ଏବେ ପୁଣି ଚର୍ଚ୍ଚାରେ ମାଇକ୍ରାସପ୍ଟ ସଂସ୍ଥାପକ ବିଲ ଗେଟ୍ସ । ଏଥର ଚର୍ଚ୍ଚା ତାଙ୍କର କୋଟି କୋଟି ଟଙ୍କାର ସମ୍ପତ୍ତିକୁ ନେଇ ନୁହେଁ କିମ୍ବା ତାଙ୍କ ପତ୍ନୀ ମେଲିଣ୍ଡାଙ୍କ ସହ ହୋଇଥିବା ବିବାହ ବିଚ୍ଛେଦକୁ ନେଇ ନୁହେଁ । କିମ୍ବା ତାଙ୍କର କୌଣସି ପରୋପକାର କାମକୁ ନେଇ ନୁହେଁ । ଏଥର ଚର୍ଚ୍ଚା ତାଙ୍କର ଏକ ଘୋଷଣାକୁ ନେଇ । ବିଲ ଗେଟସ ଏବେ ଏମିତି ଏକ ଘୋଷଣା କରି ସମସ୍ତଙ୍କୁ ଚମକେଇ ଦେଇଛନ୍ତି ଯେ, ସେ ତାଙ୍କ ସମ୍ପତ୍ତିର ମାତ୍ର ଏକ ପ୍ରତିଶତ ଅଂଶ ସନ୍ତାନମାନଙ୍କୁ ଦେବେ । ସେ ଏକଥା ବି କହିଛନ୍ତି ଯେ, ତାଙ୍କ ପିଲାମାନେ ଉତ୍ତରାଧିକାରୀ ସୂତ୍ରରେ ପାଇଥିବା ସମ୍ପତ୍ତିର ମାଲିକ ନ ହୋଇ ନିଜେ କିଛି କରନ୍ତୁ ଏବଂ ସଫଳତା ପାଆନ୍ତୁ ।
ଅବଶ୍ୟ ଏକଥା ସତ ଯେ, ମାଇକ୍ରୋସପ୍ଟ ପରି ସଂସ୍ଥାର ମାଲିକଙ୍କ ଏକ ପ୍ରତିଶତ ସମ୍ପତ୍ତିର ମୂଲ୍ୟ କିଛି କମ ନୁହେଁ । ଏହାର ଗୋଟିଏ ଅଂଶ ଏକ ବିଲିଅନ ଡଲାରରୁ ଅଧିକ ହେବ । ବ୍ଲୁମବର୍ଗ ବିଲିୟନିୟର ଇଣ୍ଡେକ୍ସ ଅନୁସାରେ, ବିଲଗେଟ୍ସଙ୍କ ସମ୍ପତ୍ତିର ମୂଲ୍ୟ ୧୬୨ ବିଲିଅନ ଡଲାର ଅର୍ଥାତ ଟଙ୍କାରେ ୧୩,୯୦୦ ଅରବ ଟଙ୍କା । ଏହାର ଏକ ପ୍ରତିଶତ ଅଂଶ ୧.୬୨ ବିଲିଅନ ଡଲାର ହେବ । ଉତ୍ତରାଧିକାର ସୂତ୍ରରେ ଯାହା ପାଇଲେ ବି ତାଙ୍କର ତିନି ସନ୍ତାନଙ୍କ ନାମ ବିଶ୍ୱର ଶ୍ରେଷ୍ଠ ଧନୀଙ୍କ ତାଲିକାରେ ରହିବ ।
Also Read
ଏକ ପଡକାଷ୍ଟରେ ବିଲ ଗେଟ୍ସ କହିଥିଲେ, ତାଙ୍କର ପିଲା ଖୁବ ଉଚ୍ଚ ଶିକ୍ଷିତ । ଖୁବ ଉତ୍ତମ ସଂସ୍କାର ମଧ୍ୟ ପାଇଛନ୍ତି । ହେଲେ ଏବେ ତାଙ୍କୁ ନିଜର ପରିଚୟ ସୃଷ୍ଟି କରିବାକୁ ପଡ଼ିବ । ସେ ଆହୁରି କହିଥିଲେ, ‘ଏହା କୌଣସି ରାଜବଂଶ ନୁହେଁ । ମୁଁ ସେମାନଙ୍କୁ ମାଇକ୍ରୋସଫ୍ଟ ଚଲାଇବାକୁ କହୁନି । ମୁଁ ତାଙ୍କୁ ରୋଜଗାର କରିବା ପାଇଁ ଏବଂ ସଫଳତା ପାଇବା ଲାଗି ଏକ ସୁଯୋଗ ଦେବାକୁ ଚାହୁଁଛି । ପିଲାମାନଙ୍କୁ ଖୁବ ପରିଶ୍ରମ କରି ଆଗକୁ ଯିବାକୁ ପଡିବ ।’
