ରାସ୍ତା କଡ଼ରେ କ୍ୟାବିନ୍ଟିଏ ପଡିଛି । ସେଇ କ୍ୟାବିନ ଭିତରେ ମାଆ ବସିଛି । ଆଉ ତା ଗୋଡରେ ପ୍ଲାଷ୍ଟର ଲଗାଯାଇଛି । କଷ୍ଟ ଏତେ ଅଧିକ ହେଉଛି ଯେ କିଛି ପଚାରିଲେ ବି ସେ କାନ୍ଦି ପକାଉଛନ୍ତି । ତାଙ୍କର ସେ ଲୁହ ବେଦନାର ଲୁହ, କଷ୍ଟର ଲୁହ ଆଉ ପୀଡାର ଲୁହ । ଯେଉଁ ବୟସରେ ପୁଅ-ବୋହୂଙ୍କ ସେବା ଶୁଶ୍ରୂସା ପାଇବାର କଥା ସେହି ବୟସରେ ଯଦି ସେ କ୍ୟାବିନ୍ରେ ରୁହନ୍ତି ତାହାଲେ କାନ୍ଦିବେ ନାହିଁ ତ କରିବେ କଣ ? ଆମେ କହୁଛୁ ଶାନ୍ତିଲତା ପରିଡାଙ୍କ କଥା । ବୟସ-୭୫ ଉପରେ ହେଲାଣି ।
Also Read
ତାଙ୍କର ପରିବାର ଅଛି, ପୁଅ-ବୋହୂ, ନାତି ନାତୁଣୀ ସମସ୍ତେ ଅଛନ୍ତି । ହେଲେ କେହି ପଚାରିନୁହନ୍ତି । ଖାଲି ପଚାରିଲେନି ତାହା ନୁହେଁ ବରଂ ଘରୁ ବାହାର ବି କରିଦେଲେ । ତେଣୁ ଏ ବୟସରେ ସେ କେଉଁଠି ରହିବେ, କେମିତି ରହିବେ କିଛି ବୁଝିପାରିଲେନି । ଶେଷରେ ଶାନ୍ତିଲତାଙ୍କ ଠିକଣା ଏବେ ରାସ୍ତା କଡ଼ରେ ଥିବା ଭଙ୍ଗା କ୍ୟାବିନ୍ । ବୟସାଧିକ କାରଣରୁ ଶାନ୍ତିଲତା କିଛି କାମଦାମ କରିପାରୁନଥିଲେ । ତେଣୁ ସବୁ ସମ୍ପତ୍ତି ନିଜ ନାଁରେ କରିଦେଇ ବୁଢୀ ବୟସରେ ମାଆକୁ ଘରୁ ବାହାର କରିଦେଲେ ପୁଅ-ବୋହୂ ।
କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେଉଁଠି ପୁଅ-ବୋହୂ, ମାଆକୁ ପଚାରିଲେନି ସେଇଠି ସଉତୁଣୀ କିନ୍ତୁ ଶାନ୍ତିଲତାଙ୍କର କରୁଛନ୍ତି ସେବା । ନିଜେ ଚା’ ଦୋକାନ ଖଣ୍ଡିଏ କରିଛନ୍ତି ହେଲେ ସଉତୁଣୀଙ୍କ ସେବାରେ ଜମାରୁ କମି ରଖିନାହାନ୍ତି । ନିଜ ଭଉଣୀ ଭଳି, ସଉତୁଣିକୁ ଖୁଆଇ ଦେଉଛନ୍ତି, ଗାଧୋଇ ଦେଉଛନ୍ତି ତ ପୁଣି ପୋଛି ବି ଦେଉଛନ୍ତି । ଏମିତିକି ସେ କହୁଛନ୍ତି ଇଏ ହେଉଛନ୍ତି ମୋ ଠାକୁର, ଘର ଭିତରେ ସବୁଠି ବଡ଼ ।
ଆପଣ ଅନେକ ସ୍ଥାନରେ ଦେଖିଥିବେ ସଉତୁଣୀଙ୍କ ମଧ୍ୟରେ ସବୁ ବେଳେ କଳି ହୋଇଥାଏ । ହେଲେ ଏଠ କିନ୍ତୁ ପୁରା ନିଆରା କଥା ଦେଖିବାକୁ ମିଳିଛି । ଯେଉଁଠି ସଉତୁଣୀ ସହ କଳି କରି ଦିନ କଟିବା କଥା ସେଇଠି ସଉତୁଣୀର ସେବା କରାଯାଉଛି । ତେବେ ସଉତୁଣୀର ସେବା ପାଉଥିବାରୁ ଏହା ଶାନ୍ତିଲତାଙ୍କ ସୌଭାଗ୍ୟ ନା ପୁଅ-ବୋହୂ ଘରୁ ତଡ଼ିଦେଲେ ବୋଲି ଦୁର୍ଭାଗ୍ୟ କହିବା ।
ସେ ଯାହା ବି ହେଉ ଘର କଳି ଯେବେ ଦାଣ୍ଡରେ ଆସି ପଡେ, ଆଉ ମାଆ ଏମିତି ହତାଦାର ହୋଇ କ୍ୟାବିନ ଭିତରେ ରହେ ସେଠାରେ ନିଶ୍ଚୟ ଗାଁ ଲୋକ କହିବେ ଏବଂ ଆମେ ବି ଅନୁରୋଧ କରୁଛୁ ଏ ବୟସରେ ମାଆଙ୍କୁ ହତାଦାର କରନ୍ତୁ ନାହିଁ ବରଂ ତାଙ୍କର ସେବା କରନ୍ତୁ
(ରିପୋର୍ଟ- ଅଜିତ୍ ଦାସ, ଜଳେଶ୍ୱର)