Advertisment

Weather Weapon: ଟେକ୍ସାସ ବନ୍ୟାକୁ ନେଇ କନସ୍ପିରେସି ଥିଓରୀ, ଆରମ୍ଭ ହେଲା ଜଳବାୟୁ ଯୁଦ୍ଧ ?

ଏବେ ସୁଦ୍ଧା ୱେଦର ୱିପନ ବ୍ୟବହାରର କୌଣସି ଠୋସ୍ ପ୍ରମାଣ ମିଳିନାହିଁ। ପ୍ରାକୃତିକ ଓ କୃତ୍ରିମ ଉପାୟରେ ହୋଇଥିବା ବର୍ଷା ମଧ୍ୟରେ ପାର୍ଥକ୍ୟ ଜାଣିବା କଷ୍ଟକର, କାରଣ ଅଧିକାଂଶ ଦେଶ ପାଖରେ ଏହି ପ୍ରଯୁକ୍ତିବିଦ୍ୟା ନାହିଁ। ଭିଏତନାମ ଯୁଦ୍ଧ ପରେ ଆମେରିକାର ସିନେଟ ନିଜେ ସ୍ୱୀକାର କରିଥିଲେ, ସେମାନେ ଶତ୍ରୁ ଦେଶର ପାଣିପାଗ ସହିତ ହେରଫେର କରିଥିଲେ ।

ଅଦ୍ୟତନ ହୋଇଛି
ଜଳବାୟୁ ଯୁଦ୍ଧ

ଜଳବାୟୁ ଯୁଦ୍ଧ

Advertisment

ସଂପ୍ରତି ଜଳବାୟୁ ପରବର୍ତ୍ତନ, ବିଶ୍ୱତାପନ ଓ ମଣିଷର ଅମାନୁଷିକ କାର୍ଯ୍ୟକଳାପ ଯୋଗୁଁ ଜୈବ ବିବିଧତା ବିପର୍ଯ୍ୟସ୍ତ । ମଣିଷ ସ୍ବାର୍ଥ ସିଦ୍ଧି ପାଇଁ ଜଳ, ସ୍ଥଳ, ଆକାଶଠାରୁ ଆରମ୍ଭ କରି ମାଟି, ପାଣି, ପବନ ଏବଂ ପାହାଡ଼ ପର୍ଯ୍ୟନ୍ତ, ସବୁ କିଛି ଉପରେ ଯେପରି ଅହରହ ଅତ୍ୟାଚାର କରିଚାଲିଛି । ଅନେକ ଆହ୍ୱାନ ଓ ଅନିଶ୍ଚିତତା ଦେଇ ଗତି କରୁଛି ସାରା ବିଶ୍ୱ । ମଣିଷର ସ୍ୱେଚ୍ଛାଚାରିତା କାର୍ଯ୍ୟକଳାପ ବିଶ୍ୱକୁ ସଙ୍କଟ ମୁହଁକୁ ଠେଲି ଦେଉଛି । ପ୍ରକୃତି ସହ ଖେଳ ଖୁବ ଭୟଙ୍କର ପରିଣାମ ଆଣିପାରେ । ଦେଶ ଦେଶ ମଧ୍ୟରେ ଯୁଦ୍ଧ ଓ ସଂଘର୍ଷ ଚରମସୀମାରେ ପହଞ୍ଚିବା ସହ ସ୍ଥିତି ଅଣାୟତ ହେଉଥିବା ଦେଖିବାକୁ ମିଳୁଛି । ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ଦେଶ ଦେଶ ମଧ୍ୟରେ କଳି ଭାଙ୍ଗିବାକୁ ମଧ୍ୟସ୍ଥି ସାଜିଛି ମହାଶକ୍ତି ଆମେରିକା ।

