ପାକିସ୍ତାନରେ ତେଜୁଛି ରାଜନୈତିକ ଝଡ଼ : ଆତ୍ମଘାତୀ ହମଲା ଲାଗି ପ୍ରସ୍ତୁତ ଇମ୍ରାନ ସମର୍ଥକ !

ପାକିସ୍ତାନରେ ଆତ୍ମଘାତୀ ହମଲାର ଚେତାବନୀ

imran khan

ପାକିସ୍ତାନରେ ପୁଣି ତେଜୁଛି ରାଜନୈତିକ ଝଡ଼ । ଏଥର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମ୍ଭାବ୍ୟ ଗିରଫଦାରୀ ପ୍ରସଙ୍ଗକୁ ନେଇ । ଖୁବଶୀଘ୍ର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗିରଫ ହେବେ ବୋଲି ପାକ ଗୃହମନ୍ତ୍ରୀଙ୍କ ବୟାନ ପରେ ତେଜିଛି ରାଜନୀତି । ଏହାକୁ ନେଇ ଇମ୍ରାନଙ୍କ ଦଳ ପାକିସ୍ତାନ ତେହେରିକ୍ ଏ ଇନସାଫ ପାର୍ଟିର ସାଂସଦ ଅତାଉଲ୍ଲା ପାକ୍ ସରକାରଙ୍କୁ ଖୋଲା ଚେତାବନୀ ଦେଇଛନ୍ତି । ଯଦି ଇମ୍ରାନ ଖାନଙ୍କୁ ଗିରଫ କରାଯାଏ, ତେବେ ଏହାର ପରିମାଣ ଭୟାବହ ହେବ । ସରକାରଙ୍କ ଉପରେ ଆତ୍ମଘାତୀ ଆକ୍ରମଣ ହେବ ଓ ସେଥିରୁ କେହି ବି ବର୍ତ୍ତିବେନି ବୋଲି ସେ କହିଛନ୍ତି । ଏସବୁ ମଧ୍ୟରେ ଇମ୍ରାନଙ୍କ ଉପରେ ଆକ୍ରମଣ ଆଶଂକା କରି ସୁରକ୍ଷା ବଢାଇ ଦେଇଛନ୍ତି ପାକ୍ ସରକାର ।

ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ସରକାରଙ୍କୁ ପାକିସ୍ତାନ ତେହେରିକ୍ ଏ ଇନସାଫ ଦଳର ସାଂସଦ ଅତାଉଲ୍ଲା ଦେଇଛନ୍ତି ଖୋଲା ଚ୍ୟାଲେଂଜ ଇମ୍ରାନଙ୍କୁ ଗିରଫ କଲେ ସ୍ଥିତି ଭୟାବହ ହେବ । ସରକାରଙ୍କ ଉପରେ ହେବ ଆତ୍ମଘାତୀ ହମଲା । ମୁଁ ନିଜେ ହେବି ପ୍ରଥମ ଆତ୍ମଘାତୀ ବୋମା । ରାଜଧାନୀ ଇସଲାମାବାଦରେ ହଜାର ହଜାର ସଂଖ୍ୟାରେ କର୍ମୀ ଆତ୍ମଘାତୀ ହମଲା କରିବାକୁ ପ୍ରସ୍ତୁତ ଅଛନ୍ତି । ଟ୍ୱିଟରରେ ଏକ ଭିଡିଓ ଜାରି କରି ପାକ୍ ସରକାରଙ୍କୁ ଏହି ଧମକପୂର୍ଣ୍ଣ ଚେତାବନୀ ଦେଇଛନ୍ତି ପାକ୍ ସାଂସଦ ଅତାଉଲ୍ଲା । ସେ କହିଛନ୍ତି ଯେ, ଇମ୍ରାନ ଖାନଙ୍କ ଯଦି କିଛି ହୁଏ ତେବେ ଦଳର ହଜାର ହଜାର ସମର୍ଥକ ସରକାରଙ୍କ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ଅଛନ୍ତି ।

