4-Day Work Week: କର୍ମଚାରୀଙ୍କ ପାଇଁ ଖୁସି ଖବର: ଏଣିକି ସପ୍ତାହକୁ ୪ ଦିନ କାମ କରିବେ...

୪ ଦିନିଆ କାର୍ଯ୍ୟଦିବସକୁ ସମର୍ଥନ କରୁଥିବା 4 Day Week Foundationର ନିର୍ଦ୍ଦେଶକ Joe Ryleଙ୍କ କହିବା ଅନୁସାରେ ଦିନକୁ ୯ ଘଣ୍ଟା ହିସାବରେ ୫ ଦିନ କାମ କରିବା ପଦ୍ଧତି ୧୦୦ ବର୍ଷ ତଳେ ତିଆରି ହୋଇଥିଲା।

ଖୁସି ଖବର

ଭାରତରେ କେତେକ ବଡ଼ ବଡ଼ କମ୍ପାନୀ ସପ୍ତାହକୁ ୭୦ରୁ ୯୦ ଘଣ୍ଟା କାମ କରିବା ପାଇଁ ପରାମର୍ଶ ଦେଉଛନ୍ତି। ଯାହାକୁ ନେଇ ଆଲୋଚନା ଥମିବାର ନାଁ ଧରୁନି। ହେଲେ ଏହାରି ଭିତରେ କର୍ମଚାରୀଙ୍କ ପାଇଁ ଇଂଲଣ୍ଡରୁ ଆସିଛି ଭଲ ଖବର। Guardian ରିପୋର୍ଟ ଅନୁସାରେ ବ୍ରିଟେନ୍‌ର ୨୦୦ କମ୍ପାନୀ ସପ୍ତାହକୁ ୪ ଦିନିଆ କାର୍ଯ୍ୟ ଦିବସ କରୁଛନ୍ତି। ଅର୍ଥାତ ସପ୍ତାହକ ୭ ଦିନରେ କର୍ମଚାରୀମାନେ ମାତ୍ର ୪ ଦିନ କାମ କରିବେ। ଏଥିପାଇଁ କୌଣସି ଦରମା କଟିବ ନାହିଁ। ମିଳିତ ସୂଚନା ଅନୁସାରେ, ଏହି ୨୦୦ କମ୍ପାନୀରେ ୫ ହଜାରରୁ ଅଧିକ କର୍ମଚାରୀଙ୍କୁ ମାର୍କେଟିଂ, ଆଇଟି ଓ ଅନ୍ୟାନ୍ୟ ସଂସ୍ଥାରେ ନିୟୋଜିତ କରିଛନ୍ତି।

୪ ଦିନିଆ କାର୍ଯ୍ୟ ଦିବସକୁ ସମର୍ଥନ କରୁଥିବା 4 Day Week Foundationର ନିର୍ଦ୍ଦେଶକ Joe Ryleଙ୍କ କହିବା ଅନୁସାରେ ଦିନକୁ ୯ ଘଣ୍ଟା ହିସାବରେ ୫ ଦିନ କାମ କରିବା ପଦ୍ଧତ୍ତି ୧୦୦ ବର୍ଷ ତଳେ ତିଆରି ହୋଇଥିଲା। ଯାହା ବର୍ତ୍ତମାନର ଆଧୁନିକ ଯୁଗ ପାଇଁ ପ୍ରଯୁଯ୍ୟ ନୁହେଁ। ୪ ଦିନ କାମ କଲେ କର୍ମଚାରୀଙ୍କୁ ଅଧିକ ସମୟ ମିଳିବ। ଯେଉଁଥିପାଇଁ ସେମାନେ ଭଲ ଭାବେ ଜୀବନ ଜିଇଁ ପାରିବେ। ଏହାଛଡ଼ା ସେମାନେ କମ୍ପାନୀ ପାଇଁ ଭଲ କାମ କରିପାରିବେ ବୋଲି 4 Day Week Foundationର ନିର୍ଦ୍ଦେଶକ Joe Ryle କହିଛନ୍ତି।

କେଉଁ କେଉଁ କମ୍ପାନୀ ୪ ଦିନିଆ କାର୍ଯ୍ୟ ଦିବସକୁ ପାଳନ କରୁଛନ୍ତି ?

