• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

କଥାରେ ଅଛି ମାନବ ସେବା ହିଁ ମାଧବ ସେବା । ମଣିଷର ସେବା କଲେ ଭଗବାନ ଖୁସି ହୁଅନ୍ତି, ଆଶୀର୍ବାଦ ଦିଅନ୍ତି । ଏ କଥା ଆମେ ନୁହେଁ ବରଂ ଶାସ୍ତ୍ରରେ ଉଲ୍ଲେଖ ଅଛି । ହେଲେ ଆଜିର ସ୍ୱାର୍ଥପର ଦୁନିଆରେ ମଣିଷର ସେବା କରିବାକୁ କାହା ପାଖରେ ସମୟ କାହିଁ ? ହେଲେ ମୟୂରଭଂଜ ଉଦଳାରେ ଏମିତି ଜଣେ ସରପଂଚ ଅଛନ୍ତି ଯିଏ କି ମାନବ ସେବାକୁ ବ୍ରତ ଭାବରେ ଗ୍ରହଣ କରିଛନ୍ତି । ଖାଲି ଗ୍ରହଣ କରିଛନ୍ତି ତାହା ନୁହେଁ ବରଂ ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ଲୋକଙ୍କ ସେବାରେ ନିଜକୁ ବ୍ୟସ୍ତ ରଖୁଛନ୍ତି ।

ମୟୂରଭଞ୍ଜ ଉଦଳା ବ୍ଲକ ଖଲାଡି ପଞ୍ଚାୟତର ସରପଞ୍ଚ ସସ୍ମିତା ବାରିକ । ପଂଚାୟତବାସୀଙ୍କ ଲାଗି ସେ ଏବେ ସାଜିଛନ୍ତି ଦେବଦୂତ । କଥାରେ ନୁହେଁ ବରଂ କାମରେ ସେ ବିଶ୍ୱାସ କରନ୍ତି । ସେଇଥି ଲାଗି ତ ଯିଏ ଯେଉଁ ଅସୁବିଧା ନେଇ ତାଙ୍କ ପାଖକୁ ଆସୁଛି ସଙ୍ଗେ ସଙ୍ଗେ ତାହାର ସମାଧାନ କରିବାକୁ ଆଗ୍ରହ ପ୍ରକାଶ କରି କାମରେ ଲାଗିପଡୁଛନ୍ତି ସସ୍ମିତା ।

ନିର୍ବାଚିତ ହେବା ପରେ ସସ୍ମିତା ଜାଣିବାକୁ ପାଇଥିଲେ କି, ପଂଚାୟତରେ ଅନେକ ଗରିବ ଲୋକ ଘର ପାଇନାହାନ୍ତି । ସରକାରୀ ଯୋଜନାରେ ତାଙ୍କୁ ଘର ଦେବାକୁ କସରତ କରୁଛନ୍ତି ହେଲେ ବି ନିଜସ୍ୱ ଟଙ୍କାରୁ ଅନେକ ଲୋକଙ୍କ ଲାଗି ଘର ତିଆରି କରିଛନ୍ତି । ଖାଲି ଘର ତିଆରି କରୁଛନ୍ତି ତାହା ନୁହେଁ ବରଂ ଯେଉଁମାନେ ଘର ଛେଇ ପାଇପାରୁନାହାନ୍ତି ତାଙ୍କୁ ବି ବଢାଇଛନ୍ତି ସହଯୋଗର ହାତ ।

ନିଷ୍ଠାପର କାମ ପାଇଁ ସ୍ଥାନୀୟ ଅଂଚଳରେ ତାଙ୍କୁ ନେଇ ପ୍ରଶଂସା ହେଉଛି । ଆଜିକା ସମୟରେ ଶିକ୍ଷା ବ୍ୟବସ୍ଥା ସୁଧୁରିଲେ ଦେଶ ଆଗେଇବ ବୋଲି ବାରମ୍ବାର ସରକାର କହୁଛନ୍ତି । ତେଣୁ କେମିତି ପିଲାମାନେ ଭଲରେ ପାଠ ପଢିପାରିବେ ସେନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ସହିତ ଅନେକ ପିଲାଙ୍କୁ ପାଠ ବି ପଢାଉଛନ୍ତି ସସ୍ମିତା । ଜାଣି ଖୁସି ହେବେ କି ସସ୍ମିତାଙ୍କ ଏମିତି ପ୍ରୟାସ ପାଇଁ ଉଦଳା ବ୍ଲକରେ ତାଙ୍କ ପଂଚାୟତ ପ୍ରଥମ ସ୍ଥାନ ଅଧିକାର କରିଛି । ଆଗାମୀ ଦିନରେ ପଂଚାୟତର କେମିତି ଉନ୍ନତି ହେବ ଏବଂ ପରିବେଶ କେମିତି ସୁରକ୍ଷିତ ରହିବ ସେନେଇ କାମ ଜାରି ରହିବ ବୋଲି ସସ୍ମିତା କହିଛନ୍ତି ।

 

  • Reported by:
  • Manas Pani