ପଙ୍କରେ ଫୁଟେ ପଦ୍ମ । ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ପ୍ରତିଭାର ବିକାଶ ହୋଇପାରେ। ଏକଥା ପ୍ରମାଣିତ କରିଛନ୍ତି ବିହାରର ଏକ ମଫସଲ ଗାଁର ଝିଅମାନେ । ଯେଉଁଠି ଦିନେ ବନ୍ଧୁକ ଗର୍ଜିବା ସହ ଗୁଳି ବର୍ଷୁଥିଲା, ସେଠାରେ ଅସରନ୍ତି ପ୍ରତିଭା ଜନ୍ମ ନେଇଛନ୍ତି । ଦିନ ଥିଲା ଏ ଗାଁ ଅସାମାଜିକ ଲୋକଙ୍କ ଆଡ୍ଡାସ୍ଥଳୀ ଥିଲା, ଝିଅବୋହୂ ଘରୁ ଗୋଡ଼ କାଢ଼ିବା ପାଇଁ ଭୟ କରୁଥିଲେ । ଆଉ ଏଠାରେ ଅପହରଣ, ହତ୍ୟା ଆଦି ଘଟଣା ଖୁବ ସାଧାରଣ ଥିଲା । ଏପରି ସମୟରେ କିଛି ଝିଅ ସଟ୍ସ ପିନ୍ଧି ଖେଳ ପଡ଼ିଆକୁ ଓହ୍ଲାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ତଥାପି ମନରେ ଅସୁମାରୀ ସ୍ୱପ୍ନ, ଭରପୁର ଉତ୍ସାହ ନେଇ ମଫସଲ ଗାଁର ଝିଅମାନେ ସ୍ୱପ୍ନର ସାମ୍ରାଜ୍ୟ ଗଢ଼ିଥିଲେ ।
ଦଶନ୍ଧି ପରେ ବରୌନି ଫ୍ଲାଗ ଗାଁ କେବଳ ବିହାରରେ ନୁହେଁ ସମଗ୍ର ଦେଶରେ ଖେଳ ଗାଁ ଭାବରେ ଜଣାଶୁଣା । ଖେଳ ପ୍ରତି ଆଗ୍ରହ ତଥା ପରିଶ୍ରମ ବଳରେ ପରିବାର ଓ ସମାଜକୁ ନୂଆ ପରିଚୟ ଦେଇଥିବା ବେଳେ ଗାଁକୁ ଏକ ନୂତନ ବାଟ ଦେଖାଇଛନ୍ତି ଝିଅମାନେ । କ୍ରୀଡା କ୍ଷେତ୍ରରେ ଆଜି ସମାଜରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଏ ଗାଁର ଝିଅ ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅନେକ ମେଡାଲ ଜିତିଛନ୍ତି । କେବଳ ଏତିକି ନୁହେଁ ଖେଳ ଆଧାରରେ ଅନେକଙ୍କୁ ସରକାରୀ ଚାକିରି ମଧ୍ୟ ମିଳିଛି ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ନବେ ଦଶକରେ ଝିଅମାନେ ଅସରନ୍ତି ବାଧାବିଘ୍ନର ଅନ୍ଧାର ଗଳିରୁ ଆସି ସର୍ବସାଧାରଣରେ ଖେଳିବାର ଏକ ଧାରା ଆରମ୍ଭ କରିଥିଲେ । ହେଲେ ଏ ରାସ୍ତା ଏତେ ସହଜ ନଥିଲା । ସେତେବେଳେ ମହିଳାମାନେ ନିଜ ଘରୁ ବାହାରିବା ପାଇଁ ମଧ୍ୟ ଭୟ କରୁଥିଲେ । କାରଣ ଗାଁରେ ପାଦେ ପାଦେ ବିପଦ ଥିଲା । ହେଲେ ଝିଅମାନେ ସେସବୁ ଅସମ୍ଭବକୁ ସମ୍ଭବ କରି ଦେଖାଇଥିଲେ ।