Advertisment

ଦୁଇ ବିଲେଇ ଲଢ଼େଇ ମଝିରେ ମାଙ୍କଡ଼ ହୋଇ ଫାଇଦା ଉଠାଇବାକୁ ଚେଷ୍ଟା କରୁଥିବା ବେଳେ ଏହି ଶକ୍ତିଶାଳୀ ରାଷ୍ଟ୍ରକୁ କ୍ଷତି ବି ସହିବାକୁ ପଡ଼ୁଛି । ନିକଟରେ ଆମେରିକାର ଟେକ୍ସାସ ସହରରେ ସୃଷ୍ଟି ହୋଇଥିବା ବନ୍ୟା ପ୍ରାକୃତିକ ନୁହେଁ ବରଂ ମଣିଷଜନିତ ବୋଲି ଅନୁମାନ କରାଯାଉଛି । ଏହି କନସ୍ପିରେସି ଥିଓରିକୁ ନେଇ ସୋସିଆଲ ମିଡିଆ ଉଠୁଛି ପଡ଼ୁଛି । ନିଆଁରେ ଘିଅ ଢାଳିଲା ପରି କିଛି ଆମେରିକୀୟ ଅଧିକାରୀ ଏହାକୁ ସତ ବୋଲି ବୟାନ ଦେଉଛନ୍ତି । ୱେଦର ୱିପନ ପାଇଁ ବନ୍ୟା ହୋଇଥିବା ଅଭିଯୋଗ ଯୋଗୁଁ ଲଗାତାର ବିତର୍କ ଚାଲିଛି ।

ଟେକ୍ସାସରେ ବନ୍ୟା ସମ୍ପର୍କରେ, ଟ୍ରମ୍ପ ପ୍ରଶାସନର ଜଣେ ପୂର୍ବତନ ଅଧିକାରୀ ମାଇକ ଫ୍ଲିନ ଲେଖିଛନ୍ତି – ଏପରି ହେବା ପଛର କାରଣ କିଏ କହିପାରିବ ? ଏପରିକି ରିପବ୍ଲିକାନ୍ ସାଂସଦ ମାର୍ଜୋରି ଟେଲର ଗ୍ରୀନ୍ ଏକ ବିଲ୍ ଆଗତ କରିବା କଥା କହିଛନ୍ତି । ବିଲ ଅନୁସାରେ କୌଣସି ବ୍ୟକ୍ତି ବା ସଂଗଠନ ପକ୍ଷରୁ ବାୟୁରେ କୌଣସି ପ୍ରକାର ରାସାୟନିକ ପଦାର୍ଥ ଛାଡ଼ିବା ଉପରେ ରୋକ ଲଗାଯିବ । କାରଣ ଏପରି ହେବା ଦ୍ୱାରା ପାଣିପାଗ, ତାପମାତ୍ରା ଓ ସୂର୍ଯ୍ୟକିରଣରରେ ବାଧା ସୃଷ୍ଟି ହେବାର ଅନେକ ଆଶଙ୍କା ଥାଏ । ପାଣିପାଗ ପରିବର୍ତ୍ତନର ପ୍ରଯୁକ୍ତିବିଦ୍ୟାକୁ ନିଷିଦ୍ଧ କରିବା ପାଇଁ ବିଲ ଆଗତ ହେବା ଆବଶ୍ୟକ ବୋଲି ସେ ମତପ୍ରକାଶ କରିଛନ୍ତି ।

Advertisment

ୱେଦର ମୋଡିଫିକେସନ କ’ଣ ?

ଏକବିଂଶ ଶତାବ୍ଦୀରେ ଲୋକଙ୍କ ପ୍ରଗତି ଏବଂ କଲ୍ୟାଣ ମୁଖ୍ୟତଃ ଟେକ୍ନୋଲୋଜି ବିଶେଷ କରି କୃତ୍ରିମ ବୁଦ୍ଧିମତ୍ତା ଉପରେ ନିର୍ଭରଶୀଳ। ଗୋଟିଏ ପଟେ କୃତ୍ରିମ ବୁଦ୍ଧିମତ୍ତା ଦୈନନ୍ଦିନ ଜୀବନରେ ବହୁତ ଉନ୍ନତି ଆଣିପାରେ । ଅନ୍ୟପକ୍ଷରେ ଏହା ନୈତିକତା ଏବଂ ପକ୍ଷପାତିତା ବିପଦ ବିଷୟରେ ମଧ୍ୟ ଚିନ୍ତା ବଢ଼ାଇଥାଏ। ୱେଦର ମଡିଫିକେସନ ମଧ୍ୟ ଏହିପରି ଏକପ୍ରକାର କୌଶଳ । ଯେଉଁଥିରେ ମଣିଷ ଜାଣିଶୁଣି ଜଳବାୟୁ ଏବଂ ପାଣିପାଗକୁ ପରିବର୍ତ୍ତନ କରିପାରିବ।

ଅର୍ଥାତ ସିଧାସଳଖ କହିବାକୁ ଗଲେ ମଣିଷ ଚାହିଁଲେ ବର୍ଷା, ମରୁଡ଼ି, ବନ୍ୟା,ଭୂମିକମ୍ପ, ସୁନାମୀ ସବୁକିଛି ହେବ । ପ୍ରାକୃତିକ ବିପର୍ଯ୍ୟୟ ନିୟନ୍ତ୍ରଣ କରିବା, ପାଣିପାଗରେ ଉନ୍ନତି ଆଣିବା ପରି ମାନବ କଲ୍ୟାଣ ପାଇଁ ଏପରି ଅସ୍ତ୍ରର ବ୍ୟବହାର କରିବାର ଆବଶ୍ୟକତା ରହିଛି । ହେଲେ ୱେଦର ୱିପନର ଦୁରୁପଯୋଗ ପାଣିପାଗ ଯୁଦ୍ଧର ରୂପ ନେଇପାରେ ବୋଲି କୁହାଯାଉଛି।

Advertisment

କିଏ ପ୍ରଥମେ ବ୍ୟବହାର କରିଥିଲା ୱେଦର ୱିପନ ?

ଆପଣା ହସ୍ତେ ଜିହ୍ୱା ଛେଦି, କେ ଅଛି ତାର ପ୍ରତିବାଦୀ । ପ୍ରତ୍ୟେକ ଆଧୁନିକ ଏବଂ ବିବାଦୀୟ ପ୍ରଯୁକ୍ତିବିଦ୍ୟା ପରି ଏହା ପଛରେ ମଧ୍ୟ ରହିଛି ଆମେରିକା । ଭିଏତନାମ ଯୁଦ୍ଧ ସମୟରେ ଆମେରିକା ୱେଦର ୱିପନ ବ୍ୟବହାର କରିଥିବା କୁହାଯାଏ । ଆକାରରେ ଛୋଟ ହୋଇଥିଲେ ସୁଦ୍ଧା ସମ୍ମୁଖ ଯୁଦ୍ଧରେ ସାହସର ସହିତ ମହାଶକ୍ତି ଆମେରିକାକୁ ଟକ୍କର ଦେବାସହ ହାରମାନୁନଥିଲା ଏହି ଦେଶ । ଏଥିପାଇଁ ଆମେରିକା ଆରମ୍ଭ କରିଥିଲା ଅପରେସନ୍ ପୋପେ । ଭିତଏତନାମର ସେନା ସଠିକ ସମୟରେ ଯେପରି ସଠିକ ସ୍ଥାନରେ ପହଞ୍ଚି ନପାରିବେ, ସେଥିପାଇଁ କୃତ୍ରିମ ଉପାୟରେ ବର୍ଷା କରାଯାଇଥିଲା ।

ମାସେ କି ଦୁଇ ମାସ ନୁହେଁ ୧୯୬୭ ମସିହାରୁ ପ୍ରାୟ ଛଅ ବର୍ଷ ଧରି ଜାରି ରହିଥିଲା ଏହି ବର୍ଷା । ପ୍ରତିବର୍ଷ ମେ ମାସରୁ ଅକ୍ଟୋବର ମାସ ମଧ୍ୟରେ ପ୍ରବଳ ବର୍ଷା ହେଉଥିଲା, ଫଳରେ ସେନାର ଯୋଗାଣ ଶୃଙ୍ଖଳା ଏବଂ ଗତିବିଧି ପ୍ରଭାବିତ ହେଉଥିଲା। ସାଧାରଣ ଲୋକ ମଧ୍ୟ ଏଥିରୁ ନିସ୍ତାର ପାଇପାରିନଥିଲେ । ନିରନ୍ତର ବର୍ଷା ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହେବା, ଫସଲ ନଷ୍ଟ ହେବା ଓ ବନ୍ୟା ପର ବିପର୍ଯ୍ୟୟ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା । ପ୍ରଥମ ଥର ପାଇଁ ପାଣିପାଗକୁ ଅସ୍ତ୍ର ଭାବରେ ବ୍ୟବହାର କରାଯାଇଥିଲା ।

