Advertisment

ବାପା-ମାଆ ଛାଡ଼ି ପଳେଇଲେ...ପାମ୍ପଡ ବିକି ନାତୁଣୀ ମୁହଁରେ ଆହାର ଦେଉଛି ଆଈ

ସୁଲୋଚନାଙ୍କ ଦୁଃଖ ଏତିକିରେ ସରିନି...ପୁଅ ଆତ୍ମହତ୍ୟା କରିଦେଲା, ବୋହୂ ଘର ଛାଡି ପଳେଇଲା। ସ୍ୱାମୀ ବି କ୍ୟାନସରରେ ଆଖି ବୁଜିଲେ। ଆଉ ଏତିକି ଦୁଃଖ ଦେଇ ଭଗବାନ ଖୁସି ହେଲେନି ଯେ ଝିଅକୁ ବି ନେଇଗଲେ। ଏବେ ଏକା ଏକା ବଞ୍ଚିବା ସହିତ ଏଇ ରୋଗୀଣା ନାତୁଣୀର କରୁଛନ୍ତି ଦେଖାଶୁଣା । ଏଇ ବୟସରେ ଆଉ ଖଟିପାରୁନାହାନ୍ତି। ତେଣୁ ନିଜର ଅସହାୟତା କଥା କହୁ କହୁ କ୍ୟାମେରା ସାମ୍ନାରେ ସେ କାନ୍ଦି ପକାଇଛନ୍ତି।

ଅଦ୍ୟତନ ହୋଇଛି
Villagers Urge Administration To Extend Help To Divyang Girl In Jajpur

Dibyanga Girl

Advertisment

ହ୍ୱିଲ ଚେୟାର ଉପରେ କଣ୍ଢେଇ ଧରି ଖେଳୁଛି କୁନି ଝିଅ। କେତେବେଳେ କଣ୍ଢେଇ ଧରି ଖେଳରେ ମାତିଛି ତ ଆଉ କେତେବେଳେ ଚୁପ୍‌ ହୋଇ ବସିଛି। ଏପଟେ ଚୁଲିରେ ନଳି ପାମ୍ପଡ ଛଣା ଯାଉଛି। କେତେବେଳେ ମନ ହେଲେ ପୁଣି ପାମ୍ପଡ ଖାଇଦେଉଛି କୁନି ଝିଅ। ଏମିତି ଦୃଶ୍ୟ ସବୁ ଦେଖିବା ପରେ କିଛି ବୁଝାପଡୁନଥିବ । ଆଶ୍ଚର୍ଯ୍ୟ ଲାଗୁଥିବ କୁନି ଝିଅ କାହିଁକି ଏମିତି ଚୁପ୍‌ଚାପ୍ ହୋଇ ବସୁଛି । ହେଲେ କୁନି ଝିଅର ସତ ଜାଣିବା ପରେ ଆପଣଙ୍କ ଆଖିରେ ଜକେଇ ଆସିବ ଲୁହ।

Advertisment

ଜନ୍ମ ହେଲା ପରେ ମାଆକୁ ଦେଖିନି କୁନି ଝିଅଟି । ଦିବ୍ୟାଙ୍ଗ ହୋଇଥିବାରୁ ବାପା ବି ମୁହଁ ମୋଡି ଦେଇଛି । ବାପା-ମାଆ ଯିବା ପରେ ବୁଢୀ ଆଇମାଆ କୋଳରେ ଏବେ ବଢୁଛି କୁନି ଝିଅ। ପାଦେ ଚାଲିବାକୁ ଗୋଡରେ ବଳ ବି ନାହିଁ। ହ୍ୱିଲ ଚେୟାର ହିଁ ଏବେ ଏକମାତ୍ର ସାହାରା। ଘର ଭିତରେ କିନ୍ତୁ ଗୁରୁଣ୍ଡି ଗୁରୁଣ୍ଡି ଯାଆସ କରେ। ହେଲେ ପିଠିରେ ଆବୁ ଆଉ ଗୋଡର ଘା’ ଜୀବନରେ ଭରିଦେଇଛି ଅସହ ଯନ୍ତ୍ରଣା।

ଅଧିକ ପଢ଼ନ୍ତୁ: ମୁଣ୍ଡ ଗୁଞ୍ଜିବାକୁ ନାହିଁ ଘର, ଗଛ ଡାଳ ସାଜିଛି ସାହାରା

ଯାଜପୁର ଦାନଗଦି କଣ୍ଡିପୁର ଗାଁର ଦିବ୍ୟାଙ୍ଗ ଝିଅ ରୁବି ମଳିକ। ପିଲାଟି ଦିନରୁ ବାପା-ମାଆଙ୍କ ସ୍ନେହ ପାଇନି। ବୁଢୀ ଆଇ ତାକୁ ଏଡ଼ିକିରୁ ଏଡ଼ୁଟେ କରିଛି । ବୁଢୀ ବୟସରେ ବି ଦିବ୍ୟାଙ୍ଗ ଝିଅକୁ ଆଈ ଟିକିଏ ବି ଅବହେଳା କରିନାହିଁ । ଯନ୍ତ୍ରଣାରେ ମଲମ ଦେବା ସହ ଦୁଇ ପେଟକୁ ଦାନା ଯୋଗାଡ କରିବାକୁ ନଳି ପାମ୍ପଡ ସହ ବିକୁଛି ସୋଲାମଟର। ଗାଁକୁ ଗାଁ....ଘରକୁ ଘର ବୁଲି ବୁଲି ଯେତିକି ଟଙ୍କା ରୋଜଗାର ହୁଏ ସେତିକିରେ ଚଳେ ପରିବାର।

