Advertisment

Impact of Operation Sindoor: ଅପରେସନ ସିନ୍ଦୂର ପରେ ପରେ ବଦଳୁଛି ରାଜନୈତିକ ସମୀକରଣ: ଯୁଦ୍ଧ ନୁହେଁ ଶାନ୍ତିମୁହାଁ ବିଶ୍ୱ

ଚୀନ-ପାକିସ୍ତାନର ବନ୍ଧୁତାକୁ ମଧ୍ୟ ସମସ୍ତେ ଜାଣନ୍ତି । ରୁଷ ବି ଭାରତର ବହୁ ପରୀକ୍ଷିତ ବନ୍ଧୁ । ହେଲେ ଏଥର ରୁଷ ପ୍ରତିକ୍ରିୟା ପୂର୍ବ ପରି ନ ଥିଲା । ରୁଷ ଖୋଲାଖୋଲି ଭାରତକୁ ସମର୍ଥନ କରିବା ବଦଳରେ ସମସ୍ୟାକୁ ଆଲୋଚନା ମାଧ୍ୟମରେ ସମାଧାନ କରିବା ପାଇଁ ଏବଂ ମଧ୍ୟସ୍ଥତା କରିବା ପାଇଁ କହିଥିଲା ।

ଅଦ୍ୟତନ ହୋଇଛି
Operation sindoor

Operation sindoor

Advertisment

ଅପରେସନ ସିନ୍ଦୂର ଏକ ପ୍ରକାର ଶେଷ ହୋଇଛି । କଡ଼ା ସର୍ତ୍ତ ରଖି ପାକିସ୍ତାନ ସହ ଯୁଦ୍ଧ ବିରତି ଘୋଷଣା କରିଛି ଭାରତ । ଭାରତ-ପାକିସ୍ତାନ ଯେପରି ଯୁଦ୍ଧ ମୁହାଁ ହେଉଥିଲେ ତାହା ସାରା ବିଶ୍ୱକୁ ଏକ ପ୍ରକାର ପ୍ରଭାବିତ କରିଥିଲା କହିଲେ ଭୁଲ ହେବନି । ହେଲେ ଯୁଦ୍ଧ ଶେଷ ହେବା ପରେ ଆନ୍ତର୍ଜାତିକ ରାଜନୀତିରେ ଏକ ବଡ ପରିବର୍ତ୍ତନ ଦେଖିବାକୁ ମିଳିଛି । କହିବାକୁ ଗଲେ ଯେମିତି ବଦଳି ଯାଇଛି ସମୀକରଣ । ଯେମିତି ବିଶ୍ୱ ଏକ ନୂଆ ରୂପ ନେଇ ଆଗାମୀ ସମୟରେ ଉଭା ହେବାକୁ ଯାଉଛି । ଶତ୍ରୁଦେଶର ମୁଖ୍ୟମାନେ ଆଲୋଚନା ପାଇଁ ଆଗଭର ହେଉଛନ୍ତି । ଆମେରିକା ପରି ଦେଶ ଯୁଦ୍ଧ ମାନସିକତାରୁ ନିଜକୁ ଦୂରେଇ ରଖିବାକୁ ଚାହୁଁଛି । ଏସବୁ ପରିବର୍ତ୍ତନ ମଧ୍ୟରେ ଭାରତ ବି ଏକ ଶକ୍ତିଶାଳୀ ଦେଶ ଭାବେ ଉଭା ହେବାକୁ ଯାଉଛି ।

Advertisment

ଏପ୍ରିଲ ୨୨ ତାରିଖରେ ପହଲଗାମରେ ହୋଇଥିଲା ଆତଙ୍କୀ ଆକ୍ରମଣ । ଚାଲି ଯାଇଥିଲା ୨୬ ପର୍ଯ୍ୟଟକଙ୍କ ଜୀବନ । ଧର୍ମ ନାଁରେ ଏହି ନରସଂହାର ପାଇଁ ଭାରତ ପାକିସ୍ତାନକୁ ଦୋଷୀ ସାବ୍ୟସ୍ତ କରାଇଥିଲା । ଯାହା ଫଳରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଦେଖା ଦେଇଥିଲା । ଏପରି ଉତ୍ତେଜନା ମଧ୍ୟରେ ଭାରତ ମେ’ ୬-୭ ରାତିରେ ପାକିସ୍ତାନ ଏବଂ ପାକ ଅଧୀକୃତ କାଶ୍ମୀରରେ ଥିବା ୯ ଆତଙ୍କୀ ଆଡ୍ଡା ଉପରେ ଜୋରଦାର ଆକ୍ରମଣ କରିଥିଲା । ପାକିସ୍ତାନ ବି ଏହାର  ଜବାବ ଗୁଳିରେ ଦେଇଥିଲା । 

ହେଲେ ଭାରତ ପାକିସ୍ତାନର ପ୍ରତିଆକ୍ରମଣ ଚେଷ୍ଟାକୁ ବିଫଳ କରି ଦେଇଥିଲା । ଏହା ପରେ ମେ’ ୧୦ ତାରିଖରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ବିରତି ଘୋଷଣା କରାଗଲା  । ଏହା ପରଠାରୁ ଦୁଇ ଦେଶର ସୀମାନ୍ତ ଏବେ ଶାନ୍ତ ରହିଛି । ଆଉ ଶୁଭୁନି ଗୁଳିଗୁଳାର ଶବ୍ଦ । ଯେଉଁ ସମୟରେ ଭାରତ ଆଉ ପାକିସ୍ତାନ ମଧ୍ୟରେ ଯୁଦ୍ଧ ସ୍ଥିତି ଲାଗି ରହିଥିଲା ଠିକ ସେହି ସମୟରେ ବିଶ୍ୱରେ କିଛି ବଡ ଧରଣର ପରିବର୍ତ୍ତନର ପଦଧ୍ୱନି ଶୁଣିବାକୁ ମିଳିଥିଲା । ବିଶ୍ୱରେ ଏକ ନୂଆ ପ୍ରକାର ୱାର୍ଲଡ ଅର୍ଡର  ରୂପ ନେଉଥିଲା । ଲୋକଙ୍କୁ ଲାଗୁଥିଲା ଯେମିତି ଏକ ନୂଆ ଆମେରିକା ଉଭା ହେବାକୁ ଯାଉଛି । ଆନ୍ତର୍ଜାତିକ ରାଜନୀତିରେ ଏକ ନୂଆ ସମୀକରଣ ଜନ୍ମ ନେଉଛି ।

Advertisment

ଭାରତ-ରୁଷ ବନ୍ଧୁତାର ନୂଆ ଦିଗ

ଭାରତ-ରୁଷ ବନ୍ଧୁତା ସାରା ବିଶ୍ୱରେ ଏକ ଚର୍ଚ୍ଚିତ ବିଷୟ । ଏ ବନ୍ଧୁତା ଆଜି ନୁହେଁ, ଅନେକ ଦିନର ଅର୍ଥାତ ସୋଭିଏତ ସଂଘ ସମୟର । ଏହି ସମ୍ପର୍କ ଏବେ ବିଭିନ୍ନ କ୍ଷେତ୍ର ଯାଏ ପ୍ରସାରିତ ହୋଇଛି । ଯେମିତି ଭାରତ ରୁଷଠାରୁ ପ୍ରଚୁର ପରିମାଣର ଅସ୍ତ୍ରଶସ୍ତ୍ର କିଣୁଛି । ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ଏହି ଅସ୍ତ୍ରଶସ୍ତ୍ରକୁ ନେଇ ଆଲୋଚନା ବି ଜୋର ଧରିଛି । ବିଶେଷ କରି ଏୟାର ଡିଫେନ୍ସ ପ୍ରଣାଳୀ ଏସ-୪୦୦କୁ ନେଇ ବେଶି ଚର୍ଚ୍ଚା । ଏହି ଅସ୍ତ୍ରକୁ ଭାରତ ରୁଷଠାରୁ ୪୦ ହଜାର କୋଟି ଟଙ୍କା ଦେଇ କିଣିଥିଲା । 

