଞ୍ଚଲ୍ୟକର ବୟାନ । ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲରୁ ଥାଇ ପାକିସ୍ତାନବାସୀଙ୍କୁ ସମ୍ବୋଧନ କରି ଇମ୍ରାନ କହିଛନ୍ତି-ତାଙ୍କ ଉପରେ ଆକ୍ରମଣ ହେବ ବୋଲି ୨ଦିନ ଆଗରୁ ଜାଣିଥିଲେ । ତାଙ୍କ ଦେହରେ ୪ଟି ଗୁଳି ବାଜିଛି । ରାଜନୀତିରୁ ହଟାଇବା ଲାଗି ମୋତେ ଜୀବନରୁ ମାରିଦେବାକୁ ଷଡଯନ୍ତ୍ର ହୋଇଥିବା ଅଭିଯୋଗ ଆଣିଛନ୍ତି ଇମ୍ରାନ୍ ।

ଏଥିପାଇଁ ସେ ସିଧାସଖଳ ବର୍ତ୍ତମାନର ଶେହବାଜ ଶରିଫ୍ ସରକାରକୁ ଦାୟୀ କରିଛନ୍ତି । ଏପରିକି ତାଙ୍କ ଦଳର ସାଂସଦମାନଙ୍କୁ ବି ଧମକ ଦିଆଯାଉଥିବା ଏବଂ ବ୍ଲାକମେଲ୍ କରାଯାଉଥିବାର ସଂଙ୍ଗୀନ ଅଭିଯୋଗ ଆଣିଛନ୍ତି । ତାଙ୍କ ସରକାର ଭାଙ୍ଗିବାକୁ କଳା ଟଙ୍କା ଲାଗିଥିଲା ।  ଲୋକମାନେ ବର୍ତ୍ତମାନର ସରକାରଙ୍କୁ ପସନ୍ଦ କରୁନାହାନ୍ତି, ତଥାପି ସରକାର ନିଜ ନିଷ୍ପତ୍ତିକୁ ଲୋକମାନଙ୍କ ଉପରେ ଲଦି ଦେବାକୁ ଚାହୁଁଛନ୍ତି । ସେହିଭଳି ଦେଶର ନିର୍ବାଚନ କମିଶନ ବି ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ଇଙ୍ଗିତରେ କାମ କରୁଥିବା ଅଭିଯୋଗ ଆଣିଛନ୍ତି ।

ସୂଚାନଯୋଗ୍ୟ ଇମ୍ରାନ୍ ଲାହୋରରୁ ଇସଲାମାବାଦ ଅଭିମୁଖେ ଆଜାଦୀ ମାର୍ଚ୍ଚରେ ଯାଉଥିବା ବେଳେ ଗତକାଲି ଓ୍ୱଜିରାବାଦ ଜଫର୍ ଅଲୀଖାନ୍ ଚୌକରେ ଇମ୍ରାନଙ୍କ ଉପରେ ‌ଆତତାୟୀର ଗୁଳିମାଡ଼ ହୋଇଥିଲା । ଗୁଳିମାଡ଼ରେ ଇମ୍ରାନ୍‌ଙ୍କ ସମେତ ୪ ଜଣ ଆହତ ହୋଇଥିଲେ । ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।  ଚିକିତ୍ସା ପାଇଁ ଇମ୍ରାନଙ୍କୁ ସଡ଼କ ପଥରେ ଲାହୋର ନିଆଯାଇଥିଲା । ସେହିପରି ଗୁଳିମାଡ଼ କରିଥିବା ସନ୍ଦିଗ୍ଧ ଯୁବକକୁ କାବୁ କରିନେଇଥିଲା ସ୍ଥାନୀୟ ପୋଲିସ ।