Nimisha
କେରଳ ନର୍ସ ନିମିଷା ପ୍ରିୟାଙ୍କୁ ୟେମେନରେ ବଞ୍ଚାଇବା ପାଇଁ ଭାରତ ସବୁ ପ୍ରୟାସ କରି ସାରିଲାଣି । କିନ୍ତୁ ତାଙ୍କୁ ବଞ୍ଚାଇବାକୁ ଆଉ କୌଣସି ରାସ୍ତା ନାହିଁ । ନିମିଷାଙ୍କ ମୃତ୍ୟୁଦଣ୍ଡ ରୋକିବାକୁ ଆଉ ଅଧିକ କିଛି କରିହେବ ନାହିଁ ବୋଲି ଭାରତ ସରକାର ସ୍ପଷ୍ଟ କରିଛନ୍ତି । ସୁପ୍ରିମକୋର୍ଟରେ ଭାରତ ସରକାରଙ୍କ ପକ୍ଷରୁ ଓକିଲ ଏଜି ଭେଙ୍କଟରମଣୀ କହିଛନ୍ତି, “ୟେମେନରେ ଘଟିଥିବା ଘଟଣା ଅତି ସମ୍ବେଦନଶୀଳ । ଏହାକୁ କୂଟନୈତିକ ସ୍ତରରେ ସମାଧାନ କରାଯାଇ ପାରିବ ନାହିଁ ।” ଆସନ୍ତା ଜୁଲାଇ ୧୬ରେ ନୀମିଷା ପ୍ରିୟାଙ୍କୁ ୟେମେନ କୋର୍ଟ ଫାଶୀ ଦଣ୍ଡାଦେଶ ଶୁଣାଇଥିବା ବେଳେ ଏହାକୁ ରୋକିବା ପାଇଁ ଶେଷ ପ୍ରୟାସ କରିଥିଲେ ଭାରତ ସରକାର । ଏହାକୁ ରୋକିବା ପାଇଁ ଏକ ଆବେଦନର ଶୁଣାଣୀ ସମୟରେ ଏହି ରାୟ ଆସିଛି ।
ଅଧିକ ପଢନ୍ତୁ: ୧୬ରେ କେରଳ ନର୍ସ ନିମିଷାଙ୍କୁ ଫାଶୀ, ବଞ୍ଚାଇ ପାରିବ କି ‘ବ୍ଲଡ ମନି’?
ସରକାରଙ୍କ ଓକିଲ କହିଛନ୍ତି ଯେ, ନିମିଷାଙ୍କୁ ଫାଶୀ ଦଣ୍ଡାଦେଶରୁ ବଞ୍ଚାଇବା ପାଇଁ ଭାରତ ସରକାର ବ୍ୟକ୍ତିଗତ ଭାବେ ସର୍ବୋତ୍ତମ ଚେଷ୍ଟା କରିଛନ୍ତି । କିନ୍ତୁ ଏତିକି ପର୍ଯ୍ୟନ୍ତ ହିଁ କରାଯାଇ ପାରିବ । ଆମେ ଶେଷ ସୀମା ପର୍ଯ୍ୟନ୍ତ ଚେଷ୍ଟା କରିଛୁ । ଏହାଠାରୁ ଆଉ ଅଧିକ କରି ପାରିବୁ ନାହିଁ । ୟେମେନ ବିଶ୍ୱର ଅନ୍ୟ କୌଣସି ସ୍ଥାନ ପରି ନୁହେଁ । ଆମେ ପରିସ୍ଥିତିକୁ ସାର୍ବଜନୀନ ଭାବରେ ଜଟିଳ କରିବାକୁ ଚାହୁଁନାହୁଁ । ତେଣୁ ବ୍ୟକ୍ତିଗତ ଭାବେ ଆମେ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିଛୁ ।
ତେବେ ଆବେଦନକାରୀ ସରକାରଙ୍କୁ ଅନୁରୋଧ କରିଥିଲେ ଯେ, ୟେମେନରେ ମୃତ ବ୍ୟକ୍ତିଙ୍କ ପରିବାର ଲୋକଙ୍କ ସହିତ ସରକାର କଥା ହୁଅନ୍ତୁ । ୟେମେନର ଶରିଆ ଆଇନ ଅନୁସାରେ ନିମୀଷାଙ୍କ ପରିବାର ପୀଡିତଙ୍କ ପରିବାରକୁ ୮.୬ କୋଟି ଟଙ୍କା ‘ବ୍ଲଡ ମନି’ ସ୍ୱରୂପ ଦେଇଛନ୍ତି । ଏହି ଅନୁରୋଧ ଉପରେ ସରକାରଙ୍କ ଓକିଲ କହିଛନ୍ତି, ବ୍ଲଡ ମନି ଏକ ବ୍ୟକ୍ତିଗତ ବ୍ୟାପାର । ସରକାର ସେଠାକାର ପ୍ରଭାବଶାଳୀ ବ୍ୟକ୍ତି ‘ଶେଖ’ ମାନଙ୍କ ସହିତ ଆଲୋଚନା କରିଛନ୍ତି । ନିମିଷା ବର୍ତ୍ତମାନ ଇରାନ ସମର୍ଥିତ ହୁତିମାନଙ୍କ ନିୟନ୍ତ୍ରଣରେ ଅଛନ୍ତି । ଯାହାଙ୍କ ସହିତ ଭାରତ ସରକାରଙ୍କ କୌଣସି ସମ୍ପର୍କ ନାହିଁ । ତେଣୁ ୟେମେନରେ କଣ ଚାଲିଛି ତାହା ଜାଣିବା ପାଇଁ ସରକାରଙ୍କ ପାଖରେ କୌଣସି ଉପାୟ ନାହିଁ ବୋଲି ସରକାର କହିଛନ୍ତି ।
