Advertisment

ମରୁଭୂମିର ଦେଶରେ ଜଳ ପ୍ରଳୟ; ବିପର୍ଯ୍ୟୟ ଆଣିଲା କି କ୍ଲାଉଡ୍ ସିଡିଂ ?

ଲଗାଣ ବର୍ଷାରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ବିମାନ ସେବା। ମଧ୍ୟପ୍ରାଚ୍ୟର ସବୁଠୁ ବଡ଼ ଓ ବ୍ୟସ୍ତବହୁଳ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଠପ୍ ହୋଇଯାଇଛି ସେବା।

Dubai

Dubai

Advertisment

ଗୋଟିଏ ଦିନରେ ଦେଢ ବର୍ଷର ବର୍ଷା। ପାଣି ପାଣି ପୁରା ସ୍ମାର୍ଟ ସହର। ଏତେ ବର୍ଷା ହୋଇଛି ଯେ ୭୫ବର୍ଷର ରେକର୍ଡ ଭାଙ୍ଗିଛି। ପ୍ରକୃତିର ଏଭଳି ପ୍ରଳୟ ଆସିଛି ଦୁବାଇରେ। ଦୁଇ ଦିନର ଲଗାଣ ବର୍ଷାରେ ଉବୁଟୁବୁ ସାରା ସହର। କୁହାଯାଉଛି, ଦୁବାଇରେ କ୍ଲାଉଡ୍ ସିଡିଂ ଅର୍ଥାତ୍ କୃତ୍ରିମ ବର୍ଷା ପ୍ରକ୍ରିୟା ପାଇଁ ଏଭଳି ସ୍ଥିତି ଉପୁଜିଛି।

Advertisment

ମରୁଭୂମିର ଦେଶରେ ଜଳ ପ୍ରଳୟ। ପାଣି ପାଇଁ ହାହାକାର ହେଉଥିବା ମାଟିରେ ଛୁଟୁଛି ପାଣିର ସୁଅ। ଭାସୁଛି ଲଗଜୁରୀ କାର୍। ବୁଡ଼ିଛି ଘରଦ୍ୱାର, ଉବୁଟୁବୁ ସାରା ସହର। ଏଭଳି ସ୍ଥିତି ଦୁବାଇର। ଏପ୍ରିଲରେ ଡହ ଡହ ଖରା ବଦଳରେ କାଚିଛି ବର୍ଷା। ଦୁଇ ଦିନରେ ଏତେ ବର୍ଷିଛି ଯେ, ବନ୍ୟା ପରିସ୍ଥିତି ଉପୁଜିଛି। କେଉଁଠି ବ୍ରିଜ୍ ଭୁଶୁଡ଼ି ପଡିଛିି ତ କେଉଁଠି ମଲ୍ ଭିତରେ ଚାଲୁଛି ପାଣି।

ସୋମ ଓ ମଙ୍ଗଳବାରର ଅବିଶ୍ରାନ୍ତ ବର୍ଷାରେ ଘର ଛାତରୁ ପାଣି ଗଳୁଛି। ହୋଟେଲ ଭିତରେ ବି ଚାଲିଛି ପାଣିର ସୁଅ। ପୁରା ଦୁବାଇ ଏବେ ପାଣିରେ ବୁଡ଼ି ରହିଛି। ସବୁ ପ୍ରମୁଖ ସ୍ଥାନକୁ ବନ୍ଦ ରଖାଯାଇଛି। ଫ୍ୟୁଚର ମ୍ୟୁଜିୟମ୍ ଓ ବୁର୍ଜ ଖଲିଫା ଅଂଚଳରେ ପ୍ରକୃତି ରଚିଛି ତାଣ୍ଡବ।

Advertisment

ଲଗାଣ ବର୍ଷାରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ବିମାନ ସେବା। ମଧ୍ୟପ୍ରାଚ୍ୟର ସବୁଠୁ ବଡ଼ ଓ ବ୍ୟସ୍ତବହୁଳ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଠପ୍ ହୋଇଯାଇଛି ସେବା। ଦୁବାଇ ଏୟାରପୋର୍ଟରୁ ୫୦୦ରୁ ଅଧିକ ବିମାନର ବାତିଲ ଓ ରୁଟ୍ ପରିବର୍ତ୍ତନ କରାଯାଇଛି। ଭାରତ ଦେଇ ୨୮ରୁ ଅଧିକ ବିମାନର ବି ଚଳାଚଳ ବନ୍ଦ ରହିଛି। ୧୯୪୯ ପରେ ସବୁଠୁ ବଡ଼ ବର୍ଷା ଦେଖିଛି ଦୁବାଇ। ମତ୍ର ୨୪ ଘଣ୍ଟାରେ ରେକର୍ଡ ହୋଇଛି ଦେଢ଼ ବର୍ଷର ବର୍ଷା।

ଦୁବାଇ ବର୍ଷା ସାରା ବିଶ୍ୱର ହୋସ୍ ଉଡ଼ାଇ ଦେଇଛି। ପ୍ରଶ୍ନ ଉଠୁଛି, ଦୁବାଇ ପାଣିପାଗରେ ଏତେ ବଡ଼ ପରିବର୍ତ୍ତନର କାରଣ କଣ ? ପ୍ରକୃତି ବିରୋଧୀ କାର୍ଯ୍ୟ ପାଇଁ ଉପୁଜିଲା କି ଏଭଳି ସ୍ଥିତି ? କୁହାଯାଉଛି, ପ୍ରକୃତିର ଏତେ ବଡ ବିପର୍ଯ୍ୟୟ ପାଇଁ କ୍ଲାଉଡ୍ ସିଡିଂ ଅର୍ଥାତ କୃତ୍ରିମ ବର୍ଷା ପ୍ରକ୍ରିୟା ଦାୟୀ। ଗତ କିଛି ବର୍ଷ ହେଲା ବର୍ଷାର ପରିମାଣ ବଢାଇବାକୁ ୟୁଏଇ କ୍ଲାଉଡ୍ ସିଡିଂ ଟେକନିକର ବ୍ୟବହାର କରୁଛି। ହେଲିକପ୍ଟର ଦ୍ୱାରା ମେଘରେ ସିଲଭର ଆୟୋଡାଇଡ୍ କିମ୍ବା ପଟାସିୟମ ଆୟୋଡାଇଡ୍ ମିଶା ଯାଇଥାଏ।

Advertisment

ସୂଚନା ଅନୁସାରେ, ଦୁଇ ଦିନ ଭିତରେ ସାତ ସାତ ଥର କ୍ଲାଉଡ୍ ସିଡିଂ ଉଦ୍ୟମ କରାଯାଇଥିଲା। ଏଥିସହ ମରୁଭୂମି ମଧ୍ୟରେ ଥିବା ଦୁବାଇ ସମେତ ଆରବ ରାଷ୍ଟ୍ରରେ ଗତ କିଛି ବର୍ଷରେ ନିର୍ମାଣ ବଢ଼ିବାରେ ଲାଗିଛି। ଯାହା ପ୍ରକୃତିର ଭାରସାମ୍ୟକୁ ବିଗାଡ଼ି ଦେଇଛି। ତାସହ ବିଶ୍ୱ ପାଣିପାଗରେ ପରିବର୍ତ୍ତନ ଏହାର ପ୍ରମୁଖ କାରଣ ବୋଲି ମଧ୍ୟ କୁହାଯାଉଛି।

Heavy Rainfall Dubai
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