ଏତେ ବନ୍ଧୁତା ମଧ୍ୟରେ ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଅଘୋଷିତ ଯୁଦ୍ଧ ସମୟରେ ରୁଷର ପ୍ରତିକ୍ରିୟା ସେତେଟା ଉତ୍ସାହଜନକ ନ ଥିଲା । ଅବଶ୍ୟ ରୁଷ ଉତ୍ତେଜନା ହ୍ରାସ କରାଇବା ପାଇଁ ଦୁଇ ଦେଶକୁ ଅନୁରୋଧ କରିଥିଲା  । ଏପରିକି ମଧ୍ୟସ୍ଥତା ପାଇଁ ମଧ୍ୟ ପ୍ରସ୍ତାବ ଦେଇଥିଲା । ଏହା ମଧ୍ୟରେ ରୁଷ ରାଷ୍ଟ୍ରପତି ଦିମିତ୍ରୀ ପେସ୍କୋବ କହିଥିଲେ, ‘‘ଭାରତ ଆମର ରଣନୀତିକ ସହଯୋଗୀ । ପାକିସ୍ତାନ ମଧ୍ୟ ଆମର ସହଯୋଗୀ । ଆମେ ଦିଲ୍ଲୀ ଏବଂ ଇସଲାମବାଦ ଉଭୟଙ୍କ ସହିତ ସମ୍ପର୍କକୁ ଗୁରୁତ୍ୱ ଦେଉଛୁ ।’’

Advertisment

ଏଠି ମନେ ପକେଇ ଦେବାକୁ ଚାହିଁବୁ, ଦିନ ଥିଲା ଯେତେବେଳେ ଏଇ ରୁଷ କାଶ୍ମୀର ଏବଂ ଅନ୍ୟ ପ୍ରସଙ୍ଗକୁ ନେଇ ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ବିରୋଧରେ ଆସିଥିବା ପ୍ରସ୍ତାବକୁ ୬ ଥର ଭିଟୋ (ଏଥିରେ ସୋଭିଏତ ସଂଘର ଭିଟୋ ମଧ୍ୟ ରହିଛି)ଲଗାଇଥିଲା । ହେଲେ ଆଜି ଭାରତ ପ୍ରତି ଏପରି ସନ୍ତୁଳିତ ପ୍ରତିକ୍ରିୟା ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । କେହି କେହି ଏହା ପଛରେ ଭାରତର ଆଭିମୁଖ୍ୟକୁ ବି ଦାୟୀ କରିଛନ୍ତି ।

ସେମାନଙ୍କ କହିବା ଅନୁଯାୟୀ, ୟୁକ୍ରେନ ବିରୋଧୀ ଯୁଦ୍ଧରେ ଭାରତ ଖୋଲାଖୋଲି ରୁଷକୁ ସମର୍ଥନ କରିନାହିଁ ଯେଉଁଥିପାଇଁ ରୁଷ ଭାରତ ଉପରେ ଅଭିମାନ କରିଛି । ଯଦିଓ ଯୁଦ୍ଧ ସମୟରେ ମୋଦି ରୁଷ ଗସ୍ତରେ ଯାଇଥିଲେ , କିନ୍ତୁ ପରବର୍ତ୍ତୀ ସମୟରେ ୟୁକ୍ରେନ ବି ଯାଇଥିଲେ । ଭାରତର ଏପରି ସନ୍ତୁଳିତ ପ୍ରତିକ୍ରିୟାକୁ ରୁଷ ମଧ୍ୟ ଗମ୍ଭୀରତାର ସହ ନେଇଛି । ତେଣୁ ପାକିସ୍ତାନ-ଭାରତ ଉତ୍ତେଜନା ସମୟରେ ରୁଷର ସ୍ପଷ୍ଟ ଆଭିମୁଖ୍ୟ ଦେଖିବାକୁ ମିଳି ନ ଥିଲା । 

ସେତିକି ନୁହେଁ, ଭାରତ-ପାକିସ୍ତାନ ସେନା ଯେତେବେଳେ ମୁହାଁମୁହିଁ ସ୍ଥିତିରେ ଥିଲେ ସେତେବେଳେ ରାଷ୍ଟ୍ରପତି ପୁଟିନ ମସ୍କୋର ରେଡ ସ୍କୋୟାରରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ନାଜି ଜର୍ମାନୀ ଉପରେ ସୋଭିଏତ ସଂଘର ବିଜୟର ବର୍ଷ ପୂର୍ତ୍ତି ପାଳନ କରୁଥିଲେ । ଏହି ଅବସରରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସମେତ ୨୭ ଦେଶର ରାଷ୍ଟ୍ରମୁଖ୍ୟ ତାଙ୍କ ସହ ଥିଲେ ।

