• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ଏମିତି ଦୁଃଖ ଭଗବାନ ଆଉ କାହାକୁ ନ ଦିଅନ୍ତୁ । ବାରିପଦାରେ ପୁଣି ଲଜ୍ଜା । ପରିଣତ ବୟସରେ କରୁଣ କାହାଣୀ । ବୟସର ଅପରାହ୍ନରେ ବୃଦ୍ଧ ଦମ୍ପତି ଖୋଜୁଛନ୍ତି ଆଶ୍ରୟ । ପାରିବାରିକ ଗଣ୍ଡଗୋଳରୁ ଘଟିଛି ଏମିତି କରୁଣ ପରିସ୍ଥିତି । ଏବେ ବୃଦ୍ଧ ଦମ୍ପତିଙ୍କ ଆଶ୍ରୟ ପାଲିଟିଛି ମେଡିକାଲ ପିଣ୍ଡା । ବାରିପଦାର ମହାରାଣୀ ଧର୍ମଶାଳା ପିଣ୍ଡାରେ ଗୁମୁରି ଗୁମୁରି କାନ୍ଦୁଛନ୍ତି ବୃଦ୍ଧ ଦମ୍ପତି । 

ପାରିବାରିକ ଲଜ୍ଜାର ସବୁ ସୀମା ଟପିଗଲେ ପୁଅ ବୋହୂ । ବୟସ ଟପିଗଲାଣି ୮୦। ମୟୁରଭଞ୍ଜ ଶୁକ୍ରୁଳି ବଜାରର ଅରବିନ୍ଦ ସାହୁ ଓ ତାଙ୍କ ସ୍ତ୍ରୀ ପ୍ରେମଲତା। ଦୁହେଁ ୪ ଦିନ ହେଲାଣି ଘରୁ ପଳାଇ ଆସି ବାରିପଦା ଡାକ୍ତରଖାନା ପିଣ୍ଡାରେ ରହୁଛନ୍ତି । ଅରବିନ୍ଦଙ୍କ ଆଖିକୁ ଠିକ୍ ଭାବେ ଦେଖାଯାଏ ନାହିଁ । ଶରୀରର ବାମପଟ ବି ପୂରା ପାରାଲିସିସ୍‌ରେ ଆକ୍ରାନ୍ତ । ପୁଅ, ବୋହୂଙ୍କ ଅକଥନୀୟ ନିର୍ଯାତନା ସହି ନପାରି ଏବେ ଘରଛାଡି ପଳାଇ ଆସିଛନ୍ତି ବୃଦ୍ଧ ଦମ୍ପତି । ଦୁଇ ପୁଅ ଶିକ୍ଷିତ, ବୋହୂ ବି ବେସରକାରୀ ସ୍କୁଲ ଶିକ୍ଷୟତ୍ରୀ, ହେଲେ ପାରିବାରିକ ନିର୍ଯାତନା ଅସହ୍ୟ । କେତେ ବା ଆଉ ସହି ଥାଆନ୍ତେ। ଶେଷରେ ଘର ଛାଡ଼ି ଆଶ୍ରୟ ନେବା ପାଇଁ ବୃଦ୍ଧାଶ୍ରମ ଖୋଜୁଛନ୍ତି ବୃଦ୍ଧ ଦମ୍ପତି। ଯାହାକୁ ଦେଖିଲେ ପଚାରୁଛନ୍ତି, ବାବୁ...ଜରାନିବାସ କୋଉଠି...ଆମକୁ ଟିକେ ଠିକଣା କହିବ କି ?

ବୃଦ୍ଧ ଦମ୍ପତିଙ୍କୁ ବାରିପଦା ମେଡିକାଲ କଲେଜ ପିଣ୍ଡାରୁ ଉଦ୍ଧାର କରି ନାରାୟଣ ସେବା ସଂଘ ଧର୍ମଶାଳାରେ ଥଇଥାନ କରିଛନ୍ତି କିଛି ଲୋକ । ପରିବାର ସହ ଯୋଗାଯୋଗ କଲେ ମଧ୍ୟ ଯୋଗାଯୋଗ ହୋଇ ପାରିନାହିଁ । ତେବେ ଯାହା ବି ହେଉ ନା କାହିଁକି ଏଭଳି ଘଟଣା କେବେ ବି ସଭ୍ୟ ସମାଜରେ ହେବା କଥା ନୁହେଁ । ଦିନେ ଯେଉଁ ବାପା ମା’ ଛୁଆକୁ ଦୁଃଖ କଷ୍ଟ ସହି ବଡ଼ କରିଛନ୍ତି ଆଜି ସେହି ବାପା ମା’ଙ୍କୁ ହତାଦର କରୁଛନ୍ତି ପିଲା । 

ବୃଦ୍ଧ ଦମ୍ପତିଙ୍କ ପରିବାର ସହ କୌଣସି ଯୋଗାଯୋଗ ହୋଇ ପାରିନାହିଁ । କିନ୍ତୁ ବୃଦ୍ଧ ଓ ବୟସ୍କ ଲୋକଙ୍କ ପାଇଁ ସରକାର ଏବଂ ହାଇକୋର୍ଟ ଅନେକ ଆଇନ୍ ମଧ୍ୟ ଆଣିଛନ୍ତି । ତେବେ ଏହି ବୃଦ୍ଧ ଦମ୍ପତିକୁ କେବେ ନ୍ୟାୟ ମିଳୁଛି ଦେଖିବାକୁ ବାକି ରହିଛି । 

OTV is now on Whatsapp

Join and get latest news update delivered to you via whatsapp

Join Now