Advertisment

ଶ୍ରୀଲଙ୍କା ତଟରେ ଲାଗିଲା ଚୀନ୍‌ର ସ୍ପାଏ ସିପ୍

ଭାରତର ଉଦ୍ବେଗକୁ ଶ୍ରୀଲଙ୍କାର ଅଣଦେଖା। ହାମ୍ବାନଟୋଟା ବନ୍ଦରରେ ପ୍ରବେଶ ଲାଗି ଚୀନ୍ ସ୍ପାଏ ସିପ୍ ୟୁଆନ୍ ଓ୍ୱାଙ୍ଗ-ଫାଇଭ୍‌କୁ ଅନୁମତି ଦେଇଛନ୍ତି ସେଠିକାର ସରକାର। ଏକାଧିକ ଆଧୁନିକ ରାଡାର୍ ଖଞ୍ଜାଥିବା ଏହି ସ୍ପାଏ ସିପ୍ ଶ୍ରୀଲଙ୍କାକୁ ଆସିବା ଯୋଗୁଁ ଭାରତର ଦକ୍ଷିଣରେ ଥିବା ବିଭିନ୍ନ ସାମରିକ ଓ କ୍ଷେପଣାସ୍ତ୍ର ଘାଟିର ସୁରକ୍ଷା ପ୍ରତି ବିପଦ ଆଶଙ୍କା ଥିବା କୁହାଯାଉଛି।

China Spy Ship in Srilanka

China Spy Ship in Srilanka

Advertisment

ବିପଦ ବେଳେ ସାଙ୍ଗରେ ଛିଡ଼ା ହୋଇଥିଲେ ମଧ୍ୟ ଭାରତର ଉଦ୍‌ବେଗକୁ ଶ୍ରୀଲଙ୍କାର ଅଣଦେଖା। ହାମ୍ବାନଟୋଟା ବନ୍ଦରରେ ପ୍ରବେଶ ଲାଗି ଚୀନ୍ ସ୍ପାଏ ସିପ୍ ୟୁଆନ୍ ଓ୍ୱାଙ୍ଗ-ଫାଇଭ୍‌କୁ ଅନୁମତି ଦେଇଛନ୍ତି ସେଠିକାର ସରକାର। ଏକାଧିକ ଆଧୁନିକ ରାଡାର୍ ଖଞ୍ଜାଥିବା ଏହି ସ୍ପାଏ ସିପ୍ ଶ୍ରୀଲଙ୍କାକୁ ଆସିବା ଯୋଗୁଁ ଭାରତର ଦକ୍ଷିଣରେ ଥିବା ବିଭିନ୍ନ ସାମରିକ ଓ କ୍ଷେପଣାସ୍ତ୍ର ଘାଟିର ସୁରକ୍ଷା ପ୍ରତି ବିପଦ ଆଶଙ୍କା ଥିବା କୁହାଯାଉଛି। ତେଣୁ ଏହାକୁ ନେଇ ଚିନ୍ତା ପ୍ରକଟ କରିଥିଲା ନୂଆଦିଲ୍ଲୀ। ହେଲେ ଚୀନ୍‌ରୁ କଥାକୁ କାଟିବା ଏବେ ଶ୍ରୀଲଙ୍କା ପାଇଁ ଏକପ୍ରକାର ଅସମ୍ଭବ ହୋଇପଡ଼ିଛି। କାରଣ ଆର୍ଥିକ ଋଣ ସହିତ ବିଭିନ୍ନ ଚାପରେ ଶ୍ରୀଲଙ୍କାକୁ ଛନ୍ଦି ନିଜ କଥା ମାନିବାକୁ ବାଧ୍ୟ କରୁଛି ବେଜିଂ।

Advertisment

ଚୀନ୍ ତଥାକଥିତ ଗବେଷଣା ଲାଗି ଉଦ୍ଦିଷ୍ଟ ଏହି ଜାହାଜ ଭାରତର ଦୃଢ଼ ପ୍ରତିବାଦ ସତ୍ତ୍ୱେ ଆଜି ସକାଳେ ଲଙ୍ଗର ପକାଇଛି। ଶ୍ରୀଲଙ୍କାର ହାମ୍ବାନଟୋଟା ବନ୍ଦରରେ ଅଗଷ୍ଟ ୧୧ ତାରିଖରେ ଏହି ଜାହାଜ ହମ୍ବାନଟୋଟାରେ ଲାଗି ଥାଆନ୍ତା। ମାତ୍ର ଭାରତର ଉଦ୍‌ବେଗ ଦୃଷ୍ଟିରୁ ଜାହାଜ ଆଗମନକୁ ବିଳମ୍ବିତ କରିବା ଲାଗି ଶ୍ରୀଲଙ୍କା ପକ୍ଷରୁ ଚୀନ୍‌କୁ ଅନୁରୋଧ କରାଯାଇଥିଲା। ଆଜି ଠାରୁ ୨୨ ତାରିଖ ଯାଏଁ ଏହା ହମ୍ବାନଟୋଟା ବନ୍ଦରରେ ରହିବା ସହ ଇନ୍ଧନ ଭରିବ।

