ସାରା ବିଶ୍ୱରେ ଆଧିପତ୍ୟ ବିସ୍ତାର କରିବା ସହ ମହାଶକ୍ତିରେ ପରିଗଣିତ ହେବାପାଇଁ ଦେଶ ଦେଶ ମଧ୍ୟରେ ଲଢ଼େଇ ଚାଲିଛି । କ୍ଷମତାର ସଜ୍ଞା ଧୀରେ ଧୀରେ ବଦଳି ଗଲାଣି । ଅର୍ଥନୈତିକ ଶକ୍ତି ହେଉ କି ସାମରିକ ଶକ୍ତି କିମ୍ବା ସ୍ମାର୍ଟ କୂଟନୀତିରେ ଦୁନିଆର ବିଭିନ୍ନ ଦେଶ ରେସରେ ଆଗକୁ ବଢ଼ିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ୨୦୨୫ରେ ବିଶ୍ୱ ମହାଶକ୍ତି ହେବାର ଖେଳ ଆହୁରି ରୋମାଞ୍ଚକର ହେଉଛି । କେହି କେହି ପଡୋଶୀଙ୍କୁ ଭୟ ଦେଖାଇବା ଓ ଆକ୍ରମଣ ପ୍ରୟାସ ନୀତି ଆପଣାଉଛନ୍ତି । ଆନ୍ତର୍ଜାତୀୟ ନୀତି ଗଠନ ଠାରୁ ଆରମ୍ଭ କରି ନବସୃଜନ ଏବଂ ବ୍ୟବସାୟକୁ ପ୍ରୋତ୍ସାହିତ କରିବା ପର୍ଯ୍ୟନ୍ତ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶଗୁଡ଼ିକ ବିଶ୍ୱ ବ୍ୟାପାରର ଦିଗ ନିର୍ଣ୍ଣୟ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି ।
ନିକଟରେ ଫୋର୍ବସ୍ ଦୁନିଆର ସବୁଠାରୁ ଶକ୍ତିଶାଳୀ ଦେଶ ଗୁଡିକର ସଦ୍ୟତମ ରାଙ୍କିଙ୍ଗ ଜାରି କରିଛି, ଯେଉଁଥିରେ ଅନ୍ତର୍ଜାତୀୟ ସ୍ତରରେ କିଏ ଅଧିକ ପ୍ରଭାବଶାଳୀ ତାହା ପ୍ରକାଶ କରାଯାଇଛି । ଅର୍ଥନୈତିକ ପ୍ରଭାବ, ରାଜନୈତିକ ଶକ୍ତି, ଶକ୍ତିଶାଳୀ ଅନ୍ତର୍ଜାତୀୟ ମେଣ୍ଟ ଓ ସାମରିକ ଶକ୍ତି ଭଳି ମାନଦଣ୍ଡ ଦ୍ୱାରା ଦେଶଗୁଡ଼ିକୁ ମାନ୍ୟତା ଦିଆଯାଇଛି । ଏହି ତାଲିକାରେ ପୂର୍ବରୁ ପ୍ରତିଷ୍ଠିତ ସୁପର ପାୱାର ଠାରୁ ଆରମ୍ଭ କରି ଭାରତ ଭଳି ଉଦୀୟମାନ ତଥା ଆହ୍ୱାନକାରୀ ଦେଶ ଗୁଡିକ ସାମିଲ ଅଛନ୍ତି । ଗତ କିଛି ବର୍ଷ ମଧ୍ୟରେ ଏହି ତାଲିକାର ଦୃଶ୍ୟପଟ୍ଟ ଦ୍ରୁତ ଗତିରେ ବଦଳୁଛି । ତେବେ ଆସନ୍ତୁ ଜାଣିବା କିଏ ଏହି ତାଲିକାରେ ଶୀର୍ଷରେ ଅଛି, କିଏ ଆଗକୁ ବଢ଼ୁଛି ଏବଂ ଭାରତ କିପରି ବିଶ୍ୱରେ ନିଜର ସ୍ଥାନ ସୃଷ୍ଟି କରିବା ପାଇଁ ଚେଷ୍ଟା ଜାରି ରଖିଛି ।
