• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ହାତ ନାହିଁ, ଗୋଡ ନାହିଁ । ହେଲେ କାହାରିଠୁ କମ୍ ନୁହେଁ । ବଲାଙ୍ଗିର ଜିଲ୍ଲାର ପାୟଲ ନାଗ, ଦାଦନ ଦୁଃଖର ଅନନ୍ୟ ଉଦାହରଣ । ସଂଘର୍ଷ ଭିତରେ ଚଢୁଛନ୍ତି ସଫଳତାର ସିଡ଼ି । ଖାଇବା ଛଡା ପାଟିରେ ଲେଖିବା ଓ ଜୀବନ୍ତ ଚିତ୍ର ବି ଆଙ୍କୁଛନ୍ତି । ଭଲ ଗୀତ ଗାଉଛନ୍ତି, ସୁନ୍ଦର ନୃତ୍ୟ କରୁଛନ୍ତି ।

୭ ବର୍ଷ ପୂର୍ବେ ପାୟଲ ନାଗ୍‌ କହିଥିଲେ, ସାଙ୍ଗ ସାଥୀଙ୍କ ସହିତ ଖେଳିବାକୁ ମନ ହେଉଥାଏ, କିନ୍ତୁ ଖେଳି ପାରୁନଥାଏ । ତେଣୁ କୋହଭରା ସ୍ୱରରେ ଓଟିଭି କ୍ୟାମେରା ଆଗରେ କହିଥିଲେ, ମୋର ଖେଳିବାକୁ ଭାରି ଇଛା, ହେଲେ ଆଉ ଖେଳି ପାରିବି ନାହିଁ । ଏଭଳି ହତାଶା ଓ ନିରାଶା ଭିତରେ ଜୀବନ ଜିଇଁବାର ସଂଘର୍ଷ ଆରମ୍ଭ କରିଥିଲେ ପାୟଲ ।

ଦୁଇ ଗୋଡ ଦୁଇ ହାତ ନାହିଁ । କଣ କରିବେ, କେମିତି କରିବେ କିଛି ଭାବି ପାରୁନଥିଲେ । ହେଲେ ପରିବାର ଠାରୁ ଆରମ୍ଭ କରି ଜିଲ୍ଳା ପ୍ରଶାସନ, ସମସ୍ତେ ସାହା ହେଲେ, ସହଯୋଗ କଲେ । ଏବେ ବଡ ହୋଇଗଲେଣି । ସଂଘର୍ଷ ଭିତରେ ଜୀବନ ଜିଇଁବା ଶିଖି ଗଲେଣି । ଏକ ଅନାଥାଶ୍ରମରେ ରହି ପାଠ ପଢୁଛନ୍ତି । ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଉଛନ୍ତି ।

ନିକଟରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗ ନେଇଥିଲେ । ହାତ ଗୋଡ ନଥିବା ପାୟଲ, ପାଟିରେ ପେନସିଲ ଧରି ଆଙ୍କିଥିଲେ ଚିତ୍ର । ଆଉ ତାଙ୍କର ସୃଜନଶୀଳତାରେ ଜୀବନ୍ତ ହୋଇଥିଲା ଚିତ୍ର । ସମସ୍ତ ପ୍ରତିଯୋଗୀଙ୍କ ଭିତରେ ପ୍ରଥମ ସ୍ଥାନ ହାସଲ କରିଥିଲେ । କିନ୍ତୁ ପାୟଲର ଇଛା, ମୁଖ୍ୟମନ୍ତ୍ରୀ ତାଙ୍କ ଚିତ୍ର ଦେଖନ୍ତୁ । ଆଉ ତାଙ୍କ ଦୁଃଖ ବୁଝନ୍ତୁ ।

ପାୟଲର ସଫଳତାରେ ଭାବବିହ୍ୱଳ ହୋଇ ବଲାଙ୍ଗିର ଜିଲ୍ଳାପାଳ କହିଛନ୍ତି ପାୟଲ ମୋ ପାଇଁ ପ୍ରେରଣା । ଜିଲ୍ଳାପାଳ ନିଜ ଟ୍ୱିଟ୍‌ରେ ପାୟଲର ସଫଳତା ବଖାଣିଛନ୍ତି । ଆଉ ଏବେ ବଲାଙ୍ଗିର ସହରର ସବୁ କାର୍ଯ୍ୟକ୍ରମରେ ପାୟଲକୁ ସମ୍ମାନିତ କରୁଛନ୍ତି ବିଭିନ୍ନ ଅନୁଷ୍ଠାନ ।

ଏବେ ଆସନ୍ତୁ ଜାଣିବା କିଏ ଏହି ପାୟଲ ? କେମିତି ସେ ଦିବ୍ୟାଙ୍ଗ ହୋଇଥିଲା ? ୨୦୧୫ ମସିହାରେ ବଲାଙ୍ଗିର ମୁରିବାହାଲ ବ୍ଳକ ଯମୁନାବାହାଲ ଗାଁରୁ ବାପା, ମା ଓ ଛୋଟ ଭାଇ ସହିତ ପାୟଲ ବି ରାୟପୁର ଦାଦନ ଖଟିବାକୁ ଯାଇଥିଲା । ବାପା, ମା କାମ କରୁଥିବା ବେଳେ ଭାଇ ସହ ଖେଳୁଥିଲା । ପାଖରେ ଥିବା ଇଲେକ୍ଟ୍ରି ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲା । ତାକୁ ବଞ୍ଚାଇବା ପାଇଁ ଡାକ୍ତର ଦୁଇ ଗୋଡ଼ ଓ ଦୁଇ ହାତକୁ ଅସ୍ତ୍ରୋପଚାର କରି କାଟି ଦେଇଥିଲେ ।

ସେତେବେଳେ ଗଣମାଧ୍ୟମର ଶିରୋନାମା ହୋଇଥିଲା ଦାଦନ ଦୁଃଖର ଅନନ୍ୟ ଉଦାହରଣ ପାୟଲ । ଏହାପରେ ସହଯୋଗର ହାତ ବଢାଇଥିଲା ଜିଲ୍ଳା ପ୍ରଶାସନ । ପ୍ରଥମେ ପାୟଲର ଶରୀରରେ ଦୁଇଟି କୃତ୍ରିମ ଗୋଡ ଲଗାଯାଇଥିଲା । ଏହାପରଠୁ ଆଉ ପଛକୁ ଚାହିଁନାହାନ୍ତି ପାୟଲ । ଏବେ ବଲାଙ୍ଗିର ସହର ଉପକଣ୍ଠ ପାର୍ବତୀଗିରି ବାଳନିକେତନରେ ରହୁଛନ୍ତି ସଦେଇପାଲି ପଲ୍ଲିଶ୍ରୀ ହାଇସ୍କୁଲରେ ନବମ ଶ୍ରେଣୀରେ ପଢୁଛନ୍ତି । ହାତ ନଥିଲେ କଣ ହେଲା, ପାଟିରେ ପେନସିଲ ଧରି ଲେଖୁଛନ୍ତି, ଚିତ୍ର ଆଙ୍କୁଛନ୍ତି, ଖୁବ୍ ସୁନ୍ଦର ଗୀତ ବି ଗାଉଛନ୍ତି, ଗୋଡ଼ ନଥାଇ ସୁନ୍ଦର ନୃତ୍ୟ ବି କରୁଛନ୍ତି ।