ଏହି ଜାହାଜକୁ ସାଟେଲାଇଟ୍ ଓ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ରକୁ ଟ୍ରାକ୍ କରିବା ଲାଗି ବ୍ୟବହାର କରିଥାଏ ଚୀନ୍ ସେନା। ପିଏଲ୍ଏ ଗୁପ୍ତଚର ବୃତ୍ତି ଏହାର ମୁଖ୍ୟ କାମ ବୋଲି କୁହାଯାଉଛି। ଏଥିରେ ପାଖାପାଖି ୨ ହଜାର ନୌସୈନିକ ଥିବା ସୂଚନା ମିଳିଛି।

Advertisment

ଭାରତର ଦକ୍ଷିଣ ତଟ ଠାରୁ ଜାହାଜଟି ଅତି କମ୍ ଦୂରତାରେ ଥିବାରୁ ନୂଆଦିଲ୍ଲୀ ପକ୍ଷରୁ ଉଦ୍‌ବେଗ ପ୍ରକାଶ କରାଯାଇଥିଲା। ଏନେଇ ଶ୍ରୀଲଙ୍କା କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲା। ଏହା ପରେ ଜାହାଜ ଆଗମନକୁ ବିଳମ୍ବିତ କରିବାକୁ ଚୀନ୍‌କୁ ଅନୁରୋଧ କରିଥିଲା ଶ୍ରୀଲଙ୍କା। ମାତ୍ର ଚୀନ୍ ଏଥିରେ କ୍ଷୁବ୍ଧ ହେବା ସହ ଓଲଟା ଭାରତକୁ ପାଠ ପଢାଇବାକୁ ଉଦ୍ୟମ କରିଥିଲା।

ୟୁଆନ ଓ୍ୱାଙ୍ଗ୍‌ ଜାହାଜକୁ ହମ୍ବାନଟୋଟାରେ ପ୍ରବେଶ ଲାଗି ଅନୁମତି ଦେବା, ଚୀନ୍ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ୱିପାକ୍ଷିକ ପ୍ରସଙ୍ଗ ଓ ଏଥିରେ ତୃତୀୟ ପକ୍ଷ ହସ୍ତକ୍ଷେପ କରିବା ଉଚିତ ନୁହେଁ ବୋଲି କହିଥିଲା ବେଜିଂ। ଅନ୍ୟପକ୍ଷରେ ଭାରତର ସୁରକ୍ଷା ପ୍ରତି ବିପଦ ଆଶଙ୍କା ସଂପୂର୍ଣ୍ଣ ଅମୂଳକ ବୋଲି ଚୀନ୍ ବୈଦେଶିକ ବ୍ୟାପାର ମୁଖପାତ୍ର କହିଥିଲେ। ତେବେ ଏଭଳି ମନ୍ତବ୍ୟକୁ ନେଇ କଡ଼ା ପ୍ରତିକ୍ରିୟା ରଖିଥିଲା ଭାରତ। ଭାରତକୁ ଇଙ୍ଗିତ କରି ଦିଆଯାଇଥିବା ଏଭଳି ମନ୍ତବ୍ୟ ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଥିଲେ ବୈଦେଶିକ ବ୍ୟାପାର ମୁଖପାତ୍ର ଅରିନ୍ଦମ ବାଗ୍‌ଚୀ। ଶ୍ରୀଲଙ୍କା ଏକ ସାର୍ବଭୌମ ରାଷ୍ଟ୍ର ଓ ଏହା ନିଜସ୍ୱ ନିର୍ଣ୍ଣୟ ନେଇପାରିବ ବୋଲି ବାଗ୍‌ଚୀ ସ୍ପଷ୍ଟ କରିଥିଲେ।

Advertisment

ଶ୍ରୀଲଙ୍କା ପାର୍ଲାମେଣ୍ଟରେ ଉଠିଛି ପ୍ରସଙ୍ଗ। ତାମିଲ ପ୍ରୋଗ୍ରେସିଭ୍ ଆଲାଏନ୍ସ-ଟିପିଏ ସରକାରଙ୍କ ନିଷ୍ପତ୍ତିକୁ ଜୋରଦାର ଢଙ୍ଗରେ ବିରୋଧ କରିଛନ୍ତି। ଯେଉଁମାନେ ସରକାରଙ୍କ ନିଷ୍ପତ୍ତିକୁ ସମର୍ଥନ କରୁଛନ୍ତି ସେମାନେ ଚୀନ୍ ଜାହାଜରେ ବସି ବେଜିଂ ଚାଲିଯାଆନ୍ତୁ ବୋଲି କହିଛନ୍ତି କଲମ୍ବୋ ସାଂସଦ ମାନୋ ଗଣେଶନ୍।

