Advertisment

Death Mystery of Jinnah: ୭୪ ବର୍ଷ ପରେ ବି ଧରାପଡ଼ିଲାନି ଷଡ଼ଯନ୍ତ୍ରକାରୀ

ପାକିସ୍ତାନର ଗଭର୍ଣ୍ଣର ଜେନେରାଲଙ୍କୁ ଆମ୍ବୁଲାନ୍ସରେ ସ୍ଥାନାନ୍ତର କରିବା ସମୟରେ ପେଟ୍ରୋଲ ସରିଯିବା ଘଟଣାରୁ ହିଁ ଷଡ଼ଯନ୍ତ୍ରର ମୂଳ ଦୁଆ ପଡ଼ିଥିଲା। ଆମ୍ବୁଲାନ୍ସ ଯେଉଁ ରାସ୍ତାରେ ଅଟକିଥିଲା, ସେହି ରାସ୍ତାର ଆଖପାଖରେ ଲକ୍ଷ ଲକ୍ଷ ତମ୍ବୁ ପଡ଼ିଥିଲା। ଏହି ତମ୍ବୁରେ ସେଇମାନେ ରହୁଥିଲେ ଯେଉଁମାନେ ଭାରତ ବିଭାଜନ ପରେ ଭାରତରୁ ପାକିସ୍ତାନକୁ ଆସିଥିଲେ। ଆମ୍ବୁଲାନ୍ସ ଠିକ୍ ଠାକ ହେବା ପରେ ଗଭର୍ଣ୍ଣର ଜେନେରାଲଙ୍କ ଘର ଅଭିମୁଖେ ଚାଲିଲା। ଆମ୍ବୁଲାନ୍ସ ଠିକଣା ସ୍ଥାନରେ ପହଞ୍ଚିବା ପରେ ଡାକ୍ତର ଚିକିତ୍ସା କରିବା ଆରମ୍ଭ କରିଥିଲେ।

ଅଦ୍ୟତନ ହୋଇଛି
pakistan

pakistan

Advertisment

ନିଜ ଜିଦରୁ ପାକିସ୍ତାନ ଭଳି ଏକ ମୁସଲିମ୍ ରାଷ୍ଟ୍ର ଗଢ଼ି ଉଠିବା ପଛର ପ୍ରମୁଖ ସୂତ୍ରଧର ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ସେହି ପାକିସ୍ତାନ ମାଟିରେ ମୃତ୍ୟୁ ଆଜି ବି ରହସ୍ୟଜନକ। ଭାରତରୁ ଅଲଗା ହୋଇ ପାକିସ୍ତାନ ଗଠନ ପାଇଁ ବହୁ ମୂଲ୍ୟ ଦେଇଥିବା ଜିନ୍ନାଙ୍କ ଜୀବନର ଶେଷ ଦିନ ଥିଲା ଷଡ଼ଯନ୍ତ୍ରପୂର୍ଣ୍ଣ, ରହସ୍ୟମୟ ଓ ଅନ୍ଧକାରପୂର୍ଣ୍ଣ। ଏକଥା ତାଙ୍କ ଭଉଣୀ ଫାତିମା ଜିନ୍ନା ଅନେକ ଫୋରମରେ ଉଠାଇଛନ୍ତି। କିନ୍ତୁ ପାକିସ୍ତାନ ସରକାର ଏହାର ତଦନ୍ତ କରାଇ ରହସ୍ୟ ସାମନାକୁ ଆଣିବା ବଦଳରେ ଆହୁରି କୁହେଳିକା ଭିତରକୁ ଠେଲିଦେବାର ପରିବେଶ ସୃଷ୍ଟି କରିଛନ୍ତି। ଏଥିରୁ କ’ଣ ବୁଝିବା ? ୭୪ ବର୍ଷ ହେବ କେହି କିଛି ବୁଝିପାରୁନାହାନ୍ତି ଏହି ମୃତ୍ୟୁ ରହସ୍ୟ ? 

Advertisment

ଯକ୍ଷ୍ମା, କର୍କଟ ରୋଗ ଲୁଚାଇଥିଲେ

ଅଲ-ଇଣ୍ଡିଆ ମୁସଲିମ୍ ଲିଗ୍ ନେତା ମହମ୍ମଦ ଅଲ୍ଲୀ ଜିନ୍ନା ପାକିସ୍ତାନର ପ୍ରଥମ ଗଭର୍ଣ୍ଣର ଜେନେରାଲ୍ ଭାବେ ୧୯୪୭ ଅଗଷ୍ଟ ୧୪ରେ ଦାୟିତ୍ବ ଗ୍ରହଣ କରନ୍ତି। ୧୯୪୮ ସେପ୍ଟେମ୍ବର ୧୧ରେ ତାଙ୍କ ଦେହାନ୍ତ ହୁଏ। କିନ୍ତୁ ଜୀବନର ଶେଷ ତାରିଖର ପ୍ରତି ମୂହୁର୍ତ୍ତ କେବଳ ରହସ୍ୟପୂର୍ଣ୍ଣ ଥିଲା। କୁହାଯାଏ ଜିନ୍ନା ଦିନକୁ ହାରାହାରି ୫୦ ଖଣ୍ଡ ସିଗାରେଟ୍ ଟାଣୁଥିଲେ। ତାଙ୍କ ପସନ୍ଦର ସିଗାରେଟ୍ ଥିଲା ‘କ୍ରାଭେନ୍ ଏ’। ପରବର୍ତ୍ତି ସମୟରେ ସେ ବ୍ରଙ୍କାଇଟସ, ଯକ୍ଷ୍ମା ଓ ଫୁସଫୁସ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ। ତାଙ୍କର ମୁମ୍ବାଇରେ ଜଣେ ଡାକ୍ତର ବନ୍ଧୁ ଥାଆନ୍ତି। ସେ ତାଙ୍କର ଚିକିତ୍ସା କରୁଥିଲେ। ଜିନ୍ନାଙ୍କ ଏହି ରୋଗ ସମ୍ପର୍କରେ ସେ ପାକିସ୍ତାନବାସୀଙ୍କୁ ଲୁଚାଇ ରଖୁଥିଲେ। ଡାକ୍ତରଙ୍କୁ ମଧ୍ୟ ଏ ସମ୍ପର୍କରେ କାହାରିକୁ ନକହିବାକୁ ବାରଣ କରିଥିଲେ। ଜିନ୍ନା ଯେ ଆଉ ବେଶି ଦିନ ବଞ୍ଚିବେ ନାହିଁ, ସେ ମୃତ୍ୟୁର ଶେଷ ପାହାଚକୁ ଓହ୍ଲାଇ ସାରିଛନ୍ତି-ଏ ପ୍ରକାର ବାର୍ତ୍ତା ସେ ଦେବାକୁ ଚାହୁଁନଥିଲେ।

ଡାକ୍ତର, ଆର୍ମି ମିଳିମିଶି ମୃତ୍ୟୁର ଜାଲ ବିଛାଇଥିଲେ!

୧୯୪୮ ଜୁଲାଇରେ ଜିନ୍ନାଙ୍କ ସ୍ବାସ୍ଥ୍ୟ ଅଧିକ ବିଗିଡ଼ିଯାଇଥାଏ। ଶେଷ ସମୟରେ କାଶିବା ସମୟରେ ରକ୍ତ ପଡ଼ିଥିଲା। କିନ୍ତୁ ଡାକ୍ତର ତାଙ୍କୁ କ୍ୱେଟାରୁ ହଜାର ହଜାର ଫୁଟ ଉଚ୍ଚ ଏକ ହିଲ୍ ଷ୍ଟେସନକୁ ଯିବାକୁ କହିଥିଲେ। ସେଠାକାର ପାଣିପାଗ ଭଲ ଥିବାରୁ ସେଠାକୁ ଯିବାକୁ ପରାମର୍ଶ ଦେଲେ। ଯକ୍ଷ୍ମା ରୋଗରେ ଆକ୍ରାନ୍ତ ଜିନ୍ନା ଥଣ୍ଡା ଅଞ୍ଚଳକୁ ଯିବାରୁ ଦୂରେଇବା ବଦଳରେ ଡାକ୍ତରଙ୍କ ପରାମର୍ଶରେ ଯାଇଥିଲେ। ଥଣ୍ଡାରେ ଯକ୍ଷ୍ମା ଅଧିକ ବଢ଼ିଗଲା। ନିମୋନିଆ ହୋଇଗଲା।