ଯୁକ୍ତରାଷ୍ଟ୍ର ଆମେରିକା
ଜିଡିପି – ୩୦.୩୪ ଟ୍ରିଲିୟନ ଡଲାର
ଜନସଂଖ୍ୟା- ୩୪.୫ କୋଟି
ବିଶ୍ୱର ୧୦ ଶକ୍ତିଶାଳୀ ଦେଶର ତାଲିକା ମଧ୍ୟରେ ଆମେରିକା ପ୍ରଥମ ସ୍ଥାନରେ ରହିଛି । ସବୁଠାରୁ ବଡ଼ ଅର୍ଥବ୍ୟବସ୍ଥା ଓ ଉନ୍ନତ ସୈନ୍ୟ ଶକ୍ତି ସହ ବିଶ୍ୱସ୍ତରୀୟ ଏଜେଣ୍ଡା ଜାରି ରଖିଛି ଏହି ଦେଶ । ଆମେରିକୀୟ ସେନା ସମଗ୍ର ବିଶ୍ୱରେ ବ୍ୟାପ୍ତ ଥିବାବେଳେ ଅନେକ ଦେଶରେ ଏହାର ସୈନ୍ୟ ବେସ୍ ରହିଛି । ଆମେରିକାର ଶକ୍ତି ସୈନ୍ୟ ବଳ ଓ ଟଙ୍କା ଠାରୁ ଖୁବ ଉର୍ଦ୍ଧ୍ୱରେ । ଟେକ୍ନୋଲୋଜି, କୂଟନୈତିକ ଏବଂ ସାଂସ୍କୃତିକ କ୍ଷେତ୍ରରେ ମଧ୍ୟ ୟୁଏସ୍ ଅଗ୍ରଣୀ । ବାଣିଜ୍ୟ ନୀତି ଗଠନ ଠାରୁ ଆରମ୍ଭ କରି ବିଶ୍ୱ ନିରାପତ୍ତାକୁ ପ୍ରଭାବିତ କରିବା ପର୍ଯ୍ୟନ୍ତ ଆମେରିକା ବିଶ୍ୱର ସର୍ବୋଚ୍ଚ ଶକ୍ତି ଭାବରେ ଏହାର ସ୍ଥିତି ସୁନିଶ୍ଚିତ କରି ପ୍ରମୁଖ ଆନ୍ତର୍ଜାତୀୟ ନିଷ୍ପତ୍ତିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ।
ଚୀନ
ଜିଡିପି: ୧୯.୫୩ ଟ୍ରିଲିୟନ ଡଲାର
ଜନସଂଖ୍ୟା: ୧୪୧ କୋଟି
ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି ମହାଶକ୍ତି ଚୀନ । ଚୀନ ଏସିଆର ସବୁଠାରୁ ମଜଭୁତ ଅର୍ଥବ୍ୟବସ୍ଥା ହୋଇସାରିଛି, ଆଉ ଏବେ ଏହା ବିଶ୍ୱର ଦ୍ୱିତୀୟ ଶକ୍ତିଶାଳୀ ଦେଶ । ବିଗତ କିଛି ଦଶନ୍ଧି ମଧ୍ୟରେ ଦ୍ରୁତ ଅଭିବୃଦ୍ଧି, ବୃହତ ଶିଳ୍ପାୟନ ଏବଂ ପ୍ରଯୁକ୍ତିବିଦ୍ୟାରେ ଅଗ୍ରଗତି ଚୀନକୁ ବିଶ୍ୱ ଅର୍ଥନୀତିରେ ଏକ ପ୍ରମୁଖ ଶକ୍ତି ଭାବରେ ପରିଣତ କରିସାରିଛି । ବୃହତ୍ତ ଜନସଂଖ୍ୟା ସହିତ ଚୀନ୍ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଏବଂ ସାମରିକ ପ୍ରଭାବ ରଖେ । ଅର୍ଥନୀତି ଏବଂ ସାମରିକ ଅଭିବୃଦ୍ଧି ଜାରି ରହିଥିବାରୁ ବିଶ୍ୱ ବାଣିଜ୍ୟ, ସୁରକ୍ଷା ଏବଂ ଆନ୍ତର୍ଜାତୀୟ ସମ୍ପର୍କରେ ଏକ ବଡ଼ ଭୂମିକା ଗ୍ରହଣ କରେ ଏ ଦେଶ। ଚୀନର ବିସ୍ତାରିତ ବୈଷୟିକ ଶିଳ୍ପ ଦର୍ଶାଏ, ଏହା ଖୁବ୍ ଶୀଘ୍ର ଆମେରିକାର ଶକ୍ତିକୁ ଚ୍ୟାଲେଞ୍ଜ କରିପାରେ ।
ଋଷ
ଜିଡିପି: ୨.୨ ଟ୍ରିଲିୟନ୍ ଡଲାର
ଜନସଂଖ୍ୟା: ୧୪.୪ କୋଟି
ଆମେରିକା କିମ୍ବା ଚୀନ୍ର ଅର୍ଥନୈତିକ ଶକ୍ତି ସହିତ ଋଷର କୌଣସି ମେଳ ନଥିଲେ ସୁଦ୍ଧା ଏହାର ସାମରିକ ଶକ୍ତି ଏବଂ ରଣନୈତିକ ପ୍ରଭାବ ଦେଶକୁ ପ୍ରମୁଖ ବିଶ୍ୱ ମହାଶକ୍ତି ଭାବରେ ପରିଗଣିତ କରେ । ତୃତୀୟ ଶକ୍ତିଶାଳୀ ଦେଶ ଭାବେ ରୁଷର ପ୍ରଭାବ ମୁଖ୍ୟତଃ ଏହାର ଶକ୍ତିଶାଳୀ ସାମରିକ ଶକ୍ତି, ପରମାଣୁ କ୍ଷମତା ଏବଂ ବିଶ୍ୱ ରାଜନୀତିରେ ଏହାର ଭୂମିକା ୟୁରୋପରୁ ମଧ୍ୟପୂର୍ବ ପର୍ଯ୍ୟନ୍ତ ରହିଛି । ନିଜର ସାମରିକ ଶକ୍ତି ଏବଂ ରାଜନୈତିକ ପ୍ରଭାବକୁ ବ୍ୟବହାର କରି ଋଷ ବିଶ୍ୱ ମଞ୍ଚରେ ନିଜ ସ୍ଥାନ ଦୃଢ଼ କରିବାରେ ଲାଗିଛି । ସାମରିକ କାର୍ଯ୍ୟ ମାଧ୍ୟମରେ ହେଉ କିମ୍ବା ଶକ୍ତି ଉତ୍ସ ଉପରେ ନିୟନ୍ତ୍ରଣ ହେଉ, ଏହା ଆନ୍ତର୍ଜାତୀୟ ବ୍ୟାପାର ଏବଂ ନିରାପତ୍ତା ଗଠନରେ ଏକ ପ୍ରମୁଖ ଶକ୍ତି ଭାବେ ଉଭା ହୋଇଛି ।
ବ୍ରିଟେନ
ଜିଡିପି: ୩.୭୩ ଟ୍ରିଲିୟନ ଡଲାର
ଜନସଂଖ୍ୟା: ୬.୯୧ କୋଟି
ରାଜନୈତିକ ଆହ୍ୱାନ ସତ୍ତ୍ୱେ ବ୍ରିଟେନ ଏକ ମହତ୍ୱପୂର୍ଣ୍ଣ ବିଶ୍ୱ ଶକ୍ତି ଭାବରେ ନିଜର ସ୍ଥାନ ବଜାୟ ରଖିଛି । ଶକ୍ତିଶାଳୀ ଅର୍ଥନୀତି, ସାମରିକ ଶକ୍ତି ଏବଂ କୂଟନୈତିକ ପ୍ରଭାବ ଏହାକୁ ବିଶ୍ୱ ବ୍ୟାପାରରେ ଏକ ବଡ଼ ଭୂମିକା ଦେଇଥାଏ । ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ତଥା ନାଟୋର ପ୍ରମୁଖ ସହଯୋଗୀ ଭାବରେ ବ୍ରିଟେନ ଆନ୍ତର୍ଜାତୀୟ ନୀତି ଗଠନ ଜାରି ରଖିଛି। ଯୁକ୍ତରାଷ୍ଟ୍ର ଆମେରିକା ଭଳି ଦେଶ ସହିତ ଘନିଷ୍ଠ ସମ୍ପର୍କ ଏବଂ ବିଶ୍ୱ ଅର୍ଥନୀତିରେ ପ୍ରମୁଖ ଉପସ୍ଥିତି ସହିତ ବ୍ରିଟେନ ବାଣିଜ୍ୟ ଏବଂ କୂଟନୀତି କ୍ଷେତ୍ରରେ ବିଶ୍ୱ ସ୍ତରରେ ଏହାର ପ୍ରଭାବକୁ ଦୃଢ଼ ରଖିଛି ।
ଜର୍ମାନୀ
ଜିଡିପି: ୪.୯୨ ଟ୍ରିଲିୟନ ଡଲାର
ଜନସଂଖ୍ୟା: ୮.୪୫ କୋଟି
ଜର୍ମାନୀ ୟୁରୋପର ଅର୍ଥନୈତିକ ନେତା ତଥା ବିଶ୍ୱର ପଞ୍ଚମ ଶକ୍ତିଶାଳୀ ଦେଶ । ୟୁରୋପୀୟ ୟୁନିଅନର ନୀତି ଏବଂ ଅର୍ଥନୀତି ଗଠନରେ ଏହା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଏକ ଶକ୍ତିଶାଳୀ ଉତ୍ପାଦନ କ୍ଷେତ୍ର, ପ୍ରଯୁକ୍ତିବିଦ୍ୟାରେ ଅଗ୍ରଗତି ଏବଂ ଦୃଢ଼ ଅର୍ଥନୈତିକ ଭିତ୍ତିଭୂମି ସହିତ ଜର୍ମାନୀ ଉଭୟ ଆଞ୍ଚଳିକ ତଥା ବିଶ୍ୱସ୍ତରରେ ମହତ୍ୱପୂର୍ଣ୍ଣ ପ୍ରଭାବ ପକାଇଥାଏ । ଏହାର ରାଜନୈତିକ ସ୍ଥିରତା ତଥା ୟୁରୋପୀୟ ଓ ଅନ୍ତର୍ଜାତୀୟ ସଂଘର୍ଷରେ ମଧ୍ୟସ୍ଥତାର ପ୍ରୟାସ, ଏହାର ବିଶ୍ୱସ୍ତରୀୟ ସ୍ଥିତିକୁ ଆହୁରି ମଜଭୁତ କରେ ।
ସାଉଥ କୋରିଆ
ଜିଡିପି: ୯୫ ୧.୯୫ ଟ୍ରିଲିୟନ୍
ଜନସଂଖ୍ୟା: ୫.୧୭ କୋଟି
ଷଷ୍ଠ ଶକ୍ତିଶାଳୀ ରାଷ୍ଟ୍ର ଭାବରେ ମାନ୍ୟତା ପାଇଥିବା ଦକ୍ଷିଣ କୋରିଆ ପ୍ରମୁଖ ବିଶ୍ୱଶକ୍ତିରେ ପରିଣତ ହୋଇଛି । ଅଗ୍ରଣୀ ଟେକ୍ନୋଲୋଜି ଏବଂ ଉତ୍ପାଦନ ଶିଳ୍ପ ଦ୍ୱାରା ପରିଚାଳିତ ଏହାର ଅର୍ଥନୀତି ଏସିଆ-ପ୍ରଶାନ୍ତ ମହାସାଗରରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ବଢ଼ୁଥିବା ସାମରିକ ଶକ୍ତି ଏବଂ ଆମେରିକା ସହିତ ଏକ ଘନିଷ୍ଠ ସହଭାଗୀତା ସହିତ ଦକ୍ଷିଣ କୋରିଆର ପ୍ରଭାବ ବୃଦ୍ଧି ପାଇବାରେ ଲାଗିଛି । ବିଶ୍ୱ ଟେକ୍ନୋଲୋଜିରେ ଏହି ଦେଶ ଅଗ୍ରଣୀ ସ୍ଥାନ ଗ୍ରହଣ କରିଛି । ବିଶେଷକରି ଇଲେକ୍ଟ୍ରୋନିକ୍ସ ଏବଂ ଦୂରସଂଚାର ସୁବିଧା ଯୋଗୁଁ ବିଶ୍ୱ ସ୍ତରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଦକ୍ଷିଣ କୋରିଆ ।
ଫ୍ରାନ୍ସ
ଜିଡିପି: ୩.୨୮ ଟ୍ରିଲିୟନ ଡଲାର
ଜନସଂଖ୍ୟା: ୬.୬୫ କୋଟି
ଅର୍ଥନୈତିକ ଶକ୍ତି, ଶକ୍ତିଶାଳୀ ସାମରିକ ଏବଂ କୂଟନୈତିକ ପ୍ରଭାବ ଯୋଗୁଁ ଫ୍ରାନ୍ସ ସପ୍ତମ ଶକ୍ତିଶାଳୀ ଦେଶ ହୋଇପାରିଛି । ୟୁରୋପୀୟ ୟୁନିଅନ୍ ଏବଂ ନାଟୋର ପ୍ରତିଷ୍ଠାତା ସଦସ୍ୟ ଭାବରେ ବିଶ୍ୱ ରାଜନୀତିରେ ଫ୍ରାନ୍ସ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।
ଦୁନିଆର ଅନ୍ୟତମ ଶକ୍ତିଶାଳୀ ସୈନ୍ୟ ଶକ୍ତି ସହିତ ଫ୍ରାନ୍ସ ଏହାର ପ୍ରଭାବକୁ ବିଶ୍ୱବ୍ୟାପୀ ଜାହିର କରିବାରେ ସକ୍ଷମ ହୋଇପାରିଛି । କୂଟନୀତି ଉପରେ ଏହାର ଧ୍ୟାନ ବିଶେଷ କରି ଆଫ୍ରିକା ଏବଂ ମଧ୍ୟ ପୂର୍ବ ଉପରେ ରହିଛି । ଏହା ବିଶ୍ୱ ସୁରକ୍ଷା ଏବଂ ବାଣିଜ୍ୟରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ ।
ଜାପାନ
ଜିଡିପି: ୪.୩୯ ଟ୍ରିଲିୟନ ଡଲାର
ଜନସଂଖ୍ୟା: ୧୨.୩୭ କୋଟି
ଟେକ୍ନୋଲୋଜି, ଉତ୍ପାଦନ ଏବଂ ନବସୃଜନ କ୍ଷେତ୍ରରେ ଜାପାନ ଏକ ବିଶ୍ୱସ୍ତରୀୟ ଅଗ୍ରଣୀ ଦେଶ । ଛୋଟ ଆକାର ସତ୍ତ୍ୱେ ଶ୍ରେଷ୍ଠ ୧୦ରେ ସ୍ଥାନ ସୁରକ୍ଷିତ କରେ । ଶକ୍ତିଶାଳୀ ଅର୍ଥନୀତି ପାଇଁ ଜଣାଶୁଣା ଜାପାନ ବିଶ୍ୱ ବାଣିଜ୍ୟରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ଏବଂ ବୈଷୟିକ ପ୍ରଗତିରେ ଆଗେଇଥାଏ । ଆମେରିକା ସହିତ ସାମରିକ ସହଯୋଗ ଏବଂ ଏସିଆ-ପାସିଫିକ୍ ଅଂଚଳରେ ରଣନୈତିକ ସ୍ଥିତି ସୁନିଶ୍ଚିତ କରେ, ଜାପାନ ବିଶ୍ୱ ଭୌଗୋଳିକ କ୍ଷେତ୍ରରେ ବିଶେଷ କରି ଆଂଚଳିକ ସୁରକ୍ଷା ଏବଂ ଆର୍ଥିକ ସହଯୋଗରେ ଅତ୍ୟନ୍ତ ପ୍ରଭାବଶାଳୀ ।