ସୂଚନାଯୋଗ୍ୟ, ଭାରତରେ ନର୍ସିଂ କୋର୍ସ ଶେଷ କରିବା ପରେ କେରଳର ନିମିଷା ପ୍ରିୟା ୨୦୦୮ରେ ୟେମେନ ଯାଇଥିଲେ । ସେଠାରେ ବିଭିନ୍ନ ହସ୍ପିଟାଲରେ କାର୍ଯ୍ୟ କରିବା ପରେ ନିଜର ଏକ କ୍ଲିନିକ ଖୋଲିବା ପାଇଁ ଚାହିଁଥିଲେ । ହେଲେ ୟେମେନର ନିୟମ ଅନୁଯାୟୀ, କୌଣସି ବିଦେଶୀ ବ୍ୟକ୍ତି ୟେମେନରେ ବିଜନେସ କରିବା ପାଇଁ ସେହି ଦେଶର ବାସିନ୍ଦାଙ୍କ ସହଭାଗୀତା ଜରୁରୀ । ତେଣୁ ନିମିଷା ୟେମେନ ନାଗରିକ ତଲାଲ ଅବଦୋ ମେହଦୀଙ୍କ ସଂସ୍ପର୍ଶରେ ଆସିବା ପରେ ତାଙ୍କ ସହାୟତାରେ ୨୦୧୪ରେ ୟେମେନରେ ଏକ କ୍ଲିନିକ ଖୋଲିଥିଲେ ।
କିନ୍ତୁ ତଲାଲ ତାଙ୍କୁ ହଇରାଣ କରୁଥିଲେ । ସର୍ବସାଧାରଣରେ ତାଙ୍କୁ ପତ୍ନୀର ପରିଚୟ ଦେଉଥିଲେ । ତଲାଲ ତାଙ୍କ ପାସପୋର୍ଟ ନେଇ ଯାଇଥିବା ବେଳେ ସେ ତାଙ୍କ ପାସପୋର୍ଟ ଫେରି ପାଇବା ପାଇଁ ବହୁ ଅନୁରୋଧ କରିଥିଲେ ମଧ୍ୟ ତଲାଲ ତାଙ୍କୁ ପାସପୋର୍ଟ ଫେରାଇ ନଥିଲେ । ଏହା ପରେ ନିମିଷା ଥାନାର ଦ୍ୱାରସ୍ଥ ହୋଇଥିଲେ । ୨୦୧୬ରେ ତଲାଲ ଗିରଫ ହୋଇଥିଲେ ହେଁ ପରେ ମୁକୁଳି ଯାଇଥିଲେ । ଜେଲରୁ ଫେରିବା ପରେ ସେ ପୁଣି ନିମିଷାଙ୍କୁ ଧମକାଇବା ଆରମ୍ଭ କରି ଦେଇଥିଲେ ।
ତେଣୁ ୨୦୧୭ ମସିହାରେ ନିମିଷା ପାସପୋର୍ଟ ଫେରି ପାଇବା ପାଇଁ ତଲାଲଙ୍କୁ ନିଶା ଇଞ୍ଜେକ୍ସନ ଦେଇଥିଲେ । ହେଲେ, ନିଶା ଇଞ୍ଜେକ୍ସନର ଓଭରଡୋଜ୍ କାରଣରୁ ତଲାଲଙ୍କ ମୃତ୍ୟୁ ଘଟିଥିଲା । ଏହା ପରେ ନିମିଷା ୟେମେନ ଛାଡି ଭାରତ ପଳାଇ ଆସିବାକୁ ଚେଷ୍ଟା କରୁଥିବା ବେଳେ ୟେମେନର ହୁତି ସେନା ତାଙ୍କୁ ଧରିଥିଲା । ୨୦୧୮ରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ତାଙ୍କୁ ମୃତ୍ୟୁ ଦଣ୍ଡାଦେଶ ହୋଇଥିଲା । ଏହା ପରେ ତାଙ୍କ ମୃତ୍ୟୁ ଦଣ୍ଡାଦେଶକୁ ୨୦୨୩ରେ ୟେମେନର ସର୍ବୋଚ୍ଚ ନ୍ୟାୟିକ ପରିଷଦ କାଏମ ରଖିଥିଲେ ଏବଂ ପରେ ଏହାକୁ ରାଷ୍ଟ୍ରପତି ରଶାଦ ଅଲ ଆଲିମି ସ୍ୱୀକୃତି ଦେଇଥିଲେ । ଆସନ୍ତା ଜୁଲାଇ ୧୬ ତାରିଖରେ ନିମିଷାଙ୍କୁ ୟେମେନ୍ କୋର୍ଟରେ ଫାଶୀ ଦିଆଯିବ ବୋଲି ରାୟ ପ୍ରକାଶ ପାଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Nimisha_1752484012.jpg)