Advertisment

ଏବେ ଫେରିଯିବା ଜିନ୍ନାଙ୍କ ମୃତ୍ୟୁର ଶେଷ ଦିନ ଅର୍ଥାତ ୧୯୪୮ ସେପ୍ଟେମ୍ବର ୧୧। ଅସୁସ୍ଥ ଜିନ୍ନାଙ୍କୁ କ୍ୱେଟାରୁ ଧରି ଏକ ସ୍ବତନ୍ତ୍ର ବିମାନରେ ଭଉଣୀ ଫାତିମା ପାକିସ୍ତାନର କରାଚି ନିକଟ ମିରପୁର ବିମାନ ବନ୍ଦରରେ ଓହ୍ଲାଇଥିଲେ। ଅପରାହ୍ନ ସମୟ। ବିମାନ ବନ୍ଦରରେ ଜଣେ ଅସୁସ୍ଥ ଗଭର୍ଣ୍ଣର ଜେନେରାଲଙ୍କୁ ଆର୍ମିର ଅଫିସର ଓ ଆର୍ମିର ଆମ୍ବୁଲାନ୍ସ ଅପେକ୍ଷା କରିଥାଏ। ଆଉ ସେଭଳି ଭିଡ଼ ନଥିଲା। ଏହି ଦିନର ଠିକ୍ ଏକ ବର୍ଷ ପୂର୍ବରୁ ଚିତ୍ର ଭିନ୍ନ ଥିଲା। ଭାରତ ବିଭାଜନ ସମୟରେ ଦିଲ୍ଲୀରୁ ବିମାନରେ ଜିନ୍ନା ଯେତେବେଳେ ମିରପୁର ବିମାନ ବନ୍ଦରରେ ପହଞ୍ଚିଲେ ତାଙ୍କୁ ଦେଖିବାକୁ ବିମାନ ବନ୍ଦରରେ ଲକ୍ଷାଧିକ ଲୋକ ଏକାଠି ହୋଇଥିଲେ। କିନ୍ତୁ ଏବେ ଚିତ୍ର ଓଲଟା ଥିଲା।

ମିରପୁର ବିମାନ ବନ୍ଦରରେ ଅସୁସ୍ଥ ଜିନ୍ନା ପହଞ୍ଚିବା ପରେ ତାଙ୍କୁ ଷ୍ଟେଚରରେ ଆଣି ଆମ୍ବୁଲାନ୍ସରେ ରଖାଗଲା। ତାଙ୍କ ସହିତ ଭଉଣୀ ଫାତିମା ଓ ଜଣେ ନର୍ସ ଆମ୍ବୁଲାନ୍ସରେ ବାହାରିଲେ କରାଚିର ଗଭର୍ଣ୍ଣର ଜେନେରାଲଙ୍କ ବାସଭବନକୁ। ମିରପୁର ବିମାନ ବନ୍ଦରରୁ ଗଭର୍ଣ୍ଣର ଜେନେରାଲଙ୍କ ଘରର ଦୂରତା ମାତ୍ର ଅଧଘଣ୍ଟାର ବାଟ। ରାସ୍ତା ଆଧାରେ ହଠାତ୍ ଆମ୍ବୁଲାନ୍ସରୁ ପେଟ୍ରୋଲ ସରିଗଲା। ଏପଟେ ଅସୁସ୍ଥ ଜିନ୍ନା ମୃତ୍ୟୁ ସହିତ ପ୍ରତି ମୂହୁର୍ତ୍ତରେ ସାମନା କରୁଛନ୍ତି। ବାହାରେ ଭୀଷଣ ଉତ୍ତାପ ଯୋଗୁ ଜିନ୍ନା ନିଶ୍ବାସ ନେବାରେ ସମସ୍ୟା ଉପୁଜିଥିଲା। ଆମ୍ବୁଲାନ୍ସରେ ଜିନ୍ନା ପ୍ରତି ମୂହୁର୍ତ୍ତ ଯନ୍ତ୍ରଣାରେ ଛଟପଟ ହେଉଥିଲେ।

Advertisment

ଗଭର୍ଣ୍ଣର ଜେନେରାଲଙ୍କ ଆମ୍ବୁଲାନ୍ସରୁ ତେଲ ସରିଯିବା ଥିଲା ବଡ଼ ଷଡ଼ଯନ୍ତ୍ର!