ଚୀନ-ଆମେରିକା ମଧ୍ୟରେ ବ୍ୟାବସାୟିକ ବୁଝାମଣା

ଚୀନ-ପାକିସ୍ତାନର ବନ୍ଧୁତାକୁ ମଧ୍ୟ ସମସ୍ତେ ଜାଣନ୍ତି । ରୁଷ ବି ଭାରତର ବହୁ ପରୀକ୍ଷିତ ବନ୍ଧୁ । ହେଲେ ଏଥର ରୁଷ ପ୍ରତିକ୍ରିୟା ପୂର୍ବ ପରି ନ ଥିଲା । ରୁଷ ଖୋଲାଖୋଲି ଭାରତକୁ ସମର୍ଥନ କରିବା ବଦଳରେ ସମସ୍ୟାକୁ ଆଲୋଚନା ମାଧ୍ୟମରେ ସମାଧାନ କରିବା ପାଇଁ ଏବଂ ମଧ୍ୟସ୍ଥତା କରିବା ପାଇଁ କହିଥିଲା । ଏଥିମଧ୍ୟରେ ଜେନେଭାରେ ଚୀନ-ଆମେରିକା ଏକ ବୁଝାମଣା କରିଛନ୍ତି । ଦୁଇ ଦେଶ ପରସ୍ପର ଉପରେ ଲଗାଇଥିବା ଭାରି ଟାରିଫକୁ ୯୦ ଦିନରେ ସ୍ଥଗିତ ରଖିବାକୁ ସହମତି ପ୍ରକାଶ କରିଛନ୍ତି ।  

ଦୁଇ ଦେଶ ମଧ୍ୟରେ ଦେଖା ଦେଇଥିବା ବ୍ୟାବସାୟିକ ସମସ୍ୟାର ସମାଧାନ କରିବା ପାଇଁ ଉଭୟେ ଆଲୋଚନା ପାଇଁ ସହମତି ପ୍ରକାଶ କରିଛନ୍ତି । ଆମେରିକୀ ପ୍ରତିନିଧିଙ୍କ କହିବା ଅନୁସାରେ, ଆମେରକା ଚୀନ ସାମଗ୍ରୀ ଉପରେ ୧୪୫ ପ୍ରତିଶତ ଟାରିଫକୁ ହ୍ରାସ କରି ୩୦ ପ୍ରତିଶତ କରିଥିବାବେଳେ ଚୀନ ଆମେରିକା ସାମଗ୍ରୀ ଉପରେ ଲଗାଇଥିବା ଟାରିଫକୁ ୧୦ ପ୍ରତିଶତ କମ କରିବା ଲାଗି ସହମତି ପ୍ରକାଶ କରିଛି ।

ସେତିକି ନୁହେଁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଆଉ ଏକ ବଡ ଘୋଷଣା ସମସ୍ତଙ୍କୁ ଚମକେଇ ଦେଇଛି । ଆମେରିକା ଏବେ ୟମନର ହୁତି ବିଦ୍ରୋହୀଙ୍କ ଉପରେ ଗୁଳିଗୁଳା ବର୍ଷଣ କରିବ ନାହିଁ । ସେ ପାଖାପାଖି ଦୁଇ ମାସ ହେବ ଆମେରିକା ପକ୍ଷରୁ ହେଉଥିବା ଆକାଶ ମାର୍ଗରୁ ଆକ୍ରମଣକୁ ରୋକିବା ପାଇଁ ଆଦେଶ ଦେଇଛନ୍ତି । ଟ୍ରମ୍ପ କହିଛନ୍ତି, ହୁତି ବିଦ୍ରୋହୀ କହିଛନ୍ତି ଯେ ସେମାନେ ଆଉ ଯୁଦ୍ଧ କରିବାକୁ ଚାହୁଁ ନାହାନ୍ତି । ସେମାନେ ପ୍ରତିଶ୍ରୁତି ଦେଇଛନ୍ତି ଯେ, ସେମାନେ ଏଣିକି ସମୁଦ୍ରରେ ଜାହାଜ ଉପରେ ଆକ୍ରମଣ ବନ୍ଦ କରିବେ । ଟ୍ରମ୍ପ ଏହି ଘୋଷଣା ଏମିତି ସମୟରେ କରିଛନ୍ତି, ଯେତେବେଳେ ଓମାନରେ ଆମେରିକା ଏବଂ ଇରାନ ପ୍ରତିନିଧି ୪ର୍ଥ ପର୍ଯ୍ୟାୟ ଆଲୋଚନା ଶେଷ କରି ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ପାଇଁ ସହମତି ପ୍ରକାଶ କରିଛନ୍ତି । ଏହି ଆଲୋଚନା ଇରାନର ପରମାଣୁ କାର୍ଯ୍ୟକ୍ରମକୁ ନେଇ ହୋଇଛି ।

