ପତ୍ନୀଙ୍କଠାରୁ ଆରମ୍ଭ କରି କର୍ମଚାରୀଙ୍କ ଯାଏଁ, ବାଇଡେନ୍‌ଙ୍କ ଭାଷଣ ଶୁଣି ସମସ୍ତେ କାନ୍ଦିଲେ

ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଆଜିକାଲି ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି । କିଛି ଦିନ ପୂର୍ବରୁ ରାଷ୍ଟ୍ରପତି ଜୋ ବାଇଡେନ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା ନକରିବାକୁ ଘୋଷଣା କରିଥିଲେ ।

Joe Biden

ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଆଜିକାଲି ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି । କିଛି ଦିନ ପୂର୍ବରୁ ରାଷ୍ଟ୍ରପତି ଜୋ ବାଇଡେନ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା ନକରିବାକୁ ଘୋଷଣା କରିଥିଲେ । ରାଷ୍ଟ୍ରପତି ନିର୍ବାଚନରୁ ସେ ତାଙ୍କ ନାମ ପ୍ରତ୍ୟାହାର କରି ନେଇଥିଲେ । ତାଙ୍କ ସ୍ଥାନରେ ସେ ରାଷ୍ଟ୍ରପତି ଦୌଡ ପାଇଁ ଡେମୋକ୍ରାଟିକ୍ ପାର୍ଟିରୁ କମଲା ହାରିସ୍‌ଙ୍କ ନାମ ରଖିଥିଲେ ।

ସେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ବୋଲି ଘୋଷଣା କରିବା ପରେ ବାଇଡେନ୍‌ଙ୍କୁ ଆଉ ସର୍ବସାଧାରଣରେ ଦେଖିବାକୁ ମିଳି ନଥିଲା । ତେବେ ବାଇଡେନଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ବାଇଡେନ ନିଜେ ଭାବପ୍ରବଣ ହୋଇପଡ଼ିଥିଲେ ।

ବୈଠକରେ ବାଇଡେନଙ୍କ ପରିବାର ଲୋକେ ମଧ୍ୟ ଉପସ୍ଥିତ ଥିଲେ । ଏହା ସହ ତାଙ୍କ ସହ କାମ କରୁଥିବା କର୍ମଚାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ । ବୈଠକରେ ସେ ରାଷ୍ଟ୍ରପତି ନିର୍ବାଚନରୁ ଓହରି ଯିବାର କାରଣ ଦର୍ଶାଇଥିଲେ । ଦେଶକୁ ସମ୍ବୋଧିତ କଲା ବେଳେ ସେ ଭାବପ୍ରବଣ ହୋଇଯାଇଥିବା ଲକ୍ଷ୍ୟ କରାଯାଇଥିଲା ।

ତାଙ୍କର କଣ୍ଠ ବାଷ୍ପରୁଦ୍ଧ ହୋଇଯାଉଥିଲା । ଏହା ସବ ଅବଶିଷ୍ଟ କାର୍ଯ୍ୟକାଳ ସେ ଦେଶବାସୀଙ୍କ ସେବା ଉଦ୍ଦେଶ୍ୟରେ ଜାରି ରଖିବେ ବୋଲି କହିଥିଲେ । ସେ ନିଜ କାର୍ଯ୍ୟକାଳର ଅବଶିଷ୍ଟ ସମୟରେ ଦେଶ ପାଇଁ କାର୍ଯ୍ୟ ଜାରି ରଖିବାକୁ ପ୍ରତିଶ୍ରୁତି ଦେଇଥିଲେ । ୮୧ ବର୍ଷୀୟ ଏହି ରାଷ୍ଟ୍ରପତି ନିଜ ରାଜନୈତିକ ଜୀବନ ବିଷୟରେ କହିବା ବେଳେ ଭାବପ୍ରବଣ ହୋଇଯାଇଥିଲେ ।

୫୦ ବର୍ଷରୁ ଅଧିକ ସମୟ ଧରି ଆମେରିକାର ସେବା କରିବା ନିହାତି ଗୌରବର କଥା ବୋଲି ସେ କହିଥିଲେ । ଏହା ହିଁ ମୋ ଜୀବନର ପରମ ସୌଭାଗ୍ୟ ବୋଲି ସେ କହିଥିଲେ । ଏହି ଅଭିଭାଷଣରେ ସେ ଦେଶ ପାଇଁ କୃତଜ୍ଞ ଥିବା କଥା କହିଥିଲେ । ଏହା ସହ ନିଜ ସମର୍ଥକଙ୍କୁ ସେ କମଳା ହାରିସଙ୍କୁ ସମର୍ଥନ କରିବାକୁ ଅନୁରୋଧ କରିଥିଲେ ।

ଗଣତନ୍ତ୍ର ସବୁବେଳେ ଗୁରୁତ୍ୱପୂର୍ଣ୍ଣ । ଦେଶର ସ୍ୱାର୍ଥ ସବୁବେଳେ ଉଚ୍ଚରେ ବୋଲି ସେ କହିଥିଲେ । ଏହି ସମୟରେ ହ୍ୱାଇଟ ହାଉସରେ ଶତାଧିକ ପ୍ରଶାସନିକ ଅଧିକାରୀ ସମବେତ ହୋଇଥିଲେ । ବାଇଡେନ ନିଜର ମନ୍ତବ୍ୟ ସମାପ୍ତ କରିବା ପରେ ଅନେକ କାନ୍ଦୁଥିବାର ଦେଖିବାକୁ ମିଳିଥିଲା ।

ଏହା ପରେ ସେ ନିଜର କର୍ମଚାରୀଙ୍କୁ ସମର୍ଥନ ପାଇଁ ଧନ୍ୟବାଦ ଜଣାଇଥିଲେ । ହ୍ୱାଇଟ୍ ହାଉସ ବାହାରେ ବାଇଡେନଙ୍କ ସମର୍ଥକମାନେ ନାରା ଦେଉଥିବା ଦେଖିବାକୁ ମିଳିଥିଲା । ରାଷ୍ଟ୍ରପତିଙ୍କ ନେତୃତ୍ୱ ପ୍ରତି ସେମାନଙ୍କର ପ୍ରଶଂସା ଏବଂ ସମ୍ମାନ ପ୍ରକାଶ କରିଥିଲେ । ଆମେରିକାର ପ୍ରଥମ ଲେଡି ଜିଲ ବାଇଡେନ ମଧ୍ୟ ସୋସିଆଲ ମିଡିଆରେ ସମର୍ଥକଙ୍କୁ କୃତଜ୍ଞତା ଜଣାଇଥିଲେ ।