ସାଉଦି ଆରବ
ଜିଡିପି: ୧.୧୪ ଟ୍ରିଲିୟନ ଡଲାର
ଜନସଂଖ୍ୟା: ୩.୩୯ କୋଟି
ସାଉଦି ଆରବର ଅର୍ଥନୀତି ବିଶାଳ ହୋଇନପାରେ, କିନ୍ତୁ ଏହାର ଶକ୍ତି ତୈଳ ଭଣ୍ଡାର ଏବଂ ରଣନୀତି ଯୋଗୁଁ ଆସିଥାଏ । ଦେଶର ଶକ୍ତି ସମ୍ବଳ ବିଶ୍ୱ ବଜାରରେ ଏହାକୁ ମହତ୍ୱପୂର୍ଣ୍ଣ ସ୍ଥାନ ଦେଇଥାଏ । ସାଉଦି ଆରବର ସାମରିକ ସ୍ଥିତି ଏବଂ ଆମେରିକା ସହିତ ଦୃଢ଼ ସମ୍ପର୍କ ବିଶ୍ୱ ସ୍ଥିତିରେ ଦେଶକୁ ଦୃଢ଼ କରିଥାଏ। ତୈଳ ଭଣ୍ଡାର ବ୍ୟତୀତ ମଧ୍ୟପ୍ରାଚ୍ୟର ସୁରକ୍ଷା ଏବଂ ରାଜନୈତିକ କାର୍ଯ୍ୟରେ ସାଉଦି ଆରବ ଏକ ପ୍ରମୁଖ ଭୂମିକା ଗ୍ରହଣ କରେ ।
ଇସ୍ରାଏଲ
ଜିଡିପି: ୫୫୦.୯୧ ବିଲିୟନ ଡ଼ଲାର୍
ଜନସଂଖ୍ୟା: ୯୩.୮ ଲକ୍ଷ
ଛୋଟିଆ ଦେଶଟିଏ ହୋଇଥିଲେ ସୁଦ୍ଧା ଇସ୍ରାଏଲ ଏହାର ବୈଷୟିକ ଏବଂ ସାମରିକ ଶକ୍ତି ଯୋଗୁଁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ରମାନଙ୍କ ମଧ୍ୟରେ ଦଶମ ସ୍ଥାନରେ ରହିଛି । ପ୍ରତିରକ୍ଷା ପାଇଁ ବିଶେଷ ଭାବରେ ପ୍ରଯୁକ୍ତିବିଦ୍ୟା ଏବଂ ସାଇବର ନିରାପତ୍ତା ପାଇଁ ଜଣାଶୁଣା ଇସ୍ରାଏଲ୍ ଉଭୟ ଟେକ୍ନୋଲୋଜି ଏବଂ ସୁରକ୍ଷା କ୍ଷେତ୍ରରେ ଏକ ଅଗ୍ରଣୀ ଦେଶ । ମଧ୍ୟପୂର୍ବରେ ରଣନୈତିକ ସ୍ଥିତି ସହ ଏହାର ଶକ୍ତିଶାଳୀ ସୈନ୍ୟ ଇସ୍ରାଏଲକୁ ଉଭୟ ଆଞ୍ଚଳିକ ତଥା ବିଶ୍ୱର ଭୂ-ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ମାନ୍ୟତା ପ୍ରଦାନ କରେ ।
ଭାରତ
ରାଙ୍କ୍: ଦ୍ୱାଦଶ
ଜିଡିପି: ୩.୫୫ ଟ୍ରିଲିୟନ ଡଲାର
ଜନସଂଖ୍ୟା: ୧.୪୩ ବିଲିୟନ