Advertisment

ଯେଉଁଦିନ ବୁଢୀ ଆଇ ସୁଲୋଚନା ବେପାରକୁ ନଯାଆନ୍ତି ସେଦିନ ପୂରା ଉପବାସରେ ରହିବାକୁ ପଡେ। ସୁଲୋଚନା କହନ୍ତି, ଅଧ ରାତି ପର୍ଯ୍ୟନ୍ତ ଜମା ଶୁଏନି। ନାନାପ୍ରକାର ପ୍ରଶ୍ନ କରେ...ଏତେ ରାତିରେ ବି ମୁଁ ତାହାର ଉତ୍ତର ଦିଏ । ବେପାର କରିବାକୁ ଆଇ ଯେତେବେଳେ ଗାଁ ଗାଁ ବୁଲନ୍ତି ସେତିକିବେଳେ ସାହିପଡିଶାଙ୍କ ଭରସାରେ ନାତୁଣୀଙ୍କୁ ଛାଡିଦିଅନ୍ତି। ରୁବି ସ୍କୁଲ ଯାଉଥିଲା, ହେଲେ ପିଠିର ଆବୁ ଓ ଗୋଡର ଘା’ ପିଲାଙ୍କ ମନରେ ଘୃଣା ବଢାଇଲା। ଯେଉଁଥି ଲାଗି ସେ ସ୍କୁଲ ବି ଗଲା ନାହିଁ।

ସୁଲୋଚନାଙ୍କ ଦୁଃଖ ଏତିକିରେ ସରିନି...ପୁଅ ଆତ୍ମହତ୍ୟା କରିଦେଲା, ବୋହୂ ଘର ଛାଡି ପଳେଇଲା। ସ୍ୱାମୀ ବି କ୍ୟାନସରରେ ଆଖି ବୁଜିଲେ। ଆଉ ଏତିକି ଦୁଃଖ ଦେଇ ଭଗବାନ ଖୁସି ହେଲେନି ଯେ ଝିଅକୁ ବି ନେଇଗଲେ। ଏବେ ଏକା ଏକା ବଞ୍ଚିବା ସହିତ ଏଇ ରୋଗୀଣା ନାତୁଣୀର କରୁଛି ଦେଖାଶୁଣା । ଏଅ ବୟସରେ ଆଉ ଖଟିପାରୁନାହାନ୍ତି। ତେଣୁ ନିଜର ଅସହାୟତା କଥା କହୁ କହୁ କ୍ୟାମେରା ସାମ୍ନାରେ ସେ କାନ୍ଦି ପକାଇଛନ୍ତି।

Advertisment

ସୁଲୋଚନା ଓ ରୁବିଙ୍କ ଦୁଃଖ ସମ୍ପର୍କରେ ଆମେ ଦାନଗଦି ମୁଖ୍ୟ ଚିକିତ୍ସାଅଧିକାରୀଙ୍କୁ ଜଣାଇଥିଲୁ। ତେବେ ସିଏ କହିଛନ୍ତି ଝିଅର ଅପରେସନ୍‌ କଲେ ଜୀବନ ପ୍ରତି ବିପଦ ରହିଛି। ତେଣୁ ଆମେ ଡ୍ରେସିଂ କରୁଛୁ। ପ୍ରଶାସନ ସହ ଆଲୋଚନା ପରେ କଣ କରିହେବ ତାହା ଦେଖିବୁ। ଗରିବ ଲୋକଙ୍କ ପାଇଁ ରାଜ୍ୟଠୁ କେନ୍ଦ୍ର...ଶହଶହ ଯୋଜନା। ହେଲେ ଯୋଜନାରେ ପ୍ରକୃତ ହିତାଧିକାରୀ ପାଖରେ ପହଞ୍ଚୁନାହିଁ। ଖାଲି ପହଞ୍ଚୁନି ତାହା ନୁହେଁ ବରଂ ଯୋଜନାର କାର୍ଯ୍ୟକାରିତାକୁ ନେଇ ଉଠିଲାଣି ପ୍ରଶ୍ନ...।

(ରିପୋର୍ଟ- ଜନ୍ମେଜୟ ଦାସ, ଯାଜପୁରରୋଡ୍)

Divyang Girl Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