ପାକିସ୍ତାନରେ ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା : ୨୨ ମୃତ, ୮୦ ଆହତ

ଶୁଭୁଛି ବିକଳ କାନ୍ଦଣା.. କିଏ ହାତ ଠାରି ଉଦ୍ଧାର କରିବା ପାଇଁ ଡାକୁଛି ତ କିଏ ଫସିଥିବା ଘର ଲୋକଙ୍କୁ ବଞ୍ଚାଇବା ପାଇଁ ନିବେଦନ କରୁଛି । ପାକିସ୍ତାନର ନୱାବସାହା ଷ୍ଟେସନ ପାଖରେ ହଜାରା ଏକ୍ସପ୍ରେସ ଲାଇନଚ୍ୟୁତ ।

train derails

ପଡ଼ୋଶୀ ଦେଶ ପାକିସ୍ତାନରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଛି । ନୱାବସାହା ଷ୍ଟେସନ ପାଖରେ ହଜାରା ଏକ୍ସପ୍ରେସର ଦଶଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି । କରାଚୀରୁ ଅବଟ୍ଟୋବାଦ ଯିବା ରାସ୍ତାରେ ଏହି ଦୁର୍ଘଟଣା ଘଟିଛି । ଏହି ଭୟଙ୍କର ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୨୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮୦ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଆଗାମୀ ସମୟରେ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । 

ହଜାରା ଏକ୍ସପ୍ରେସ୍‌ ଟ୍ରେନ୍ କରାଚିରୁ ପାକିସ୍ଥାନର ଅବଟ୍ଟୋବାଦ ଅଭିମୁଖେ ବାହାରିଥିଲା । ଖବର ଅନୁଯାୟୀ ବର୍ତ୍ତମାନ ଆହତମାନଙ୍କୁ ନବାବଶାହର ପିପୁଲ୍ସ ମେଡିକାଲରେ ଭର୍ତ୍ତି କରାଯାଇଛି । ଟ୍ରେନ ଦୁର୍ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ । ଦୁର୍ଘଟଣା ପରେ ନିକଟସ୍ଥ ଡାକ୍ତରଖାନା ଗୁଡ଼ିକରେ ଜରୁରୀକାଳୀନ ପ୍ରୋଟୋକଲ୍ ଲାଗୁ କରାଯାଇଛି ।

ପାକିସ୍ତାନ ରେଳବାଇର ଉପାଧୀକ୍ଷକ ମହମୁଦ ରେହମାନ କହିଛନ୍ତି, କ୍ଷତିଗ୍ରସ୍ତ ବଗିରୁ ୨୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ପ୍ରାୟ ୮୦ ଜଣ ଆହତଙ୍କୁ ଡାକ୍ତରଖାନା ନିଆଯାଇଛି । ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଦୁର୍ଘଟଣାର କାରଣ ଅନୁସନ୍ଧାନ କରାଯାଉଛି ।

ସେହିପରି ପାକିସ୍ତାନର ରେଳମନ୍ତ୍ରୀ କହିଛନ୍ତି , ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଟ୍ରେନଟି ସାଧାରଣ ବେଗରେ ଯାଉଥିଲା  ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଓ ଉଦ୍ଧାରକାର୍ଯ୍ୟ ଜାରି ରହିଛି ।  ଡାକ୍ତରଖାନା ଗୁଡ଼ିକରେ ଜରୁରୀକାଳୀନ ଭିତ୍ତିରେ ଆହତଙ୍କ ଚିକିତ୍ସା କରାଯାଉଛି ବୋଲି ସେ କହିଛନ୍ତି ।