ଏହି ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ତତ୍‌କାଳୀନ ସରକାରଙ୍କୁ କଡ଼ା ସମାଲୋଚନା କରାଯାଇଥିଲା । ଶତ୍ରୁକୁ କ୍ଷତି ପହଞ୍ଚାଇବା ପାଇଁ ଜାଣିଶୁଣି ପାଗରେ ପରିବର୍ତ୍ତନ ଆଣିବା ଭଳି ଅସ୍ତ୍ର ଭବିଷ୍ୟତରେ କୌଣସି ଦେଶ ଯେପରି ବ୍ୟବହାର ନକରିବ, ସେଥିପାଇଁ ଏକ ଚୁକ୍ତି ମଧ୍ୟ ସ୍ୱାକ୍ଷର କରାଯାଇଥିଲା । ହେଲେ ଜାତିସଂଘର ଏହି ପଦକ୍ଷେପ ବିଶେଷ ପରିବର୍ତ୍ତନ ଆଣିପାରିଲା ନାହିଁ । ବର୍ତ୍ତମାନ ସୁଦ୍ଧା ପାଗକୁ ଜାଣିଶୁଣି ପରିବର୍ତ୍ତନ କରି କେହି ଆକ୍ରମଣ କରିନାହାଁନ୍ତି, କିନ୍ତୁ ଉନ୍ନତ ପ୍ରଯୁକ୍ତିବିଦ୍ୟା ଉପରେ କଥିତ ପରୀକ୍ଷଣ ଜାରି ରହିଛି । ଆଉ ଏଥିପାଇଁ ଆମେରିକା, ରୁଷ, ଚୀନ୍ ସମସ୍ତେ ପରସ୍ପର ପରସ୍ପରକୁ ଦୋଷ ଦେଉଛନ୍ତି।

ଅନେକ ବିବାଦୀୟ ପ୍ରକଳ୍ପକୁ ନେଇ ଚର୍ଚ୍ଚା

ଆମେରିକାରେ ହାଇ ଫ୍ରିକ୍ୱେନ୍ସି ଆକ୍ଟିଭ ଅରୋରାଲ୍ ରିସର୍ଚ୍ଚ ପ୍ରୋଗ୍ରାମ୍ ନାମକ ଏକ ପ୍ରକଳ୍ପ ଏବେ ବି ଚାଲିଛି । ବାୟୁମଣ୍ଡଳର ଉପର ଭାଗକୁ ଶକ୍ତି ପଠାଇବା ଏବଂ ଏହାର ପ୍ରଭାବ ସମ୍ପର୍କରେ ଅଧ୍ୟୟନ କରିବା ହେଉଛି ଏହାର କାମ । ଆମେରିକା ପାଗ ପରିବର୍ତ୍ତନ କରିବା ପାଇଁ ଏସବୁ କରୁଛି ବୋଲି ବିଶେଷଜ୍ଞମାନେ ଅଭିଯୋଗ କରନ୍ତି । ଉଭୟ ରୁଷ ଏବଂ ଚୀନ୍ ଆମେରିକା ବିରୋଧରେ ଅଭିଯୋଗ କରି କହିଛନ୍ତି, ଏହି ପ୍ରକଳ୍ପ ଭୂମିକମ୍ପ ଏବଂ ବନ୍ୟାକୁ ପ୍ରଭାବିତ କରିପାରିବ।

ଚୀନର ପାଣିପାଗ ପରିବର୍ତ୍ତନ ପ୍ରଯୁକ୍ତିବିଦ୍ୟା ଉପରେ ମଧ୍ୟ ନଜର ରଖାଯାଇଛି । ଖେଳ ସମୟରେ ପାଗରେ ଯେପରି କୌଣସି ଅସୁବିଧା ନହୁଏ, ସେଥିପାଇଁ ଚୀନ ୨୦୦୮ ବେଜିଂ ଅଲିମ୍ପିକ୍ସ ପୂର୍ବରୁ କ୍ଲାଉଡ ସିଡିଂ ମାଧ୍ୟମରେ ବର୍ଷା କରାଇଥିଲା। କ୍ଲାଉଡ ସିଡିଂ ଏବଂ ଅନ୍ୟାନ୍ୟ କୌଶଳ ସାହାଯ୍ୟରେ ୫.୫ ନିୟୁତ ବର୍ଗ କିଲୋମିଟରରେ ପାଗ ନିୟନ୍ତ୍ରଣ କରିବାର କ୍ଷମତା ଥିବାର ଚୀନର ଜଣେ ପୂର୍ବତନ ଅଧିକାରୀ ଦାବି କରିଥିଲେ। ଜିଓଇଞ୍ଜିନିୟରିଂ ମଧ୍ୟ ଏହାର ଏକ ଅଂଶ । ଏଥିରେ ସଲଫର ଡାଇଅକ୍ସାଇଡ୍ ଭଳି ଗ୍ୟାସକୁ ବାୟୁରେ ଛାଡି ସୂର୍ଯ୍ୟକିରଣକୁ ହ୍ରାସ କରାଯାଏ, ଯାହା ଦ୍ୱାରା ପୃଥିବୀର ତାପମାତ୍ରା ହ୍ରାସ ପାଏ। ଏହାଦ୍ୱାରା ଗ୍ଲୋବାଲ ୱାର୍ମିଂ ହ୍ରାସ କରାଯାଇପାରିବ । କିନ୍ତୁ ଏହି ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ଏକ ନିର୍ଦ୍ଦିଷ୍ଟ ଦେଶକୁ ଟାର୍ଗେଟ କରାଗଲେ, ସେଠାରେ କୃଷି ଏବଂ ଜୀବନ ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯିବ ।