୬୯ ବର୍ଷୀୟ ବିଲ ଗେଟ୍ସ ଏହା ପୂର୍ବରୁ ମଧ୍ୟ ଥରେ କହିଥିଲେ, ‘ନିଜର ସାରା ସମ୍ପତ୍ତି ପିଲାଙ୍କୁ ଦେବା ଏକ ଭୁଲ । ତେବେ ସେ ତାଙ୍କ ସମ୍ପତ୍ତିର ଅଧିକାଂଶ ଭାଗ ଦାନ କରିଦେବାକୁ ଚାହାଁନ୍ତି ।
କେତେ ସନ୍ତାନର ଜନକ ବିଲ ଗେଟ୍ସ ?
ବିଲ ଗେଟ୍ସ ଏବଂ ମେଲିଣ୍ଡା ଫ୍ରେଞ୍ଚ ଗେଟ୍ସ ତିନୋଟି ସନ୍ତାନର ପିତା-ମାତା ହେବାର ସୌଭାଗ୍ୟ ଅର୍ଜ୍ଜନ କରିଛନ୍ତି । ସବୁଠାରୁ ବଡ ୨୮ ବର୍ଷୀୟ ଜେନିଫର କେଥେରାଇନ ଗେଟ୍ସ । ୨ୟ ସନ୍ତାନ ୨୫ ବର୍ଷୀୟ ରୋରି ଜନ ଗେଟ୍ସ ଏବଂ ତୃତୀୟ ହେଉଛି ୨୨ ବର୍ଷର ଝିଅ ଫୋବେ ଏଡେଲ ଗେଟ୍ସ । ମାଗାଜିନ ‘ପିପଲ’ର ତଥ୍ୟ ଅନୁସାରେ, ପିଲାମାନଙ୍କର ହାଇସ୍କୁଲରୁ ସ୍ନାତକ ଶେଷ ହେବା ପର୍ଯ୍ୟନ୍ତ ଉଭୟେ ତାଙ୍କର ତଲାକକୁ ଏଡାଇ ଦେଇଥିଲେ । ୨୦୨୧ରେ ବିଲ ଗେଟ୍ସ ଏବଂ ମେଲିଣ୍ଡା ପରସ୍ପରଠାରୁ ଅଲଗା ହୋଇଥିଲେ । ତାଙ୍କର ତିନି ସନ୍ତାନ ନିଜ ନିଜ ଜୀବନକୁ ନେଇ ଅଧିକାଂଶ ସମୟରେ ମିଡିଆଠାରୁ ଦୂରରେ ଥାନ୍ତି । ତେବେ ଝିଅ ଫୋବେର ସଧାରଣ ଜୀବନ ଅନେକ ସମୟରେ ସାମ୍ନାକୁ ଆସିଥାଏ ।
କ’ଣ କରନ୍ତି ବିବାହିତ ଜେନିଫର ଗେଟ୍ସ
ତିନି ଭାଇ-ଭଉଣୀ ନିଜ ବାପାଙ୍କ ପରି ସିଏଟଲର ଏକ ପ୍ରତିଷ୍ଠିତ ସ୍କୁଲରେ ଶିକ୍ଷା ପ୍ରାପ୍ତ କରିଛନ୍ତି । ଜେନିଫର ଗେଟ୍ସ କଲମ୍ବିଆ ବିଶ୍ୱବିଦ୍ୟାଳୟରୁ ପବ୍ଲିକ ହେଲ୍ଥରେ ଗ୍ରାଜୁଏସନ କରିଛନ୍ତି ଏବଂ ଷ୍ଟେନଫୋର୍ଡ ବିଶ୍ୱବିଦ୍ୟାଳୟରୁ ମାନବ ଜୀବ ବିଜ୍ଞାନରେ ଡିଗ୍ରୀ କରିଛନ୍ତି । ଜେନିଫର ମେ’ ୨୦୨୪ରେ ମାଉଣ୍ଟ ସିନାଇର ଇକାହନ ସ୍କୁଲ ଅଫ ମେଡିସିନରୁ ସ୍ନାତକ କରିଛନ୍ତି । ସେ ମାଉଣ୍ଟ ସିନାଇରେ ନିଜର ମେଡିକାଲ ପ୍ରାକ୍ଟିସ କରୁଛନ୍ତି । ଜେନିଫର ଜଣେ ବୃତ୍ତିଗତ ଘୋଡାଚାଳକ ଅଟନ୍ତି । ସେ ୨୦୨୧ ଅକ୍ଟୋବରରେ ସାଥୀ ଘୋଡା ଚାଳକ ନାୟଲ ନାସରଙ୍କୁ ବିବାହ କରିଛନ୍ତି । ତାଙ୍କର ଲିଲା ଏବଂ ମିୟା ନାମରେ ଦୁଇଟି ଝିଅ ଅଛନ୍ତି ।
କ’ଣ କରନ୍ତି ରୋରୀ ଏବଂ ଫୋବି ?
୧୯୯୯ ମେ’ ୩ ତାରିଖରେ ଜନ୍ମିତ ରୋରୀ ଜନ ଗେଟ୍ସ ୨୦୨୨ରେ ଶିକାଗୋ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି । ୪ ବର୍ଷରେ ସେ ‘ଡବଲ ମେଜର ଏବଂ ମାଷ୍ଟର’ ଡିଗ୍ରୀ ହାସଲ କରିଛନ୍ତି । ବିଲ ଗେଟ୍ସଙ୍କ ସବୁଠାରୁ କନିଷ୍ଠ ସନ୍ତାନ ଫୋବି ୨୦୨୪ ଜୁନରେ ଷ୍ଟେନଫୋର୍ଡ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ଶେଷ କରିଛନ୍ତି । ତାଙ୍କର ଫ୍ୟାଶନ ଡିଜାଇନିଂ ପ୍ରତି ଅଧିକ ରୁଚି ରହିଛି । ସେ ବ୍ରିଟିଶ ବୋଗରେ ଇଣ୍ଟର୍ନସିପ କରିଛନ୍ତି । ସେ ତାଙ୍କର କଲେଜର ରୁମମେଟ ସୋଫିଆ କିୟାନୀ ସହ ମିଶି ଏକ ଟିକାଉ ଫ୍ୟାଶନ ପ୍ଲାଟଫର୍ମ ସ୍ଥାପନ କରିଛନ୍ତି । ସେ ଅନେକ ସମୟରେ ବିଭିନ୍ନ ସାମାଜିକ ଏବଂ ରାଜନୈତିକ ପ୍ରସଙ୍ଗଗୁଡ଼ିକ ଉପରେ ସ୍ୱର ଉଠାଇଥାନ୍ତି । ଏକ ରିପୋର୍ଟ ଅନୁଯାୟୀ, ଫୋବି ବର୍ତ୍ତମାନ ବିଶ୍ୱ ପ୍ରସିଦ୍ଧ ବିଟଲ୍ସ ବ୍ରାଣ୍ଡର ପ୍ରତିଷ୍ଠାତା ସଦସ୍ୟମାନଙ୍କ ମଧ୍ୟରୁ ଜଣେ ପଲ ମ୍ୟାକାର୍ଟନିଙ୍କ ନାତି ଆର୍ଥର ଡୋନାଲ୍ଡଙ୍କୁ ଡେଟ୍ କରୁଛନ୍ତି।
ସମ୍ପତ୍ତି ହସ୍ତାନ୍ତର ନେଇ ପୂର୍ବରୁ ଦେଇଥିଲେ ସୂଚନା