ଏହି ହମଲା ସେମାନଙ୍କ ବିରୋଧରେ ହେବ ଯେଉଁମାନେ ପାକିସ୍ତାନରେ ସରକାର ଚଳାଉଛନ୍ତି । ଇମ୍ରାନଙ୍କ ଖାନଙ୍କ କିଂଚିତ ବି କ୍ଷତି ହେଲେ ,ଏହାର ଗମ୍ଭୀର ପରିଣାମ ଭୋଗିବାକୁ ପଡିବ । ପାକ୍ ସାଂସଦ ଅତାଉଲ୍ଲା ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ଇମ୍ରାନଙ୍କୁ କିଛି ବି ହୁଏ ତେବେ କାହାରିକୁ କ୍ଷମା ଦିଆଯିବ ନାହିଁ ।

ନିକଟରେ ପାକ୍ ଗୃହମନ୍ତ୍ରୀ ରାଣା ସନାଉଲ୍ଲା ଖାନ କହିଥିଲେ ଯେ, ଖୁବଶୀଘ୍ର ପୂର୍ବତନ ପ୍ରଧାନମନ୍ତ୍ରୀ ଗିରଫ ହୋଇପାରନ୍ତି । ସରକାର ବିରୋଧୀ କାର୍ଯ୍ୟକଳାପ ଯୋଗୁଁ କୌଣସି ମୁହୂର୍ତ୍ତରେ ଗିରଫ ହୋଇପାରନ୍ତି । ଇମ୍ରାନ ଏହି ଚେତାବନୀ ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗିରଫଦାରୀ ସମ୍ଭାବନା ଆହୁରି ବଢିଯାଇଛି । ଆତ୍ମଘାତୀ ହମଲା ଚେତାବନୀକୁ ନେଇ ଇମ୍ରାନଙ୍କ ସମର୍ଥିତ ସାଂସଦ ଅତାଉଲ୍ଲାଙ୍କୁ ପାଲଟା ଜବାବ ଦେଇଛନ୍ତି ପାକି ଗୃହମନ୍ତ୍ରୀ ରାଣା ସନାଉଲ୍ଲା ।

ଇମମ୍ରାନ ଖାନକୁ ଗିରଫ କରି କୋର୍ଟରେ ହାଜର କରିବା ଉଚିତ ବୋଲି । ଇମ୍ରାନ ଦେଶକୁ ବାଣ୍ଟିବାକୁ ଉଦ୍ୟମ କରୁଥିବା ଭଳି ସେ ଗମ୍ଭୀର ଅଭିଯୋଗ ଆଣିଛନ୍ତି । ତାଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ମହଜୁଦ ରହିଛି । ଦେଶରେ ଅରାଜକତା ସୃଷ୍ଟି କରିବାକୁ ଇମ୍ରାନ ଉଦ୍ୟମ ଆରମ୍ଭ କରିଥିବା ଭଳି ଗୁରୁତର ଅଭିଯୋଗ କରିଛନ୍ତି । ସନାଉଲ୍ଲା ଅତାଉଲ୍ଲାଙ୍କ ଏହି ବୟାନକୁ ନେଇ ପାକ୍ ସରକାରରେ ମନ୍ତ୍ରୀ ଥିବା ମରିୟମ ଔରଙ୍ଗଜେବ କଡା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଦେଶ ବିରୋଧରେ ଧମକ ଦେଉଥିବା ବ୍ୟକ୍ତିଙ୍କ ରାଜନୀତି କିମ୍ବା ଏଠାରେ କୌଣସି ସ୍ଥାନ ନାହିଁ ବୋଲି କହିଛନ୍ତି । ସେପଟେ ଇମ୍ରାନଙ୍କ ଭଣଜା ତଥା ଦଳୀୟ ନେତା ହସନ ନିଆଜି ସରକାରଙ୍କ ବିରୋଧରେ କଟୁ ମନ୍ତବ୍ୟ ଦେଇ କହିଛନ୍ତି ଇମ୍ରାନଙ୍କୁ କିଛି ବିଅ ହେଲେ ସରକାର କିମ୍ବା ତାଙ୍କର କେହି ରହିବେନି ।