ହିଂସା-ହମଲା-ଜୁଲମ୍ । ଅଶାନ୍ତ ବାଂଲାଦେଶରେ ଅସୁରକ୍ଷିତ ସଂଖ୍ୟାଲଘୁ । ଆକ୍ରମଣକାରୀଙ୍କ ନିଶାନାରେ ହିନ୍ଦୁ, ହିନ୍ଦୁ ମାନଙ୍କ ଘର, ବ୍ୟାବସାୟିକ ପ୍ରତିଷ୍ଠାନ ଓ ବିଭିନ୍ନ ଦେବଦେବୀ ମନ୍ଦିର। କେଉଁଠି ଆକ୍ରମଣକାରୀ ନିଆଁ ଲଗାଉଛନ୍ତି ତ କେଉଁଠି ଲଙ୍କାକାଣ୍ଡ ଭିଆଉଛନ୍ତି। ହିନ୍ଦୁଙ୍କୁ ଖୋଜି ଖୋଜି ବର୍ବୋରଚିତ ଜୁଲମ କରୁଛନ୍ତି, ଯାହାର ନୂଆ ନୂଆ ଚିତ୍ର ସାମନାକୁ ଆସିବାରେ ଲାଗିଛି।
ସଂରକ୍ଷଣ ବିରୋଧୀ ଉଗ୍ର ଛାତ୍ର ଆନ୍ଦୋଳନର ମୁକାବିଲା କରିନପାରି ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଦେଶ ଛାଡ଼ି ପଳାଇଯିବା ଓ ନୋବେଲ ଶାନ୍ତି ପୁରସ୍କାର ବିଜେତା ମହମ୍ମଦ ୟୁନୁସଙ୍କ ନେତୃତ୍ୱଧୀନ ଅନ୍ତରୀଣ ସରକାର ଶପଥ ନେବା ପରେ ବି ସ୍ଥିତି ନିୟନ୍ତ୍ରଣକୁ ଆଣିପାରୁନି ବାଂଲାଦେଶ ସେନା । ତେଣୁ ବାଧ୍ୟ ହୋଇ ଏଭଳି ସ୍ଥିତିରେ ନିଜ ସୁରକ୍ଷା ଲାଗି ରାସ୍ତାକୁ ଓହ୍ଲାଇଲେଣି ସେଠିକାର ହିନ୍ଦୁ। ସେଭ୍ ବାଂଲାଦେଶ ହିନ୍ଦୁ ସୋସାଇଟି ଓ ଆମାର ସୋନାର୍ ବାଂଲା ବ୍ୟାନରରେ ଶୋଭାଯାତ୍ରା କରି ସୁରକ୍ଷା ମାଗୁଛନ୍ତି ଲକ୍ଷ ଲକ୍ଷ ସଂଖ୍ୟାଲଘୁ ହିନ୍ଦୁ।
Also Read
ରାଜଧାନୀ ଢାକା ଓ ଚିଟ୍ଟାଗଙ୍ଗ ସହରରେ ଜନସମୁଦ୍ର ପାଲଟିଥିଲା ରାଜରାସ୍ତା। ସଂଖ୍ୟାଲଘୁଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଟ୍ରିବ୍ୟୁନାଲ ଗଠନ ଓ ସୁରକ୍ଷା ଆଇନ ପ୍ରଣୟନ ସହ ସଂସଦରେ ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ ଦାବି କରିଛି ହିନ୍ଦୁ ସୋସାଇଟି।
ଅଗଷ୍ଟ ୫ ପରଠୁ ବାଂଲାଦେଶରେ ଉଗ୍ର ହୋଇଛି ରାଜନୈତିକ ଅସ୍ଥିରତା। ସପ୍ତାହକ ଭିତରେ ୫୨ ଜିଲ୍ଲାରେ ହିନ୍ଦୁଙ୍କ ସହ ଖ୍ରୀଷ୍ଟିଆନ୍, ବୌଦ୍ଧ ଓ ଇହୁଦିଙ୍କ ଭଳି ଅନ୍ୟ ସଂଖ୍ୟାଲଘୁଙ୍କ ଉପରେ ୨୦୫ଟି ହିଂସାତ୍ମକ ମାମଲା ସାମ୍ନାକୁ ଆସିଲାଣି। ଶହେରୁ ଅଧିକ ଜୀବନ ବି ଗଲାଣି। ସଂଖ୍ୟାଲଘୁଙ୍କ ଉପରେ ବର୍ବରତାକୁ ଦେଖି ବିଶ୍ବବ୍ୟାପୀ ଚିନ୍ତା ବଢ଼ିଛି। ବ୍ରିଟେନ୍, କାନାଡ଼ା, ଭାରତ ଓ ଆମେରିକାରେ ବି ଉଠିଛି ବିରୋଧର ସ୍ୱର। ସିଲିଗୁଡ଼ିରେ ରାସ୍ତାରେ ଚାଲିଛି ପ୍ରତିବାଦ। ଓଡ଼ିଶାରେ ବି ବାଂଲାଦେଶୀ ହିନ୍ଦୁଙ୍କ ସୁରକ୍ଷା ଦାବି ହେଲାଣି। ଭଦ୍ରକ, ଖଡ଼ିଆଳ ଓ ମୋହାନାରେ ଲୋକେ ଆନ୍ଦୋଳନ କରିଛନ୍ତି ।
ତେଣେ ହିନ୍ଦୁଙ୍କ ଉପରେ ଆକ୍ରମଣ ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି ବାଂଲାଦେଶର ଅନ୍ତରୀଣ ସରକାର। ଶୀଘ୍ର ଶାନ୍ତି ଫେରାଇବା ଦିଗରେ ମଧ୍ୟବର୍ତ୍ତୀକାଳୀନ ସରକାରର ମୁଖ୍ୟ ମହମ୍ମଦ ୟୁନୁସ ଆଜି ବିଭିନ୍ନ ପକ୍ଷଙ୍କ ସହ ସମୀକ୍ଷା କରିବା କାର୍ଯ୍ୟକ୍ରମ ରହିଛି।