ଜୀବନର ଅନ୍ୟ ନାମ ଯନ୍ତ୍ରଣା। ଯନ୍ତ୍ରଣା ଭିତରୁ ବାହାରି କିଛି ଭିନ୍ନ କରି ସମାଜରେ ଉଦାହରଣ ବନିବା ହେଉଛି ଜୀବନ। ଜୀବନର ମାନେ ବୁଝିବା ସହିତ ସ୍ୱାବଲମ୍ବୀ ହେବାର ଜିଦ୍ ନାରୀକୁ ଆଗକୁ ବଢାଇବାର ବାଟ ଦେଖାଇଥାଏ। ଯିଏ ଯନ୍ତ୍ରଣାକୁ ପଛରେ ପକାଇ ଜୀବନର ଲକ୍ଷ୍ୟ ପଥରେ ଆଗକୁ ବଢିଥାଏ, ସେ ହିଁ ବନିଯାଏ ଅନ୍ୟମାନଙ୍କ ପାଇଁ ପ୍ରେରଣା।
ସ୍ୱାବଲମ୍ବୀ ନାରୀଙ୍କ ପାଇଁ ସେ ହେଉଛନ୍ତି ଏକ ବଡ଼ ଉଦାହରଣ। ଘରର ଚାରିକାନ୍ଥ ଭିତରେ ସୀମିତ ନ ରହି ଅନେକ ନାରୀଙ୍କ ପାଇଁ ସେ ସାଜିଛନ୍ତି ଠିକଣା। ଅନେକଙ୍କୁ ସ୍ୱବଲମ୍ବୀ ହେବାର ବାଟ ମଧ୍ୟ ଦେଖାଇଛନ୍ତି। ଆଗକୁ ବଢିବାର ଇଛା ତାଙ୍କୁ ସାହସ ଦେଇଛି ଆଉ ସଫଳତା ବି ପାଇଛନ୍ତି। ଆଜି ତାଙ୍କ ପ୍ରଶଂସାରେ ଶତମୂଖ ସମସ୍ତେ। ସେ ହେଉଛନ୍ତି ଏମିତି ଜଣେ ନାରୀ, ଯାହାଙ୍କ ହାତର ସ୍ପର୍ଶରେ ବେତ ଏବଂ ବାଉଁଶର ରୂପ ବଦଳିଯାଏ। ସେମିତି ଜଣେ ପ୍ରେରଣାଦାୟୀ ନାରୀ ହେଉଛନ୍ତି କାଦମ୍ବରୀ ମଲ୍ଲିକ।
ନିଜର ପରିଶ୍ରମ ଏବଂ ଉଦ୍ୟମ ବଳରେ ଆଜି ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି କାଦମ୍ବରୀ ମଲ୍ଲିକ। ବାପାଙ୍କର ପ୍ରେରଣାରେ ସେ ଆଗକୁ ବଢିଛନ୍ତି। କିଛି ଶିଖିବାର ଇଛା ଏବଂ କରିବାର ନିଶା ଆଜି ତାଙ୍କୁ ସମ୍ମାନର ସହ ବଂଚିବାର ବାଟ ଦେଖାଇଛି। ତେବେ ଜୀବନ ଜୀବିକାରେ ଅସୀମ ଧୈର୍ଯ୍ୟ ଓ ବିଚାରଶକ୍ତିର କେତେ ଆବଶ୍ୟକତା ପଡିଥାଏ, ତାହା ସେ ଶିଖିଥିଲେ ବାପାଙ୍କ ଠାରୁ।
କଠିନ ପରିଶ୍ରମ ଓ କାର୍ଯ୍ୟଦକ୍ଷତା ସବୁବେଳେ ସକାରାତ୍ମକ ଚିନ୍ତାଧାରା ସୃଷ୍ଟିକରିଥାଏ। କାଦମ୍ବରୀଙ୍କ କ୍ଷେତ୍ରରେ ମଧ୍ୟ ଠିକ ସେମିତି ଘଟିଥିଲା। ପରିସ୍ଥିତି ଯେତେ ଜଟିଳ ହେଲେ ବି କେବେବି ସେ ଲକ୍ଷ୍ୟଚ୍ୟୁତ ହୋଇ ନଥିଲେ, ବରଂ ସାହାସ ଜୁଟାଇ ଆଗକୁ ବଢିଥିଲେ। ଜୀବନଯୁଦ୍ଧରେ ସଂଘର୍ଷରୁ କିପରି ସଫଳତା ଲାଭ କରିହୁଏ, ସେ କଳା ଓ କୌଶଳ ବେଶ ଜଣା କାଦମ୍ବରୀଙ୍କୁ।
