ପାକିସ୍ତାନରେ ଘୋର ଆର୍ଥିକ ସଙ୍କଟ : ଆମଦାନୀ ପାଇଁ ଟଙ୍କା ନାହିଁ, ଚା’ ପିଆ କମାଇବାକୁ ଅପିଲ୍‌ କଲେ ସରକାର

ପାକିସ୍ତାନରେ ଚା କପରେ ଝଡ଼ ଦେବାଳିଆ ହୋଇପଡିଛି ଅର୍ଥନୀତି

ପାକିସ୍ତାନରେ ଚା କପରେ ଝଡ଼, ଦେବାଳିଆ ହୋଇପଡିଛି ଅର୍ଥନୀତି

ଦିନକୁ ପିଉଥିବା ଚାରୁ କିଛି କପ୍ କମାଇ ଦିଅ । ପାକିସ୍ତାନୀ ଜନତାଙ୍କୁ ମନ୍ତ୍ରୀ ଏହସାନ୍ ଇକବଲଙ୍କ ଏହି ଅପିଲକୁ ନେଇ ଜୋରଦାର ଚର୍ଚ୍ଚା । ଦେଶର ବୈଦେଶିକ ମୁଦ୍ରାଭଣ୍ଡାର ଖାଲି ହେବାକୁ ବସିଥିବା ବେଳେ ଚା ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀ ଆମଦାନୀ ଲାଗି ଅର୍ଥ ନାହିଁ । ତେଣୁ ଚା ବାବଦକୁ ଖର୍ଚ୍ଚ ବୈଦେଶିକ ମୁଦ୍ରା ହ୍ରାସ ଉଦ୍ଦେଶ୍ୟରେ ଏଭଳି ମନ୍ତବ୍ୟ ଦେଇଥିଲେ ମନ୍ତ୍ରୀ ଇକବାଲ । ତେବେ ଏଥିପାଇଁ ତାଙ୍କୁ ତୀବ୍ର ସମାଲୋଚନାର ଶରବ୍ୟ ହେବାକୁ ପଡିଛି । ଏମିତିକି ସୋସିଆଲ ମିଡିଆରେ ତାଙ୍କ ଇସ୍ତଫା ଦାବି ଟ୍ରେଣ୍ଡିଂରେ ଅଛି ।

ପାକିସ୍ତାନରେ ଚା କପରେ ଝଡ଼ । ଦେବାଳିଆ ହୋଇପଡିଛି ଅର୍ଥନୀତି । ବୈଦେଶିକ ମୁଦ୍ରା ଭଣ୍ଡାର ଖାଲି ଦରଦାମ୍ ବି ଆକାଶଛୁଆଁ । ଅଟା, ଚାଉଳ, କିରାସିନିଠୁ ଆରମ୍ଭ କରି ପେଟ୍ରୋଲ ଓ ଡିଜେଲର ଘୋର ଅଭାବ । ତେଣେ ବୈଦେଶିକ ଋଣର କିସ୍ତି ସୁଝି ନପାରି ଡିଫଲ୍ଟର ହେବାକୁ ଯାଉଛି ଶାହାବାଜ୍ ସରିଫ୍ ସରକାର । ସ୍ଥିତି ଏତେ ସଂଗୀନ ଯେ, ଆମଦାନୀ କମାଇବାକୁ ଚାଲିଛି ଉଦ୍ୟମ । ଏହି ପରୀପ୍ରେକ୍ଷୀରେ ଜଣେ ବରିଷ୍ଠ ମନ୍ତ୍ରୀ ଏହସାନ୍ ଇକବାଲ୍ ଦିନକୁ କିଛି କପ୍ ଚା କମ୍ ପିଇବାକୁ ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି ।

ପାକିସ୍ତାନ ବାର୍ଷିକ ୪ଶହ ମିଲିୟନ ଡଲାର ମୂଲ୍ୟର ଚା ଆମଦାନୀ କରୁଥିବା ବେଳେ ଆର୍ଥିକ ଦୁରବସ୍ଥା ସତ୍ତ୍ୱେ ଚଳିତ ଆର୍ଥିକ ବର୍ଷରେ ଗତ ବର୍ଷଠାରୁ ୬୦ ମିଲିୟନ ଡଲାର ମୂଲ୍ୟର ଅଧିକ ଚା ଆମଦାନୀ କରିଛି । ତେବେ ମନ୍ତ୍ରୀଙ୍କ ଏଭଳି ବୟାନ ପାକିସ୍ତାନବାସୀଙ୍କ ହଜମ ହୋଇନି । ଦିନକୁ ଅତି କମରେ ୩ କପ୍ ଚା ପିଉଥିବା ପାକିସ୍ତାନବାସୀ ମନ୍ତ୍ରୀଙ୍କ ପରାମର୍ଶରେ କ୍ଷୁବ୍ଧ ହୋଇଛନ୍ତି । ଏଥିପାଇଁ ସୋସିଆଲ ମିଡିଆରେ ତାଙ୍କୁ ଜବରଦସ୍ତ ଢଙ୍ଗରେ ଟ୍ରୋଲ କରାଯାଉଛି ।

ମନ୍ତ୍ରୀ ଇକବାଲଙ୍କ ଏହି ଯୁଗାନ୍ତକାରୀ ଆଇଡିଆ ସମୟ ଠାରୁ ୫ଶହ ବର୍ଷ ଆଗରେ ବୋଲି କଟାକ୍ଷ କରିଛନ୍ତି ଜଣେ ଟୁଇଟର୍ ୟୁଜର୍ ଅନୌସେ ଅସରଫ । ଆଉ ଜଣେ କହିଛନ୍ତି ଏବେ ଚା କଥା କହିଛ, ଆଗକୁ ଫାଳେ ରୁଟି କମ୍ କରିଦେବାକୁ କହିବ । ଏଭଳି ଅର୍ଥଶୂନ୍ୟ ବୟାନ ଦେଇଥିବାରୁ ମନ୍ତ୍ରୀ ଇକବାଲଙ୍କ ଇସ୍ତଫା ଦାବିରେ ସୋସିଆଲ ମିଡିଆରେ କ୍ୟାମ୍ପେନ ଆରମ୍ଭ ହୋଇଛି ।