Also Read
ବର୍ତ୍ତମାନ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଅଂଶଗ୍ରହଣ କରି ଗାଁକୁ ଗୌରାନ୍ୱିତ କରିବା ସହ ପାଞ୍ଚ ଦଶନ୍ଧି ପୂର୍ବର ଅପରାଧ ପ୍ରବଣ ଗାଁକୁ ଭିନ୍ନ ଦିଗ ଦେଖାଇଛନ୍ତି । ଦୃଢ ମନୋବଳ ସହ କଠିନ ପରିଶ୍ରମ ଓ ଅଦମ୍ୟ ସାହସ ନିଜ ଲକ୍ଷ୍ୟ ଆଡକୁ ବାଟ କଢାଏ । ଆଜି ଅନ୍ତର୍ଜାତୀୟ ସ୍ତରରେ ବରୌନି ଗାଁର ନାଁ ରହିଛି, ତାହା ବି କେବଳ ଝିଅମାନଙ୍କ ପାଇଁ.. ଯେଉଁମାନେ ଚ୍ୟାଲେଞ୍ଜ ସାମ୍ନାରେ ନଇଁ ଯାଇନଥିଲେ, ବରଂ ଜୀବନକୁ ବାଜି ଲଗାଇ ନିଜ ସ୍ୱପ୍ନ ପାଇଁ ଲଢ଼େଇ କରିଥିଲେ ।
ହେଲେ ଦୁଃଖର କଥା ତାଙ୍କ ସାମ୍ନାରେ କେବଳ ସମାଜର କଟକଣା ନଥିଲା ବରଂ ଘର ଲୋକମାନେ ମଧ୍ୟ ପ୍ରଥମେ ପ୍ରଥମେ ସହଯୋଗ କରୁନଥିଲେ । ବଢ଼ିଲା ଝିଅକୁ ସବୁବେଳେ ବୋଝ ଭାବିବା ସହ ସୁରକ୍ଷାକୁ ନେଇ ଚିନ୍ତାରେ ରହୁଥିଲେ ପରିବାର ଲୋକ । ହେଲେ ସେହି ଝିଅମାନେ କେବଳ ଗାଁର କଳେବର ବଦଳାଇ ନାହାନ୍ତି ବରଂ ପ୍ରତିଭାର ଭଣ୍ଡାର ସୃଷ୍ଟି କରିଛନ୍ତି ।
ଖେଳ ଓ ସଂସାଧନ
ଏହି ଛୋଟ ଗାଁର ମୁଖ୍ୟ ଆକର୍ଷଣ ହେଲା ଏକ ବଡ଼ ଷ୍ଟାଡିୟମ, ଯାହାର ନାଁ ଯମୁନା ଭଗତ ଷ୍ଟାଡିୟମ । ଏଠାରେ ସନ୍ତୋଷ ଟ୍ରଫି ଚାମ୍ପିଅନସିପ୍ ଆୟୋଜିତ ହୋଇଛି ଏବଂ ବର୍ତ୍ତମାନ ଖେଲୋ ଇଣ୍ଡିଆ ମଧ୍ୟ ଏଠାରେ ଆୟୋଜିତ ହେବାକୁ ଯାଇଛି । ଯେଉଁଠାରେ ଝିଅମାନେ ଏକ ଛୋଟ ଖେଳ ପଡ଼ିଆରେ ଖେଳୁଥିଲେ, ସେଠାରେ ଏକ ବଡ଼ ଷ୍ଟାଡିୟମ ହୋଇସାରିଛି ।
