• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଘର କାନ୍ଥରୁ ମାଟି ଖସିଲାଣି, ମଥାରୁ ଛପର ଓଲାରିଗଲାଣି । ବତାଶ ହେଲେ କେତେବେଳେ ଘର ଗଳିପଡିବ ତାହା କାହାକୁ ବି ଜଣାନାହିଁ । ହେଲେ ବି ସେହି ଘରେ ରହୁଛନ୍ତି ପୂରା ପରିବାର । ସ୍ୱାମୀ ବଞ୍ଚିଥିବା ବେଳେ ବାହାର ରାଜ୍ୟରେ କାମ କରି ଯେତିକି ଯାହା ରୋଜଗାର କରିଥିଲେ ସେତିକିରେ ପରିବାର ଚଳୁଥିଲା । ହେଲେ ସ୍ୱାମୀଙ୍କ ଦେହାନ୍ତ ହେବା ପରେ ସବୁ କିଛି ବଦଳିଗଲା । ଖାଇବାକୁ ନାହିଁ ଘର ଖଣ୍ଡିଏ ନାହିଁ । ବଡ କଷ୍ଟରେ ଏବେ ଦିନ କାଟୁଛନ୍ତି ପୂରା ପରିବାର ।

ନୂଆପଡା ବୋଡେନ ବ୍ଲକ କର୍ଲାକୋଟ ଛାର ମୁଣ୍ଡାପଡା । ଏହା ପଡା ଗାଁ । ଅନେକ ଦିନ ହେଲାଣି ସେହି ଗାଁରେ ରହୁଛନ୍ତି ବୃଦ୍ଧା ନେପୁର ମାଝୀ । ପରିବାର ଚଳିବା ପାଇଁ ଏକମାତ୍ର ପୁଅ ଦଶମୁଙ୍କ ବାହାର ରାଜ୍ୟକୁ ଯାଇ କାମ କରୁଥିଲେ । ଝିଅ ବାହାଘର ପାଇଁ ଘରକୁ ଫେରିଥିଲେ । ହେଲେ ଘରେ ପହଞ୍ଚିବା ପରେ ହଠାତ୍‌ ତାଙ୍କର ଦେହ ଖରାପ ହେଲା । ଚିକିତ୍ସା ଲାଗି ମେଡିକାଲ ନେଉ ନେଉ ବାଟରେ ପ୍ରାଣ ହାରିଲେ ଦଶମୁଙ୍କ । କିନ୍ତୁ ଦୁଃଖର କଥା ତାଙ୍କୁ ହରିଶ୍ଚନ୍ଦ୍ର ଯୋଜନାରେ ଟଙ୍କା ବି ମିଳିଲା ନାହିଁ ।

ବଂଚିଥିବା ବେଳେ ଯେତିକି ରୋଜଗାର କରୁଥିଲେ ସେତିକି ପରିବାର ଚଳୁଥିଲା , ହେଲେ ଜୀବନ ଯିବା ପରେ ଏବେ ବଡ ଦୁଃଖ କଷ୍ଟରେ ରହୁଛନ୍ତି ପୂରା ପରିବାର । ସ୍ୱାମୀଙ୍କ ଅବର୍ତ୍ତମାନରେ ସ୍ତ୍ରୀ କମଲେ ଏବେ ପର ଘରେ ମୂଲ ଲାଗୁଛନ୍ତି । ସେତିକିରୁ ଯେତିକି ମିଳୁଛି ୪ ପୁଅ ଝିଅ ଓ ବୃଦ୍ଧା ଶାଶୂଙ୍କ ମୁହଁରେ ଦେଉଛନ୍ତି ଆହାର । ଜାଣିଆଶ୍ଚର୍ଯ୍ୟ ହେବେ କି, କମଲେଙ୍କ ଶାଶୂଙ୍କ ବୟସ ୮୩ ଟପିଲାଣି । ହେଲେ ତାଙ୍କୁ ଏଯାଏଁ ୮ ଶହ ବଦଳରେ ମିଳୁଛି ୫ ଶହ ଟଙ୍କା । ସରକାରୀ ସହାୟତା କହିଲେ, ମାସକୁ ମିଳୁଛି ମାତ୍ର ୨୫ କିଲୋ ଚାଉଳ । ସେତିକ ହିଁ ଏହି ପରିବାରର ସର୍ବସ୍ୱ ।

ଘର ଖଣ୍ଡିଏ ନଥିବାରୁ ବାରମ୍ବାର ଗୁହାରି କରିବା ପରେ ୨୦୧୫ ମସିହାରେ ନେପୁରଙ୍କ ନାଁରେ ଖଣ୍ଡିଏ ଆବାସ ଘର ଆସିଥିଲା । ହେଲେ ଏହାରି ଭିତରେ ୮ ବର୍ଷ ବିତିଗଲା କିନ୍ତୁ ଘର ଅଧପନ୍ତରିଆ ଅବସ୍ଥାରେ ରହିଛି । ସେହି ପରିବାର ଏତେ ଦୁଃଖରେ ଥିବା ପରେ ବି ସରକାରୀ ସହାୟତା ତାଙ୍କ ଲାଗି ସାତସପନ ହୋଇ ରହିଛି । ତେଣୁ ତୁରନ୍ତ ଏହି ପରିବାରକୁ ସାହାଯ୍ୟ କରିବାକୁ ଦାବି ହୋଇଛି । ସେପଟେ କର୍ଲାକୋଟ ସରପଞ୍ଚ ମଙ୍ଗଳ ସିଂ ଦଳଙ୍କୁ ପଚାରିବାରୁ ଆବାସ ଯୋଜନା ଘର ଉପରେ ଜାଣି ନଥିବା କହିଥିଲେ ଓ ତାଙ୍କ କାଗଜପତ୍ର ସଂଗ୍ରହ କରାଯାଇଛି ,ଅତିଶୀଘ୍ର ଭତ୍ତା ପ୍ରଦାନ ସହ ପରିବାର ମଙ୍ଗଳ ଯୋଜନାରେ ସାମିଲ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ତେବେ ସମୟ କହିବ ସେମାନେ କେବେ ପାଉଛନ୍ତି ସରକାରୀ ସହାୟତା । 

(ଖଡିଆଳରୁ କୁନାଲ ବେହେରାଙ୍କ ରିପୋର୍ଟ)