ଆମେରିକା ତାଇୱାନ୍ର ଗଣତନ୍ତ୍ରକୁ ସମର୍ଥନ କରେ ଏବଂ ତାକୁ କେବେବି ଏକୁଟିଆ ଛାଡ଼ିଦେବ ନାହିଁ ବୋଲି ତାଇପେରେ ଖୋଲାଖୋଲି ପ୍ରକାଶ କରିଛନ୍ତି ଆମେରିକା କଂଗ୍ରେସ୍ ବାଚସ୍ପତି ନାନ୍ସି ପେଲୋସି । ଏଣେ ତାଙ୍କର ଗସ୍ତ ଚୀନ୍ର ସର୍ବଭୌମତା ପ୍ରତି ବିପଦ ଦର୍ଶାଇ, ଉଭୟ ତାଇୱାନ୍ ଓ ଆମେରିକାକୁ ପରିଣତି ଭୋଗିବାର ଚେତାବନୀ ଦେଇଛି ବେଜିଂ । ଏଥିସହ ତାଇୱାନ୍ ଉପରେ ବିଭିନ୍ନ ବ୍ୟବସାୟିକ କଟକଣା ମଧ୍ୟ ଲଗାଇଛି ସି ଜିନ୍ପିଙ୍ଗ ସରକାର । ତେବେ ଏହି ବର୍ଦ୍ଧିତ ତିକ୍ତତା ଭାରତକୁ ମଧ୍ୟ ପ୍ରଭାବିତ କରିବ ବୋଲି ଆଶଙ୍କା କରୁଛନ୍ତି ବିଶେଷଜ୍ଞ ।
ଏବେ ବିଶ୍ୱ ଆଗରେ ୨ଟି ବିକଳ୍ପ- ଗଣତନ୍ତ୍ର ଓ ଏକତନ୍ତ୍ର । ତାଇୱାନ୍ ଗଣତନ୍ତ୍ରର ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ ଆମେରିକା । ଆମେରିକା ତାଇନାନ୍ର ଭରସାଯୋଗ୍ୟ ସହଯୋଗୀ । ବହୁ ବାଦ ବିବାଦ ଓ ଚୀନ୍ର ଧମକ ସତ୍ତ୍ୱେ ତାଇୱାନ୍ ଗସ୍ତରେ ଆସି ଏଭଳି ବଳିଷ୍ଠ ବକ୍ତବ୍ୟ ରଖିଛନ୍ତି ଆମେରିକା ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭର ବାଚସ୍ପତି ନାନ୍ସି ପେଲୋସି । ତାଇୱାନ୍ ରାଷ୍ଟ୍ରପତି ସାଇ ଇଙ୍ଗ୍-ୱିନ୍ଙ୍କ ସହ ସାକ୍ଷାତ ଅବସରରେ ନାନ୍ସି କହିଛନ୍ତି, ତାଇୱାନ୍କୁ ଆମେରିକା କେବେବି ଏକୁଟିଆ ଛାଡ଼ିଦେବ ନାହିଁ । ସବୁବେଳେ ତା ସହିତ ଠିଆ ହେବ । ଏହି ଅବସରରେ ଆମେ ବିଶ୍ୱର ସବୁ ଗଣତନ୍ତ୍ର ସହିତ ସଂପର୍କ ପ୍ରତିଷ୍ଠା କରିବାକୁ ଚାହୁଁଛୁ ବୋଲି କହିଛନ୍ତି ତାଇୱାନ୍ ରାଷ୍ଟ୍ରପତି ସାଇ ଇଙ୍ଗ୍-ଓ୍ୱିନ୍ । ଏହି ସାକ୍ଷାତ ପରେ ଆଜି ତାଇୱାନ୍ରୁ ସାଉଥ୍ କୋରିଆ ଯାଇଛନ୍ତି ନାନ୍ସି ।
Also Read
ବିଗତ ୨୫ ବର୍ଷ ଭିତରେ ତାଇୱାନ୍ ଆସିବାରେ ନାନ୍ସି ହେଉଛନ୍ତି ସବୁଠୁ ଉଚ୍ଚପଦସ୍ଥ ନିର୍ବାଚିତ ଆମେରିକୀୟ ଜନପ୍ରତିନିଧି । ହେଲେ ଏହି ଗସ୍ତ ଚୀନ୍ର ସାର୍ବଭୌମତା ପ୍ରତି ଚ୍ୟାଲେଞ୍ଜ ବୋଲି କହିଛି ବେଜିଂ । ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ହୁଆ ଚୁନିଙ୍ଗ୍ କହିଛନ୍ତି, ନାନ୍ସିଙ୍କ ତାଇୱାନ୍ ଗସ୍ତ ଗଣତନ୍ତ୍ର ସଂପର୍କିତ ନଥିଲା । ଏହା ଚୀନ୍ର ସର୍ବଭୌମତା ଓ ଅଖଣ୍ଡତାର ପ୍ରସଙ୍ଗ । ନାନ୍ସିଙ୍କ ଗସ୍ତକୁ ଦେଖି ତାଇୱାନ୍ ଚାରିପଟେ ଚୀନ୍ ସେନାର ସମରାଭ୍ୟାସ କଥା ପଚରାଯିବାରୁ, ଆମେରିକା ଉସୁକାଉଛି ଏବଂ ଚୀନ୍ ପୀଡ଼ିତ ହେଉଛି ବୋଲି ସେ କହିଛନ୍ତି ।