ଏହା ପୂର୍ବରୁ ମାଇକ୍ରୋସପ୍ଟ ସଂସ୍ଥାପକ ଥରେ କହିଥିଲେ, ସେ ତାଙ୍କ ପିଲାଙ୍କୁ ୧୦-୧୦ ମିଲିୟନ ଡଲାର ଉପହାର ଦେବେ । ବିଲ ଗେଟ୍ସ ଚାହାଁନ୍ତି ତାଙ୍କ ପିଲାମାନେ ନିଜକୁ ନିଜେ ପ୍ରତିଷ୍ଠିତ କରାନ୍ତୁ । ବାପାଙ୍କ ଅବିଶ୍ୱସନୀୟ ଭାଗ୍ୟ ଏବଂ ସୌଭାଗ୍ୟରେ ପ୍ରଭାବିତ ନ ହୁଅନ୍ତୁ ।ସେ କହିଥିଲେ, ‘ଆପଣ କେବେ ବି ଚାହିଁବେନି ଯେ, ପିଲାମାନେ ବାପା-ମା’ଙ୍କ ସମର୍ଥନ ଏବଂ ଭଲପାଇବାକୁ ନେଇ କେବେ ବି ଭ୍ରମିତ ହୁଅନ୍ତୁ । ତେଣୁ ନିଜ ବିଚାରକୁ ଆରମ୍ଭରୁ ସ୍ପଷ୍ଟ କରିଦେବା ଉଚିତ ଯେ, ଅଭିଭାବକ ଭାବେ ଜଣେ ସମସ୍ତଙ୍କ ପ୍ରତି ସମାନ ବ୍ୟବହାର କରିବେ ଏବଂ ଅବିଶ୍ୱସନୀୟ ସୁଯୋଗ ଦେବେ । କିନ୍ତୁ ଏହି ସମ୍ବଳଗୁଡ଼ିକର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଫାଉଣ୍ଡେସନ ମାଧ୍ୟମରେ ସବୁଠାରୁ ଅଭାବୀ ଲୋକଙ୍କ ପାଖରେ ପହଞ୍ଚିବା ।"
ଫାଉଣ୍ଡେସନକୁ ଯିବ ସମ୍ପତ୍ତି
ବିଲ ଗେଟ୍ସ ୨୦୧୪ରେ କାନାଡାରେ ଆୟୋଜିତ ଏକ TED ସମ୍ମିଳନୀ (ଟେକ୍ନୋଲଜି, ଏଣ୍ଟରଟେମେଣ୍ଟ ଏବଂ ଡିଜାଇନ ବିଷୟରେ ଆୟୋଜିତ ହେଉଥିବା ଏକ ବାର୍ଷିକ ସମ୍ମିଳନୀ)ରେ ଘୋଷଣା କରିଥିଲେ ଯେ ତାଙ୍କର ବିଶାଳ ସମ୍ପତ୍ତି ତାଙ୍କ ପରିବାରର ଫାଉଣ୍ଡେସନ ‘ବିଲ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ’କୁ ଦାନ କରାଯିବ । ଏଠି କହିରଖିବୁ, ଏହି ଫାଉଣ୍ଡେସନ ବିଶ୍ୱର ସବୁଠାରୁ ବଡ ଚାରିଟି ଅଟେ । ବିଲ ଗେଟ୍ସ ଏବଂ ମେଲିଣ୍ଡା ଗେଟ୍ସ ଅନ୍ୟ କେତେକ କୋଟିପତିଙ୍କ ସହ ମିଶି ୨୦୧୦ରେ ଏକ ଗିଭିଙ୍ଗ ପ୍ଲେଜ ନିର୍ମାଣ କରିଥିଲେ ଯାହା ବିଶ୍ୱର ଅତ୍ୟଧିକ ଧନୀ ଲୋକଙ୍କୁ ନିଜର ଅଧିକାଂଶ ସମ୍ପତ୍ତି ପରୋପକାର କାମ ପାଇଁ ଦାନ କରିବାକୁ ପ୍ରୋତ୍ସାହନ ଦେଇଥାଏ ।