ହାମ୍ବାନଟୋଟା ବନ୍ଦରରେ ଚୀନ୍ ସ୍ପାଏ ସିପ୍‌ର ଉପସ୍ଥିତିକୁ ବିରୋଧ କରିଛି ସେଠାକାର ତାମିଲ ପ୍ରୋଗ୍ରେସିଭ୍ ଆଲାଏନ୍ସ- TPA। ଶ୍ରୀଲଙ୍କା ଜଳରାଶିରେ ଚୀନୀ ଜାହାଜ ପ୍ରବେଶ କରିବା ସଂପୂର୍ଣ୍ଣ ଅନୁଚିତ ବୋଲି କହିଛନ୍ତି ଦଳର ନେତା ତଥା କଲୋମ୍ବୋ ସାଂସଦ ମାନୋ ଗଣେଶନ୍। ଚୀନ୍ ଶ୍ରୀଲଙ୍କା ଠାରୁ ବହୁ ଦୂରରେ ହୋଇଥିବା ବେଳେ ଭାରତ ପଡ଼ୋଶୀ ରାଷ୍ଟ୍ର। ତେଣୁ ସୁରକ୍ଷା ପ୍ରସଙ୍ଗକୁ ନେଇ ଭାରତର ଉଦ୍‌ବେଗ ଯଥାର୍ଥ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଦେଶର ଆର୍ଥିକ ସଂକଟ ବେଳେ ଭାରତ ପ୍ରାୟ ୪ ବିଲିୟନ ଡଲାରର ଆର୍ଥିକ ସହାୟତା ଦେଇଥିବା ବେଳେ, ଅନ୍ୟପକ୍ଷରେ ଚୀନ୍ ନିଜେ ଦେଇଥିବା ଋଣର ରି-ଷ୍ଟ୍ରକ୍ଚରିଂ ପାଇଁ ବି ରାଜି ହୋଇ ନଥିଲା। ତେଣୁ ଯେଉଁମାନେ ଚୀନ୍‌କୁ ସମର୍ଥନ କରୁଛନ୍ତି ସେମାନେ ଚୀନୀ ଜାହାଜରେ ବସି ବେଜିଂ ଚାଲିଯାଆନ୍ତୁ ବୋଲି ପାର୍ଲାମେଣ୍ଟରେ ଗର୍ଜିଛନ୍ତି ଟିପିଏ ସାଂସଦ।

ଋଣ ଯନ୍ତାରେ ଫସାଇ ଅନ୍ୟର ସଂପତ୍ତି ହଡ଼ପ ଲାଗି ଚୀନୀ ଷଡ଼ଯନ୍ତ୍ରର ପ୍ରମୁଖ ନମୁନା ହେଉଛି ହାମ୍ବାନଟୋଟା ବନ୍ଦର। ଚୀନ୍ ଦେଇଥିବା ଋଣ ରାଶିରେ ଏହି ବନ୍ଦର ନିର୍ମାଣ କରାଯାଇଥିଲା। ତେବେ ମାତ୍ରାଧିକ ସୁଧ ଓ ବନ୍ଦରରୁ ସିଧାସଳଖ ଅର୍ଥ ଉପାର୍ଜନ ନ ହେବାରୁ ଫସି ଯାଇଥିଲା ଶ୍ରୀଲଙ୍କା। ଏହାର ସୁଯୋଗ ନେଇ ବନ୍ଦର ଉପରେ କବ୍‌କା କରିଛି ବେଜିଂ। ଋଣ ପରିଶୋଧ ବାବଦକୁ ହାମ୍ବାନଟୋଟା ବନ୍ଦରକୁ ଚୀନ୍ ୯୯ ବର୍ଷିଆ ଲିଜ୍‌ରେ ନେଇଛି।

ଭାରତ ମହାସାଗରରେ ଅବସ୍ଥିତ ଏହି ବନ୍ଦର ସାମରିକ ଦୃଷ୍ଟି କୋଣରୁ ବେଶ ଗୁରୁତ୍ୱପୂର୍ଣ୍ଣ। ତେଣୁ ଏଠାରେ ଚୀନୀ ସ୍ପାଏ ସିପ୍‌ର ଉପସ୍ଥିତିକୁ ଭାରତ ବିରୋଧ କରିବା ସ୍ୱାଭାବିକ। ହାମ୍ବାନଟୋଟାରେ ଚୀନ୍ ଜାହାଜର ଉପସ୍ଥିତିକୁ ନେଇ ପୂର୍ବରୁ ଆମେରିକା ମଧ୍ୟ ଉଦ୍‌ବେଗ ପ୍ରକାଶ କରିଥିଲା। ତେବେ ଭାରତ ଓ ଆମେରିକାର ଉଦ୍‌ବେଗ ଭିତ୍ତିହୀନ ବୋଲି ଚୀନ୍ କହିବା ପରେ, ଶ୍ରୀଲଙ୍କା ସରକାର ଏହାକୁ ଅନୁମତି ପ୍ରଦାନ କରିଛନ୍ତି। ମାତ୍ର ଏହାକୁ ନେଇ ଆଗାମୀ ଦିନରେ ଭାରତ-ଶ୍ରୀଲଙ୍କା ସଂପର୍କ କି ମୋଡ଼ ନେଉଛି ତା’ ଉପରେ ନଜର ରହିଛି।

International Link China Spy Ship
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