ପାକିସ୍ତାନର ଗଭର୍ଣ୍ଣର ଜେନେରାଲଙ୍କୁ ଆମ୍ବୁଲାନ୍ସରେ ସ୍ଥାନାନ୍ତର କରିବା ସମୟରେ ପେଟ୍ରୋଲ ସରିଯିବା ଘଟଣା ହିଁ ଷଡ଼ଯନ୍ତ୍ରର ମୂଳଦୁଆ ପକାଇଥିଲା। ଆମ୍ବୁଲାନ୍ସ ଯେଉଁ ରାସ୍ତାରେ ଅଟକିଥିଲା, ସେହି ରାସ୍ତାର ଆଖପାଖରେ ଲକ୍ଷ ଲକ୍ଷ ତମ୍ବୁ ପଡ଼ିଥିଲା। ଏହି ତମ୍ବୁରେ ସେଇମାନେ ରହୁଥିଲେ ଯେଉଁମାନେ ଭାରତ ବିଭାଜନ ପରେ ଭାରତରୁ ପାକିସ୍ତାନକୁ ଆସିଥିଲେ। ଆମ୍ବୁଲାନ୍ସ ଠିକ୍ ଠାକ ହେବା ପରେ ଗଭର୍ଣ୍ଣର ଜେନେରାଲଙ୍କ ଘର ଅଭିମୁଖେ ଚାଲିଲା। ଆମ୍ବୁଲାନ୍ସ ଠିକଣା ସ୍ଥାନରେ ପହଞ୍ଚିବା ପରେ ଡାକ୍ତର ଚିକିତ୍ସା କରିବା ଆରମ୍ଭ କରିଥିଲେ। ଡାକ୍ତର କିଛି ଔଷଧ ତାଙ୍କୁ ଖାଇବାକୁ ଦେଲେ। ଡାକ୍ତର ଯିବାର ଦୁଇ ଘଣ୍ଟା ପରେ ଜିନ୍ନା ଆଖି ଖୋଲିଲେ। ସେତେବେଳକୁ ସ୍ବାସ୍ଥ୍ୟ ଅବସ୍ଥା ଆଦୌ ଭଲ ନଥାଏ। ଭଉଣୀ ଫାତିମାଙ୍କୁ ଠାରରେ ‘ଫାତି…ଖୁଦା ହାପିଜ…’ କହି ଶେଷ ନିଶ୍ବାସ ଛାଡ଼ିଥିଲେ। ପରବର୍ତ୍ତି ସମୟରେ ରାଷ୍ଟ୍ରିୟ ମର୍ଯ୍ୟାଦାର ସହିତ ଜିନ୍ନାଙ୍କ ଶେଷ କୃତ୍ୟ ସମ୍ମନ୍ନ ହୋଇଥିଲା। 

ଫାତିମାଙ୍କ ‘ମାଇଁ ବ୍ରଦର’ ବହିରେ ଜିନ୍ନାଙ୍କ ମୃତ୍ୟୁ ରହସ୍ୟ

ଫାତିମା ତାଙ୍କ ଭାଇ ଜିନ୍ନାଙ୍କ ମୃତ୍ୟୁକୁ ନେଇ ସନ୍ଦେହ କରିବା ଆରମ୍ଭ କରିଥିଲେ। ଷଡ଼ଯନ୍ତ୍ର ହୋଇଥିବା କହିଥିଲେ। ଜିନ୍ନାଙ୍କ ମୃତ୍ୟୁ ପରେ ସେ ପାକିସ୍ତାନ ଜନତାଙ୍କୁ କିଛି କହିବାକୁ ଚାହୁଁଥିଲେ। କିନ୍ତୁ ତତ୍କାଳୀନ ସରକାର ଏ ସୁଯୋଗ ଦେଇନଥିଲେ। ଫାତିମା ‘ମାଇଁ ବ୍ରଦର’ ନାଁରେ ଏକ ବହି ଲେଖିଥିଲେ। କିନ୍ତୁ ଏହାର ପ୍ରକାଶନ ଉପରେ ପାକିସ୍ତାନ ସରକାର ରୋକ୍ ଲଗାଇଥିଲେ। କିନ୍ତୁ ପରେ ଯେତେବେଳେ ଛାପିବାକୁ ଅନୁମତି ମିଳିଲା, ଏଥିରେ ଥିବା ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟକୁ ବାଦ୍ ଦିଆଯାଇଥିଲା। ଏଥିରେ ପାକିସ୍ତାନ ସରକାରେ ଥିବା ନେତାଙ୍କ ସମ୍ପର୍କରେ ଉଲ୍ଲେଖ ଥିଲା। ଭାଇଙ୍କ ମୃତ୍ୟୁ ପଛର ଏକ କଳା ଅଧ୍ୟାୟ ବି ଥିଲା। ଜିନ୍ନାଙ୍କ ସବୁଠାରୁ ନିକଟତମ ସହଯୋଗୀ ତାଙ୍କୁ ଧୋକ୍କା ଦେଇଥିବା ଉଲ୍ଲେଖ ଥିଲା। ଜିନ୍ନା ଯେତେବେଳେ ଅସୁସ୍ଥ ହୋଇପଡଡିଲେ ତାଙ୍କୁ ଅନେକ ଲୋକ ଦେଖିବାକୁ ଆସୁଥିଲେ। ଏହି ତାଲିକାରେ ଏମିତି କିଛି ଲୋକ ଥିଲେ ଯେଉଁମାନେ ଜାଣିବାକୁ ଚାହୁଁଥିଲେ ଜିନ୍ନା ଆଉ କେତେ ଦିନ ବଞ୍ଚିବେ। ଏଭଳି ତଥ୍ୟ ଫାତିମା ପୁସ୍ତକରେ ଉଲ୍ଲେଖ କରିଥିଲେ।

