• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଛିଣ୍ଡା କନ୍ଥା ଉପରେ ଚିରା ବେଡସିଟ୍‌ । ଆଉ ତା’ ଉପରେ ଶାନ୍ତିର ନିଦରେ ଶୋଇଛି ବିଲେଇ । ପରିଣତ ବୟସରେ ବିରାଡ଼ି କୁକୁର ହିଁ ତାଙ୍କର ଆପଣାର । ଚାଳ ଛପର ଘରେ ଏପରି ଦିନ କାଟୁଛନ୍ତି ଉପେନ୍ଦ୍ର ମଉସା । ନିଜର ବୋଲି କେହି ନାହାନ୍ତି, ଜୀବନରେ ଟଙ୍କାଟିଏ ବି ସଞ୍ଚୟ କରି ନାହାନ୍ତି । ନିଜ କାମ ନିଜେ କରିବା ସହିତ ଡ଼ଜନେ ବିରାଡ଼ି କୁକୁରଙ୍କୁ ଖାଇବାକୁ ଦେଇ ଯତ୍ନ ନେଉଛନ୍ତି । ସେମାନଙ୍କୁ ନିଜ ପରିବାର ସଦସ୍ୟ ଭଳି ମଣୁଛନ୍ତି ।

ଗଞ୍ଜାମ ଜଗନ୍ନାଥପ୍ରସାଦ ବ୍ଲକ ମାଟିକାନି ଗାଁର ଉପେନ୍ଦ୍ର ରଥ । ରାସ୍ତାକଡ଼ରେ ଛୋଟିଆ କୁଡ଼ିଆ ଟିଏ କରି ଦୀର୍ଘ ତିରିଶି ବର୍ଷ ହେଲା ରହୁଛନ୍ତି । ଘରଦ୍ୱାର, ଜମିବାଡ଼ି ଏପରିକି ପରିବାର ବୋଲି କିଛି ନାହିଁ । ବିବାହ କରି ନାହାନ୍ତି । ମା ବାପା ଭାଇ ବି ଆରପାରିକୁ ଚାଲିଗଲେଣି । ଏବେ ଏକାକୀ ରହୁଛନ୍ତି । ଦୀର୍ଘ ବର୍ଷ ହେଲା ଏପରି ଏକାକୀ ଜୀବନ ବିତାଉଛନ୍ତି । କିନ୍ତୁ ନିଜକୁ କେବେ ଏକୁଟିଆ ଭାବି ନାହାନ୍ତି ସେ ।

କାରଣ ବିଲେଇ, କୁକୁରଙ୍କୁ ପାଳି ତାଙ୍କୁ ଘରର ସଦସ୍ୟ କରିଛନ୍ତି । ଚଞ୍ଚଳା, ଚାନ୍ଦିନୀ, ଭୁଆ ଭଳି ସମସ୍ତଙ୍କର ନା ଦେଇଛନ୍ତି । ଯେତେବେଳେ ଯାହାକୁ ନା ଧରି ଡାକୁଛନ୍ତି ଯିଏ ଯୋଉଠି ଥିଲେବି ପାଖକୁ ଦୌଡ଼ି ଆସୁଛନ୍ତି । ସକାଳେ ଉଠି ନିତ୍ୟକର୍ମ କରିବା ପରେ ପରେ ନିଜେ ରୋଷେଇ କରନ୍ତି ଉପେନ୍ଦ୍ର ମଉସା । ପ୍ରତିଦିନ ତାଙ୍କ ପାଇଁ ଓ ନିଜର ବିଲେଇ କୁକୁରଙ୍କୁ ପାଇଁ ରୋଷେଇ ହୁଏ । ଉପେନ୍ଦ୍ର ମଉସା ଏହି ପ୍ରାଣୀ ମାନଙ୍କ ପ୍ରେମରେ ବନ୍ଧା ହୋଇ ରହିଛନ୍ତି।

ବିଲେଇମାନେ କେତେବେଳେ ଉପେନ୍ଦ୍ରଙ୍କ ପାଖରେ ଶୁଅନ୍ତି, ବସନ୍ତି, ଖେଳନ୍ତି । ବିଲେଇ, କୁକୁରଙ୍କୁ ଘଡ଼ିଏ ନଦେଖିଲେ ରହି ପାରୁନାହାନ୍ତି । ଯଦି କିଏ କୁଆଡେ ଚାଲିଯାଇଥିବ ତାକୁ ଗାଁ ଗାଁ ବୁଲି ଖୋଜିଥାନ୍ତି । ଏବେ ଜୀବନର ଶେଷ ସମୟରେ ଏହି ବିଲେଇ କୁକୁର ମାନେ ତାଙ୍କ ପରିବାର ସଦସ୍ୟ ଭଳି ପାଖେ ପାଖେ ରହି ଥାଆନ୍ତି ହସଖୁସିରେ କୁଆଡେ ସମୟ ବିତିଯାଉଛି ସେ ମଧ୍ୟ ଜାଣିପାରୁନାହାନ୍ତି । ତାଙ୍କ ଚଳିବା ପାଇଁ ସରକାରୀ ଚାଉଳ,ଭତ୍ତା ୫୦୦ ଟଙ୍କା ମିଳୁଛି । ସେଥିରେ ତାଙ୍କ ନିଜ ପେଟ ସହ ତାଙ୍କ ସହିତ ରହୁଥିବା ପ୍ରାଣୀ ମାନଙ୍କ ମଧ୍ୟ ପେଟ ପୁରିଯାଉଛି ।

ଉପେନ୍ଦ୍ରଙ୍କ ଜୀବନ ଏବେ ସେମାନଙ୍କ ପାଖରେ ବନ୍ଧା ପଡିଛି । କେହି କାହାକୁ ଛାଡି ନିମିଷେ ରହିପାରୁନାହାନ୍ତି । ଏମାନଙ୍କ ଅନାବିଳ ପ୍ରେମକୁ ଦେଖିଲେ ଯେ ବି ଭାବିବ ବାଃ ଏମିତି ବି ହୋଇପାରେ ଅବସର ଜୀବନ ।

(ରିପୋର୍ଟ- ରାଜେଶ କୁମାର ପଣ୍ଡା, ଭଞ୍ଜନଗର)