ଭାରତ ହେଉଛି ବିଶ୍ୱର ଦ୍ୱାଦଶ ଶକ୍ତିଶାଳୀ ଦେଶ । ବୃହତ ଜନସଂଖ୍ୟା ଏବଂ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ଯୋଗୁଁ ଭାରତ ଏହି ସ୍ଥାନ ଅଧିକାର କରିଛି । ୩.୫୫ ଟ୍ରିଲିୟନ ଡଲାରର ଅର୍ଥନୀତି ଏବଂ ସାମରିକ ଶକ୍ତି ବୃଦ୍ଧି ସହିତ ଭାରତ ଧୀରେ ଧୀରେ ପ୍ରଭାବ ବିସ୍ତାର କରୁଛି । ଭାରତ ବିଶ୍ୱ ସ୍ତରରେ ନିଜର ରାଜନୈତିକ ଉପସ୍ଥିତିକୁ ମଜଭୁତ କରିବା ସହିତ ଅନ୍ତର୍ଜାତୀୟ ସଂଗଠନ ଉପରେ ଗୁରୁତ୍ୱାରୋପ କରୁଛି । ଭବିଷ୍ୟତରେ ଟପ୍ ୧୦ ସ୍ଥିତିକୁ ଆସିବା ପାଇଁ ଉଦ୍ୟମ ଜାରି ରହିଛି । ଆଗାମୀ ଏକ ଦଶନ୍ଧି ମଧ୍ୟରେ ବିଶ୍ୱ ରାଜନୀତି, ବାଣିଜ୍ୟ ଏବଂ ନିରାପତ୍ତା ଗଠନରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାର ସମ୍ଭାବନା ରହିଛି ।
ଆର୍ଥିକ ସମ୍ଭାବନା ଏବଂ ନବସୃଜନ
ଭାରତର ୩.୫୫ ଟ୍ରିଲିୟନ ଡଲାର ଅର୍ଥନୀତି ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି ଅଟେ । ଦେଶ ଏକ ପ୍ରଭାବଶାଳୀ ହାରରେ ଅଭିବୃଦ୍ଧି ଜାରି ରଖିଛି । ଦେଶର ଅର୍ଥନୈତିକ ଗତିଶୀଳତା ଏହାର ଉନ୍ନତ ବୈଷୟିକ କ୍ଷେତ୍ର, ଉତ୍ପାଦନ ଶିଳ୍ପ ଏବଂ, କୁଶଳୀ କର୍ମଜୀବୀ ଦ୍ୱାରା ସଂଚାଳିତ । ନବସୃଜନ ଏବଂ ଡିଜିଟାଲ ରୂପାନ୍ତର ଉପରେ ଭାରତର ଧ୍ୟାନ ଏହାକୁ ଆଇଟି ସେବା, ମହାକାଶ ଅନୁସନ୍ଧାନ ଏବଂ ଅକ୍ଷୟ ଶକ୍ତି ଭଳି କ୍ଷେତ୍ରରେ ଏକ ଅଗ୍ରଣୀ କରାଉଛି । ଉଭୟ ବିକଶିତ ତଥା ବିକାଶଶୀଳ ରାଷ୍ଟ୍ର ସହିତ ଭାରତର ଅର୍ଥନୈତି ସମ୍ପର୍କ ମଜବୁତ ରହିଛି , ଭାରତ ବିଶ୍ୱ ଗଠନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଉଦ୍ୟମ ଜାରି ରଖିଛି ।
ବିଶ୍ୱ ଶକ୍ତିର ପରିବର୍ତ୍ତିତ ସନ୍ତୁଳନ