ଅଧାରୁ ରେଡିଓ ସିଧା ପ୍ରସାରଣ ବନ୍ଦ କରିଦେଲେ

ଜିନ୍ନାଙ୍କ ମୃତ୍ୟୁର ୩ ବର୍ଷ ପୁରିଥାଏ। ୧୯୫୧ରେ ପାକିସ୍ତାନ ସରକାର ପାକିସ୍ତାନ ରେଡିଓରେ ଭଉଣୀ ଫାତିମାଙ୍କୁ କିଛି କହିବାକୁ ଅନୁମତି ଦେଇଥିଲେ। ରେଡିଓରେ ସିଧା ପ୍ରସାରଣ ହୋଇଥିଲା। ଯେତେବେଳେ ଫାତିମା ୧୯୪୮ ସେପ୍ଟେମ୍ବର ୧୧ ଆମ୍ବୁଲାନ୍ସରେ ପେଟ୍ରୋଲ ସରିବା ସମ୍ପର୍କରେ କହିବା ଆରମ୍ଭ କରିଥିଲେ ସେହି ସମୟରେ ରେଡିଓ ପ୍ରସାରଣ ବନ୍ଦ କରିଦିଆଗଲା। ଜିନ୍ନାଙ୍କ ମୃତ୍ୟୁ ପଛରେ ଷଡ଼ଯନ୍ତ୍ରକୁ ନେଇ ଫାତିମା ଯେଉଁ ସନ୍ଦେହ କରିଥିଲେ ଏହା ଅଧିକ ବଳିଷ୍ଠ ହେବାରେ ଲାଗିଥିଲା। କିନ୍ତୁ ଏହି ରହସ୍ୟଜନକ ମୃତ୍ୟୁ ସମ୍ପର୍କରେ ପାକିସ୍ତାନ ସରକାର କୌଣସି ଯାଞ୍ଚ କରିନଥିଲେ। ସେହି ସମୟରେ ପ୍ରଧାନମନ୍ତ୍ରୀ ଥାଆନ୍ତି ଲିୟାକତ ଅଲ୍ଲୀ ଖାଁ। ଇଏ ସେହି ଲିୟାକତ ଯାହାଙ୍କୁ ଜିନ୍ନା ପାକିସ୍ତାନର ପ୍ରଧାନମନ୍ତ୍ରୀ କରାଇଥିଲେ।

ପାକିସ୍ତାନ ଗଠନ ପରେ ଲର୍ଡ ମାଉଣ୍ଟ ବ୍ୟାଟେନ୍ ଜିନ୍ନାଙ୍କୁ ପରାମର୍ଶ ଦେଇଥିଲେ। କିନ୍ତୁ ଜିନ୍ନା ମନା କରିଦେଇଥିଲେ। ଲିୟାକତଙ୍କୁ ପ୍ରଧାନମନ୍ତ୍ରୀ କରାଇ ନିଜେ ଗଭର୍ଣ୍ଣର ଜେନେରାଲ୍ ପଦ ସମ୍ଭାଳିଥିଲେ। କିନ୍ତୁ ପରବର୍ତ୍ତି ସମୟରେ ଜିନ୍ନା ଓ ଲିୟାକତଙ୍କ ମଧ୍ୟରେ ସମ୍ପର୍କ ଭଲ ନଥିଲା। ପରସ୍ପର ମଧ୍ୟରେ ଭିନ୍ନ ମତ ଓ ଚିନ୍ତାଧାରାକୁ ନେଇ ଫାଟ ଗଭୀର ହୋଇଥିଲା ଜିନ୍ନାଙ୍କ ରହସ୍ୟଜନକ ମୃତ୍ୟୁ ସମୟରେ ସେହି ଲିୟାକତ ତଦନ୍ତ କଲେନି କି ମୁହଁ ଖୋଲିଲେ ନାହିଁ। ଆଜି ବି ଜିନ୍ନାଙ୍କ ମୃତ୍ୟୁ ଏକ ରହସ୍ୟ ଓ ରୋମାଞ୍ଚ ଭରା କାହାଣୀ ଭଳି ମନେହୁଏ। 

Pakistan Pak Death Mystery
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