ୱେଦର ୱିପନର ପ୍ରମାଣ ନାହିଁ

ଏବେ ସୁଦ୍ଧା ୱେଦର ୱିପନ ବ୍ୟବହାରର କୌଣସି ଠୋସ୍ ପ୍ରମାଣ ମିଳିନାହିଁ। ପ୍ରାକୃତିକ ଓ କୃତ୍ରିମ ଉପାୟରେ ହୋଇଥିବା ବର୍ଷା ମଧ୍ୟରେ ପାର୍ଥକ୍ୟ ଜାଣିବା କଷ୍ଟକର, କାରଣ ଅଧିକାଂଶ ଦେଶ ପାଖରେ ଏହି ପ୍ରଯୁକ୍ତିବିଦ୍ୟା ନାହିଁ। ଭିଏତନାମ ଯୁଦ୍ଧ ପରେ ଆମେରିକାର ସିନେଟ ନିଜେ ସ୍ୱୀକାର କରିଥିଲେ, ସେମାନେ ଶତ୍ରୁ ଦେଶର ପାଣିପାଗ ସହିତ ହେରଫେର କରିଥିଲେ ।

କାହା ଟାର୍ଗେଟରେ ଆମେରିକା ?

ଏବେ ମହାଶକ୍ତି ବୋଲାଉଥିବା ଆମେରିକା କୌଣସି ନିର୍ଦ୍ଦିଷ୍ଟ ଶକ୍ତିରେ ଟାର୍ଗେଟରେ ଥିବା ଅନୁମାନ କରାଯାଉଛି । ଟେକ୍ସାସରେ ହୋଇଥିବା ବନ୍ୟାକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ବର୍ତ୍ତମାନ ଆମେରିକା ବିଶ୍ୱ ଉତ୍ତେଜନାର କେନ୍ଦ୍ରବିନ୍ଦୁ ପାଲଟିଛି। ଆମେରିକା ସରକାର ଦୀର୍ଘ ସମୟ ଧରି ରୁଷ ବିରୋଧରେ ୟୁକ୍ରେନକୁ ସାହାଯ୍ୟ କରିଆସୁଛନ୍ତି । ଇରାନ-ଇସ୍ରାଏଲ ଯୁଦ୍ଧରେ ମଧ୍ୟ ମଧ୍ୟସ୍ଥତା କରିଛି ଟ୍ରମ୍ପ ପ୍ରଶାସନ ।

ସେହିପରି ଚୀନ୍ ଏବଂ ତାଇୱାନ ମଧ୍ୟରେ ଉତ୍ତେଜନା ସମୟରେ ଆଗଭର ହୋଇ ଆମେରିକା କଳି ସମାଧାନ କରିବାକୁ ଚେଷ୍ଟା କରିଥିଲା । ଅନ୍ୟପକ୍ଷରେ ରୁଷ ସହିତ ଆମେରିକାର ସମ୍ପର୍କ ଉତ୍ତେଜନାପୂର୍ଣ୍ଣ ରହିଛି । ଏହାରି ମଧ୍ୟରେ ଆମେରିକା ଉପରେ ୱେଦର ୱିପନ ସାହାଯ୍ୟରେ ଆକ୍ରମଣ କରିବା କୌଣସି ବଡ଼ କଥା ନୁହେଁ । ତେବେ ୱାଇଟ ହାଉସ ପକ୍ଷରୁ ଏନେଇ କିଛି ସ୍ପଷ୍ଟ କରାଯାଇନଥିବାରୁ ଏହାକୁ ନେଇ କେବଳ କଳ୍ପନାଜଳ୍ପନା ହିଁ ଚାଲିଛି । 

Heavy Rainfall Flood Control Climate Changes Texas
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