୨୦୨୫ରେ ବିଶ୍ୱ ଶକ୍ତିର ଦୃଶ୍ୟପଟ୍ଟ ବିକଶିତ ହେବାରେ ଲାଗିଛି । ପାରମ୍ପରିକ ମହାଶକ୍ତିଗୁଡିକ ସେମାନଙ୍କର ପ୍ରାଧାନ୍ୟ ବଜାୟ ରଖିଥିବାବେଳେ ଭାରତ ପରି ଉଦୀୟମାନ ରାଷ୍ଟ୍ରଗୁଡ଼ିକ କ୍ରମାଗତ ଭାବରେ ପ୍ରଭାବ ହାସଲ କରୁଛନ୍ତି । ଆର୍ଥିକ ଶକ୍ତି, ସାମରିକ ସାମର୍ଥ୍ୟ ଏବଂ କୂଟନୀନି, ବିଶ୍ୱସ୍ତରୀୟ ମାନ୍ୟତା ସୃଷ୍ଟି କରିବାର ମୁଖ୍ୟ କାରଣ ଅଟେ । ଆମେରିକା ଓ ଚୀନ ପରି ଦେଶ ଗୁଡ଼ିକ ସର୍ବାଗ୍ରେ ଥିବାବେଳେ ଭାରତ, ଦକ୍ଷିଣ କୋରିଆ, ଏବଂ ସାଉଦି ଆରବ ଭଳି ଦେଶଗୁଡ଼ିକ ଦ୍ରୁତ ଗତିରେ ବିକଶିତ ହେଉଛନ୍ତି । ପରସ୍ପର ସହ ଜଡିତ ହେବା ସହିତ ବିଶ୍ୱ ଶକ୍ତିର ସନ୍ତୁଳନ ବଦଳିବାରେ ଲାଗିଛି । ଏଭଳି ସ୍ଥିତିରେ ଭବିଷ୍ୟତ ଗଠନ ପାଇଁ ଚେଷ୍ଟା କରୁଥିବା ରାଷ୍ଟ୍ରମାନଙ୍କ ପାଇଁ ନୂତନ ସୁଯୋଗ ଏବଂ ଆହ୍ୱାନ ସୃଷ୍ଟି ହେଉଛି ।
ଭାରତର ଆର୍ଥିକ ଅଭିବୃଦ୍ଧି
ଭାରତର ଅର୍ଥବ୍ୟବସ୍ଥା ସବୁଠାରୁ ଅଧିକ ବେଗରେ ବଢ଼ୁଥିବା ଅର୍ଥବ୍ୟବସ୍ଥା ମଧ୍ୟରୁ ଗୋଟିଏ ତଥା ଆଗାମୀ ବର୍ଷମାନଙ୍କରେ ଏହାର ସ୍ଥିର ବିସ୍ତାରକୁ ସଙ୍କେତ ଦିଏ । ୨୦୨୫ରେ ଜିଡିପି ୩.୫୫ ଟ୍ରିଲିୟନ ଡଲାର ସହିତ ଭାରତ ଏକ ପ୍ରମୁଖ ବିଶ୍ୱ ଅର୍ଥନୈତିକ ଶକ୍ତିରେ ପରିଣତ ହୋଇସାରିଛି। ଏହାର ଶକ୍ତିଶାଳୀ ଆଇଟି କ୍ଷେତ୍ର, ବୈଦେଶିକ ପୁଞ୍ଜି ବିନିଯୋଗ ଏବଂ ଉତ୍ପାଦନ ଆଡକୁ ପରିବର୍ତ୍ତନ ଏହାର ବୃଦ୍ଧିରେ ସହାୟକ ହୋଇଛି । ମେକ୍ ଇନ୍ ଇଣ୍ଡିଆ ଏବଂ ଡିଜିଟାଲ୍ ଟ୍ରାନ୍ସଫର୍ମେସନ୍ ପ୍ରୋଗ୍ରାମ ଭଳି ସରକାରୀ ପଦକ୍ଷେପ ଶିଳ୍ପ ଉତ୍ପାଦନକୁ ବୃଦ୍ଧି କରୁଛି ଏବଂ ନିଯୁକ୍ତି ସୃଷ୍ଟି କରୁଛି । ଭାରତର ଭିତ୍ତିଭୂମି ବିକାଶ, ଡିଜିଟାଲ ଅର୍ଥନୀତିର ଅଭିବୃଦ୍ଧି ଏବଂ ଅର୍ଥନୈତିକ ସଂସ୍କାର ଉପରେ ଯେଭଳି ଗୁରୁତ୍ୱ ଦିଆଯାଉଛି, ସମଗ୍ର ବିଶ୍ୱରେ ଭାରତ ତା’ର ଆର୍ଥିକ ସ୍ଥିତିକୁ ଆହୁରି ଦୃଢ଼ କରିପାରିବ ।