ଶେଷ ହେବ ରୁଷ-ୟୁକ୍ରେନ ଯୁଦ୍ଧ

ଇତିମଧ୍ୟରେ ରୁଷ ରାଷ୍ଟ୍ରପତି ବ୍ଲାଦିମିର ପୁଟିନ ମେ’ ୧୨ ତାରିଖରେ ଏକ ପ୍ରସ୍ତାବ ଦେଇ କହିଛନ୍ତି ଯେ, ସେ ମେ’ ୧୫ ତାରିଖରେ ତୁର୍କିର ଇସ୍ତାନବୁଲରେ ୟୁକ୍ରେନ ସହ ଆଲୋଚନା କରିବେ । ୟୁକ୍ରେନ ମଧ୍ୟ ଏହି ପ୍ରସ୍ତାବକୁ ସ୍ୱୀକାର କରିଛି । ୟୁକ୍ରେନ ରାଷ୍ଟ୍ରପତି ବୋଲୋଦିମିର ଜେଲେନସ୍କି କହିଛନ୍ତି ଯେ ସେ ଇସ୍ତାନବୁଲରେ ପୁଟିନଙ୍କୁ ଅପେକ୍ଷା କରିଥିବେ । ଏହି ଆଲୋଚନାରେ ଆମେରକା ମଧ୍ୟ ତାର ପ୍ରତିନିଧି ପଠାଇବା ପାଇଁ ନିଷ୍ପତ୍ତି ନେଇଛି  । 

ୟୁକ୍ରେନ ଏବଂ ୟୁରୋପୀୟ ନେତୃବୃନ୍ଦ ମେ’ ୧୨ରେ ୩୦ ଦିନ ପାଇଁ ନିଃସର୍ତ୍ତ ଅସ୍ତ୍ରବିରତି ଘୋଷଣା କରିବା ପରେ ରୁଷ ଏହି ଆଲୋଚନା ପାଇଁ ପ୍ରସ୍ତାବ ଦେଇଛି । ତେବେ ଏଠି ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଆଲୋଚନା ତୁର୍କିରେ ହେଉଛି । ଯେଉଁ ତୁର୍କୀ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ଖୋଲାଖୋଲି ପାକିସ୍ତାନକୁ ସମର୍ଥନ କରିଥିଲା ଏବଂ ଭାରତ ବିରୋଧରେ ଲଢିବା ପାଇଁ ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ଯୋଗାଇ ଦେଇଥିଲା ।

ଉପସାଗରୀୟ ଦେଶ ଗସ୍ତରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ସେପଟେ ଭାରତ ପାକିସ୍ତାନ ମଧ୍ୟରେ ସ୍ଥିତି ସାମାନ୍ୟ ହେବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ପ୍ରଥମ ବିଦେଶ ଯାତ୍ରାରେ ବାହାରିଛନ୍ତି । ସେ ମଙ୍ଗଳବାର ସାଉଦୀ ଆରବରେ ପହଞ୍ଚିଥିଲେ । ସାଉଦୀ ଆରବ ସହ ସେ କତାର, ୟୁଏଇ ମଧ୍ୟ ଗସ୍ତ କରିଛନ୍ତି । ମଙ୍ଗଳବାର ସେ ସାଉଦୀ ଆରବର କ୍ରାଉନ ପ୍ରିନ୍ସ ମୋହମ୍ମଦ ବିନ ସଲମାନଙ୍କ ସହ ସାକ୍ଷାତ କରିଛନ୍ତି । ଏହି ଅବସରରେ ଦୁଇ ଦେଶ ମଧ୍ୟରେ ପାଖାପାଖି ୧୪୨ ଅରବ ଡଲାରର ପ୍ରତିରକ୍ଷା ବୁଝାମଣା ହୋଇଛି । 