ଏହି ଷ୍ଟାଡିୟମ ତୁଳନାତ୍ମକ ଭାବରେ ବହୁତ ବଡ଼ ହୋଇନଥିଲେ ସୁଦ୍ଧା ଏଠାକାର ଖେଳାଳି ନିରାଶ ହୋଇନାହାନ୍ତି । ଏହି ଖେଳ ପଡ଼ିଆରେ ଅଭ୍ୟାସ ଜାରି ରଖି ଫୁଟବଲ, ଭଲିବଲ, କବାଡ଼ିରେ ଅନେକ ଚାମ୍ପିଅନ ହୋଇଛନ୍ତି । ଡଜନେରୁ ଅଧିକ ଝିଅ,ଯେଉଁମାନେ ପଡ଼ୋଶୀଙ୍କ ଟାହିଟାପରା ଶୁଣିବା ସତ୍ୱେ ଏଠାରେ ଘଣ୍ଟା ଘଣ୍ଟା ଅଭ୍ୟାସ କରୁଥିଲେ, ଆଜି ସେମାନେ ପୂରା ଗାଁ ପାଇଁ ପ୍ରେରଣା ସାଜିଛନ୍ତି ।
ଯେତେବେଳେ ବରୌନିରେ ଥିଲା ଭୟର ବାତାବରଣ
ନବେ ଦଶକର ସେହି ସମୟକୁ ମନେ ପକାଇଲେ ଏବେ ଲୋକଙ୍କ ଛାତି ଥରିଉଠେ । ଫୁଟବଲ କୋଚ ସଞ୍ଜିବ ସିଂ କହିଛନ୍ତି, ଏ ଗାଁରେ ବାରମ୍ବାର ଅପହରଣ ପରି ଘଟଣା ଘଟୁଥିଲା । ଗାଁରେ ଚାଲିଥିଲା ଗୁଣ୍ଡାରାଜ, ଜଣେ ଶକ୍ତିଶାଳୀ ବ୍ୟକ୍ତିର ଭୟରେ ଥରହର ହେଉଥିଲେ ଲୋକେ । ନବେ ଦଶକରେ ଝିଅମାନଙ୍କ ପାଇଁ ଖେଳ ପଡ଼ିଆକୁ ଓହ୍ଲାଇବା ଏକ ବଡ଼ ଚ୍ୟାଲେଞ୍ଜ ଥିଲା । ସ୍ଥାନୀୟ ଗୁଣ୍ଡାଙ୍କ ଯୋଗୁଁ ଗାଁରେ ଆତଙ୍କବାଦୀଙ୍କ ରାଜତ୍ୱ ଚାଲିଥିଲା । ଝିଅମାନେ ଘରୁ ବାହାରିବା ସୁରକ୍ଷିତ ମଣୁନଥିଲେ । ବରୌନି ଗାଁରେ ଚାଲିଥିଲା ଜଙ୍ଗଲରାଜ ।
ଅତି କଷ୍ଟରେ ଅଭିଭାବକଙ୍କୁ ବୁଝାଇବା ପରେ ସେମାନେ ଝିଅମାନଙ୍କୁ ଖେଳିବା ପାଇଁ ଅନୁମତି ଦେଇଥିଲେ । ଏତିକିରେ କଥା ସରିନଥିଲା, ନୂଆ ଚ୍ୟାଲେଞ୍ଜ ସାମ୍ନାକୁ ଆସିଥିଲା । ଅଭ୍ୟାସ ସମୟରେ ସଟ୍ସ ପିନ୍ଧିବା ପାଇଁ ଝିଅମାନେ ଭୟରେ ହେଉ କିମ୍ବା ଲାଜରେ ହେଉ ରାଜି ହେଉନଥିଲେ । ଅନେକ ବୁଝାଇବା ପରେ ସେମାନେ ସଟ୍ସ ପିନ୍ଧିବାର ଆବଶ୍ୟକତାକୁ ବୁଝିଥିଲେ । ଆଉ ଧୀରେ ଧୀରେ ସଟ୍ସରେ ଅଭ୍ୟାସ ଜାରି ରଖିଥିଲେ । ଅନେକ ବାଧାବିଘ୍ନ ଆଉ ଝିଅମାନଙ୍କ କଠିନ ପରିଶ୍ରମ ପରେ ଅନେକ ମେଡାଲ ମିଳିବା ସହ ଆଜି ଭଲ ଚାକରି କରି ଘର ଚଳାଉଛନ୍ତି । ଆଉ ଏସବୁ ଶ୍ରେୟ ସେହି ଝିଅମାନଙ୍କୁ ଯାଏ, ଯେଉଁମାନେ ସମାଜ ଲୋକଙ୍କ ସମାଲୋଚନାକୁ ନଶୁଣି ଆଗକୁ ବଢ଼ି ଗାଁ ପାଇଁ ଗୌରବ ଆଣିଛନ୍ତି ବୋଲି କହନ୍ତି କୋଚ ।
ଏ ଗାଁ ଏବେ ଝିଅମାନଙ୍କ ପାଇଁ ଗର୍ବିତ
ପ୍ରାୟ ୩୩ ବର୍ଷ ପୂର୍ବେ ଯେତେବେଳେ ଝିଅମାନେ ଫୁଟବଲ୍ ଖେଳିବା ଆରମ୍ଭ କରିଥିଲେ, ସେମାନଙ୍କୁ ପରିବାର ସଦସ୍ୟ ତଥା ସମାଜର ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଘର କାମ କରିବା ପରେ ସେମାନେ ଅଭ୍ୟାସ ପାଇଁ ଯାଉଥିଲେ । କିନ୍ତୁ ସମୟ ସହିତ ପରିସ୍ଥିତି ବଦଳି ଯାଇଛି । କ୍ୟାରିୟର ବାଛିବା ପାଇଁ ଏକ ସୁଯୋଗ କିପରି ଜୀବନର ଗତିପଥ ବଦଳାଇ ଦିଏ ତାହା ଗାଁ ଲୋକ ଜାଣିପାରନ୍ତି ।
ସେହିପରି ଅବସରପ୍ରାପ୍ତ ଶିକ୍ଷକ ସୁରେନ୍ଦ୍ର ପ୍ରସାଦ ସିଂ କହିଛନ୍ତି, "ସେତେବେଳେ ଝିଅମାନେ ସାହସ ଦେଖାଇ ଘରୁ ଗୋଡ଼ କାଢ଼ିଥିଲେ । ଅପମାନ ସତ୍ତ୍ୱେ ସେମାନେ ଏଠାକୁ ଆସି ଖେଳୁଥିଲେ। ବର୍ତ୍ତମାନ ସମସ୍ତଙ୍କର ଭଲ ଚାକିରୀ ଅଛି । ସେମାନେ ତାଙ୍କ ପରିଶ୍ରମ ବଳରେ ବରୌନି ଫ୍ଲାଗ ଗାଁର ନାଁ ବଦଳାଇ ଖେଳ ଗାଁ ବରୌନି ରଖିଛନ୍ତି ।
ଅନ୍ୟ ଜଣେ ଗ୍ରାମବାସୀ ଅରୁଣ କୁମାର ଶର୍ମା କହନ୍ତି, ଏହି ଗାଁ ଆତଙ୍କପ୍ରବଣ ହେବା ସଙ୍ଗେ ସଙ୍ଗେ ଏକଦା ସାର, ବିଶୋଧନାଗାର, କାରଖାନା ପାଇଁ ଜଣାଶୁଣା ଥିଲା । ସମୟ କ୍ରମେ ବରୌନି ଫ୍ଲାଗ ନାମରେ ପରିଚିତ ହୋଇଥିଲା । କିନ୍ତୁ ଗତ କିଛି ଦଶନ୍ଧି ମଧ୍ୟରେ ଝିଅମାନେ ଏହି ଗାଁକୁ ଖେଳ ଗାଁ ଭାବରେ ନୂଆ ପରିଚୟ ଦେଇ ପାରିଛନ୍ତି । ଗାଁର ଝିଅମାନେ କେବଳ ଜାତୀୟ ସ୍ତରରେ ଖେଳୁ ନାହାଁନ୍ତି, ସେମାନେ ଚୀନ୍ ଏବଂ ମାଲେସିଆ ଭଳି ଦେଶରେ ଖେଳି ଦେଶ ପାଇଁ ଗୌରବ ଆଣୁଛନ୍ତି ।
ଖେଳାଳିଙ୍କ ମୁହଁରୁ...