ସପ୍ତାହକୁ ୪ ଦିନିଆ କାର୍ଯ୍ୟ ଦିବସକୁ ପ୍ରଥମ ପର୍ଯ୍ୟାୟରେ ୩୦ଟି ମାର୍କେଟିଂ କମ୍ପାନୀ, ବିଜ୍ଞାପନ ଓ Press relations firms କାର୍ଯ୍ୟକାରୀ କରିଛନ୍ତି। ପରେ ୨୯ଟି ଚାରିଟି, ଏନ୍‌ଜିଓ, ସୋଶିଆଲ୍‌ କେୟାର ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍‌ ବେସ୍‌ଡ୍‌ ସଂସ୍ଥା, ୨୪ଟି ଟେକ୍ନୋଲୋଜି, IT and software firms ପ୍ରମୁଖ ୪ ଦିନିଆ କାର୍ଯ୍ୟ ଦିବସକୁ ଅପଣାଇଛନ୍ତି। Guardian report ଅନୁସାରେ ବର୍ତ୍ତମାନ ସୁଦ୍ଧା ୨୦୦ କମ୍ପାନୀ ଏହି ୪ ଦିନିଆ କାର୍ଯ୍ୟ ଦିବସକୁ ଲାଗୁ କରି ସାରିଲେଣି।

ମହାମାରୀ କୋଭିଡ୍‌ରୁ ମିଳିଥିଲା ସୂତ୍ର

ମହାମାରୀ କୋଭିଡ୍‌ ଯୋଗୁ ସମଗ୍ର ବିଶ୍ୱରେ କାମ ଏକ ପ୍ରକାର ଠପ୍‌ ହୋଇଯାଇଥିଲା। ହେଲେ ପରବର୍ତ୍ତୀ ସମୟରେ କାମ କରିବାର ଶୈଳୀ ବଦଳି ଯାଇଥିଲା। ପରିବେଶ ଓ ପରିସ୍ଥିତିକୁ ଖାପ୍‌ ଖୁଆଇଲା ପରି କର୍ମଚାରୀଙ୍କ ପାଇଁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିଥିଲେ ବିଭିନ୍ନ କମ୍ପାନୀ। କେତେକ କମ୍ପାନୀ ନିଜ କର୍ମଚାରୀଙ୍କୁ ଘରେ ରହି କାମ କରିବା ପାଇଁ ଅନୁମତି ଦେଇଥିଲେ। ଆମେରିକାର ଜେପି ମୋର୍ଗାନ୍‌ ଓ ଆମାଜନ୍‌ ପରି କମ୍ପାନୀ କର୍ମଚାରୀଙ୍କ କାର୍ଯ୍ୟ ଦିବସ ୫ ଦିନ କରିଥିଲେ। ଯାହାକୁ କେତେକ କର୍ମଚାରୀ ବିରୋଧ କରିବା ସହିତ ଘରେ ରହି କାମ କରିବା ପାଇଁ ଅନୁମତି ମାଗିଥିଲେ।।

୪ ଦିନିଆ କାର୍ଯ୍ୟଦିବସକୁ ସମର୍ଥନ

ସପ୍ତାହକୁ ୪ ଦିନିଆ କାର୍ଯ୍ୟ ଦିବସକୁ କେତେକ ଶ୍ରମିକ ସଙ୍ଗଠନ ସମର୍ଥନ ଜଣାଇଛନ୍ତି। ଏକ ସର୍ଭେରୁ ଜଣାପଡ଼ିଛି, ୧୮ରୁ ୩୪ ବୟସ ଲୋକ ସପ୍ତାହକୁ ୪ ଦିନ କାମ କରିବାକୁ ସମର୍ଥନ ଜଣାଇଛନ୍ତି। ତେବେ ୭୮ ପ୍ରତିଶତ ଯୁବକଙ୍କ କହିବା କଥା ହେଉଛି, ଏହି ବ୍ୟବସ୍ଥା ଆଗାମୀ ୪ ବର୍ଷ ପାଇଁ ଯୁଗାନ୍ତକାରୀ ହେବ।

ଲାଭ କ’ଣ ମିଳିବ?

ସପ୍ତାହକୁ ୪ ଦିନ କାମ କଲେ କ’ଣ ମିଳିବ ଲାଭ? ଷ୍ଟାଫ୍‌ ମାର୍କେଟିଂ ରିପୋର୍ଟ ଅନୁସାରେ ସପ୍ତାହକୁ ୪ ଦିନ କାମ କରିବା ପାଇଁ ଯୁବକମାନେ ବେଶୀ ଆଗ୍ରହ ପ୍ରକାଶ କରୁଛନ୍ତି। ତାଙ୍କ ମତରେ ଏହା ଦ୍ୱାରା ମାନସିକ ବିକାଶ ହୋଇପାରିବ। ଜୀବନ ଶୈଳୀରେ ବଡ଼ ପରିବର୍ତ୍ତନ ଆସିବ। କର୍ମଚାରୀମାନେ ଡବଲ୍‌ ଜୋସ୍‌ରେ ନିଜ କମ୍ପାନୀ ପାଇଁ କାମ କରିବେ ବୋଲି ରିପୋର୍ଟରେ କୁହାଯାଇଛି।