ଆମେରିକା ଏହାକୁ ଇତିହାସର ସବୁଠାରୁ ବଡ ପ୍ରତିରକ୍ଷା ବୁଝାମଣା ବୋଲି କହିଛି ।  ଆମେରିକାର କହିବା ଅନୁଯାୟୀ, ସାଉଦୀ ଆରବ ୬୦୦ଅରବ ଡଲାର ନିବେଶ ପାଇଁ ପ୍ରତିଶ୍ରୁତି ଦେଇଛି । ୟୁଏଇ(ୟୁନାଇଟେଡ ଆରବ ଏମିରେଟସ )ରେ ମଧ୍ୟ ଆମେରିକା ଦେଢ ଟ୍ରିଲିୟନ ଡଲାର ନିବେଶ ପାଇଁ ପ୍ରତିଶ୍ରୁତି ଦେଇଛି । ଏହି ଯାତ୍ରା ଅବସରରେ ଆମେରିକା ସାଉଦୀ ଆରବ ଅନୁରୋଧ କ୍ରମେ ସିରିଆ ଉପରେ ଲଗାଇଥିବା ପ୍ରତିବନ୍ଧକକୁ ହଟାଇବା ପାଇଁ ଘୋଷଣା କରିଛି ।

ପରିବର୍ତ୍ତିତ ବିଶ୍ୱରେ ଭାରତର ସ୍ଥିତି

ସାରା ବିଶ୍ୱରେ  ଦେଖା ଦେଇଥିବା ଏହି ପରିବର୍ତ୍ତିତ ରାଜନୈତିକ ସ୍ଥିତି ଉପରେ ସମୀକ୍ଷକମାନେ ସତର୍କ ନଜର ରଖିଛନ୍ତି । ଏ ସମ୍ପର୍କରେ ଆନ୍ତର୍ଜାତୀୟ ସ୍ତରର ବରିଷ୍ଠ ପତ୍ରକାର କମର ଆଘାଙ୍କ କହିବା ଅନୁଯାୟୀ, ବିଶ୍ୱ ଖୁବ ଦ୍ରୁତ ଗତିରେ ବଦଳୁଛି । ତାଙ୍କର କହିବା ଅନୁଯାୟୀ, ସାଂପ୍ରତିକ ସ୍ଥିତିରେ ଆମେରିକାର ଦବଦବା କମୁଥିବାବେଳେ ଅନ୍ୟ ଦେଶ ସବୁ ଶକ୍ତିଶାଳୀ ହେଉଛନ୍ତି । ହେଲେ ଆମେରିକା ଏକଥା ବୁଝିବା ପାଇଁ ଏବେ ବି ପ୍ରସ୍ତୁତ ନୁହେଁ । ଏବେ ବି ଆମେରିକା ପୂର୍ବ ପରି ତାର ବଡଭାଇ ପଣିଆ ଜାହିର କରି ଆସୁଛି । ଏକଥା ସତ ଯେ, ଏବେ ବି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଏବଂ ସବୁଠାରୁ ବଡ ଅର୍ଥବ୍ୟବସ୍ଥା ଥିବା ଦେଶ ହେଉଛି ଆମେରିକା ।

ହେଲେ ଅନ୍ୟ ଦେଶମାନେ ବି ଦ୍ରୁତ ଗତିରେ ଶକ୍ତିଶାଳୀ ହେଉଛନ୍ତି । ଯେମିତି ଭାରତ, ଚୀନ, ରୁଷ, ଜାପାନ, ଦକ୍ଷିଣ କୋରିଆ, ବହାରିନ, ସାଉଦୀ ଆରବ, ଦକ୍ଷିଣ ଆଫ୍ରିକା ଇତ୍ୟାଦି.. । ଏ ସବୁ ଦେଶ ଅନ୍ତର୍ଜାତିୟ ମଞ୍ଚରେ ନିଜର ଭୂମିକାକୁ ଜାହିର କରିପାରିଛନ୍ତି । ସେ ଆହୁରି କହିଛନ୍ତି, ଏସବୁ ଦେଶକୁ ଅଧିକ ଉପରକୁ ଉଠିବାରେ ଆମେରିକା ହିଁ ପ୍ରତିବନ୍ଧକ ସାଜିଛି । ସେଥିପାଇଁ ଏସବୁ ଦେଶ ବ୍ରିକ୍ସ ପରି ସଂଗଠନକୁ ରୂପ ଦେଇଛନ୍ତି । ଅନ୍ୟପକ୍ଷେ ରାଷ୍ଟ୍ରପତି ଟ୍ରମ୍ପ ଭାବୁଥିଲେ ଯେ, ଟାରିଫ ଲଗାଇ ଦୁନିଆକୁ ନିଜ ଅଧିନରେ ରଖିବେ  । ହେଲେ ଏ ଯୋଜନା ତାଙ୍କର ସଫଳ ହୋଇ ପାରିନାହିଁ ।