କାଦମ୍ବରୀଙ୍କ ଜନ୍ମ ବ୍ରହ୍ମପୁରରେ ହୋଇଥିଲେ ବି ବାପା ଭୁବନେଶ୍ୱରରେ ଚାକିରି କରିଥିବାରୁ ସେହିଠାରେ ବିତେ ତାଙ୍କର ପାଠପଢା ଜୀବନ। ବାପା ଓ ମା’ଙ୍କର ଅଲିଅଳି ଝିଅ କାଦମ୍ବରୀ। ବାପା ହେଉଛନ୍ତି ତାଙ୍କର ଆଦର୍ଶ। ପିଲାଟି ବେଳୁ ଜୀବନର ଦୁଃଖକଷ୍ଟ କ’ଣ ଜାଣି ନ ଥିଲେ କାଦମ୍ବରୀ। ବାପାଙ୍କ ଇଛାକୁ ସମ୍ମାନ ଜଣାଇ ମାତ୍ର ୧୮ବର୍ଷ ବୟସରେ ତାଙ୍କୁ ବିବାହ କରିବାକୁ ହୋଇଥିଲା।
ବିବାହ ପରେ ବଦଳିଯାଇଥିଲା କାଦମ୍ବରୀଙ୍କ ଜୀବନର ଗତିପଥ। ସ୍ୱାମୀଙ୍କର ସ୍ୱଳ୍ପ ରୋଜଗାର ଯୋଗୁଁ ପରିବାର ଚଳାଇବା କଷ୍ଟକର ହୋଇପଡିଥିଲା। ଏମିତି ଏକ ଜଟିଳ ପରସ୍ଥିତିରେ ନିଜ ଅନ୍ତରର କଥା ଶୁଣିଥିଲେ ଆଉ ନିଷ୍ପତି ବି ନେଇଥିଲେ ସେ। ଅନ୍ୟ ଉପରେ ନିର୍ଭର ନକରି ନିଜ ଗୋଡରେ କେମିତି ଛିଡାହେବେ, ସେନେଇ ଆଗକୁ ବଢିଥିଲେ କାଦମ୍ବରୀ।
ଆଜି ଏହି ବାଉଁଶ ଓ ବେତ ଭିତରେ କାଦମ୍ବରୀ ଖୋଜିପାଇଛନ୍ତି ଜୀବନର ରାହା। ଆବଶ୍ୟକତାକୁ ନଜରରେ ରଖି ପିଲାର ଯତ୍ନ ନେବା ତାଙ୍କ ପାଇଁ ଯେତିକି ଜରୁରୀ ଥିଲା, ସେତିକି ଜରୁରୀ ଥିଲା ପରିବାରର ଆର୍ଥିକ ସ୍ଥିତିକୁ ସୁଧାରିବା। ଗୋଟିଏ ପଟେ ନିଜ ପୁଅର ସ୍ୱାସ୍ଥ୍ୟବସ୍ଥାକୁ ନେଇ ଚିନ୍ତିତ ଥିଲେ କାଦମ୍ବରୀ। ଅନ୍ୟପଟେ କାହା ଆଗରେ ହାତ ନ ପତାଇବାକୁ ନେଇଥିଲେ ଦୃଢ ସଂକଳ୍ପ।