‘ଝିଅଟିଏ ଦୁଇ ଅକ୍ଷର ପଢ଼ି ବାହାହେବା କଥା, ଖେଳରୁ କ’ଣ ମିଳିବ ବୋଲି ଲୋକେ ପଚାରୁଥିଲେ । ସଟ୍ସ ପିନ୍ଧି ଅଭ୍ୟାସ କରୁଥିବାରୁ ଅନେକ ନିନ୍ଦା ଅପବାଦ ମଧ୍ୟ ଶୁଣିବାକୁ ମିଳୁଥିଲା । ଘରର ଚାରିକାନ୍ଥ ଭିତରେ ଝିଅମାନେ ଶୋଭା ପାଆନ୍ତି ବୋଲି କହୁଥିଲେ ପଡ଼ୋଶୀ । ଜଣେ ଜାତୀୟ ସ୍ତରର ଫୁଟବର ଖେଳାଳି ଦିବ୍ୟା କୁମାରୀ ତାଙ୍କ କାହାଣୀ ବଖାଣିଛନ୍ତି ।
ଖେଳ ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଥିଲା । କେବଳ ପାଖପଡ଼ୋଶୀ ନୁହେଁ ବାପାମା’ ମଧ୍ୟ ଝିଅମାନଙ୍କ ଖେଳକୁଦକୁ ନେଇ ସନ୍ତୁଷ୍ଟ ନଥିଲେ । କିନ୍ତୁ ପରେ ପରେ ଖେଳ ପ୍ରତି ଆଗ୍ରହ ଦେଖି ସହଯୋଗ କରିଥିଲେ । ଅପମାନ, ନିନ୍ଦା ଅପବାଦକୁ ସହି ଆଜି ସେ ସଫଳ ହୋଇଥିବା କୁହନ୍ତି ବିଦ୍ୟା । କେବଳ ବିଦ୍ୟା ନୁହଁନ୍ତି,ଏ ଗାଁର ଶିବାନୀ କୁମାରୀ, କୌଶିକି କୁମାରୀ, ସୁରୁଚି କୁମାରୀଙ୍କ ଭଳି ଅନେକ ଝିଅ କ୍ରୀଡ଼ା କ୍ଷେତ୍ରରେ ନିଜର ଯାଦୁ ଦେଖାଇଛନ୍ତି, ଆଉ ଦେଶ ପାଇଁ ଗୌରବ ଅର୍ଜନ କରିଛନ୍ତି ।
ଦିନେ ହାଣ୍ଡିଶାଳରେ ଲୁଚି ବସୁଥିବା ନାରୀ ଆଜି ସବୁଥିରେ ଆଗୁଆ । ଏମିତି କେଉଁ କ୍ଷେତ୍ର ନାହିଁ ଯେଉଁଠି ସେ ନିଜର ଶକ୍ତି, ସାମର୍ଥ୍ୟ ପ୍ରତିପାଦନ କରିପାରି ନାହିଁ। ଖେଳ ପଡ଼ିଆରୁ ଆରମ୍ଭ କରି ଯୁଦ୍ଧକ୍ଷେତ୍ର ଯାଏ ସବୁଠି ସମ୍ମାନନୀୟା ହୋଇପାରିଛି ନାରୀ। ଆମେ ଏକବିଂଶ ଶତାବ୍ଦୀରେ ପହଞ୍ଚିଥିଲେ ମଧ୍ୟ ନାରୀକୁ ନେଇ ଅନେକଙ୍କ ମନଭିତରେ ଥିବା ହୀନମନ୍ୟତା ଦୂର ହୋଇପାରିନାହିଁ । କିନ୍ତୁ ନାରୀ ସବୁବେଳେ ଅପରାଜେୟ । କାଲି ସେ କାଳଜୟୀ ଥିଲା, ଆଜି ଅଛି ଆଉ କାଲି ବି ରହିବ ।