ବିଲ୍ ଗେଟ୍ସଙ୍କ ପରି ଅନେକ କୋଟିପତି ସମ୍ପତ୍ତି ଦାନ କରିଛନ୍ତି
ବିଲ ଗେଟ୍ସଙ୍କ ପ୍ରଥମ କୋଟିପତି ନୁହଁନ୍ତି ଯିଏ ନିଜର ସମସ୍ତ ସମ୍ପତ୍ତି ସନ୍ତାନମାନଙ୍କୁ ଦେବାକୁ ଅନିଚ୍ଛା ପକାଶ କରନ୍ତି । କୋଟିପତି ନିବେଶକ ୱାରେନ ବଫେଟ୍ ୧୯୮୬ ରେ କହିଥିଲେ ଯେ, ସେ ତାଙ୍କ ତିନି ପିଲାଙ୍କୁ ଏମିତି ପରିମାଣର ଟଙ୍କା ଦେବେ ଯାହାକୁ ବିନିଯୋଗ କରି ସେମାନେ କିଛି କରିପାରିବେ ବୋଲି ଅନୁଭବ କରିବେ । କିନ୍ତୁ ଏତେ ଟଙ୍କା ଦେବେ ନାହିଁ , ଯାହାକୁ ପାଇ ସେମାନେ କିଛି କରିବାର ଆବଶ୍ୟକତା ନାହିଁ ବୋଲି ଭାବିବେ । ସେ ଏବେ ବି କହିଛନ୍ତି ଯେ ସେ ତାଙ୍କର ୯୬ ବିଲିୟନ ଡଲାର ସମ୍ପତ୍ତିରୁ କିଛି ବି ଅଂଶ ତାଙ୍କର ଉତ୍ତରାଧିକାରୀ ପାଇବେ ନାହିଁ । କିନ୍ତୁ ଏହାର ୯୯.୫ ପ୍ରତିଶତ ସମ୍ପତ୍ତି ଦାନ କରିବାର ଦାୟିତ୍ୱ ସେମାନେ ନେବେ । ବଫେଟ୍ ତାଙ୍କର ପ୍ରାୟ ସମସ୍ତ ସମ୍ପତ୍ତି ଧାର୍ମିକ ଅନୁଷ୍ଠାନକୁ ଦାନ କରିବାକୁ ଯୋଜନା କରିଛନ୍ତି।
ସେହିପରି ଆମାଜନର ପ୍ରତିଷ୍ଠାତା ଜେଫ ବେଜୋସ ନିଜ ସମ୍ପତ୍ତିର ଅଧିକାଂଶ ଭାଗ ନିଜର ୪ ସନ୍ତାନଙ୍କୁ ଦେବା ବଦଳରେ ଦାନ କରିବାକୁ ଯୋଜନା କରିଛନ୍ତି । ଧନୀ ବ୍ୟବସାୟୀ ମାଇକେଲ ବ୍ଲମବର୍ଗ ମଧ୍ୟ ଏହି କୋଟିପତିଙ୍କ ମଧ୍ୟରେ ଜଣେ ଯିଏ କି ପିଢି ପରେ ପିଢି ଧନ ହସ୍ତାନ୍ତର ପ୍ରକ୍ରିୟାକୁ ବିରୋଧ କରିବା ସହ ପରୋପକାରକୁ ପ୍ରାଥମିକତା ଦିଅନ୍ତି । ଆପଲ କମ୍ପାନୀର ଦିବଂଗତ ପ୍ରତିଷ୍ଠାତା ଷ୍ଟିଭ ଜବ୍ସଙ୍କ ପତ୍ନୀ ଲରେନ ପାୱେଲ ଜବ୍ସ କହିଛନ୍ତି, ନିଜ ପତିଙ୍କଠାରୁ ଉତ୍ତରାଧିକାର ସୂତ୍ରରେ ମିଳିଥିବା କୋଟି କୋଟି ଟଙ୍କାର ସମ୍ପତ୍ତି ତିନି ପିଲାଙ୍କୁ ମିଳିବ ନାହିଁ ।