ସେଥିପାଇଁ ସେ ପିଲାକୁ ନିଜ ବାପା ମାଙ୍କ ଦାୟିତ୍ୱରେ ଛାଡି ବାହାରି ପଡିଲେ ଟ୍ରେନିଂ ଉଦ୍ଦେଶ୍ୟରେ। ଅବଶ୍ୟ ପୂର୍ବରୁ ସିଲେଇ କାମରେ ଥିଲା ତାଙ୍କର ଦକ୍ଷତା। ସିଲେଇରୁ ଅଧିକ କିଛି ରୋଜଗାର କରିବାର ଆଶା ରଖି ପହଞ୍ଚିଥିଲେ ଭୁବନେଶ୍ୱରର ଗଣ୍ଡମୁଣ୍ଡାରେ ଥିବା ହ୍ୟାଣ୍ଡିକ୍ରାଫ୍ଟ ପ୍ରଶିକ୍ଷଣ କେନ୍ଦ୍ରରେ। ଆଉ ସେଇଠୁ ହିଁ ଆରମ୍ଭ ହୋଇଥିଲା କାଦମ୍ବରୀଙ୍କ ସ୍ୱାବଲମ୍ବୀ ହେବାର ଯାତ୍ରା।
୨୦୦୦ମସିହାରେ ଆରମ୍ଭ ହୋଇଥିଲା ସଂଗଠନ ଅପରାଜିତା। ଏହି ସଂଗଠନରେ ନିଜକୁ ସାମିଲ କରିବା ସହିତ କାମ କରିବାର ସୁଯୋଗକୁ ହାତଛଡା କରି ନଥିଲେ କାଦମ୍ବରୀ। ଧନ୍ଦାମୂଳକ ତାଲିମ ସହିତ ଆର୍ଥିକ ସ୍ୱଚ୍ଛଳତା ବୃଦ୍ଧିକରିବା ଥିଲା ତାଙ୍କର ଲକ୍ଷ୍ୟ। ଜୀବନ ଓ ଜୀବିକା ପାଇଁ ଓଡିଶାର ବିଭିନ୍ନ ସ୍ଥାନରେ କାର୍ଯ୍ୟକରିବା ସହିତ ନିଜର ଏକ ସଂସ୍ଥା ଗଢିବାକୁ ମନ ବଳାଇଥିଲେ କାଦମ୍ବରୀ।
୨୦୦୮ ମସିହା ଥିଲା କାଦମ୍ବରୀଙ୍କ ଜୀବନର ଏକ ଟର୍ଣ୍ଣଂ ପଏଣ୍ଟ। ଜଗତସିଂପୁର ଜିଲ୍ଲା Industrial Promotion Officer ଙ୍କୁ ଭେଟିବା ଏବଂ ତାଙ୍କର ସହଯୋଗରେ ଆରମ୍ଭ କରିଥିଲେ ମା ଶାରଳା ହାଣ୍ଡିକ୍ରାଫ୍ଟ୍ ସେଲ୍ପ୍ ହେଲପ୍ ଗ୍ରୁପ୍, ଯାହାକି ପରବର୍ତ୍ତୀ ସମୟରେ ମା ଶାରଳା ହାଣ୍ଡିକ୍ରାଫ୍ଟ ପ୍ରଡ୍ୟୁସର ଗ୍ରୁପ୍ ନାମରେ ପରିଚିତ ହେଲା।
ମା ଶାରଳା ହାଣ୍ଡିକ୍ରାଫ୍ଟ ପ୍ରଡ୍ୟୁସର ଗ୍ରୁପ୍ ବ୍ୟାନରରେ ଆଜି ବିଭିନ୍ନ ପ୍ରକାର ଗୃହସଜ୍ଜା ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି ଏହି ସଂଗଠନର ସଦସ୍ୟ। ପେନ୍ଷ୍ଟାଣ୍ଡ୍ ଠାରୁ ଆରମ୍ଭ କରି କାଠ କାମ, ବେତର ସୋଫାସେଟ୍, ଝୁଲା, କର୍ଣ୍ଣର, ଠାକୁର ଖଟୁଲି, ଫୁଲ ଚାଙ୍ଗୁଡି ଏମିତି ଅନେକ କିଛି କଳାକୃତି ତିଆରି କରିଥାନ୍ତି ଏହି ସ୍ୱବଲମ୍ବୀ ମହିଳାମାନେ।
