ଡାକ୍ତରାଣୀ ମା’ କୋଳରେ ଜୀବନ ହାରିଲା ଝିଅ ! ହେଲେ ଜାଣି ପାରିଲେନି ଜନ୍ମଦାତ୍ରୀ . .

ଦୁର୍ଘଟଣାରେ ଶିକାର ହୋଇଥିବା ନାବାଳିକା ଜଣକ ନିଜ ଝିଅ ବୋଲି ଜାଣି ନଥିଲେ ଡାକ୍ତରାଣୀ । ତଥାପି ପାରୁପର୍ଯ୍ୟନ୍ତ ଚେଷ୍ଟା କରିଥିଲେ . . ହେଲେ

accident

କ୍ଷତବିକ୍ଷତ ଶରୀର . . . ରାସ୍ତାରେ ବହୁଥିଲା ରକ୍ତ ନଦୀ । ଆଖି, ମୁହଁ, ନାକ, କାନ ସବୁ କିଛି ନଷ୍ଟ ହୋଇଯାଇଥିଲା । ଅବସ୍ଥା ଏପରି ଥିଲା ଯେ, ଚିହ୍ନିବା ମୁସ୍କିଲ ହୋଇପଡ଼ୁଥିଲା । ଭୟଙ୍କର ସଡ଼କ ଦୁର୍ଘଟଣାର ଶିକାର ହୋଇ ରାସ୍ତାରେ ମୃତବତ୍‌ ପଡ଼ି ରହିଥିଲେ ନାବାଳିକା । ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ଆଣିଥିଲେ ଜଣେ ମହିଳା ଡାକ୍ତର । ପାରୁପର୍ଯ୍ୟନ୍ତ ‌ଚେଷ୍ଟା କରିବା ପରେ ମଧ୍ୟ ତାଙ୍କୁ ବଞ୍ଚାଇ ପାରିନଥିଲେ । ହେଲେ ଘରକୁ ଫେରି ଜାଣିଲେ , ତାଙ୍କ ହାତରେ ହିଁ ଜୀବନ ହାରିଥିବା ଝିଅଟି ଆଉ କେହି ନୁହେଁ, ତାଙ୍କ ୧୭ ବର୍ଷୀୟ ଝିଅ ।

ନଭେମ୍ବର ୧୫ ତାରିଖ ଦିନ ଆଲବର୍ଟା ରାଜପଥରେ ଏକ ଭୟଙ୍କର ଦୁର୍ଘଟଣା ଘଟିଥିଲା । ମହିଳା ଡାକ୍ତର ଜେମି ଏରିକ୍ସନ୍‌ ଦୁର୍ଘଟଣାସ୍ଥଳରେ ପହଞ୍ଚି ଦେଖିଲେ, ଜଣେ ନାବାଳିକା ଦୁର୍ଘଟଣାରେ ପଡ଼ିରହିଥିଲେ । ଦୁର୍ଘଟଣାରେ ତାଙ୍କୁ ଚିହ୍ନିବା ସମ୍ଭବପର ନ ଥିଲା । ଟ୍ରକ୍‌ ସହିତ କାର୍‌ ମୁହାଁମୁହିଁ ଧକ୍କା ଖାଇ ନଷ୍ଟ ହୋଇ ପଡ଼ିଥିବା ବେଳେ କାରରୁ ତାଙ୍କୁ ବାହାର କରିବା ଲାଗି ଅନେକ କଷ୍ଟ କରିବା ପାଇଁ ପଡ଼ିଥିଲା । ପ୍ରାୟ ଅଧଘଣ୍ଟା କାଳ ଅକ୍ଳାନ୍ତ ପରିଶ୍ରମ ପରେ ତାଙ୍କୁ ବାହାର କରାଯାଇଥିଲା । ଆଉ ତା’ପରେ ଏୟାର୍‌ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ନିକଟବର୍ତ୍ତୀ ଡାକ୍ତରଖାନାକୁ ନେବା ସହ ଆହତ ନାବଳିକାଙ୍କ ଚିକିତ୍ସା କରିଥିଲେ । ହେଲେ ତାଙ୍କ ଅବସ୍ଥା ଏପରି ଥିଲା ଯେ ତାଙ୍କୁ ବଞ୍ଚାଇବା ସମ୍ଭବ ହେଲାନି । ନାବାଳିକା ଜଣକ ମା’ ସାମ୍ନାରେ ଆଖି ବୁଜି ଦେଲେ, ହେଲେ ଦୁର୍ଭାଗ୍ୟ ସେ ତାଙ୍କୁ ଚିହ୍ନି ପାରିଲେନି ।

ଅନ୍ୟପଟେ ଡିୟୁଟି ସାରି ସେ ଘରେ ପହଞ୍ଚିବା ପରେ ଦେଖିଲେ, ପୋଲିସ୍‌ ଅଧିକାରୀମାନେ ସେଠାରେ ଉପସ୍ଥିତ ଅଛନ୍ତି । ଦୁର୍ଘଟଣାଗ୍ରସ୍ତ ହୋଇ ଜୀବନ ହରାଇଥିବା ନାବାଳିକା ଜଣକ ଆଉ କେହି ନୁହେଁ, ତାଙ୍କର ୧୭ ବର୍ଷୀୟ ଝିଅ ମଣ୍ଟାନା ବୋଲି ମହିଳା ଡାକ୍ତରଙ୍କୁ ଜଣାଇଥିଲେ । ଏ କଥା ଶୁଣି ତାଙ୍କ ଗୋଡ଼ ତଳୁ ମାଟି ଖସିଯାଇଥିଲା ।

ଏବେ ସେ ଦୁଃଖରେ ଭାଙ୍ଗିପଡ଼ିବା ସହ କହିଛନ୍ତି, ‘ମୁଁ ଏମିତ ଅଭାଗିନୀ ମୋ ଝିଅକୁ ଚିହ୍ନି ପାରିଲିନି । ଶେଷ ସମୟରେ ତା’ ପାଖରେ ଥିଲି, ମୋ ଆଖି ସାମ୍ନାରେ ସବୁ କିଛି ଘଟିଗଲା । କିନ୍ତୁ ମୁଁ କିଛି କରିପାରିଲି ନାହିଁ । ଏବେ ବି ମୋତେ ବିଶ୍ୱାସ ହେଉନି । ମୋ ଝିଅ ମୋ କୋଳରେ ଶେଷ ନିଶ୍ୱାସ ତ୍ୟାଗ କରିଛି । ’