ଏ କ୍ଷେତ୍ରରେ ଭାରତ ସ୍ଥିତିକୁ ନେଇ କମର ଆଘା କହିଛନ୍ତି, ଭାରତ ଏକ ସନ୍ତୁଳିତ ସ୍ଥିତିରେ ନିଜକୁ ରଖି ପାରିଛି । ଅର୍ଥାତ ଭାରତର ରୁଷ ସହ ଭଲ ସମ୍ପର୍କ ରହିଛି । ଆମେରକା ସହ ମଧ୍ୟ ଭଲ ସମ୍ପର୍କ ରହିଛି । ଦୁଇ ଶକ୍ତିଶାଳୀ ରାଷ୍ଟ୍ର ସହ ସମାନ୍ତର ଦୂରତା ଏବଂ ଅନ୍ତରଙ୍ଗତା ରଖି ନିଜର ପ୍ରଭୂତ୍ୱକୁ ଜାହିର କରିପାରିଛି । ଦକ୍ଷିଣ ଚୀନ ସାଗର ମାମଲାରେ ଭାରତ ଆମେରିକା ସପକ୍ଷରେ ରହିଛି । ଅନ୍ୟପକ୍ଷେ ବ୍ରିକ୍ସରେ ରୁଷ ଏବଂ ଚାଇନା ସପକ୍ଷରେ ବି ଛିଡା ହୋଇଛି । କହିବାକୁ ଗଲେ ଭାରତ ବିନା ବ୍ରିକ୍ସ ଏକ ପ୍ରକାର ଦୁର୍ବଳ ହୋଇପଡିବ । ଏହିପରି ଭାବେ ଭାରତ ନିଜର ଦବଦବା ବଜାୟ ରଖି ପାରିଛି । ସେହିପରି ଗତ କିଛି ବର୍ଷ ଧରି ଜାତିସଂଘରେ ସୁଧାର ଆଣିବା ପାଇଁ ଏବଂ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟତା ପାଇଁ ଦାବି କରି ଆସୁଛି ।

କମର ଆଘା ଏକଥା ମଧ୍ୟ କହିଛନ୍ତି ଯେ ଆମେରିକାର ଏବେ ଆଉ ଯୁଦ୍ଧ ମାନସିକତା ନାହିଁ । କାରଣ ଆମେରିକାର ଅର୍ଥବ୍ୟବସ୍ଥା ଧୀରେ ଧୀରେ ଦୁର୍ବଳ ହେଉଛି । ସେଥିପାଇଁ କୌଣସି ଯୁଦ୍ଧ ଭିତରେ ଫସିବା ପାଇଁ ଆମେରିକା ଆଉ ଚାହୁଁନାହିଁ । ଏବେ ଆମେରିକା ନିଜର ଅର୍ଥ ବ୍ୟବସ୍ଥାକୁ ମଜବୁତ କରିବାରେ ଲାଗିଛି । ଯାହା ବି ହେଉ, ଏହି ଅନୁଶୀଳନରୁ ଏତିକି ସ୍ପଷ୍ଟ ହେଉଛି ଯେ, ଯୁଦ୍ଧ ନୁହେଁ ଏବେ ଶାନ୍ତି ମୁହାଁ ହେଉଛି ବିଶ୍ୱ, ଯାହା ମାନବ ସମାଜ ପାଇଁ ଏକ ଆଶ୍ୱାସନାର ବିଷୟ ନିଶ୍ଚୟ । 

India Russia United States Of America Operation Sindoor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