ଜୀବନରେ କାଦମ୍ବରୀ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି ଏକାଏକା, ଯାହାକି ତାଙ୍କୁ ଦେଇଛି ଆଗକୁ ବଢିବାର ଉତ୍ସାହ। ଅନେକ ଘାତ ପ୍ରତିଘାତକୁ ପଛରେ ପକାଇ ଏଇ ହସ୍ତଶୀଳ୍ପକୁ ଜୀବନ ଓ ଜୀବିକା ଭାବରେ ଗ୍ରହଣ କରିନେଇଛନ୍ତି ସେ। ତାଙ୍କର ମୂଳ ଲକ୍ଷ୍ୟ ମହିଳାମାନଙ୍କୁ ଏକାଠି କରି ସେମାନଙ୍କୁ ରୋଜଗାରକ୍ଷମ କରାଇବା।
ଦିନେ ଜୀବନର ଦୁଃଖକୁ ନେଇ ନିଜକୁ ଅସହାୟ ବୋଲି ଭାବୁଥିବା କାଦମ୍ବରୀ ଆଜି ଅନ୍ୟମାନଙ୍କ ପାଇଁ ଏକ ଅନୁଷ୍ଠାନ ପାଲଟିଯାଇଛନ୍ତି। ଆଜି ତାଙ୍କ ପାଖରେ ପ୍ରାୟ ୧୫ଜଣ ମହିଳା ସେମାନଙ୍କ ଜୀବନଜୀବୀକା ଖୋଜିପାଇଛନ୍ତି। ତେବେ ଏତିକିରେ ଅଟକି ଯାଇନାହାନ୍ତି ସେ।
ଟିକି ମଣିଷର ବଡ଼ ସ୍ୱପ୍ନ.. ବଡ଼ ଆଶା। ନିଜ ହାତତିଆରି ସଂଗଠନକୁ କେମିତି ଆଗକୁ ବଢାଇହେବ ଏବଂ ଏ କାମରେ ରୁଚି ରଖୁଥିବା ମହିଳାଙ୍କୁ ଏକତ୍ରିତ କରି କେମିତି ଅଧିକ ସାମଗ୍ରୀ ପ୍ରସ୍ତୁତ କରିହେବ, ସେ ନିଶାରେ ସବୁବେଳେ ମସଗୁଲ୍ ରହିଥାନ୍ତି କାଦମ୍ବରୀ। ସେଥିପାଇଁ ତ ତାଙ୍କ ପ୍ରଶଂସାରେ ଆଜି ଶତମୂଖ ଅନ୍ୟମାନେ।
ଦୃଢ ଇଛାଶକ୍ତି ଏବଂ ପ୍ରଚେଷ୍ଟା ବଳରେ ନାରୀ କିଛି ବି କରିପାରେ ତା’ର ବଡ଼ ଉଦାହରଣ ସାଜିଛନ୍ତି ବେତ ଓ ବାଉଁଶ କାରିଗର କାଦମ୍ବରୀ ମଲ୍ଲିକ। ତାଙ୍କର ଉଦ୍ୟମ ଯୋଗୁଁ ସଂଗଠନରେ କାମ କରୁଥିବା ମହିଳାମାନେ ବି ଆଜି ଆର୍ଥିକ ଭାବେ ଉପକୃତ ହୋଇପାରିଛନ୍ତି ।
ଆଜି ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି କାଦମ୍ବରୀ। ସେ ନିଜର ଏବଂ ପରିବାରର ସ୍ଥିତିରେ ପରିବର୍ତ୍ତନ ଆଣିପାରିଛନ୍ତି। ଯେଉଁ ପରିବାର ଦିନେ ଅର୍ଥ ପାଇଁ ସଂଘର୍ଷ କରୁଥିଲା ସେହି ପରିବାରର ଆର୍ଥିକ ସ୍ଥିତି ସୁଧୁରିଯାଇଛି। କାଦମ୍ବରୀଙ୍କ ଏହି ସଫଳତା ପାଇଁ ତାଙ୍କ ସ୍ୱାମୀ ଆଜି ଗର୍ବ ଅନୁଭବ କରନ୍ତି।