• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ମୋନାଲିସ୍‌ ଦହିବରା ଷ୍ଟଲ୍‌ । ରାସ୍ତା କଡରେ ଥିବା ଦୋକାନରେ ସବୁବେଳେ ଖଚାଖଚ ଭିଡ । କମ୍‌ ଦାମରେ ସସ୍ୱାଦୁ ଦହିବରା ମିଳୁଥିବାରୁ ପ୍ରାୟ ସମସ୍ତେ ସେଠାରେ କିଛି ସମୟ ପାଇଁ ଅଟକିଯାଆନ୍ତି, ଆଉ ଦହିବରା ଖାଇବା ପରେ ଟିକିଏ ଦହିପାଣି ପିଇ ଥକା ବି ମେଣ୍ଟାନ୍ତି । ସେ ଦୋକାନ ଦେଖିବା ପରେ ଆପଣ କହିପାରନ୍ତି ରାସ୍ତା କଡରେ ଅନେକ ଦହିବରା ଷ୍ଟଲ୍‌ ଅଛି । ସେମିତି ସିଏ ବି ଗୋଟିଏ ଦହିବରା ଷ୍ଟଲ ହୋଇଥିବ । ସେଥିରେ ନୂଆ କଣ ? ଦର୍ଶକବନ୍ଧୁ ସେହି ଷ୍ଟଲ ପଛରେ ଯେଉଁ ଛାତିଥରା କାହାଣୀ ରହିଛି ତାହା ଜାଣିବା ପରେ ଆପଣଙ୍କୁ କଷ୍ଟ ଲାଗିବ । ଆଉ ମହିଳାଙ୍କୁ ଦୋକାନୀଙ୍କୁ ଆପଣ ସାଲ୍ୟୁଟ୍‌ କରିବାକୁ ବାଧ୍ୟ ହେବେ ।

କାମାକ୍ଷାନଗର ମହୁଲି ଗାଁର ଝରଣା ବିଶ୍ୱାଳ ଓରଫ ଝାନ୍ସି । ସକାଳ ହେଲେ ରାସ୍ତା କଡରେ ବିକ୍ରି କରନ୍ତି ଦହିବରା, ଘୁଘୁନି ସହ ଆଳୁଦମ୍‌ । କାରଣ ଦୋକାନ ଖୋଲିଲେ ପେଟକୁ ଦାନା ଯିବ, ପିଲାମାନେ ପାଠ ପଢିବେ । ସ୍ୱାମୀ ଥିବା ବେଳେ ଦହିବରା ଷ୍ଟଲରୁ ଯେତିକି ରୋଜଗାର କରନ୍ତି ସେତିକିରେ ପରିବାର ଚଳେ । ଖାଲି ପରିବାର ଚଳୁଥିଲା ତାହା ନୁହେଁ ବରଂ ପିଲାଙ୍କୁ ମଣିଷ କରିବାକୁ ଏଇଠୁ ହିଁ ଯାଏ ଟଙ୍କା । କିନ୍ତୁ ୭ ମାସ ତଳେ ଯେଉଁ ଦୁର୍ଘଟଣା ହେଲା ସେଥିଲେ ଝାନ୍ସିଙ୍କ ସବୁ ସ୍ୱପ୍ନ ଧୂଳିସାତ୍‌ ହୋଇଗଲା । କାରଣ ଦୁର୍ଘଟଣାରେ ସ୍ୱାମୀ ମୁରଲୀଙ୍କର ଦେହାନ୍ତ ହୋଇଥିଲା ।

ସ୍ୱାମୀ ବଞ୍ଚିଥିବା ବେଳେ ଦହିବାର ଦୋକାନ ଓ ଜଳିଖିଆ ଦୋକାନ କରି ଯେତିକି ରୋଜଗାର କରନ୍ତି ସେତିକିରେ ପରିବାର ଚଳୁଥିଲା । ହେଲେ ମୂରଲୀଙ୍କ ମୃତ୍ୟୁ ପରେ ସତେ ଯେମିତି ଝାନ୍ସିଙ୍କ ପରିବାରକୁ ଅନ୍ଧାର ଘୋଟି ଆସିଲା । ଦୁଇଟି ପିଲା, ଘର ଚଳିବାର ବୋଝକୁ କେମିତି ବୋହିବେ ସେନେଇ ଦିନରାତି ଚିନ୍ତା କରୁଥିଲେ ଝାନ୍ସି । ଆଉ ଏତିକି ବେଳେ ସେ ଶପଥ ନେଇଥିଲେ ସ୍ୱାମୀଙ୍କ ଅବର୍ତ୍ତମାନରେ ସେ ଦୋକାନ ଖୋଲିବେ, ଦହିବରା ବିକିବେ...ଆଉ ପିଲାଙ୍କୁ ମଣିଷ କରି ଗଢିତୋଳିବେ । ସେଇଥି ଲାଗି ତ ଆଜି ରାସ୍ତା କଡରେ ଏମିତି ବିକ୍ରି କରୁଛନ୍ତି ଦହିବରା ।

ଭୋରରୁ ଉଠିବା ମାତ୍ରେ ଝାନ୍ସି ଦହିବରା ପାଇଁ ବିଭିନ୍ନ ସରଞ୍ଜାମ ସହ ଖାଦ୍ୟକୁ ପ୍ରସ୍ତୁତ କରିଥାନ୍ତି । ଏଥିସହିତ ପିଲାଙ୍କ ଅଳି ଅଝଟ ସହ ସେମାନଙ୍କ ଦାୟିତ୍ୱ ମଧ୍ୟ ବୁଝିଥାନ୍ତି । ରାସ୍ତା କଡରେ ଦହିବରା ଷ୍ଟଲରେ ଦିନ ତମାମ ବେପାରରେ ଲାଗି ପଡନ୍ତି । ଜଣେ ନାରୀ ହୋଇ ଅନ୍ୟମାନଙ୍କ ପାଇଁ ସେ ବଡ଼ ନିଦର୍ଶନ । ହେଲେ ପିଲାଙ୍କ ମୁହଁକୁ ଚାହିଁ ସେ ସବୁ ପ୍ରତିକୂଳ ପରିସ୍ଥିତିର ସାମ୍ନା କରି ଏବେ ବିକ୍ରି କରୁଛନ୍ତି ଦହିବରା । ତେବେ ପ୍ରଶାସନ ୟାଙ୍କୁ ପରିବାରକୁ ଯଦି ସାହାଯ୍ୟର ହାତ ବଢାନ୍ତି ତେବେ ଝାନ୍ସିଙ୍କ ପିଲାମାନେ ମଣିଷ ହୋଇପାରନ୍ତେ ବୋଲି କହିଛନ୍ତି ସ୍ଥାନୀୟ ଲୋକେ ।

 

  • Reported by:
  • Bidyadhar Baral