ଯିଏ ଚୀନ୍କୁ ଅପମାନିତ କରିବ ସେ ଦଣ୍ଡ ଭୋଗିବ ବୋଲି ଚେତାବନୀ ଦେଇଛି ବେଜିଂ । ଏଥିସହ ବେଜିଂରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ନିକୋଲାସ୍ ବର୍ନସ୍ଙ୍କୁ ସମନ୍ କରି କଡ଼ା ପ୍ରତିବାଦ ଜଣାଇଛି ଚୀନ୍ । ଅନ୍ୟପକ୍ଷରେ ବାଇଡେନ୍ ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି ଯେ, ଆମେରିକାର ୱାନ୍-ଚାଇନା ପଲିସିରେ କୌଣସି ପରିବର୍ତ୍ତନ ହେବ ନାହିଁ । ତେବେ ତାଇପେ ସହିତ ଅନୌପଚାରିକ ସଂପର୍କ ଓ ପ୍ରତିରକ୍ଷା ସହଭାଗିତା ଜାରି ରହିବ ।
କ୍ଷୁଦ୍ର ଦ୍ୱୀପ ତାଇୱାନ୍ ନିଜକୁ ସ୍ୱତନ୍ତ୍ର ଦେଶ କହୁଛି । ହେଲେ ବିଶାଳ ଚୀନ୍ କହୁଛି ଏହା ମୋର ସାମ୍ରାଜ୍ୟ । ଇଏ ବିଗତ ୭ ଦଶନ୍ଧିର ବିବାଦ । ଆଉ ଏହି ବିବାଦ ନିଆଁରେ ଘିଅ ଢାଳିଛି ନାନ୍ସିଙ୍କ ଗସ୍ତ । ଏହି ଗସ୍ତ ବିଶ୍ୱ ସମ୍ମୁଖରେ ତାଇଓ୍ୱାନ୍କୁ ସ୍ବତନ୍ତ୍ର ରାଷ୍ଟ୍ର ଭାବେ ଦର୍ଶାଉଥିବାରୁ, ରକ୍ତ ଚାଉଳ ଚୋବାଉଛନ୍ତି ଚୀନ୍ । ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ଚାପ ପ୍ରୟୋଗ ଲାଗି ଚୀନ୍ ତାଇୱାନ୍ରୁ ଅଙ୍ଗୁର, କମଳା ଓ ମତ୍ସ୍ୟ ଉତ୍ପାଦ ଆମଦାନୀ ଉପରେ କଟକଣା ଲଗାଇଛି ।
କୋକୋ ବିନ୍, ଚା, ମହୁ, ପନିପରିବା, କ୍ରାକର୍, ପେଷ୍ଟ୍ରି ଓ ନୁଡୁଲ୍ ବିକୁଥିବା ଶତାଧିକ ତାଇୱାନୀ ବ୍ରାଣ୍ଡ୍ ଓ କିଛି କଂପାନୀକୁ ମଧ୍ୟ କଳାତାଲିକା ଅନ୍ତର୍ଭୁକ୍ତ କରିଛି । ଏଥିସହ ନିଜ ଦେଶରୁ ତାଇୱାନ୍କୁ ବାଲି ରପ୍ତାନୀ ସ୍ଥଗିତ ରଖିଛି । ତେଣେ ଚୀନ୍-ତାଇୱାନ୍ ସମ୍ଭାବ୍ୟ ଯୁଦ୍ଧ ସ୍ଥିତିକୁ ଦେଖି ସମୁଦ୍ରରେ ବାଟ ବଦଳାଇଛନ୍ତି ଉତ୍ତର ଏସିଆକୁ ଆସୁଥିବା ତୈଳ ଓ ଗ୍ୟାସ୍ ବୋଝେଇ ଜାହାଜ । ଯାହାକି ପରିବହନକୁ ବିଳମ୍ବିତ କରିଛି । ଏସବୁ କାରଣରୁ ବିଶ୍ୱ ଅର୍ଥନୀତି ଗୁରୁତର ଭାବେ ପ୍ରଭାବିତ ହେବାର ଆଶଙ୍କା ଉପୁଜିଛି । ତେବେ ଏହାଦ୍ୱାରା ଭାରତ ଉପରେ କଣ ପ୍ରଭାବ ପଡ଼ିବ, ସେନେଇ ମତ ରଖିଛନ୍ତି ଅର୍ଥନୀତି ବିଶାରଦ ।
ଚୀନ୍ର ସମରାଭ୍ୟାସକୁ ଦେଖି ତାଇୱାନ୍ ସେନା ବି ପ୍ରସ୍ତୁତ ହେଉଛି । ତେଣୁ ଏବେ ବଡ଼ ପ୍ରଶ୍ନ, ଚୀନ-ତାଇୱାନ୍ ତିକ୍ତତା ପୁଣି ବିଶ୍ୱକୁ ଋଷ୍-ୟୁକ୍ରେନ୍ ଭଳି ଯୁଦ୍ଧସ୍ଥିତିର ସମ୍ମୁଖୀନ କରାଇବନି ତ?