ସାବାସ ବାପିନା: ଦୃଷ୍ଟିବାଧିତ ହୋଇବି ଆକାଶରେ ଉଡୁଛନ୍ତି, ପାହାଡ଼ ଚଢୁଛନ୍ତି...

ପାରାସେଲର ଵାପିନା ନାୟକ ଦୃଷ୍ଟିବାଧିତ ହୋଇ ବି ପର୍ବତ ଆରୋହଣ ଏବଂ ପାରାଚ୍ୟୁଟରେ ଉଡିବା ଭଳି କାମ କରି ଏବେ ସେ ଏକ ଇତିହାସ ସୃଷ୍ଟି କରିପାରିଛନ୍ତି ।

Special Story

ଦୃଷ୍ଟିବାଧିତ ହୋଇବି ଆକାଶରେ ଉଡୁଛନ୍ତି । ପାହାଡ଼ ଚଢୁଛନ୍ତି । ଆତ୍ମବିଶ୍ୱାସ ଓ ଦୃଢ଼ ଇଚ୍ଛାଶକ୍ତି ଯୋଗୁ ଆଜି ସେ ସବୁ ସମ୍ଭବ କରିପାରିଛନ୍ତି ।  ପାରାସେଲର ଵାପିନା ନାୟକ ଦୃଷ୍ଟିବାଧିତ ହୋଇ ବି ପର୍ବତ ଆରୋହଣ ଏବଂ ପାରାଚ୍ୟୁଟରେ ଉଡିବା ଭଳି କାମ କରି ଏବେ ସେ ଏକ ଇତିହାସ ସୃଷ୍ଟି କରିପାରିଛନ୍ତି । ଜଣେ ଭିନ୍ନକ୍ଷମ ହୋଇଥିଲେ ବି ତିଆରି କରିପାରିଛନ୍ତି ସ୍ୱତନ୍ତ୍ର ପରିଚୟ । 

ନୟାଗଡ଼ ଜିଲ୍ଲା ଶରଣକୁଳ ନିକଟସ୍ଥ ଭିକାରିପଡ଼ା ଗାଁରେ ଵାପିନାଙ୍କ ଘର । ବାପା ପ୍ରଫୁଲ୍ଲ କୁମାର ନାୟକ ଏବଂ ମାଆ ଚଞ୍ଚଳା ନାୟକଙ୍କ ଏକମାତ୍ର ପୁଅ ଵାପିନା । ପିଲା ଦିନରୁ ଦୁନିଆକୁ ଦେଖିପାରନ୍ତିନି । ହେଲେ କିଛି ମାସ ପୁର୍ବରୁ, ପ୍ରଶିକ୍ଷଣ ନେବା ପରେ ବଙ୍ଗୋପସାଗରର ଚନ୍ଦ୍ରଭାଗା ମୁହାଣରେ ସମୁଦ୍ର ପତ୍ତନଠାରୁ ପ୍ରାୟ ୩୫୦ ଫୁଟ ଉଚ୍ଚତାରେ ପାରାଚ୍ୟୁଟରେ ଉଡି ରେକର୍ଡ ସୃଷ୍ଟି କରିଛନ୍ତି ।

ସେହିପରି ଚନ୍ଦକା ନିକଟସ୍ଥ ୧୧୦୦ ଫୁଟ ଉଚ୍ଚତା ବିଶିଷ୍ଟ ପାହାଡ଼ ଶିଖରକୁ ଯାଇ ଜାତୀୟ ପତାକା ଉଡାଇଛନ୍ତି ବାପିନା । ଦୁନିଆକୁ ନ ଦେଖିପାରିଲେ କଣ ହେଲା, ପିଲାଟି ଦିନରୁ ଆକାଶ ଓ ପାହାଡ ଶୀର୍ଷକୁ ଯିବା ସ୍ବପ୍ନ ତାଙ୍କର ପୂରଣ ହୋଇଛି । ପରିବାରର ଆର୍ଥିକ ସ୍ଥିତି ସେମିତି ଭଲ ନୁହେଁ । କିନ୍ତୁ ଅଭାବ, ଅନାଟନ ସହ ସଂଘର୍ଷ କରି ଜୀବନ ଜିଇଛନ୍ତି ବାପିନା । ଏବେ ସେ କନିଷ୍ଠ ଶିକ୍ଷକ ଭାବରେ କଳାହାଣ୍ଡି ଜିଲ୍ଲା ଏମ ରାମପୁରରେ ନିଯୁକ୍ତି ପାଇଛନ୍ତି । ସବୁ ଦିଗରୁ ବାପିନାଙ୍କ ଏଭଳି ସଫଳତା ପରିବାରର ଓଠରେ ହସ ଫୁଟାଇଛି । 

ସଫଳତା ମିଳିବା ପରେ ଗାଁଠୁ ଆରମ୍ଭ କରି ଏବେ ଚାରିଆଡ଼ୁ ଵାପିନାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି । ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଉଛି ।